Unknown

 

 

 

 

 

 

 

 

 

 

 

ହତଭାଗ୍ୟ

ଶ୍ରୀ ପୂର୍ଣ୍ଣଚନ୍ଦ୍ର ନାୟକ

 

ପଦେ ଅଧେ

 

ଊଣେଇଶ ବାଷଠି ମସିହା ଜୁଲାଇ ମାସ ଦଶ ତାରିଖରେ ମୁଁ ମୋର ପ୍ରଥମ କର୍ତ୍ତବ୍ୟରୁ ଅବ୍ୟାହିତ ଗ୍ରହଣକରି, ନିଜର ସ୍ୱଳ୍ପ ସଞ୍ଚୟ ବିଦ୍ୟାକୁ ସାରବାନ କରିବା ନିମନ୍ତେ ସରକାର ମହୋଦୟଙ୍କ ନିର୍ବାଚନ ପରୀକ୍ଷାରେ ନିର୍ବାଚିତ ହୋଇ, ଢେଙ୍କାନାଳଜିଲାସ୍ଥ ରଞ୍ଜାଗୋଳ ଶିକ୍ଷକ ତାଲିମ ଭବନରେ ଦୁଇବର୍ଷ ତାଲିମ ପାଇବା ନିମନ୍ତେ ଅଧ୍ୟୟନ କଲି । ପ୍ରଥମତଃ ଶିକ୍ଷକ ଜୀବନରୁ ଫେରି, ଛାତ୍ରଜୀବନ ଗ୍ରହଣ କରିବାଟା ଟିକିଏ ଅଡ଼ୁଆ ଲାଗିଲା । ପରେ ଅନେକ ଗୁରୁଛାତ୍ରଙ୍କ ଗହଣରେ ସେ ସବୁ ଭୁଲିଯାଇ ଅତୀବ ଆନନ୍ଦରେ ଦିନ କଟାଇଲି । ଏହା ପୂର୍ବରୁ ଲେଖକ ହେବାର ବାସନା ମୋ ଅନ୍ତରରେ ବଳବତ୍ତର ହୋଇ ଉଠିଥିଲା; କିନ୍ତୁ ପ୍ରେରଣାହୀନ ଓ ପରିବେଷ୍ଟନୀର ଅଭାବରେ ପଡ଼ି ସେ ସୁଯୋଗରୁ ବଞ୍ଚିତ ହୋଇଥିଲି । ସେହି ତାଲିମ ଭବନରେ ଥିବା ସମୟରେ ଚାଇନାର ନିର୍ଲଜ୍ଜ ଆକ୍ରମଣ ମୋତେ ପ୍ରେରଣା ଦେଲା, ଗୋଟିଏ ଲେଖକ ହେବା ନିମନ୍ତେ । ଏହି କାଳ୍ପନିକ ବିଷୟବସ୍ତୁ ‘‘ହତଭାଗ୍ୟ’’ର ରୂପାଙ୍କିତ ଆରମ୍ଭ କଲି ।

 

ଓଡ଼ିଶାର କେଉଁ ଅଜଣା ଅଶୁଣା ଅନ୍ଧାରି କୋଣ ଛୋଟପଲ୍ଲୀ ଗାଁଟିର ମଣିଷ ମୁଁ । ଏତେ ସ୍ୱଳ୍ପାର୍ଜ୍ଜିତ ବିଦ୍ୟାକୁ ନେଇ ଦୁନିଆଁରେ ମୋ ଆଲୋକର ପ୍ରଭାବ ପକାଇବାଟା ଦୁଃରାଶାମାତ୍ର-। ମୋର ଭକ୍ତିପୂଜ୍ୟ ଗୁରୁଦେବଗଣ, ଯଥା–ହେଡ଼ମାଷ୍ଟର ଶ୍ରୀଯୁକ୍ତ ବାନାମ୍ବର ଧର ଏବଂ ସହକାରୀ ଶିକ୍ଷକଦ୍ୱୟ ଶ୍ରୀଯୁକ୍ତ ନରସିଂହ ମିଶ୍ର ଓ ଶ୍ରୀଯୁକ୍ତ ନନ୍ଦକିଶୋର ଶତପଥିଙ୍କ ସହାନୁଭୂତି ଓ ପ୍ରେରଣାରେ ଉଦ୍‌ବୁଦ୍ଧ ହୋଇ, ଉକ୍ତ କାଳ୍ପନିକ ବିଷୟବସ୍ତୁଟିର ରୂପ ଦେବାରେ ପ୍ରୟାସୀ ହେଲି-। ଶ୍ରଦ୍ଧେୟ ଗୁରୁଛାତ୍ର ଭାଇମାନଙ୍କର ପ୍ରେରଣା ମୋ ପକ୍ଷରେ ଅପରିଶୋଧ୍ୟ ।

 

ପୁସ୍ତକଟିର କଳେବର ରଚନା ଶେଷ ହେଲା ପରେ ମୋତେ ଅନ୍ୟର ଆଶ୍ରୟ ଲୋଡ଼ିବାକୁ ପଡ଼ିଥିଲା । ପୂଜ୍ୟାଷ୍ପଦ, ଆସିଷ୍ଟାଣ୍ଟ ସେଟଲମେଣ୍ଟ ଅଫିସର ଶ୍ରୀଯୁକ୍ତ ଚକ୍ରଧର ମିଶ୍ର ମହାଶୟଙ୍କ ସାହାଯ୍ୟ, ପ୍ରେରଣା, ମୋ ନିକଟରେ ଅପରିହାର୍ଯ୍ୟ । ସେ ମହାଶୟ ନିଜର ଅଭିମତ ଯୋଗାଇ ପୁସ୍ତକଟିର ସୌନ୍ଦର୍ଯ୍ୟ ବର୍ଦ୍ଧନ କରିଛନ୍ତି । ପାଣ୍ଡୁଲିପି ଆକାରରେ ପୁସ୍ତକଟିର ପ୍ରାରମ୍ଭିକ କାର୍ଯ୍ୟ ସମାପ୍ତ କରାଇଲି । ଉକ୍ତ ମାଟିପିଣ୍ଡ ଶରୀରଟି ଗଢ଼ି ରଖିଦେଲି ସତ, ପ୍ରାଣଦାନ କରି ଦୁନିଆଁରେ ମୁଣ୍ଡ ଟେକାଇ ଛିଡ଼ା କରିବା, ମୋପରି ଗୋଟିଏ ନିରର୍ଥକ ସମ୍ବଳହୀନ ବ୍ୟକ୍ତିପକ୍ଷରେ ସମ୍ଭବପର ହେଲା ନାହିଁ । ଏଥିନିମନ୍ତେ ଦାଶରଥି ପ୍ରେସ ଓ ପୁସ୍ତକାଳୟର ସ୍ୱତାଧିକାରୀ ଶ୍ରୀଯୁକ୍ତ ଅରକ୍ଷିତ ଦାସ, ଏମ୍‌.ଏ. ବି.ଇଡି. ସମ୍ପୂର୍ଣ୍ଣ ସାହାଯ୍ୟ ପ୍ରଦାନ କରି ସ୍ୱ-ଅଧୀନସ୍ଥ ପ୍ରେସରେ ପ୍ରାଣଦାନ ସ୍ୱରୂପ, ପୁସ୍ତକ ଛପାଇ ଦେଇଥିବାରୁ ଅଧୀନ ଚିରକୃତଜ୍ଞତା ଜ୍ଞାପନ କରୁଛି । ପୁରପଲ୍ଲୀର ଶିକ୍ଷିତ ଗହଣରେ ଉକ୍ତ ପୁସ୍ତକଟିର ଆଦୃତ ହେଲେ ଶ୍ରମ ସାର୍ଥକ ମନେକରିବି । ଇତି-

 

ବିନୀତ

ପୂର୍ଣ୍ଣଚନ୍ଦ୍ର

☆☆☆

 

ଉଦ୍ଦେଶ୍ୟ

 

ସନ ଊଣେଇଶ ବାଷଠି ମସିହା ଅକ୍ଟୋବର କୋଡ଼ିଏ ତାରିଖ ଦିବସଟି ଭାରତର ଭବିଷ୍ୟତ ଇତିହାସ ପୃଷ୍ଠାରେ ଚିରସ୍ମରଣୀୟ ଦିବସ ରୂପେ ଲିପିବଦ୍ଧ ହୋଇ ରହିବ । ସେହିଦିନ ସ୍ୱାର୍ଥନ୍ୱେଷୀ ଚାଇନା ସୀମା ଲାଳସାରେ ଲାଳାୟିତ ହୋଇ ନିରପେକ୍ଷ ଭାରତ ଜନନୀର ଶାନ୍ତ ସୀମାନ୍ତ ବକ୍ଷରେ ଆରମ୍ଭ କଲା ସଂଗ୍ରାମରେ ତାଣ୍ଡବ ଲୀଳା । ସମୂହ ବିଶ୍ୱର ଶାନ୍ତି ଭାଙ୍ଗି ପଡ଼ିଲା । ଦୁର୍ଦ୍ଧଷ ଶତ୍ରୁ କବଳରୁ ମାତୃଭୂମିର ମୁକ୍ତି ନିମନ୍ତେ ସୁପ୍ତ ଭାରତର ଚଉରାଳିଶ କୋଟି ଜନତାଙ୍କ ମଧ୍ୟରେ ଜାଗରଣ ହେଲା ନୂତନ ଐକ୍ୟବଦ୍ଧ । ଏ ଦୁର୍ଦ୍ଦଶାର ନିରାକରଣ ପାଇଁ ଶକ୍ତିଶାଳୀ ଆକ୍ରମଣକାରୀ ଶତ୍ରୁର ସମ୍ମୁଖରେ ସମସ୍ତ ଜନତା ସ୍ୱତଃପ୍ରଣୋଦିତ ହୋଇ ପ୍ରାଣ ବିସର୍ଜ୍ଜନ କରି ଯଥାସାଧ୍ୟ ଉଦ୍ୟମ ଚଳାଇଥିଲେ । ସେହି ସ୍ମୃତିରକ୍ଷାର ନିଦର୍ଶନ ସ୍ୱରୂପ ଏହି କାଳ୍ପନିକ ବିଷୟ ବସ୍ତୁଟିର ରୂପାୟନ ।

 

ବିନୀତ

-ଲେଖକ-

☆☆☆

 

ଅଭିମତ

 

ଶ୍ରୀ ପୂର୍ଣ୍ଣଚନ୍ଦ୍ର ନାୟକଙ୍କର ‘ହତଭାଗ୍ୟ’ ପାଣ୍ଡୁଲିପି ପାଠ କରି ପରମ ଆନନ୍ଦ ଲାଭକଲି । ଲେଖକ ବହୁ ପରିଶ୍ରମ କରି ଦୁଇଟି ଯୁବକ ଯୁବତୀଙ୍କର ଚରିତ୍ରର ଚିତ୍ର ସୁନ୍ଦର ଭାବରେ ଫୁଟାଇ ପାରିଛନ୍ତି । ଏହି ପୁସ୍ତିକାଖଣ୍ଡି ଛାତ୍ରଛାତ୍ରୀମାନଙ୍କର ତଥା ଯୁବକ ଯୁବତୀମାନଙ୍କର ଶିକ୍ଷା, ସଂସ୍କୃତି ଓ ସାମାଜିକ ସଂସ୍କାରରେ ତଥା ଚରିତ୍ର ଗଠନରେ ବିଶେଷ ସାହାଯ୍ୟ କରିବ । ବଦାନ୍ୟ ତଥା ନେତୃସ୍ଥାନୀୟ ଉତ୍କଳବାସୀମାନେ ନବ ଲେଖକଙ୍କୁ ଉତ୍ସାହ ଦେଲେ ଉତ୍କଳ ସାହିତ୍ୟର କଳେବର ବୃଦ୍ଧିରେ ସେ ତାଙ୍କର ସମୟ ଓ ପରିଶ୍ରମ ବିନିଯୋଗ କରିବାକୁ ଅଗ୍ରସର ହେବେ । ଭଗବାନ ଲେଖକଙ୍କୁ ଦୀର୍ଘାୟୁ କରି ସୁସ୍ଥ ସବଳ ରଖନ୍ତୁ । ଏହା ଆନ୍ତରିକ କାମନା ।

 

ହିନ୍ଦୋଳ-ଢେଙ୍କାନାଳ

ଶ୍ରୀ ଚକ୍ରଧର ମିଶ୍ର

ତା ୨୦ । ୬ । ୬୩ ରିଖ

ସବ୍‌ଡେପୁଟି କଲେକ୍ଟର ଓ

 

ଆସିଷ୍ଟାଣ୍ଡ ସେଟ୍ଲମେଣ୍ଟଅଫିସର, ଚିତଳପୁର

☆☆☆

 

-ଏକ-

 

କେତେ କାଳ ବିତିଗଲାଣି । ଦିନ ପରେ ଦିନ, ମାସ ପରେ ମାସ, ବର୍ଷ ପରେ ବର୍ଷ ଗଡ଼ି ଚାଲିଛି । ଏହାରି ଭିତରେ କେତେ ଉତ୍‌ଥାନ, ପତନ ଘଟିଯାଉଛି । ସମୟ କେବେ କାହାରିକୁ ଅପେକ୍ଷା କରୁନି । ସେ ଠିକ୍‌ କର୍ତ୍ତବ୍ୟ ପଥରେ ଘୂରିଚାଲିଛି; କିନ୍ତୁ ବନମାଳୀପୁର ଗାଁଟି ସେଇ ପୂର୍ବ ପରିସ୍ଥିତିରୁ ଟିକିଏ ହେଲେ ବଦଳି ନାହିଁ ।

 

ଲଟା ପତରଘୋଟା ଛୋଟ ଜଙ୍ଗଲଟିର ପରିବେଷ୍ଟନୀ ଭିତରେ ବନମାଳୀପୁର ଗାଁଟି । ଭୂଗୋଳ କି ଇତିହାସ ପୃଷ୍ଠାରେ ଯେଉଁ ଗାଁଟିର ନାମ ଖୋଜିଲେବି ମିଳିବ ନାହିଁ । କେଉଁ କାଳରୁ ସେ ଗାଁଟିର ଅବସ୍ଥିତି, କେହି ମଧ୍ୟ ତାହାର ହିସାବ ରଖି ନାହିଁ । ଦେଶ ସ୍ୱାଧୀନ ହେବା ପରେ ୧୬ ବର୍ଷ ବିତି ଯାଇଥିଲେ ହେଁ, ସ୍ୱାଧୀନତା କ’ଣ, ବନମାଳୀପୁରର ଲୋକେ ଜାଣନ୍ତି ନାହିଁ । ପୂର୍ବ ରାଜନୀତି ସେହି ବନମାଳୀପୁର ଲୋକଙ୍କ ହୃଦୟରେ ଗୋଟାଏ ଭୟର ଚିତ୍ର ଆଙ୍କିଦେଇ ଦବାଇ ରଖିଛି । ସ୍ୱାଧୀନ ଶବ୍ଦର ପ୍ରେରଣା ସେମାନ ପାଇ ନାହାନ୍ତି । ଦେଶ ସ୍ୱାଧୀନ ହେଲା । ଏଣିକି କିପରି ଉନ୍ନତ କରି, ନିଜର ଗ୍ରାମ ଓ ଦେଶକୁ ଉନ୍ନତ କରିବା, ସେ ଆଶା ବନମାଳୀପୁର ଲୋକଙ୍କ ହୃଦୟରେ ସ୍ଥାନ ପାଇନି । ଯଦି ଗାଁକୁ କେହି ଅମଲା ଅଫିସର କି ପୋଲିସ ଆସନ୍ତି, ସେମାନେ ଦେଖିଲାମାତ୍ରେ ଲୁଚିଯାନ୍ତି । ରାଜା ଅମଳର ନାଲି ପଗଡ଼ିଆ ପୋଲିସ ଓ ଅନ୍ୟାନ୍ୟ ଦଫାଦାରଙ୍କ ଭୟ ତାଙ୍କ ହୃଦୟରେ ଲିପିବଦ୍ଧ ହୋଇ ରହିଛି । ଗାଁଟିର ବସ୍ତି ୬୦ କି ୭୦ ଘରରୁ ଊର୍ଦ୍ଧ୍ୱ ନୁହେଁ । ତେଲି, ଗଉଡ଼, କେଉଟ ଓ ହରିଜନ ପ୍ରଭୃତି କେତେ ଘରକୁ ଛାଡ଼ିଦେଲେ ଆଉ ସବୁ ପରିବାରଗୁଡ଼ିକ ହେଉଛନ୍ତି ଚଷା । ଚାଷ ତାଙ୍କର ପ୍ରଧାନ ବ୍ୟବସାୟ । ମାଟି ପେଟ ଚିରି ବୀଜ ବପନକରି ଶସ୍ୟ ଆଦାୟ କରିବାରେ ସେମାନଙ୍କର ଅଭିଜ୍ଞତା ଅନେକ; କିନ୍ତୁ ଦୁନିଆର ଆଉ କୌଣସି ନୀତିକୁ ସେମାନେ ଉପଲବ୍‌ଧି କରିବାରି ନାହାନ୍ତି ।

 

ଭାବ ଚୌଧୁରୀ ସେ ଗାଁର ମୁଖିଆ ଲୋକ । ତାଙ୍କୁ ଗାଁଟିର ସବୁ ଲୋକ ମାନନ୍ତି । ଗାଁର ବିଭା ବ୍ରତଠାରୁ ଆରମ୍ଭ କରି ନ୍ୟାୟ ସମିତି ପର୍ଯ୍ୟନ୍ତ ଚୌଧୁରୀଙ୍କ କାନ ନ ଜାଣିଲେ କିଛି ହୋଇ ନ ପାରେ । ଚୌଧୁରୀଙ୍କ ଘରେ ଧନ ନ ଥିଲେ ସୁଦ୍ଧା ମୁହଁଜୋର ଯଥେଷ୍ଟ ଅଛି । ପାଞ୍ଚ ଲୋକରେ ସେ ପାଞ୍ଚ କଥା କହିପାରନ୍ତି । ତେଣୁ ବନମାଳୀପୁରର ଗାଁଟି ଯାକ ସମସ୍ତେ ଚୌଧୁରୀଙ୍କ କଥାକୁ ମାନନ୍ତି-। ଏଥର ଗ୍ରାମପଞ୍ଚାୟତରେ ଚୌଧୁରୀଙ୍କୁ ତାଙ୍କ ଗାଁର ଓ୍ୱାର୍ଡ଼ମେମ୍ବର ରୂପେ ପଞ୍ଚାୟତର ସରପଞ୍ଚ ନିର୍ବାଚନ କରିଛନ୍ତି । ପଞ୍ଚାୟତର ସଭାସମିତି ହେଲେ ଚୌଧୁରୀ ଅତି ଆଗ୍ରହରେ ନିଜର କାମଧନ୍ଦାକୁ ଏଡ଼ିଦେଇ ଚାଲିଯାନ୍ତି । ଦେଶର ନୂଆ ନୂଆ ତଥ୍ୟରେ ଏଣିକି ଚୌଧୁରୀଙ୍କ ପ୍ରବୀଣତା ବଢ଼ିଗଲାଣି । ସେ ପଞ୍ଚାୟତ ତରଫରୁ ନିଜ ଗ୍ରାମରେ ଗୋଟିଏ କୂଅ ଓ ସରକାରଙ୍କ ତରଫରୁ ଗୋଟିଏ ସ୍କୁଲ ଗ୍ରାମଲୋକଙ୍କ ସହଯୋଗରେ ବସାଇଲେଣି । ପୂର୍ବରୁ ସେ ଗାଁରେ ସ୍କୁଲ ନ ଥିଲା-। ଯଦି ବା କେହି ଲୋକ ନାମ ଦସ୍ତଖତ କରି ଜାଣିଛି, ସେ କେଉଁ ଅବଧାନ ଅମଳର ପାଠ-। ଗୋପୀଭାଷା କି ରାସକ୍ରୀଡ଼ା ଖଣ୍ଡେ ପଢ଼ିବା ଛଡ଼ା ଅନ୍ୟ କୌଣସି ପୁସ୍ତକରେ ତାଙ୍କର ଦଖଲ ନ ଥାଏ । ସେହି ବନମାଳୀପୁରକୁ ଲାଗି ଆଉ ଗୋଟିଏ ଗାଁ ଝାରପଡ଼ା । ମଝିରେ ବ୍ୟବଧାନ ମାତ୍ରକ ଗୋଟିଏ ପୋଖରୀ । ଦୁଇଟିଯାକ ଗାଁର ଲୋକମାନେ ଗୋଟିଏ ବଂଶଧର ପରି କେଉଁ ପୁରାତନ ଅମଳରୁ ସେହି ପୋଖରୀରେ ଚଳି ଆସୁଛନ୍ତି । ସେଇଥିରେ ଗାଧୁଆ, ସେଇଥିରୁ ଆଖୁ କିଆରୀକୁ ଧାନ କିଆରୀକୁ ପାଣି ମଡ଼ାଇବା, ଦରକାର ପଡ଼ିଲେ ଖରାଦିନେ ସେଥିରୁ ପାଣି ଖାଇବା ମଧ୍ୟ ଚଳିଯାଏ । ସେହି ପୋଖରୀଟି ଯେପରି ଦୁଇଗାଁର କୋଠ ସମ୍ପତ୍ତି, ବନମାଳୀପୁରର ସ୍କୁଲଟି ମଧ୍ୟ ଦୁଇ ଗାଁର କୋଠସମ୍ପତ୍ତି । ଦୁଇ ଗାଁର ସହଯୋଗରେ ସ୍କୁଲଟି ଚଳୁଛି । ଦୁଇଗାଁର ପିଲାମାନଙ୍କ ମଧ୍ୟରେ ବନମାଳୀପୁରର ଭାବ ଚୌଧୁରୀଙ୍କ ପୁଅ ନୀରଦ ଏବଂ ଝାରପଡ଼ା ବିଦ୍ୟାଧର ସାନ୍ତରାଙ୍କ ଝିଅ ନଳିନୀ ସେହି ସ୍କୁଲରେ ଭଲ ପଢ଼ନ୍ତି । ସମସ୍ତ ପିଲାଙ୍କ ଭିତରେ ନୀରଦ ନଳିନୀକୁ ବେଶୀ ଭଲପାଏ । ସମୟ ସମୟରେ ନୀରଦ ଓ ନଳିନୀ ଭିତରେ ପାଠପଢ଼ା ବ୍ୟତୀତ କେତେ ପିଲାଖେଳ ହୋଇଥାଏ । ତାରି ମଧ୍ୟରେ ବାଲିବେଦୀରେ ତାଙ୍କର ମିଛି ମିଛିକା ବାହାଘର ହୋଇଯାଏ । ନୀରଦ ମିଛି ମିଛିକା ଗାଈ ଚରାଇ ଗଲେ ନଳିନୀ ଭାତ ନେଇ ଜଙ୍ଗଲକୁ ଯାଏ । ଏହିପରି ସ୍ନେହ କଉତୁକରେ ବାନ୍ଧିହୋଇ ନୀରଦ ଓ ନଳିନୀ ଗାଁ ପ୍ରାଇମେରୀ ସ୍କୁଲର ପାଠ ଶେଷ କଲେ । ନୀରଦ ଗୋଟିଏ ମାଇନର ସ୍କୁଲକୁ ପାଠ ପଢ଼ିବାକୁ ଚାଲିଗଲା । ସେତେବେଳେ ଆଜିକାଲି ପରି ଦେଶରେ ବିଦ୍ୟାର ପ୍ରସାର ହୋଇ ନ ଥିଲା । ପୁଅ ପିଲାମାନେ ତ ପିତାମାତାଙ୍କ ଅବହେଳା ଯୋଗୁଁ ସେ ସୁଯୋଗରୁ ବଞ୍ଚିତ ହେଉଥିଲେ, ଝିଅ ପିଲାଙ୍କ କଥା ପଚାରେ କିଏ ? ଯଦି ବା କେହି ଝିଅ ପାଠ ପଢ଼ିବାକୁ ଯାଉଥିଲା, ତାକୁ ଗାଁର ପୁରୁଖା ପୁରୁଖା ମାଇପିମାନେ କେତେ ରହସ୍ୟରେ ଉଡ଼ାଇ ଦିଅନ୍ତି । ସତେ ଯେପରି ଏ ପାଠ ପଢ଼ିଲେ କାଗଜ କଲମ ଧରି ମିଶଲରେ ବସିବ । ନଳିନୀ ମଧ୍ୟ ସେ ସୁଯୋଗରୁ ବଞ୍ଚିତ ହେଲା । ତା’ର ଇଚ୍ଛା ଥିଲେ ମଧ୍ୟ ସେ ଆଉ ଉପରକୁ ପଢ଼ିବ ବୋଲି ପିତାଙ୍କୁ ଅନୁରୋଧ କରିପାରିଲାନି । ନୀରଦ ନଳିନୀଙ୍କୁ ଛାଡ଼ି ଚାଲିଯାଉଛି ଗୋଟିଏ ସୁଦୂର ମାଇନର ସ୍କୁଲକୁ । ପିଲାଦିନର ସେହି ବାଲିବେଦୀର ମିଛି ମିଛିକା ଖେଳ ନୀରଦ ଭୁଲିଗଲାଣି । କେବେ ବା ଛୁଟିରେ ଗ୍ରାମକୁ ଆସିଲେ ନଳିନୀ ସହିତ ତା’ର ଦେଖା ହୁଏ; କିନ୍ତୁ ଅତୀତର ଖେଳ ସବୁ ପାସୋରି ପକାଇଥାଏ । ବୟସର ପରିବର୍ତ୍ତନ ସହ ମନର ବି ପରିବର୍ତ୍ତନ ଆସେ । ନୀରଦ ଭୁଲିଯାଏ ସିନା, ନଳିନୀ ଭୁଲିପାରେ ନାହିଁ । କେବେ ଯଦି ନୀରଦକୁ ସେ ଦେଖିପାରେ, ତା’ର ପୂର୍ବ ଘଟଣାଗୁଡ଼ିକ ମନେପଡ଼ିଯାଏ । ସେ ନୀରଦକୁ ଖୁବ୍‌ କମ୍‌ ସମୟ ପାଇଁ ଭାବି ନେଇଥାଏ; କିନ୍ତୁ ଭବିଷ୍ୟତରେ ଏହା ଯେ ବାସ୍ତବରେ ପରିଣତ ହେବ, ଏକଥା କେହି ଜାଣନ୍ତି ନାହିଁ । ନିୟତିର ଲେଖାହିଁ ପାଷାଣର ଗିରପରି । ‘‘କପାଳ ଲେଖନ, କେ କରିବ ଆନ ।’’

 

-ଦୁଇ-

 

ସମୟର ଚକ ଘୂରି ଚାଲିଛି । ତାରି ଭିତରେ ଦୁନିଆଁର ଉତ୍‍ଥାନ ପତନ ହେଉଛି । ଦୁନିଆଁର ଉତ୍‌ଥାନ ପତନ ସଙ୍ଗେ ସଙ୍ଗେ ଆଲୋକ ଅନ୍ଧାରର ଉତ୍‌ଥାନ ପତନ ହେଉଛି । କେତେବେଳେ ଯେ କ’ଣ ହେବ ମଣିଷ ତାହା ଜାଣି ପାରେନା କି ସେ ଭବିଷ୍ୟତ ଚିନ୍ତାକରି ପାରେନା । ଏହିପରି ମଣିଷ ଅବାଧ ଗତିରେ ଚାଲିବା ଦ୍ୱାରା ସମୟ ସମୟରେ ଝୁଣ୍ଟି ପଡ଼ିଯାଏ । ମଣିଷ ନିଜର ସାରା ଜୀବନଟାକୁ ସୁଖରେ କଟାଇବା ପାଇଁ ସଦାସର୍ବଦା କାମନା କରିଥାଏ; କିନ୍ତୁ ଅନେକ ସମୟରେ ମଣିଷ ଏହି ଅଭିଳାଷରୁ ବଞ୍ଚିତ ହୁଏ । ସେହିପରି ନୀରଦ ଗୋଟିଏ ମାନବର ଅଙ୍କୁର । ଯଦିବା ସେ ଦୁନିଆଁରେ ମଣିଷ ହୋଇପାରିନି, ତଥାପି ନିଜର ସ୍ୱାର୍ଥକୁ ଉନ୍ନତକରି ବଢ଼ାଇବା ପାଇଁ ତା’ର ହୃଦୟରେ ସେ ଆଶା ସ୍ଥାନ ପାଇଛି । ଆଶା, ଲୋଭ, ସ୍ନେହ ପ୍ରଭୃତି ମଣିଷର ସହଜାତ ପ୍ରବୃତ୍ତି । ମଣିଷର ଜନ୍ମାବସ୍ଥାରୁ ଆରମ୍ଭ କରି ବୃଦ୍ଧାବସ୍ଥା ପର୍ଯ୍ୟନ୍ତ ଊଣା ଅଧିକେ ସମସ୍ତଙ୍କ ଠାରେ ଏହି ପ୍ରବୃତ୍ତି ଦେଖିବାକୁ ମିଳିଥାଏ । ନୀରଦ କିପରି ଅନେକ ପାଠପଢ଼ି ଦୁନିଆଁରେ ଜଣେ ବିଦ୍ୱାନ ପୁରୁଷ ହେବ, ଦୁନିଆଁରେ ସବୁଠି ନିଜର ଆଲୋକର ପ୍ରଭାବକୁ ବିକ୍ଷିପ୍ତ କରାଇବ, ସେହି ଆଶା ପୋଷଣକରି ସେ ନିଜର ପଢ଼ାପଢ଼ିରେ ମନପ୍ରାଣକୁ ନିବେଶି ଥାଏ ।

 

ଶ୍ରେଣୀପରୀକ୍ଷା ଦଶଦିନ ମାତ୍ର ବାକି ଅଛି । ଏହି ପରୀକ୍ଷାରେ ସେ ଷଷ୍ଠଶ୍ରେଣୀରୁ ସପ୍ତମଶ୍ରେଣୀକୁ ପ୍ରମୋସନ୍‍ ପାଇବ, ସେଥିଲାଗି ନୀରଦ ପଢ଼ାପଢ଼ିରେ ଲାଗିପଡ଼ିଛି । ପଢ଼ାପାଇଁ ସେ ଏପରି ଧ୍ୟାନମଗ୍ନ ହୋଇଯାଇଛି ଯେ, ଖାଇବାକୁ ମୁଠାଏ ଇଚ୍ଛା ହେଉନି । ସମୟର ଅଭାବ ଜଣାପଡ଼ୁଛି । ଖାଇ ବସିଲା ବେଳେ ବି ବହିଖଣ୍ଡେ ଧରି ପଢ଼ୁଛି । ମନ ତା’ର ବହି ଉପରେ । ଭାତଗୁଣ୍ଡା ଗୋଟାକ ପରେ ଗୋଟାଏ ଆପେ ଆପେ ପାଟିକୁ ଉଠିଯାଏ । କ’ଣ ସେ ଖାଉଛି, ତାହା ଖିଆଲ ରହେ ନାହିଁ । ନୀରଦର ଏପରି କାର୍ଯ୍ୟବ୍ୟସ୍ତତା ଦେଖି ଅନ୍ୟ ସହପାଠୀମାନେ କେତେ ଛଳନା କରି ନୀରଦକୁ ଚିଡ଼ାନ୍ତି । ନୀରଦ ଚିଡ଼ିବା ପିଲା ନୁହେଁ । ସେ କାହାରି କଥା ନ ଶୁଣି ନିଜର କର୍ତ୍ତବ୍ୟପଥରେ ଅଗ୍ରସର ହେଉଥାଏ । ହେଲେ କ’ଣ ହେବ ? ନୀରଦର ଭାଗ୍ୟରେ ନିୟତିର ଲେଖା ଅତି ଜଘନ୍ୟ । ତା’ର କଳ୍ପନାର ଭବିଷ୍ୟତ ଅନ୍ଧକାରମୟ । ଗନ୍ତବ୍ୟପଥରେ ସୃଷ୍ଟି ହେଉଛି ଝଡ଼, ଝଞ୍ଜା ଏବଂ ନାନାପ୍ରକାର ବ୍ୟତିକ୍ରମ । ସେଥିପାଇଁ ଗୋଟିଏ ପ୍ରବଚନ ଅଛି–

 

‘‘ଦଇବ ଦଉଡ଼ି ମଣିଷ ଗାଈ

ଯେଣିକି ଓଟାରେ ତେଣିକି ଯାଇ ।’’

 

ସେୟା ମଧ୍ୟ ହେଲା । ଶୀତଦିନର ସଜଫୁଟା କଅଁଳିଆ ଖରା । ଦିହକୁ ଆରାମ ଲାଗୁଛି-। ନୀରଦ ସକାଳର ନିତ୍ୟକର୍ମ ଶେଷକରି ବହି ଖଣ୍ଡିଏ ଧରି ବସିପଡ଼ିଛି ଫୁଙ୍ଗୁଳା ଦେହରେ-। କଅଁଳ ତାତିର ପରଶରେ ଦେହର ଲୋମକୂପ ଉଠାଇ ଶୀତ ଆପେ ଆପେ ଅପସରି ଯାଉଛି-। ନୀରଦ ମନରେ ଭବିଷ୍ୟତ କାମନା ଫୁଟିଉଠିଛି । କିପରି ପରୀକ୍ଷାରେ ଭଲ ଲେଖି ସପ୍ତମ ଶ୍ରେଣୀରେ ଗୋଟିଏ ପୋଜିଶନ୍‍ ଅଧିକାର କରିବ । ଏହି ସମୟରେ ନିଜର ଜଣେ ପ୍ରିୟସାଥୀ ଡାକପକାଇଲା, ‘ନୀରଦଭାଇ ତୁମକୁ କେହି ଜଣେ ଲୋକ ବାହାରେ ଅପେକ୍ଷା କରି ବସିଛି ।’ ନୀରଦ ମନଖୁସିରେ ଦଉଡ଼ି ଯାଇଁ ଦେଖିଲା ତାଙ୍କ ନିଜ ଗାଁର ନିଧିଆ । ନିଧିଆ ହସ୍ତରେ ପତ୍ରଖଣ୍ଡିଏ ବାପାଙ୍କ ନିକଟକୁ ଦେବବୋଲି ଭାବିଥିଲା । ଏଥର ବାପା ପୂର୍ବାପେକ୍ଷା ଆହୁରି ପ୍ରଶଂସା କରିବେ । ହଠାତ୍‌ ଏ ଆଶା କାହିଁ ଉଭାଇ ଗଲା । ନିଧିଆ ଦୁଃଖପୂର୍ଣ୍ଣ ବାଣୀ ଶୁଣାଇଦେଲା, ‘ତୁମବାପା ଭୀଷଣ ବେମାରରେ ପଡ଼ିଛନ୍ତି । ତୁମେ ଯିବା ନିମନ୍ତେ ମୋତେ ପଠାଇଛନ୍ତି ।’ ନୀରଦ କାଳ ବିଳମ୍ବ ନ କରି ତିନିଦିନ ପାଇଁ ହେଡ଼ମାଷ୍ଟ୍ରରଙ୍କ ନିକଟରୁ ଗୋଟିଏ ଛୁଟି ଦରଖାସ୍ତ ମଞ୍ଜୁରକରି ଗ୍ରାମ ଅଭିମୁଖେ ବାହାରିଲା-। ଆସିଲାବେଳେ ବହି ଦୁଇଖଣ୍ଡି ନେଇ ଆସିଥାଏ । ବାଟଚଲା ନୀରଦକୁ ଜଣାପଡ଼ୁନି । ପିତା କିପରି ରୋଗରୁ ମୁକ୍ତି ପାଇବେ ଏବଂ ନିଜେ ସେ କିପରି ପରୀକ୍ଷାରେ ଭଲକରି ଶିକ୍ଷକଙ୍କ ଠାରୁ ପ୍ରଶଂସା ଶୁଣିବ, ଏଇ ଚିନ୍ତା ନୀରଦ ମସ୍ତକରେ ଉଙ୍କି ମାରୁଛି-। ଭଗବାନଙ୍କୁ ସେ ମନେମନେ ସୁମରଣା କରି ପ୍ରାର୍ଥନା କରୁଛି । ‘ହେ ମଙ୍ଗଳମୟ ! ତୁମେ ହେଉଛ ସର୍ବଘଟବ୍ୟାପୀ । ତୁମେ ଏ ବିପଦରୁ ମୋର ପିତାଙ୍କୁ ରକ୍ଷାକର, ଦୋଷରୁ ମୁକ୍ତକର-। ମୋର ପରୀକ୍ଷା ନିକଟବେଳକୁ ପିତାଙ୍କର ଏ ଦୁର୍ଦ୍ଦଶା ! ଏଥିଲାଗି ତୁମେହିଁ ଦାୟୀ ।’ ଏଇ ଭାବନାରେ ନୀରଦ ଆସି ଘରର ବାହାର ଅଗଣାରେ ପାଦଦେଲାଣି, ଜାଣିପାରିନି । ନିଜର ମା’କୁ ଦେଖିଲାମାତ୍ରେ ସେ ଭାବନା କାହିଁ ଛପିଗଲା-। ନୀରଦକୁ ଦେଖି ମା’ଙ୍କ ଆଖିରୁ ଲୁହ ଏବଂ ଛାତିରୁ କୋହ ଭାସିଆସିଲା । ସେ ମା’ଙ୍କୁ ସାନ୍ତ୍ୱନା ଦେଇ ବାପାଙ୍କ ନିକଟକୁ ଗଲା । ବାପା ଅନ୍ଧାରିଆ ଘରଟିରେ ଶୋଇ ଏପଟ ସେପଟ ହେଉଛନ୍ତି-। ଦେହକୁ ଆରାମ ଲାଗୁନି । କେତେ ସ୍ତ୍ରୀଲୋକ ଏବଂ ପୁରୁଷ ଲୋକ ଘେରି ବସିଛନ୍ତି । ଯାହାକୁ ଉପାୟ ଦିଶୁଛି ସେ ସେହି ଉପଚାର କରୁଛି-। ନୀରଦ ବାପାଙ୍କ ନିକଟକୁ ଯାଇଁ ମୁଣ୍ଡିଆ ମାରି, ଗୋଡ଼ ଆଉଁଷିଦେଇ କାନ୍ଦି ପକାଇଲା-। ବାପାପୁଅକୁ ଚିହ୍ନିପାରି ଆସ୍ତେ ଆସ୍ତେ ନୟନର ଲୁହଧାରକୁ ପୋଛି ଦେଲେ । ବାହାରି ଆସିଲା ଦୁର୍ବଳ ଛାତି ବାଟଦେଇ ଧପ୍‌ ଧପ୍‌ କୋହ । କଥା କହିବାର ଜୋର ଆଉ ନାହିଁ । ପାଟି ଖନି ବାଜି ଯାଉଛି । ନୀରଦ ବିଳମ୍ବ ନ କରି ସନ୍ନିକଟରେ ଥିବା ବୈଦ୍ୟଙ୍କ ନିକଟକୁ ଚାଲିଗଲା-। ସେତେବେଳେ ଆଜିକାଲିପରି ଏତେ ଡାକ୍ତରଖାନା ଗାଁ ଗହଳରେ ନ ଥିଲା । ଯେଉଁଠି ରାଜା ରାଜୁଡ଼ାମାନେ ଗଡ଼ କରି ରହିଥିଲେ ସେଇଠି ଗୋଟାଏ ଅଧେ ଥିଲା କି ନ ଥିଲା । ଗାଁ ଗହଳି କଥା ପଚାରେ କିଏ ? ବୈଦ୍ୟମାନେ ହେଉଛନ୍ତି ସର୍ବେସର୍ବା-। ବୈଦ୍ୟଶାସ୍ତ୍ର ଅଧ୍ୟୟନ କରି ଚେରମୂଳ ଉପଚାର ବ୍ୟବସ୍ଥା କରିବା ହେଲା ତାଙ୍କର ପ୍ରଧାନପନ୍ଥା । ଖାକିସିଲାଇ ବଟୁଆଟି ବିଭିନ୍ନ ବଟିକାରେ ପୂର୍ଣ୍ଣ ଥିଲେ ବୈଦ୍ୟଙ୍କୁ ସମସ୍ତେ ପୂଜାକରନ୍ତି-। ସେମାନେ ନିଜ ନିଜ ଅଞ୍ଚଳରେ ଜଣେ ଜଣେ ଭାଗ୍ୟବିଧାତା ପରି ।

 

ନୀରଦ ବୈଦଙ୍କ ନିକଟରେ ସବୁ ହାଲ ଜଣାଇ ତାଙ୍କୁ ସଙ୍ଗରେ ନେଇ ନିଜ ଘରକୁ ଆସିଲା । ବୈଦ୍ୟରତ୍ନ ମହାଶୟ ଚୌଧୁରୀଙ୍କ ନାଡ଼ି ପରୀକ୍ଷା କରି ଦେଖିଲେ । ନାଡ଼ି ଦେଖିସାରି ପିସାବ (ଛୁତ) ପରୀକ୍ଷା କଲେ । ନିଶ୍ଚୟ ଭଲ ହୋଇଯିବ ବୋଲି ବୈଦ୍ୟ ମହାଶୟ ନୀରଦକୁ ପ୍ରତିଶ୍ରୁତି ଜଣାଇଲେ । ନୀରଦ ପିତାଙ୍କ ସେବା ଶୁଶ୍ରୂଷାରେ ଲାଗିପଡ଼ି ଥାଏ । ଔଷଧ ଖାଇବା ଦ୍ୱାରା ତହିଁ ପରଦିନ ଚୌଧୁରୀଙ୍କୁ ଟିକିଏ ଆରାମ ଲାଗିଲା । ସେ କଥା କହି ପାରିଲେ । ଶଯ୍ୟାରୁ ଉଠି ବସାଉଠା କଲେ । ଆସ୍ତେ ଆସ୍ତେ ରୋଗର ଉପଶମ ହେଲା । ନୀରଦ ମନରେ ସାହସ ଆସିଲା । ସେ ଭାବିଲା, ଏଥର ପିତାଙ୍କୁ ମନକଥା ଜଣାଇବ । ଅତି ବିନୟରେ ପିତାଙ୍କୁ ଅନୁରୋଧ କଲା ‘‘ବାପା ମୁଁ ୩ ଦିନ ପାଇଁ ଛୁଟି ମଞ୍ଜୁର କରାଇ ଆଣିଥିଲି, ଆଜି ଛୁଟିର ଶେଷ ଦିନ ।’’ ପରୀକ୍ଷା ଆଉ ୩ଦିନ ଅଛି । ମୁଁ ଆଜି ସ୍କୁଲକୁ ଯିବି ବୋଲି ଭାବିଛି । ଚୌଧୁରୀ ନିଜ ପୁଅର ଅନୁରୋଧକୁ ଏଡ଼ି ପାରିଲେ ନାହିଁ । ପରୀକ୍ଷା ସମୟ । ନ ଗଲେ ନ ଚଳେ । ଏଥର ଅଟକି ଗଲେ ପୁଣି ବର୍ଷକ ପରେ ଏଇ ସୁଯୋଗ ମିଳିବ । ସେ ନୀରଦକୁ ‘ଯାଆ’ ବୋଲି କହିଦେଇ ନୀରବ ରହିଲେ । ମନରେ କାହିଁକି ଚୌଧୁରୀଙ୍କର ପାପ ଛୁଇଁଲା; କିନ୍ତୁ ପୁଅର ନିବେଦନକୁ ଏଡ଼ି ପାରିଲେ ନାହିଁ । ମନେପଡ଼ିଗଲା ଗୋଟିଏ ଗାଉଁଲି ପ୍ରବଚନ–

 

‘‘ଯାହାର ଭାଗ୍ୟେ ଯାହା ଥିବ,

ତାହା ସେ ଅବଶ୍ୟ ଭୋଗିବ,’’

 

-ତିନି-

 

ଏ ମରଜଗତ ହେଉଛି ଭଗବାନଙ୍କ ସ୍ୱହସ୍ତ ଲିଖିତ ପ୍ରବନ୍ଧ । ପ୍ରବନ୍ଧଟିଏ ଲେଖିଲା ବେଳେ ଯେପରି ନାନା ଉପମା ସଂଗ୍ରହ କରି ଲେଖିବାକୁ ପଡ଼େ, ସେପରି ମନୁଷ୍ୟଠାରୁ ଆରମ୍ଭ କରି କୀଟପତଙ୍ଗ ପର୍ଯ୍ୟନ୍ତ ସମସ୍ତେ ଭଗବାନଙ୍କର ଗୋଟିଏ ଗୋଟିଏ ଉପମା । ଭଗବାନ ହେଉଛନ୍ତି ପୃଥିବୀ ପ୍ରବନ୍ଧର କବି । କବିମାନେ ପ୍ରବନ୍ଧ ଲେଖିବାକୁ ଗଲାବେଳେ ଉପାଦାନଗୁଡ଼ିକ ସରସ ସୁନ୍ଦର ହେବା ପାଇଁ କଳ୍ପନା କରନ୍ତି । କିନ୍ତୁ ଭଗବାନଙ୍କ ଉପମାଗୁଡ଼ିକ ଭଲମନ୍ଦ, ଉନ୍ନତ ଅବନତିର ସମାହାର । ନୀରଦ ଏବଂ ନଳିନୀ ଭଗବାନଙ୍କର ଦୁଇଟି ଉପମା କହିଲେ ଅତ୍ୟୁକ୍ତି ହେବ ନାହିଁ । ନଳିନୀ ଆଜି ସେତେବେଳର କୁନିଝିଅଟି ହୋଇ ରହି ନାହିଁ । ଉପମା ଜଗତରେ ଗୋଟିଏ ସଜଫୁଟା କୁସୁମ ସଦୃଶ ଫୁଟି ନିଜର ଆଭା ଉକୁଟାଇ ଦେଇଛି । ଯୌବନର ପରଶ ଶରୀରକୁ ସ୍ପର୍ଶ କରି ସାରିଲାଣି । ପିଲାବେଳର ଅବାସ୍ତବ, ଅକଳ୍ପିତ ମିଛି ମିଛିକା ବାଲି ବେଦୀର ବାହାଘର ବାହାରେ ହେଉନି । କେଉଁ କାଳୁ ସେ ଭୁଲିଗଲାଣି । ସେ ଅବାସ୍ତବ ଖେଳ ବାସ୍ତବରେ ପରିଣତ ହୋଇ ବାହାରେ ନ ଖେଳି ମନ ମନ୍ଦିରରେ ଲୁଚକାଳି ଖେଲିଲେଣି । ନଳିନୀର ମନ ଥୟ ହୋଇ ରହିପାରୁ ନାହିଁ । ସାଗର ତରଙ୍ଗ ପରି ମନ ସମୁଦ୍ରରେ ଅସରନ୍ତି ଢେଉ ବାଡ଼େଇ ହୋଇ ଯାଉଛି । ସମସ୍ତ ଭାବନା, କାମନା କଳ୍ପନା, ତରଙ୍ଗ ମୂଳରେ ମାତ୍ର ଗୋଟିଏ ନିର୍ଦ୍ଦିଷ୍ଟ ଲକ୍ଷ୍ୟ ଗୋପନରେ ରହିଯାଇଛି । ‘ପୂଜାରିଣୀ’ ସେହି ପୂଜାରିଣୀ ଶବ୍ଦଟିକୁ କେନ୍ଦ୍ରକରି ସମୂହ ଭାବ ଫୁଟିଉଠୁଛି । ହେଲେ ସୁଦ୍ଧା କାମିନୀ କୂଳର ମନ ଅପେକ୍ଷା ଲଜ୍ଜା ଯଥେଷ୍ଟ ଉଚ୍ଚରେ । ମନ କେତେ କ’ଣ ଭାବିଯାଏ, ଲଜ୍ଜା ତାହା ଘୋଡ଼ାଇ ରଖେ । ବିବେକ ମନା କରିଦିଏ । ନଳିନୀ ଶୁଣିପାରିଛି—ବାପା ତା’ପାଇଁ ଗୋଟିଏ ଉପଯୁକ୍ତ ପାତ୍ର ଅନ୍ୱେଷଣରେ କେତେ ଖୋଜି ବୁଲିଲେଣି । କାହିଁ ଜୁଟୁନି-। ଦିନକୁ ଦିନ ବାପାଙ୍କ ମନରେ ଚିନ୍ତାର ବୋଝ ଓଜନିଆ ହୋଇ ଉଠୁଛି, ଆଶା ବଢ଼ି ଉଠୁଛି-। ସମାଧାନର ସୁଯୋଗ ମିଳୁନି ।

 

ଝାରପଡ଼ାର ଆଖପାଖ କେତେ ଖଣ୍ଡ ଗାଁରେ ବିଦ୍ୟାଧର ସାନ୍ତରା ଏକମାତ୍ର ବିଭବଶାଳୀ ବ୍ୟକ୍ତି । ଗୋଟିଏ ପୁଅ ଏବଂ ଗୋଟିଏ ଝିଅ ଛଡ଼ା ତାଙ୍କର ଅନ୍ୟ ସନ୍ତାନ ସନ୍ତତି ନ ଥିଲେ । ତାଙ୍କର ଇଚ୍ଛା ନଳିନୀ ପରି ଝିଅକୁ ଗୋଟିଏ ସୁଯୋଗ୍ୟ ପାତ୍ରରେ ଅର୍ପଣ କରିବେ । ନଳିନୀ ପାଠଶାଠ ପଢ଼ି ବିଦ୍ୟା ବୁଦ୍ଧିରେ ନିପୁଣ । ସେତେବେଳେ ପୁଅ ପିଲାମାନେ ନିମ୍ନ ପ୍ରାଇମେରୀ ପାଠତକ ଶେଷ କରି ରାମାୟଣ କି ଭାଗବତ ଖଣ୍ଡେ ପଢ଼ିଲେ ଯଥେଷ୍ଟ । ନଳିନୀ ସହଜେ ଝିଅ ପିଲା ହୋଇ ନିମ୍ନ ପ୍ରାଇମେରୀ ପାଠତକ ଶେଷକରି ପାରିଛି । ବିଦ୍ୟାଧର ସାମନ୍ତରାଙ୍କ ମନ ଏଇଥିଯୋଗୁଁ ବେଶୀ ଫୁଲିଉଠେ । ସେ ଚାହାନ୍ତି ଗୋଟିଏ ଉଚ୍ଚ ପାଠୁଆ ଚାକିରିଆ ଜ୍ୱାଇଁ ତାଙ୍କ କପାଳକୁ ଜୁଟନ୍ତା କି ? ଯାହା ଧନ ଖର୍ଚ୍ଚ ହେଉ ପଛେ ଅତି ଆଡ଼ମ୍ବରରେ ବିଭାଘର କରନ୍ତେ । ପାଖ ଆଖର ଲୋକ ଦେଖିଲେ ସଂକ୍ଷେପରେ ଜଣାଇ ଦିଅନ୍ତି । ଗାଆଁ ଦିଅଁ ଦେବତାଙ୍କୁ ପ୍ରାର୍ଥନା କରି ଏଇ କଳ୍ପନାରେ କେତେ ବୋଦା, ଗଞ୍ଜା ମନାସିଲେଣି । ତଥାପି ଭଗବାନ ତାଙ୍କର ପ୍ରାର୍ଥନା ଶୁଣି ନାହାନ୍ତି । ସାନ୍ତରାଙ୍କ ମନରେ ପ୍ରତିଦିନ କେତେ ଭାବନା ଗଡ଼ିଚାଲିଛି । ଏଇ ଭାବନା ଭିତରେ ଦିନେ ଗୋଟିଏ ଭାବନା ଅଟକି ରହି ଯାଇଛି । ‘ନୀରଦ’ ଗାଁ ସ୍କୁଲରେ ନୀରଦ, ନଳିନୀ ଏକାଠେଇଁ ପାଠ ପଢ଼ୁଥିଲେ । ଆସନ୍ତା ବର୍ଷକୁ ନୀରଦର ମାଇନର ପାଠ ଶେଷ ହେବ । ସହଜେ ବନମାଳୀପୁର ଗାଁଟିରେ ଭାବ ଚୌଧୁରୀହିଁ ନାମଜାଦା ଲୋକ । ତାଙ୍କର ଧନ ନ ଥିଲେ କ’ଣ ହେବ ପାଞ୍ଚଲୋକରେ ବସିଲେ ପାଞ୍ଚକଥା ମୁହଁଖୋଲି କହିପାରନ୍ତି । ତାଙ୍କ ପୁଅ ନୀରଦର ଚେହେରା ଅତି ସୁନ୍ଦର । ସେ ନଳିନୀର ସୁଯୋଗ୍ୟ ହୋଇପାରେ । ଭଗବାନଙ୍କର କୃପା ହେଲେ ଦିନେ ନୀରଦ, ନଳିନୀର ବିଭାଘର ମୋ ହସ୍ତରେ କରାନ୍ତି । ସାନ୍ତରା କଥା ପ୍ରସଙ୍ଗରେ ନିଜ ସ୍ତ୍ରୀଙ୍କୁ ଏ କଥା ଜଣାଇ ଦେଇଛନ୍ତି–ନୀରଦ ହେଉଛି ନଳିନୀର ଉପଯୁକ୍ତ ପାତ୍ର । ଝିଅ ଆମର ଏ ବର୍ଷକ ଘରେ ରହିଲେ ରହୁ ପଛେ ଆସନ୍ତା ବର୍ଷକୁ ବିଭାଘର କରିବା । ନୀରଦର ମଧ୍ୟ ଆସନ୍ତା ବର୍ଷକୁ ପାଠ ଶେଷ ହେବ । ଭାଗ୍ୟରେ ଥିଲେ ସେ ନିଶ୍ଚୟ ଚାକିରି ଖଣ୍ଡିଏ କରିପାରିବ । ନଳିନୀ ବାପାଙ୍କ କଥାରେ ବୋଉଙ୍କ ମନ ବେଶ୍‍ ପାଇଲା । ସାନ୍ତରା ଖାଇ ବସିଲେ, ଏଣେ ମନରେ ଭଗବାନଙ୍କୁ ପ୍ରାର୍ଥନା କରୁଥାନ୍ତି—ମୋର କାମନାହିଁ ଆପଣଙ୍କୁ ଗୋଚର ।

 

‘ଏ ମନ ଭାବୁଥାଇ ଯାହା

କାଳେ ପ୍ରାପତ ହୁଏ ତାହା’

 

-ଚାରି-

 

ବିଧାତାର ବିଧାନ ପନ୍ଥା ଅତି ବିଚିତ୍ର । ମଣିଷ ଚାହେଁ ଦୁନିଆଁରେ ସୁଖରେ ସଂସାର ଗଢ଼ିବା ପାଇଁ । ଏଥିପାଇଁ ତାକୁ ପ୍ରକୃତି ସହିତ ସଂଗ୍ରାମ କରିବାକୁ ପଡ଼ିଥାଏ । ଭବିଷ୍ୟତର ସୁଖକୁ ଚିନ୍ତା କରି ବର୍ତ୍ତମାନର ଦୁଃଖ ସୁଖକୁ ସେ ଭୁଲିଯାଏ । ଜୀବନ ନିର୍ବାହରେ ମଣିଷର ଏହା ପ୍ରଧାନ କର୍ତ୍ତବ୍ୟ । ପ୍ରତ୍ୟେକ କ୍ଷେତ୍ରରେ ଏହା ଦେଖିବାକୁ ମିଳିଥାଏ । ତଥାପି ବିଧାତାର ନୀତି ସର୍ବଦା ବିପକ୍ଷ । ସେହିପରି ନୀରଦ ଗୋଟିଏ ମଣିଷର ଅଙ୍କୁର । ସେ ମଧ୍ୟ ଭବିଷ୍ୟତ ଚିନ୍ତା କରି ନିଜର କର୍ତ୍ତବ୍ୟ ପୂରଣ କରୁଛି; କିନ୍ତୁ ବିଧାତା ତା’ପାଇଁ କେଉଁ ପନ୍ଧା ଗଢ଼ିଛି, ନୀରଦ ଜାଣେନା । ଆଜି ପରୀକ୍ଷାର ଦ୍ୱିତୀୟ ଦିବସ । ଗଲା କାଲି ପରୀକ୍ଷାରେ ସାହିତ୍ୟ ପରୀକ୍ଷା ଶେଷ ହୋଇଯାଇଛି । ସମସ୍ତ ପିଲାଙ୍କ ଅପେକ୍ଷା ନିଜର ଭଲ ହୋଇଛି ବୋଲି ଜାଣି ପାରିଛି । ଆଜି ହେବ ଗଣିତ ପରୀକ୍ଷା, ସାହିତ୍ୟ ଅପେକ୍ଷା ଗଣିତରେ କିପରି ଅଧିକ ନମ୍ବର ରହିବ, ସେ ବିଷୟରେ ନୀରଦ ଚିନ୍ତାବିହ୍ୱଳ । ଶିକ୍ଷକମାନଙ୍କ ପ୍ରଶଂସାରେ ନୀରଦ କୁରୁଳି ଉଠେ, ମନରେ ଉତ୍ସାହ ସୃଷ୍ଟି ହୁଏ । ଉଚ୍ଚ ଆଶାକୁ ମନରେ ସ୍ଥାନ ଦେଇ ନୀରଦ ପଢ଼ାରେ ଲାଗଯାଇଛି । ହଠାତ୍‌ ନୀରଦ ଶ୍ରେଣୀର ଆଉ ଗୋଟିଏ ଛାତ୍ର ଗୋକୁଳି ଡାକିଲା, ‘ନୀରଦ ଭାଇ ! ତୁମକୁ କେହି ଜଣେ ଅପେକ୍ଷା କରି ବସିଛି । ଦିନରାତି ବସି କେତେ ପାଠ ପଢ଼ୁଛ ମ ? ମୁଁ ଟିକିଏ ପରିଶ୍ରମ କଲା ପରେ ବିରକ୍ତ ଲାଗୁଛି । ତୁମେ କିପରି ଧୈର୍ଯ୍ୟଧରି ବଗ ଧ୍ୟାନ କଲାପରି ବହିକୁ ଚାହିଁ ରହିଛ ?’ ନୀରଦ ଗୋକୁଳିର ଖିଆଲିଆ କଥାକୁ ପଛରେ ପକାଇ ଦେଇ ବାହାରକୁ ଆସି ଦେଖେ ତ, ନିଜର ଚାକର ମଣିଆ । ମଣିଆର ଭାଷା ଅଟକି ଗଲା ନୀରଦକୁ ସେ କ’ଣ କହିବ ବୋଲି ଭାବି ଭାବି ସୁଦ୍ଧା ପଦେ ମାତ୍ର କଥା ସିଦ୍ଧାନ୍ତ କରିପାରିନି ।

 

ନୀରଦକୁ ଦେଖିବାମାତ୍ରେ ସତେ ଯେପରି ମଣିଆ ଗୋଟିଏ ମୂକ ମଣିଷ ପାଲଟିଯାଇଛି । ଆଖିର ଭାଷା ଉଛୁଳିଉଠିଛି । ନୀରଦ ମଣିଆ ଆଖିରୁ କି ପ୍ରେରଣା ପାଇଲା କେଜାଣି, ସେ ଜାଣିପାରିଲାଣି, ବୋଧହୁଏ କୌଣସି ବିପଦର ବଦଳରେ ମଣିଆ ଦୌଡ଼ିଛି । ମଣିଆର ପାଟି ଖନି ବାଜି ଯାଉଥିଏ । ତଥାପି ସେ ଜଣାଇ ଦେବାକୁ ଆରମ୍ଭ କଲା । ପାଟିରୁ ଥମଥମ ହୋଇ ବାହାରି ଆସିଲା କେଇ ପଦ କଥା, ‘‘ନୀରଦ ବାବୁ, ତୁମର ପିତା ତୁମକୁ ଛାଡ଼ି ଚାଲିଗଲେ ।’’ ନୀରଦର ହୋସ୍ ଉଡ଼ିଗଲା । ସେ ବେହୋସ୍‍ ହୋଇ ତଳେ କଚାଡ଼ି ହୋଇ ପଡ଼ିଲା-। ମଣିଆ ହତାଶ ହେଇ ଡାକ ପକାଇଲା । ସ୍କୁଲର ଅନ୍ୟାନ୍ୟ ପିଲାମାନେ ଦୌଡ଼ିଆସି ନୀରଦକୁ ଉଠାଇ ସାନ୍ତ୍ୱନା ଦେଲେ । ‘ନୀରଦ ଭାଇ ଦୁଃଖ କଲେ ବା କ’ଣ ହେବ ? ଦୁନିଆଁକୁ ଯେତେଦିନ ପାଇଁ ଆସିଛି, ସେ ସେତିକି ଦିନ ଖେଳାଲୀଳା ଶେଷକରି ପୁଣି ଚାଲିଯାଏ । ତମ ବାପା ଆଜି ଚାଲି ଯାଇଛନ୍ତି, ହୁଏତ କାଲି ଆମେ ଯିବା । ଏଣିକି ନିଜ ପାଇଁ ତୁମେ ଚିନ୍ତା କର ।’ ଶେଷରେ ନୀରଦ ଅବଶ୍ୟ ବୁଝିଲା, ତଥାପି ଧୈର୍ଯ୍ୟ ତାକୁ ଅଟକାଇ ପାରିଲା ନାହିଁ । ସାଙ୍ଗସାଥୀଙ୍କ ଠାରୁ ଏବଂ ଶିକ୍ଷକଙ୍କ ଠାରୁ ବିଦାୟ ନେଇ ନୀରଦ ମଣିଆ ସାଙ୍ଗରେ ଗ୍ରାମ ଅଭିମୁଖେ ବାହାରିଲା । ମନରେ ଶତ ଶତ ବ୍ୟଥିତ ତରଙ୍ଗ ଉଙ୍କି ମାରୁଥାଏ । ସୁଖର ସଂସାର ଆଜିଠାରୁ ନୀରଦକୁ ଛାଡ଼ି ଚାଲିଯାଇଛି । ଶେଷଥର ପାଇଁ ପିତା ତା’ର ମୁଖ ଦେଖିପାରି ନାହାନ୍ତି ଏବଂ ନିଜେ ମଧ୍ୟ ପିତାଙ୍କ ମୁହଁକୁ ଦେଖି ପାରିନି । ଏହି ଚିନ୍ତା ନୀରଦ ଛାତି ଭିତରେ ଆଲୋଡ଼ନ ସୃଷ୍ଟି କରି କୋହ ଉଠାଉଥାଏ । ମଝିରେ ମଝିରେ ନୀରଦକୁ ଆଶ୍ୱାସନା ଦେଉଥାଏ । ହେଲେ ମନ ବୁଝୁଛି କେତେକେ ? ଚିର ପରିଚିତ ପିତା ଆଜିଠାରୁ ନୀରଦର ଚିର ଅପରିଚିତ । ଦାଣ୍ଡ ଦୁଆରେ ପହଞ୍ଚି ଦେଖେ ତ, ନିଜର ଘରଟି କ୍ରନ୍ଦନ ରୋଳରେ ଫାଟିପଡ଼ୁଛି । ମା’ଙ୍କ ହୃଦୟଫଟା ଚିତ୍କାର ଦୁନିଆକୁ ଫଟାଇ ଦେଉଛି । ନୀରଦର ଦର୍ଶନ ମାତ୍ରେ ତାହା ଆହୁରି ଦ୍ୱିଗୁଣିତ ହୋଇ ବଢ଼ିଉଠିଲା । ନୀରଦ ସମ୍ଭାଳି ପାରିଲାନି ମା’ଙ୍କର ମର୍ମଭେଦୀ ବିକଟ କରୁଣ କ୍ରନ୍ଦନ । ତଥାପି ନିଜକୁ ସମ୍ଭାଳିବାକୁ ପଡ଼ିବ, ନ ହେଲେ ଯେ ମା’ଙ୍କ ଅବସ୍ଥା ପିତାଙ୍କଠାରୁ ବଳି ପଡ଼ିବ । ମା’ଙ୍କ ଆଖିରୁ ଲୁହ ପୋଛି ନୀରଦ କେତେ ବୁଝାଇଲା, ‘ମା ତୁମେ ଏପରି ହତାଶ ହେଲେ ମୁଁ କ’ଣ କରିବି ? ବାପାଙ୍କର ଯେତିକି ଆୟୁଷ ସେ ଭୋଗ କରି ଚାଲିଗଲେ । ମୁଣ୍ଡକଚାଡ଼ି ଫାଟିଗଲେ ସୁଦ୍ଧା, ସେ ଆମ ଦୁଃଖ ଶୁଣି ଫେରିଆସିବେ ନାହିଁ । ଆମେ ମଧ୍ୟ ଦିନେ ଏହିପରି ଚାଲିଯିବା । ଦୁନିଆରେ ଏହିପରି ଜୀବନ ମରଣ ଖେଳ ଚାଲିଛି । ଜନ୍ମ ହେଲେ ମରଣ ନିଶ୍ଚୟ ଘଟିବ । ଏଣିକି ଆମେ ଆମର କପାଳକୁ ଆଦରି ଚଳିବା ।’

 

‘‘କେହି ରହି ନାହିଁ ରହିବେ ନାହିଁଟି ଭବରଙ୍ଗ ଭୂମିତଳେ

ସର୍ବେ ନିଜ ନିଜ ଅଭିନୟ ସାରି ବାହୁଡ଼ିବେ କାଳ ବଳେ ।’’

 

ପାଞ୍ଚ

 

ଲ୍ୟାମ୍ପ ବତିଟି ମିଞ୍ଜି ମିଞ୍ଜି ହୋଇ ଜଳୁଛି । ନଳିନୀ ନିଜର ଶୋଇବା ଖଟଟିରେ ଶେଯଟିକୁ ବିଛାଇ ଦେଇ, ଲ୍ୟାମ୍ପର ଧୂଆଁ ଶିଖାଟିକୁ ଚାହିଁ ବସି ମନରେ କେତେ କ’ଣ ଭାବୁଛି । ଭାବୁଛି ପଡ଼ିଶାଘରର ସାଙ୍ଗ ଝିଅ ବିଜୟାର କଥା । ସେ ପ୍ରାୟ ନଳିନୀଠାରୁ ଦୁଇବର୍ଷ ସାନ ହେବ । ଆଜକୁ ଦେଢ଼ ମାସ ହେବ ବିଜୟାର ବିଭାଘର ଶେଷ ହେବ । ଶାଶୁଘରକୁ ପ୍ରଥମ କରି ଯାଇ ପିତା ଘରକୁ ଫେରିଆସିଛି । ନୂଆବୋହୂ, ହିସାବରେ ବିଜୟାର ଛାତିଫୁଲା କଥା କହିଲେ ନ ସରେ । ନଳିନୀ ଭାବେ, ମୁଁ ଯାହାକୁ ପିଲାଦିନେ କେତେ ମାଡ଼, ଗାଳି, ତାଡ଼ନା ଦେଇଥିଲି, ସେହି ବିଜୟା ଆଜି ମୋ ଆଗରେ ଛାତି ଫୁଲାଇ ଚାଲୁଛି । ମୁହଁରେ ଲିପ୍‍ଷ୍ଟିକ, ହେଜଲିନ୍ ସ୍ନୋ, ମଥାବେଣୀରେ ନାଇଲନ୍ ରିବନ୍‍ର ଚକ୍‍ଚକିଆ ଫୁଲ ଏବଂ ବାଙ୍ଗାଲୋର ସିଲ୍‍କ ଶାଢ଼ି ପିନ୍ଧି ଦାଣ୍ଡେ ଦାଣ୍ଡେ ମୁହଁ ହଲାଇ ଚାଲିଯାଏ । ଗାଁର ଅନ୍ୟ ବୋହୂ ଝିଅଙ୍କ ଆଗେ ନିଜର ଆତ୍ମବଡ଼ିମା ପ୍ରକାଶ କରେ । ବିଜୟା ପାଇଛି ନିଜର ଚିରପରିଚିତ ‘ନୂତନ ସାଥୀ’ । ଯା’ସଙ୍ଗେ ତା’ର ସୁଖର ସଂସାର ରଙ୍ଗିନ ଦୁନିଆ ଗଢ଼ି ଉଠିବ । କିନ୍ତୁ ମୁଁ ଆଜି ତା’ ତଳେ ନଗଣ୍ୟ । ମୋତେ ଦେଖିବା ମାତ୍ରେ ବିଜୟାର ମନ କୁରୁଳି ଉଠୁଛି-। ନଳିନୀ ପୁଣି ମନରେ ଭାବେ, ‘ଛି, ଛି, ମୁଁ କ’ଣ ଭାବୁଛି । ବିଜୟାର ଭାଗ୍ୟ ମୋ ଭାଗ୍ୟର ଅନେକ ଦୂରରେ । ଛି’ରେ ଶିରୀହୀନା ଯୌବନ । କା ସହିତ ମେଳ ହୋଇ ଉଛୁଳାଇ ନବପ୍ରେମର ଝଙ୍କାର-। କାହାକୁ ପକାଇ ରଖି ପାଷାଣ ସଦୃଶ, କାହା ଅଙ୍ଗେ ଲେପିଦେଉ ଅଗରୁଚନ୍ଦନ, ଆଉ କାହାଅଙ୍ଗେ ଜାଳିଦେଉ ଦୁଃସହର ବହ୍ନି !’ ହଠାତ୍ ତା’ର ମନେପଡ଼ିଗଲା । ଦିନେ ପିତାଙ୍କଠାରୁ ଶୁଣିପାରିଛି, ବନମାଳୀପୁରର ନୀରଦ ସହିତ ମୋର ବିଭାଘର ହେବ ବୋଲି । ସେ ପିଲାଦିନର ସାଥୀ, ପିଲାଦିନେ ପଢ଼ାବେଳେ ତା’ ସହିତ ମୋର ମିଛିମିଛିକା ବିଭାଘର ହୋଇଯାଇଛି-। ଏହା କ’ଣ ସତରେ ପରିଣତ ହେବ ? ଯୌବନର ମନ ଅତି ଚପଳ । ତାହା କୌଣସି କାର୍ଯ୍ୟରେ, ଭାବନାରେ, କର୍ତ୍ତବ୍ୟରେ ସ୍ଥିରହୋଇ ରହିପାରେନା । ସେହିପରି ନଳିନୀ ଗୋଟିଏ ପୂର୍ଣ୍ଣଯୌବନସମ୍ପନ୍ନା କୁମାରୀ । ମନରେ ଦିନରାତି କେତେ ଭାବନା, କଳ୍ପନା, କାମନା ଉଡ଼ିବୁଲେ । ଯେତେବେଳେ ମନରେ ଟିକିଏ ଧୈର୍ଯ୍ୟ ଆସେ, ସେତେବେଳେ ପୁଣି ନିଜର କପାଳକୁ ନିନ୍ଦାକରେ-। ମୋର ଭାଗ୍ୟ ଦୁନିଆଁ ଭାଗ୍ୟର ବାହାରେ । କାଲି ଯେ ମୋ ଆଗରେ ଧୂଳିଖେଳ କରୁଥିଲା, ଆଜି ସେ ସୁନ୍ଦର ଦେବତାର ଗୋଟିଏ ସୁନ୍ଦର ପୂଜାରିଣୀ । ସେହିପରି ବିଜୟା । ତା’ର ମନ କେଉଁ ଆନନ୍ଦ ରାଇଜରେ ଉଡ଼ି ବୁଲୁ ନ ଥିବ । ମୋ ପରି ସେ କେତେ କ’ଣ ଦୁଃଖ ଭାବନା ପରିବର୍ତ୍ତେ ସୁଖ ଭାବନାରେ ବୁଡ଼ି ଯାଉନଥିବ ? ଏହି ଭାବନା ସୁଅରେ କେତେବେଳେ ଶୋଇପଡ଼େ, କେତେବେଳେ ରାତିପାହେ ନଳିନୀ ଜାଣିପାରେନା । ସ୍ୱପ୍ନରେ କେତେ କେତେ ସୁନ୍ଦର ପୁରୁଷଙ୍କୁ ଦେଖିପାରେ । ମନ ତା’ର କୁରୁଳିଉଠେ । ରାତିପାହେ, ସ୍ୱପ୍ନ ଉଭାଇଯାଏ । ମନ ଅନ୍ୟ କେଉଁଦିଗକୁ ଫେରିଆସେ । କୁଆ କା’, କା ରାବ ଦେଇ ଏ ଚାଳରୁ ସେ ଚାଳକୁ ଡେଇଁବୁଲେ-। ତା’ର କାନଫଟା ରାବରେ ନିଦ ଭାଙ୍ଗିଯାଏ । ନଳିନୀ ଶେଯରୁ ଉଠି ନିଜର ନିତ୍ୟକର୍ମ ଶେଷକରି ଆସନ ଖଣ୍ଡେ କି ବିଞ୍ଚଣାଖଣ୍ଡେ ଧରି ବୁଣି ବସେ । ପିତାମାତାଙ୍କର ଗୋଟିଏ ବୋଲି ଝିଅ, ଅତି ଗେଲବସର ସେ-। କେଉଁ କାମ ପାଇଟିକି କିଏବା ତାଗଦା କରିବ ? ମୁଠିଏ ଖାଇ ଶୋଇବା ଛଡ଼ା ନଳିନୀର ଅନ୍ୟ ପନ୍ଥା ନାହିଁ । ଯେତେବେଳେ ଘରେ ବସି ବସି ଚିଟା ଲାଗେ ସେତେବେଳେ ପ୍ରତିମା ଘରକୁ ଟିକିଏ ବୁଲିଯାଏ । ଏଣିକି ପଡ଼ିଶାଘରକୁ ଯିବାପାଇଁ ନଳିନୀକୁ ଲଜ୍ଜା ଲାଗିଲାଣି । ଗାଁର ମାଇପେ, ବୋହୂ, ଝିଏ, ତା’ର ନାମରେ କେତେ କଥା ହେଉଛନ୍ତି । ନଳିନୀ ଆଉ କେତେଦିନ ପର୍ଯ୍ୟନ୍ତ ଅଭିଆଡ଼ୀ ହୋଇ ରହିଥିବ ? ତା’ର ପିତାମାତାଙ୍କ ନିଦ କ’ଣ ଭାଙ୍ଗୁନି-? ସେ କ’ଣ ଦୁନିଆର ବାହାରେ ? ଏତେ ଧନସମ୍ପତ୍ତି ସାଇତି ରଖିଲେ କ’ଣ ହେବ, ଘରଯୋଗ୍ୟ ଝିଅ ଘରେ ରହିଲା । ନଳିନୀ ଯେତେବେଳେ ଏ କଥାଗୁଡ଼ିକ ଶୁଣେ ସେତେବେଳେ ତା’ର ଛାତି ଫାଟିଯାଏ-। ସଳଖିକରି କାହାରି ମୁହଁକୁ ଚାହିଁପାରେନା । ତଥାପି ଲଜ୍ଜା ଅଭିମାନ ନଳିନୀକୁ ଆକଟ କରିପାରନ୍ତି ନାହିଁ । ସମୟ ସମୟରେ ପଡ଼ିଶାଘରକୁ ଅମାନିଆ ହୋଇ ଚାଲିଯାଏ । ନଳିନୀର ବୋଉ ବଡ଼ ସିଆଣିଆ ମଣିଷ-। ସେ କୌଣସି କାମ ବାହାନାରେ ନଳିନୀକୁ ମିଛରେ ଡାକ ଦିଅନ୍ତି-। ନଳିନୀ ଫେରି ଆସେ-। ବୋଉ ତା’ର କେତେ ବୁଝାନ୍ତି । ବାର ଘରେ ବାର କଥା । ସେଠାକୁ ଆମେ ଯିବା କ’ଣ ଦରକାର ? ନଳିନୀ ବୁଝେ ସତ, ପରମୁହୂର୍ତ୍ତରେ ମା’ଙ୍କ ବଚନ କାହିଁକି ମନେପଡ଼େନା-। ଦୁନିଆରେ ଯୌବନର ସୁଅକୁ ଅଟକାଇବା କାହାରି ସାଧ୍ୟ ନାହିଁ । ସେ ସର୍ବଦା ଚାହେଁ ମିଳନ, ସଙ୍ଗୀ-। ସେହିପରି ନଳିନୀ-

 

ଛଅ

 

ନୀରଦ ଆଜି ସର୍ବସ୍ୱାନ୍ତ ହୋଇ ଘରେ ବସିରହିଛି । ମନର ଉତ୍ତୁଙ୍ଗ ଆଶାରେ ବିଧାତା ପୂର୍ଣ୍ଣଚ୍ଛେଦ ପକାଇ ଦେଇଛନ୍ତି । ମାଇନର ଖଣ୍ଡିକ ବି ଶେଷ ହୋଇପାରିଲାନି । ଘରେ ଏକା ମା’ଟି ଛଡ଼ା ତା’ର ଆଉ କେହି ନାହାନ୍ତି । ନୀରଦ ଥିଲା ପିତା ମାତାଙ୍କର ଏକମାତ୍ର ନୟନସଙ୍ଖାଳି । ଅତି ଅଲିଅଳ ପୁଅ । ଦିନେହେଲେ ସେ ପିତାମାତାଙ୍କଠାରୁ କୌଣସି କଥାରେ ଅଣହେଳା ପାଇନି, କିନ୍ତୁ ସେ ଆଜି ଗୋଟିଏ ଘରର ମୁରବି ହିସାବରେ ସମସ୍ତ ଦାୟିତ୍ୱ ବହନ କରିବ । ନୀରଦ ଗୋଟିଏ ଅଲିଅଳ ପୁଅ । ଘରଧନ୍ଦା କ’ଣ ଜାଣେନା । ଆଜି ତାହା ନିର୍ବିଘ୍ନରେ ମୁଣ୍ଡାଇବ । ପିତା ତା’ର ଯିବା ସଙ୍ଗେ ସଙ୍ଗେ, ନୀରଦକୁ ବି ଅନ୍ଧକରି ଦେଇଛନ୍ତି । ବୋଧହୁଏ ସେ ଇହଧାମ ଚାଲିଗଲାବେଳେ ସ୍ନେହର ପୁତ୍ରର ଆଖି ଦୁଇଟିକୁ ମାଗିନେଇଛନ୍ତି । ନୀରଦ ଆତ୍ମହରା ହୋଇ କ’ଣ କରିବ ବୋଲି ଭାବୁଛି । କେଉଁ ପଥରେ ଚାଲିବ, ସେ ପଥ ନୀରଦକୁ ଦେଖା ଯାଉ ନାହିଁ । ଦାଣ୍ଡରେ, ଘାଟରେ ଯେଉଁଠି ଟିକିଏ ବସୁଛି, ସେଠି ପିତାଙ୍କ କଥା ଭାବି ଲୁହ ଗଡ଼ାଉଛି । ଗ୍ରାମର ଲୋକେ ଅନେକ ସାନ୍ତ୍ୱନା ଦିଅନ୍ତି । ତଥାପି ନୀରଦ ଧୈର୍ଯ୍ୟହରା ହୋଇଯାଏ । ଅସୁମାର ଚିନ୍ତାର ଲହଡ଼ି ମୁଣ୍ଡକୁ ସର୍ବଦା ଘାଣ୍ଟି ପକାଉଛି । ହୃଦୟ କରୁଣ କୋହର ବେଦନା ବ୍ୟଥିତ ଛାତିରେ ତାଡ଼ନା କରୁଛି । କେଉଁଠି ସମ୍ବଳକୁ ଆଶ୍ରାକରି ସେ ଦୁନିଆରେ ଘରକରି ରହିବ ? କାମ କରି ଶିଖିବ ? ଚାକିରି କରିବା ପାଇଁ ଉପଯୁକ୍ତ ପାଠ ପଢ଼ି ପାରିନି । ହେଲେ ଚାକର ରଖି ଚାଷକାମ କରିବ । ସେଥିନିମନ୍ତେ ଘରେ ଧନର ଅଭାବ ନାହିଁ । ବିଧାତା ନୀରଦର ପ୍ରତ୍ୟେକ ପଥରେ ଅନ୍ତରାୟ ସୃଷ୍ଟି କରିଛନ୍ତି । ଏହି ଚିନ୍ତାରେ ନରୀଦ ଦିନକୁଦିନ ସଢ଼ିବାରେ ଲାଗିଲା । ନିଜର ଶରୀର ଆସ୍ତେ ଆସ୍ତେ କ୍ଷୀଣରୁ କ୍ଷୀଣତର ହେଲା । ମା, ନୀରଦର ମନକଥା ଜାଣିପାରି ପୁଅକୁ ଅନେକ ବୁଝାନ୍ତି । ନୀରଦ ମା’ଙ୍କ ଉପଦେଶଗୁଡ଼ିକ ମନଦେଇ ଶୁଣେ, ହେଲେ କ’ଣ ହେବ ? ଧୈର୍ଯ୍ୟର ଅଭାବ ନୀରଦ ନିକଟରେ ସଦାସର୍ବଦା ଦେଖିବାକୁ ମିଳେ ।

 

ଥରକର କଥା । ସଞ୍ଜବେଳ ଗଡ଼ିଗଲାଣି । ରାସ୍ତା ଘାଟ ନିଶୂନ ହେଲାଣି । ଖିଆପିଆ ସମୟ । ମା, ପୁଅ ଏକାଠି ଭୋଜନରେ ବସିଛନ୍ତି । ନୀରଦକୁ ମା ପଚାରିଲେ, ‘ମୁଁ ତ ଏଣିକି କାମପାଇଟି କରିପାରିବି ନାହିଁ । କରଜ ହେଉ ପଛେ ଏବର୍ଷ ତୋତେ ହାତକୁ ଦିହାତ ନ କଲେ ଘର ଚଳିବ କିପରି ? ବାପା ଚାଲିଗଲେ ବୋଲି ତୁ ମୋତେ କେତେ ବୁଝାଉ ନ ଥିଲୁ ? ପୁଣି ତୁ ଆଜି ଏପରି ଅବୁଝା ହେଲେ ମୁଁ କ’ଣ କରିବି ? ଏଣିକି ସଂସାରରେ କିପରି ଚଳିବା ସେ ଆଗତ କଥାକୁ ବିଚାରକରି ବ୍ୟବସ୍ଥା କରିବା ଦରକାର । ତୋର ବାପା ଥିଲାବେଳେ, ସେ ଝାରପଡ଼ାର ବିଦ୍ୟାଧର ସାମନ୍ତରାୟଙ୍କ ଝିଅକୁ ତୋ ସହିତ ବିଭାଘର କରିବା ପାଇଁ ଠିକ୍ କରିଛନ୍ତି । ସାନ୍ତରାଙ୍କୁ ଏକଥା ଜଣାଇ ଦେଇଛନ୍ତି । ତୁ ତ ଅବଶ୍ୟ ତାକୁ ଦେଖିଥିବୁ । ଗାଁ ସ୍କୁଲରେ ସେ ତୋ ସହିତ ପାଠ ପଢ଼ୁଥିଲା ।’ ନୀରଦ ମା’ଙ୍କର ଏସବୁ କଥା ଶୁଣି ଶେଷରେ ମୁଣ୍ଡ ଟୁଙ୍ଗାରି ହଁ ମାରି କହିଲା, ‘ତା’ ନାମ ହେଉଛି ନଳିନୀ ।’ ନୀରଦ ଏଣିକି ବୁଝିଲା । ଯେଉଁଠୁ କରଜ ହେଉ ପଛେ, ବିଲ ବନ୍ଧାପଡ଼ୁ ପଛେ, ବିଭାଘରଟା ସୁନିଶ୍ଚିତ । ସେ ବାପାଙ୍କ ଚିନ୍ତାରେ ଯେତେ କାନ୍ଦୁଥିଲା ସେତକ ବନ୍ଦ ହୋଇଗଲା । ବୋଧହୁଏ ବିଭାଘର ନୀରଦକୁ ଗୋଟାଏ ନୂଆ ଚେତନାଆଣି ଆଶ୍ୱାସନା ଦେଲା । ଏଣିକି ଘରର ଚାଷବାସ ଏବଂ ବିଭାଘର କାର୍ଯ୍ୟ କିପରି ହେବ ନୀରଦ ସେ ବିଷୟରେ ମୁଣ୍ଡ ଖେଳାଇଲା ।

 

ନୀରଦକୁ ପନ୍ଦରବର୍ଷ ସରିକି ହେବ । ଯୌବନର ପରଶ ନୀରଦ ଦେହରେ ଆଙ୍କିହୋଇ ଯାଇଛି । ଏଣିକି ସେ ଦୁନିଆଁ କଥା ସମୟ ସମୟରେ ଭାବେ । ଦାଣ୍ଡରେ ବାଟରେ କି ପୋଖରୀଘାଟରେ କୌଣସି ସୁନ୍ଦରୀ ମହିଳା କିମ୍ବା ବୋହୂ ଝିଅଙ୍କୁ ଦେଖିଲେ ସେମାନଙ୍କ ସୌନ୍ଦର୍ଯ୍ୟକୁ ମନେମନେ ସମାଲୋଚନା କରି ବିଶ୍ଳେଷଣ କରିଥାଏ । ଯୌବନର ପରଶ ମାତ୍ରେ ପ୍ରାୟ ସମସ୍ତ ପ୍ରାଣୀଙ୍କ ହୃଦୟରେ ଏଇ ଲାଳସା ଜାଗ୍ରତ ହୋଇଥାଏ । ନୀରଦ ମଧ୍ୟ ସେହି ଈଶ୍ୱର ସୃଷ୍ଟ ପ୍ରାଣୀଙ୍କ ମଧ୍ୟରୁ ଗୋଟିଏ । ସମୟ ନିଜର ଦୈନନ୍ଦିନ ନିର୍ଘଣ୍ଟକୁ ଶେଷକରି ଗଡ଼ି ଚାଲିଥାଏ । ତାରି ଭିତରେ ଅନେକ ପରିବର୍ତ୍ତନ ଘଟେ ।

 

ଖରାଦିନ, ସକାଳ ବେଳା, ସମୟ ଗଡ଼ିଯାଇ ଦ୍ୱିପ୍ରହର ସମୟ ଉପସ୍ଥିତ । ନୀରଦର କାର୍ଯ୍ୟରେ ଆଜି ଟିକିଏ ବିଳମ୍ବ ହୋଇଯାଇଛି । ତେଣୁ ତା’ର ଗାଧୋଇବା ସମୟଟା ଗଡ଼ି ଯାଇଥିଲା । ନିଛାଟିଆ ଖରାବେଳକୁ ନୀରଦ ପୋଖରୀକୁ ଗାଧୋଇବାକୁ ଗଲା । ସେହି ପୋଖରୀଟିରେ ଝାରପଡ଼ା ଏବଂ ବନମାଳୀପୁର, ଉଭୟ ଗ୍ରାମର ଲୋକେ ଗାଧୁଅନ୍ତି । ଦୁଇଗାଁର ପୁରୁଷ ଲୋକେ ଗୋଟିଏ ତୁଠରେ ଏବଂ ସ୍ତ୍ରୀଲୋକେ ଗୋଟିଏ ତୁଠରେ ଗାଧୁଅନ୍ତି । ଛୋଟ ପୋଖରୀଟି ମଧ୍ୟରେ ଦୁଇଟି ଗାଧୁଆ ତୁଠ ଛଡ଼ା ଅଧିକ ନାହିଁ । ପୁରୁଷଙ୍କ ତୁଠ ଠାରୁ ସ୍ତ୍ରୀଙ୍କ ତୁଠ ପଚାଶ କି ଷାଠିଏ ହାତର ବ୍ୟବଧାନରୁ ବେଶୀ ନୁହେଁ । ନୀରଦ ଏକା ଗାଧୋଉଛି । ଗୋଟିଏ ବୁଡ଼ ଦେଇ ଉଠିପଡ଼ିଲା ବେଳକୁ ଦେଖିଲା ନଳିନୀ ଏକାକୀ ଗାଧୋଇବାକୁ ତୁଠରେ ଛିଡ଼ା ହୋଇଛି । ଆଖି ତା’ର ଲାଖି ରହିଗଲା । ନଳିନୀର ପିଲାଦିନ ରୂପ ବଦଳିଯାଇଛି । ସେ ଆଜି ଗୋଟିଏ ଅପରୂପା ସୁନ୍ଦରୀ । ନୀରଦ ଆଖିରେ ଏପରି ସୁନ୍ଦରୀ କେହି ବୋଧହୁଏ ଆଜିଯାଏ ପଡ଼ି ନାହାନ୍ତି । ଆଖି ଫେରିଆସିବାର ଯୁ ନାହିଁ । ନଳିନୀର ଚେହେରା ନିକଟରେ ନୀରଦର ବିବେକ ହାର ମାନିଲା-। କ୍ଷଣକ ପାଇଁ ଚାରି ଆଖିର ମିଳନ ହୋଇଗଲା । ନଳିନୀ ମଧ୍ୟ ଏହା ଜାଣିଛି, ନୀରଦ ସହିତ ତା’ର ବିଭାଘର ହେବ ବୋଲି । ନିଜ କକା ଖୁଡ଼ୁତାଙ୍କ ପୁଅ ଝିଅ ସହିତ ଅନେକ ସମୟରେ ନୀରଦ ନାମ ଧରି ନଳିନୀକୁ ପରିହାସ କରିଥାନ୍ତି । ନଳିନୀ ଲଜ୍ଜାରେ ମୁହଁପୋତି ଗାଧୋଉଥାଏ, କିନ୍ତୁ ନୀରଦର ଆଖି ଦୁଇଟି ସେହି ଚିତ୍ରପ୍ରତିମା ନଳିନୀ ଉପରେ । ଗାଧୋଇବା ବାହାନାରେ ନୀରଦ ବିଳମ୍ବକରି କେତେ କ’ଣ କହିବ ବୋଲି ଭାବୁଥାଏ; କିନ୍ତୁ ବିବେକ ମନା କରିଦିଏ । ଯାହାକୁ ସେ ଚିରଦିନପାଇଁ ହୃଦୟରେ ସ୍ଥାନ ଦେବ ବୋଲି ଭାବିଥିଲା, ସେ ଆଜି ପରୋକ୍ଷ ମିଳନରେ ନୀରଦ ହୃଦୟ ରାଜ୍ୟରେ ସ୍ଥାନାଧିକାର କରିଛି । ନୀରଦ ସ୍ୱତଃପ୍ରଣୋଦିତ ହୋଇ ନଳିନୀକୁ ହୃଦୟର ରାଣୀ ବୋଲି ମନେମନେ ସମ୍ବୋଧନ କଲାଣି । ଭଗବାନଙ୍କ ନିକଟରେ ମନର ଅଭିଳାଷ ଜଣାଇ ବୋଦା, ଗଞ୍ଜା ଯାଚିଲାଣି । ସୁନ୍ଦରୀର ଦର୍ଶନମାତ୍ରେ ଦେହସାରା ଅପାର ଶିହରଣ ହେଲାଣି-। ଏକା ନଳିନୀପାଇଁ ଅଶେଷ ଚିନ୍ତାସମୂହ ନୀରଦ ମସ୍ତକ ବଜାରରେ ବ୍ୟବସାୟ କଲେଣି-। ନଳିନୀକୁ ଧ୍ୟାନକରି ନୀରଦ ପୋଖରୀରୁ ବାହାରି ଚାଲିଗଲା । ମା’ଙ୍କ ସହିତ ଏ ବିଷୟରେ କଥାବାର୍ତ୍ତା କରି ନିଜ ଗାଁର ଚତୁରୀ ମା’କୁ ବିଭାଘର ନିମନ୍ତେ ଝାରପଡ଼ା ପଠାଇଦେଇ ନୀରଦ ଚାହିଁ ରହିଥାଏ ଶୁଭସମ୍ବାଦ ମିଳିବ । ଏଣେ ନଳିନୀ ପୋଖରୀତୁଠରେ ଗାଧୋଇବାବେଳେ ନୀରଦର ହାବ ଭାବକୁ ଲକ୍ଷ୍ୟକରି ଜାଣିପାରିଛି । ସେ ମନେମନେ ଇଚ୍ଛା ବରଣକରି ନୀରଦ ନିକଟରେ ନିଜ ଜୀବନକୁ ବିକି ଦେଇଛି । ନୀରଦଛଡ଼ା ଆଉ ଅନ୍ୟ କାହାରିକୁ ବିବାହ କରିବ ନାହିଁ-

 

ନଳିନୀର ଦୃଷ୍ଟିକୋଣରେ ନୀରଦର ଛବି ଆଙ୍କି ହୋଇଯାଇଛି । ଏହା କିପରି ସତରେ ପରିଣତ ହେବ, ସେଥିପାଇଁ ଗ୍ରାମଦେବତୀ ନିକଟରେ ନଳିନୀ କେତେ କାମନା ମନାସି ଘରକୁ ଫେରିଲା । ଭୋଜନ ଶେଷକରି ଶୋଇବାକୁ ଯାଇ ନିଜ ଖଟରେ ବସି ନଳିନୀ ନୀରଦ ପାଇଁ କେତେ ଭାବନାର ଆଲୋଚନା ମନେମନେ ଚଳାଇଛି । ଏତିକିବେଳେ ବନମାଳୀପୁରର ଚତୁରୀ ମା’ର ପାଟି ଦାଣ୍ଡଦୁଆରୁ ଶୁଣିପାରିଲା । ଚତୁରୀ ମା’ କଥା ସୁଆଁଳେଇ ନଳିନୀବୋଉଙ୍କୁ ଡାକି ବିଭାଘର କଥା ଜଣାଇଲା । ବିଦ୍ୟାଧର ସାନ୍ତରା ମଧ୍ୟ ସେଠାକୁ ଆସିଲେ । ଘଟଣାଟା କ’ଣ ହେବ, ନଳିନୀ ଘର ଭିତରେ ବସି ଶୁଣୁଥାଏ ଏବଂ ମଙ୍ଗଳାମା’ଙ୍କୁ ମନେମନେ ପ୍ରାର୍ଥନା କରୁଥାଏ । ଯେତେବେଳେ ଶେଷ ମୀମାଂସା ବାପା ବୋଉଙ୍କ ମୁହଁରୁ ବାହାରିଲା, ହଠାତ୍ ନଳିନୀର ସୁଖ ସ୍ୱପ୍ନ କାହିଁ ଉଭାଇଗଲା । ନିଜର ବାପା ବୋଉକୁ ମନରେ ଅନେକ ଗାଳିଦେଇ ବିରକ୍ତ ହେଲା । ନୀରଦର ବାପା ନାହାନ୍ତି ବୋଲି ନଳିନୀର ବାପା ବୋଉ ବିଭାଘର ପାଇଁ ନାରାଜ ହୋଇ ଚତୁରୀ ମା’କୁ ଫେରାଇଦେଲେ । ନଳିନୀ ଦୃଢ଼ପ୍ରତିଜ୍ଞା ବାନ୍ଧି ବିଚାରିଲା କିପରି ଆଉ ଥରେ ସାକ୍ଷାତ ହେଲେ ନିଜେ ମୁହଁ ଖୋଲି ନୀରଦକୁ କହିଦେବ । ପୁଣି ଭାବେ, ନା ନା ଏହା କରି ହେବନି । ସୁବିଧା ହେଲେ ତାଙ୍କ ନିକଟକୁ ଖଣ୍ଡିଏ ଚିଠି ଲେଖି ପଠାଇବି । ଏଥିପାଇଁ ସୁନେଇ ମା’ଙ୍କୁ ଅଳିକଲେ ଚଳିବ । ତାକୁ ଖଣ୍ଡିଏ ସିଲ୍‍କି ଶାଢ଼ି ଦେବାପାଇଁ କହିବି । ଦେଖାଯାଉ, ଭଗବାନଙ୍କ ବିଚାର କେଉଁଦିଗକୁ ଟଳୁଛି ।

 

ସାତ

 

ଅଂଶୁମାଳୀ ସ୍ୱକର୍ମ ସମ୍ପାଦନ କରି ପ୍ରତିଚୀ କଳେବରରେ ଲୋହିତ ବରଣର ଶାଢ଼ିଟି ପରିଧାନ କରାଇ ପ୍ରାୟ ଅସ୍ତମିତ ହେବା ଉପରେ । ଆକାଶରେ କୋଳାହଳକରି କଳିକାକଳିପଂକ୍ତି ଫେରିଲେଣି ଲୋଡ଼ିବାକୁ ନୀଡ଼ର ଆଶ୍ରୟ । ସଂଧ୍ୟାରାଣୀ କଳାଶାଢ଼ିଟି ପିନ୍ଧି ଭୂପୃଷ୍ଠକୁ ମାଡ଼ିଆସୁଛି-। ଗୋପାଳଭାଇ ବଇଁଶୀର ସ୍ୱର ତୋଳି ଗ୍ରାମସୀମାନ୍ତରରୁ ଧେନୁବତ୍ସାମାନଙ୍କୁ ଅଡ଼ାଇ ଆଣୁଛି ଗୋଷ୍ଠାଭିମୁଖରେ । ଗାଁ ଭଗବତ ଘର ଘଣ୍ଟ ଶଙ୍ଖ ରୋଳରେ ପ୍ରତିଧ୍ୱନିତ ହୋଇ ଉଠୁଛି-। ନୈବେଦ୍ୟର ମହକ ମନ୍ଦ ସମୀର ସଙ୍ଗେ ଉଦ୍ଭାସିତ ହୋଇ ଉଡ଼ିବୁଲୁଛି । ଗ୍ରାମର ସୀମନ୍ତିନୀମାନେ ବୃନ୍ଦାବତୀଙ୍କ ନିକଟରେ ସଂଧ୍ୟା ବାଢ଼ି ନିଜ ମନସ୍କାମନା ଜଣାଉଛନ୍ତି । ଗୋଧୂଳି ଲଗନର ଆଗମନ-। ନୀରଦ ନିଜର ଦାଣ୍ଡ ପିଣ୍ଡାରେ ବସି କେତେ କଥା ଭାବୁଛି । ହଠାତ୍‍ ଡାକପିଅନ ଖଣ୍ଡିଏ ଚିଠି ବଢ଼ାଇ ଦେଲା । ଉପରେ ସେଟଲମେଣ୍ଟ ଅଫିସର ମୋହର । ନୀରଦର ମନ ଆବେଗପୂର୍ଣ୍ଣ ହୋଇ ଉଠିଲା । ସେ ଚିଠିଟି ନ ପଢ଼ି ଡାକପିଅନକୁ ଚାରିଅଣା ପଇସା ଦେଇ ବିଦାୟ କରିଦେଲା-। କେତେଦିନ ତଳେ ଖବର କାଗଜରେ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ଜମିବାଡ଼ି ସଂକ୍ରାନ୍ତୀୟ ବନ୍ଦୋବସ୍ତ ହେବ ବୋଲି ବିଜ୍ଞାପନ ବାହାରିଥିଲା । ସେଥିରେ ଅନେକ ଅମିନ, ଇନ୍‍ସପେକ୍ଟର, ଚେନ୍‍ମ୍ୟାନ, କାନୁନଗୋ, ଚାକିରି ଦରକାର । ଅମିନଟିଏ ହେବାପାଇଁ ନୀରଦର ଢେର ଯୋଗ୍ୟତା ଅଛି । ସେଥିନିମନ୍ତେ ନିର୍ଦ୍ଦିଷ୍ଟ ତାରିଖରେ ଖଣ୍ଡିଏ ଦରଖାସ୍ତ କଟକ ବନ୍ଦୋବସ୍ତ ଅଫିସକୁ ପଠାଇଥିଲା । ଅନୁଗୁଳରେ ତିନି ମାସ ସର୍ଭେ ଟ୍ରେନିଂ ପାଇବା ପାଇଁ ଉକ୍ତ ଚିଠିଟିରେ ଆହ୍ୱାନ କରାଯାଇଛି । ନୀରଦ ଆନନ୍ଦବିହ୍ୱଳ ହୋଇ ଚିଠିଟିକୁ ତନ୍ନତନ୍ନ କରି ପାଞ୍ଚ ଥର ନିଜେ ପଢ଼ି, ମା’ଙ୍କୁ ସେ ବିଷୟ ଶୁଣାଇଦେଲା । ଆସନ୍ତା ପହିଲା ତାରିଖରେ ଅନୁଗୁଳ ଟ୍ରେନିଂ ସ୍କୁଲରେ ଯୋଗଦେବାକୁ ପଡ଼ିବ । ଆଉ ଦଶଦିନ ବାକି ଅଛି । ନୀରଦର ଘୋର ପରିବର୍ତ୍ତନ ହେଲା । ସେ ଆଉ ପିତାଙ୍କ ନିମନ୍ତେ ଅଧିକ ସମୟ ଲୁହ ଗଡ଼ାଇଲା ନାହିଁ କି ନଳିନୀ ନିମନ୍ତେ ଚିନ୍ତା କଲା ନାହିଁ । ସେତେବେଳେ ଅମିନ କମ୍ ଯୋଗ୍ୟତାସମ୍ପନ୍ନ ହେଲେହେଁ ଚାହିଦା ବେଶୀ ଥିଲା । ଚାଷୀମାନେ ଅମିନମାନଙ୍କୁ ଯଥେଷ୍ଟ ଖାତିର କରି ଟଙ୍କା ପଇସା ଲାଞ୍ଚ ଗୁଞ୍ଜି ଦେଉଥିଲେ । ଖାଇବା କଥା ପଚାରେ କିଏ ? କୌଣସି ଗ୍ରାମରେ ଅମିନ ପହଞ୍ଚିବା ପୂର୍ବରୁ ତାଙ୍କର ଧମକ ଲୋକମାନଙ୍କ ଧୈର୍ଯ୍ୟ ଓ ଦମ୍ଭକୁ ଉତ୍ପୀଡ଼ନ କରି ଦେଉଥିଲା । ସେକାଳର ରାଜାଙ୍କୁ ଯେତିକି ଖାତିର ନ ଥାଏ ତଳତଳିଆ ଅମିନମାନଙ୍କୁ ଲୋକମାନଙ୍କର ଖାତିର ସେତିକି । ନୀରଦ ସେହିପରି ଗୋଟିଏ ଅମିନ ହେବ । ନୀରଦ ପରିବର୍ତ୍ତେ ସମସ୍ତେ ନୀରଦବାବୁ, ନୀରଦବାବୁ ବୋଲି ଡାକିବେ । ସେତେବେଳେ ମନ କେତେ ଉଚ୍ଚକୁ ଫୁଲି ନ ଉଠିବ ? ପଇସା ପତ୍ରର ଢେର ରୋଜଗାର ହେବ, ଅଭାବ ଅସୁବିଧା ନିଶ୍ଚୟ ଦୂର ହୋଇଯିବ । ପୂର୍ବାପେକ୍ଷା ଦୁଃଖ ଏଣିକି ଆପେ ଆପେ ଉଭାଇ ଯିବ-। ଏକଥା ନୀରଦ ମା’ଙ୍କୁ ବସି ବୁଝାଉଥାଏ । ‘ପରିବର୍ତ୍ତନଶୀଳ ଦୁନିଆଁ’ ବେଙ୍ଗ ବୋଲେ ବେଙ୍ଗୁଲୀଲୋ, ପୃଥିବୀ କ୍ଷଣକ୍ଷଣକେ ଆନ’ । ସେହିପରି ନୀରଦ ଯେତେବେଳେ ସୁଖ ଚିନ୍ତାରେ ଖେଳିବୁଲେ ସେତିକିବେଳେ ଆଉ ଗୋଟିଏ ଦୁଃଖ ଚିନ୍ତାର ଢେଉ ମାଡ଼ିଆସେ । ଏହି ସମୟରେ ନାକ ଛିଞ୍ଚାଡ଼ି ଚତୁରୀ ମା’ ଖବର ଦେବା ନିମନ୍ତେ ନୀରଦର ଗୃହରେ ପହଞ୍ଚି ସମସ୍ତ ଘଟଣା କହିଗଲା । ‘ନୀରଦର ବାପା ସଂସାରରୁ ଚାଲି ଯାଇଛନ୍ତି ବୋଲି ବିଦ୍ୟାଧର ସାନ୍ତରା ତୁମ ସହିତ ବନ୍ଧୁ ବାନ୍ଧିବାକୁ ନାରାଜ ହେଲେ । ଏଣିକି ତୁମେ ତୁମର ଉପାୟ କର ।’ ଏହା କହି ଚତୁରୀ ମା’ ଚାଲିଗଲା । ନୀରଦ ମନର ଉଷ୍ମ ବାୟୁମଣ୍ଡଳ ଶିଥିଳ ହୋଇଗଲା । ନଳିନୀ ପରି ସ୍ତ୍ରୀର ହାତ ଧରିବ ବୋଲି ମନରେ ମହଲା ମହଲା ଆଶାର ସଉଧ ଗଢ଼ି ଉଠୁଥିଲା । ତାହା ମୁହୂର୍ତ୍ତରେ ଧ୍ୱସ୍ତ ବିଧ୍ୱସ୍ତ ହୋଇ ଧୂଳିସାତ୍ ହେଲାପରି ଜଣାଗଲା । ନୀରଦର ସହର୍ଷ ବଦନ ବିମର୍ଷ । ମା’ ଏ କଥା ଜାଣିପାରି କେତେ ବାହାନା କରି ପୁଅକୁ ବୁଝାଇଲେ । ଭଗବାନ କରନ୍ତୁ, ଟ୍ରେନିଂରୁ ଫେରି ଚାକିରି କଲେ କେତେ ବଡ଼ ବଡ଼ ଘରର ଲୋକେ ଝିଅ ଆଣି ଯାଚି ଦେଇଯିବେ ନଳିନୀ ତ ଛାର, ଏହାଠାରୁ ଅପୂର୍ବ ସୁନ୍ଦରୀ କନ୍ୟା ବାଛି ଆଣି ଥୋଇଦେବି । ଏଥିପାଇଁ ତୋର ଏତେ ଚିନ୍ତା କାହିଁକି-? ଯାର ଘୋଡ଼ା ଅଛି ତାକୁ କ’ଣ ଛାଟ ଅପୂରୁବ ହେବ କି ? କିନ୍ତୁ ନୀରଦର ମନ ବୁଝେ କେତେକ-? ମା ଆଗରେ ସିନା ଖୋଲି କହିପାରୁନି, ନଳିନୀର ସୁଗୋଲ ଚକ୍‍ଚକିଆ ବଦନର ଛଳଛଳ କଳା ଡୋଳାର କଟାକ୍ଷ ଚାହାଣି ପାସୋରି ହେଉ ନାହିଁ । ଉତ୍ତଳା ମନରେ ତରଙ୍ଗର ସଞ୍ଚାର ଅବିରତ ଲାଗିରହିଥାଏ । ମନଭାବେ, କିପରି ଖଣ୍ଡିଏ ପତ୍ର ଲେଖି ନଳିନୀ ନିକଟରେ ନିଜର ଚାକିରି ପ୍ରଲୋଭନ ଦେଖାଇ ଜଣାଇ ଦିଅନ୍ତା କି ? ଏପରି ସଙ୍କଟପୂର୍ଣ୍ଣ ପତ୍ରର ବାହକ ବା କିଏ ହେବ ? ଯଦି ସାନ୍ତରାଙ୍କ କାନରେ ଏ କଥା ପଡ଼େ, ତେବେ ନିଜର ଅବସ୍ଥା ଯେ କେତେ ବିପଦ ସମୁଦ୍ରରେ ଡୁବି ନ ଯିବ ? ତଥାପି ନଳିନୀର ମାଧୁର୍ଯ୍ୟ ରୂପର ଆକର୍ଷଣରେ ନୀରଦକୁ ହାର ମାନିବାକୁ ପଡ଼ିଲା-। ସେ ବାଧ୍ୟହୋଇ ଚିଠି ଖଣ୍ଡିଏ ଲେଖି ଗୁପ୍ତରେ ନଳିନୀ ନିକଟକୁ ପଠାଇବ ବୋଲି ଭାବୁଛି, ଏହି ସମୟରେ ଝାରପଡ଼ାର ସୁନେଇ ମା’ ବୁଢ଼ୀ ହସି ହସି ନୀରଦର ଘର ଅଗଣାକୁ ପଶିଆସିଲା ହାତରେ ଖଣ୍ଡିଏ କାଗଜ ଧରି । ନୀରଦ ଭାବିଲା, ବୋଧହୁଏ କୌଣସି ଦରଖାସ୍ତ ଲେଖିବ ବୋଲି ଆସିଛି । ନା, ନା, ସୁନେଇ ମା’ କୁଟୁତୁଣୀ ନିଆଶିରୀ ଲୋକ, ଭାରି ନିରୀହ । ଦୁନିଆଁରେ ଆଗକୁ ପଛକୁ କେହିବୋଲି ଜଣେ ନାହିଁ । ପରର ଧାନକୁଟି ଚାଉଳ ମାଣେ ଆଣିଲେ ଏକାଟିଆ ବୁଢ଼ୀ ଘରେ ବାହାଘର । କେଉଁଥିଯୋଗୁଁ କାହା ସଙ୍ଗେ କଳି ତକରାଳ କରିବ ଯେ ଦରଖାସ୍ତ ଲେଖିବାପାଇଁ ବା ଆସିବ ? ନୀରଦର ଭାବନାର ସୁଅ ନ ତୁଟୁଣୁ ବୁଢ଼ୀ ହସି ହସି କହିଲା, ‘ନୀରଦ ବାବୁ, ତୁମକୁ ଆଜି ମୁଁ ଗୋଟିଏ ସତ କଥା କହିବି । ତୁମେ ଯେପରି କାହା ଆଗରେ ପ୍ରକାଶ ନ କରିବ ସେଥିପାଇଁ ତୁମେ ରାଣଦେଇ ସତ୍ୟ କର । ନୀରଦ ବାଧ୍ୟହୋଇ ଜଗନ୍ନାଥଙ୍କ ଦୁହାର ଦେଇ ନିଜ ରାଣ ପକାଇ ସତ୍ୟ କଲା । ସୁନେଇ ମା’ ଚିଠିଟି ବଢ଼ାଇ ଦେଇ କହିଲା, ‘ତୁମେ ଏହା ପଢ଼ି ଉତ୍ତର ଠିକ୍‍କରି ଥାଅ । ମୁଁ ଯାଉଛି, ମୋ ସଇଙ୍କ ଘରୁ ଆସିଲେ ଉତ୍ତର ନେଇଯିବି ।’ ବୁଢ଼ୀ ଚାଲିଗଲା । ନୀରଦ ଚିଠିଟି ନିଛାଟିଆ ଜାଗାରେ ବସି ପଢ଼ିବାକୁ ଲାଗିଲା । ନଳିନୀ ଆତ୍ମଗୋପନ ପତ୍ର ଖଣ୍ଡିଏ ଲେଖି ପଠାଇଛି । ସ୍ୱପ୍ନରେ ଯାହା ଭାବି ନ ଥିଲା ତାହା ପ୍ରତ୍ୟକ୍ଷରେ ଦେଖିବାକୁ ପାଇଲା । ଭଗବାନଙ୍କ ନିକଟରେ ନମସ୍କାରଟିଏ ଜଣାଇ ଦେଇ ଗୋଟିଏ ଗାଉଁଲି ପ୍ରବଚନ ମନେପକାଇଲା–

 

‘ଏ ମନ ଭାବୁଥାଇ ଯାହା,

କାଳେ ପ୍ରାପତ ହୁଏ ତାହା ।’

 

ଯାହାହେଉ ଭଗବାନ ମୋର ଅନ୍ତରର କାହାଣୀ ଶୁଣି ପାରିଛନ୍ତି । ନ ହେଲେ କାହିଁକି ନଳିନୀପରି ଗୋଟିଏ ବାଳିକା ସ୍ୱଇଚ୍ଛାରେ ମୋ’ପରି ଗୋଟିଏ ନିରର୍ଥକ ବାଳକ ନିକଟକୁ ପତ୍ର ପଠାଇଥାନ୍ତା ? ଚିଠିଟି ମେଲାଇ ଦେଖେ ତ ସେଥିରେ ଲେଖାଅଛି–

 

ଝାରପଡ଼ା

ତା .............

 

ପ୍ରିୟ ନୀରଦବାବୁ,

 

ମୋର ପ୍ରଣାମ ଗ୍ରହଣ କରିବେ । ଗୋପନରେ ପତ୍ରଟିଏ ଆପଣଙ୍କ ନିକଟକୁ ପଠାଇଲି, ମନରେ ଦୁଃଖ କରିବେ ନାହିଁ । ଦୋଷ ଥିଲେ ଅଭାଗିନୀକୁ କ୍ଷମାଦେବେ । ସେ ଦିନର ଗାଧୁଆ ତୁଠପଥରକୁ ସାକ୍ଷୀ ରଖି ସତ୍ୟ କରିଛି ତୁମରି ଠାରେ । ତୁମେ ମୋ ପ୍ରତି ଅଣହେଳା କରି ଯେପରି ପାସୋରି ନ ଦିଅ । ପିତା ମାତାଙ୍କର ଇଚ୍ଛା ନଥିଲେ ସୁଦ୍ଧା, ତାଙ୍କ ଇଚ୍ଛା ବିରୁଦ୍ଧରେ ମୁଁ ତୁମ ନିକଟରେ ମୋର ମନପ୍ରାଣ ବିକିଦେଇଛି । ଆକାଶକୁ ଚାତକ ଚାହିଁ ରହିଲା ପରି, ମୁଁ ତୁମର ପତ୍ରକୁ ଚାହିଁ ରହିଲି । ଦୟାକରି ପତ୍ର ଖଣ୍ଡିଏ ପଠାଇବେ । ଇତି ।

 

ସ୍ନେହର

ନଳିନୀ

 

ପତ୍ରଟିକୁ ଗୋଟିଏ ଥର ପଢ଼ି ନୀରଦର ମନ ଶାନ୍ତି ନାହିଁ । ନଳିନୀର ସ୍ୱହସ୍ତ ଲେଖା ଅକ୍ଷରଗୁଡ଼ିକ ମନକୁ ପୁନର୍ବାର ଟାଣି ଆଣିଲା । ପୁଣି ଥରେ ବସି ପଡ଼ିଲା । ମନରେ ଦୃଢ଼ପ୍ରତିଜ୍ଞା, ପ୍ରାଣ ଗଲେ ସୁଦ୍ଧା ନୀରଦ ନଳିନୀକୁ ଭୁଲିପାରିବ ନାହିଁ । ଦରକାର ପଡ଼ିଲେ ନଳିନୀ ନିମନ୍ତେ ପ୍ରାଣ ବିସର୍ଜ୍ଜନ କରିବ । ଏହି ଚିର ସତ୍ୟ, ଚିର ଆଶା । ଶେଷରେ କଲମ ଧରିବସିଲା ଉତ୍ତର ଦେବା ନିମନ୍ତେ । କ’ଣ ଲେଖିବ ? ଅସୁମାର କଳ୍ପନା ହୃଦୟରୁ ବହିଆସୁଛି । ଗୋଟିଏ ବାକ୍ୟର ଲେଖା ଶେଷ ନ ହେଉଣୁ ମନରେ ଆଉ ଗୋଟିଏ ଭାବନାର ଶୈଳୀ ଫୁଟିଉଠୁଛି । ଧନ୍ୟରେ ଯୌବନ ତୁ କ’ଣକରି ନ ପାରୁ ? ଦୁନିଆରେ ଏପରି କେହି ନାହିଁ ଯେ କି ତୋର ଦାସତ୍ୱ ଗ୍ରହଣ ନ କରି ରହିପାରିବ ।

 

ଆଠ

 

ଏତେ ଧନ ଦଉଲତର ଅଧିକାରୀ ହୋଇ ବିଦ୍ୟାଧର ସାନ୍ତରାଙ୍କ ମନରେ ଟିକିଏ ହେଲେ ସୁଖ ନ ଥାଏ । ଦାଣ୍ଡରେ, ବାଟରେ ଯେଉଁଠି ବସନ୍ତି ସବୁବେଳେ ନଳିନୀ ଚିନ୍ତା । ଗୋଟିଏ ବୋଲି ପୁଅରେ ଏକମାତ୍ର ଝିଅ ନଳିନୀ । ତାରିପରି ଗୋଟିଏ ସୁଯୋଗ୍ୟ ପାତ୍ରର ବ୍ୟବସ୍ଥା ହୋଇପାରୁ ନାହିଁ । ଏଥିନିମନ୍ତେ ସାନ୍ତରାଙ୍କର କେତେ କେତେ ଚେଷ୍ଟା ବ୍ୟର୍ଥ ହୋଇ ଯାଉଛି । ଏପର୍ଯ୍ୟନ୍ତ ଉପଯୁକ୍ତ ପାତ୍ରଟିଏ ତାଙ୍କ ଆଖିରେ ପଡ଼ିନି । ବନମାଳୀପୁରର ଭାବ ଚୌଧୁରୀଙ୍କ ପୁଅ ନୀରଦ ନଳିନୀ ଲାଗି ଉପଯୁକ୍ତ ପାତ୍ର ହେଲେହେଁ, ଘରେ ଧନର ପୂରା ଅଭାବ । ଯଦିବା ଭାବ ଚୌଧୁରୀ ଥାଆନ୍ତେ, ତେବେ କିଛି ଅସୁବିଧା ହୁଅନ୍ତାନି । ଏତେ ଅସୁବିଧାରେ ସାନ୍ତରା ଜାଣୁ ଜାଣୁ କିପରି ଝିଅଟାର ତଣ୍ଟି କାଟି ଦେବେ । ଏଣେ ଝିଅ ଦିନକୁ ଦିନ ଘରେ ଅଭିଆଡ଼ୀ ହୋଇ ରହିଯାଉଛି । ଦାଣ୍ଡେ ବାଟେ ବାରଲୋକଙ୍କର ବାରକଥା ଶୁଣି ମନ ଆହୁରି ଫାଟିଯାଏ । ଦିନ ଗଡ଼ି ଚାଲିଯାଏ । ସାନ୍ତରାଙ୍କ ମୁଣ୍ଡରେ ସେହିପରି କେତେ ଭାବନା, କେତେ ଚିନ୍ତା ଗଡ଼ିଯାଏ । ଆଶା ପୂରଣ ହୋଇପାରୁନି । ଏଥିପାଇଁ ସାନ୍ତରା ସର୍ବଦା ଚିନ୍ତିତ । କେତେଦିନ ବିତି ଯାଇଛି । ଜେନାପଦାର ସଦଶିବ ରାୟ କନ୍ୟାପ୍ରସଙ୍ଗପାଇଁ ଝାରପଡ଼ା ସାନ୍ତରାଙ୍କ ଘରକୁ ସ୍ଥିର କଲେ । ଏଥିରେ ସାନ୍ତରା ବାଧ୍ୟହୋଇ ରାଜିହେଲେ । ସଦାଶିବ ରାୟଙ୍କ ପୁଅ ପାଠ ନ ପଢ଼ି ଥାଉ ପଛେ, ଧନ ଦରବରେ ଦଶଖଣ୍ଡ ଆଖପାଖ ଗାଁମାନଙ୍କରେ ଡାକପଡ଼ୁଛି । ସାନ୍ତରା ନଳିନୀ ବୋଉଙ୍କୁ ଏ କଥା ବୁଝାଇ କହିଲେ, ‘ଆମ ଭାଗ୍ୟରେ ଯାହା ଅଛି, ସେୟା ଘଟିବ । ଜୋଇଁଟି ମୂର୍ଖ ହେଲେ କ’ଣ ହେବ, ଧନରତ୍ନ ଅଛି ବୋଲି ସୁଖରେ ଚଳିବ । ସେ ଆମଠାରୁ ଯଥେଷ୍ଟ ଧନୀ । ଏବର୍ଷ ଝିଅର ବିଭାଘର କାର୍ଯ୍ୟ ଶେଷକଲେ ଆସନ୍ତା ବର୍ଷକୁ ପୁଅପାଇଁ କନ୍ୟା ଯୋଗାଡ଼ କରିବା ।’ ଏଥିରେ ନଳିନୀ ବୋଉଙ୍କର ଅସମ୍ମତ ହେବାର ବାଟ ନାହିଁ । ସେ ରାଜି ହୋଇଗଲେ । ଦିନ ଠିକ୍ ହେଲା । ଜେନାପଦାରୁ ଝାରପଡ଼ା କୁଣିଆ ଆସିଲେ ।

 

ସାନ୍ତରାଙ୍କ ଘରେ ଆଜି ନୂଆକରି କୁଣିଆ । ତାଙ୍କର ଉପଯୁକ୍ତ ଚର୍ଚ୍ଚା ନିମନ୍ତେ କେତେ ପ୍ରକାରର ମିଷ୍ଟାନ୍ନ ସାମଗ୍ରୀ ତିଆରି ଚାଲିଛି । ମିଷ୍ଟାନ୍ନର ମହୁଆ ଗନ୍ଧରେ ଘରଟି ମହକି ଉଠୁଛି । ସାନ୍ତରାଙ୍କ ଆନନ୍ଦର ସୀମା କହିଲେ ନ ସରେ । ବର୍ଷାଋତୁର ଆଗମନରେ ରୁକ୍ଷ ଶିରୀହୀନା ବୃକ୍ଷ, ଲତା, ଗୁଳ୍ମ ଆଦି ପଲ୍ଲବମଣ୍ଡିତ ହୋଇଥାନ୍ତି; କିନ୍ତୁ ପଙ୍କଜିନୀର ସମୂଳ ବିନାଶ ସୁନିଶ୍ଚିତ । ସେହି ସଦୃଶ ସାନ୍ତରାଙ୍କ ଗୃହରେ ସମସ୍ତଙ୍କ ଆହ୍ଲାଦ ଅପେକ୍ଷା ନଳିନୀର ବିଷାଦ ଯଥେଷ୍ଟ । କୁଣିଆ ଆସିବା ଶୁଣିପାରି ସେ ମନେମନେ ନିଜ ପିତା ମାତାଙ୍କ ଉପରେ ଚିଡ଼ି ଉଠୁଥାଏ । ହେଲେ କ’ଣ ବା କରିପାରିବ ? ନାରୀଜନ୍ମରେ ସ୍ୱାଧୀନତାର ସ୍ଥାନ ଅତି ନଗଣ୍ୟ । ପୂର୍ବର ସତ୍ୟ ଏବଂ ଆଶାକୁ, ଚିର ଆଶ୍ରୟ କରି ନଳିନୀ ଘରଟି ଭିତରେ ବସି କେତେ କ’ଣ ଭାବୁଛି । ହଠାତ୍ ମମତା, ଚପଳା, କୁମୁଦିନୀ ଇତ୍ୟାଦି ଖୁଡ଼ୁତାଙ୍କ ଝିଅ ଛୋଟ ଭଉଣୀମାନେ ଆସି କେତେ ଟାହିଟାପରା କଲେ । ‘ନାନି ! ଆଉ ଦୁଇମାସ ପରେ ତୋର ବିଭାଘର ହେବ । ଆମ ଭିଣୋଇଙ୍କ ନାମ ଗୋବିନ୍ଦା ଲୋ ଗୋବିନ୍ଦା । ବଡ଼ବାପା ଏଇଲାଗେ କହୁଥିଲେ, ଆମେ ପରା ଶୁଣିଆସିଛୁ । ନାନି ନାନି ତୁମେ କାହିଁକି ମଉନରେ ବସିଛ ମ ? କାହିଁକି ଆମ ସଙ୍ଗେ ଅନ୍ୟ ଦିନପରି କଥାବାର୍ତ୍ତା ହେଉନା ? ତୁମର କ’ଣ ଅସୁବିଧା ହୋଇଗଲା କି ? ଚୋର ମନତ ଗଣ୍ଠିରିରେ, ଆମ ଉପରେ ଏଡ଼େ ଅଭିମାନ କାହିଁକି ମ ? ନଳିନୀ ବିରକ୍ତ ହୋଇ ସେମାନଙ୍କୁ ଗାଳିଦେଇ ବାହାର କରିଦେଲା । ନୀରଦଠାରୁ ପଠାଇଥିବା ପତ୍ରର ଉତ୍ତର ନପାଇ ଭାରି ଦୁଃଖିତ । ଚିନ୍ତା ସମୂହ ମୁଣ୍ଡରେ ଗୋଟିକ ପରେ ଗୋଟିଏ ଉଙ୍କି ମାରୁଛନ୍ତି । ମନ ଅଥୟ ହୋଇ ଉଠୁଥାଏ । ସୁନେଇ ମା’ର ସାକ୍ଷାତ ଅପେକ୍ଷାରେ ଚାହିଁ ବସିଛି । ଦାଣ୍ଡ ଦୁଆରକୁ ଥରକୁ ଥର ଚାହୁଁଥାଏ । ଦିନସାରା ଖିଆପିଆରେ ମନ ଲାଗୁନି । ଘରେ ସମସ୍ତେ କାର୍ଯ୍ୟବ୍ୟସ୍ତ । ଅନ୍ୟ ଦିନ ପରି ବୋଉ ଆଜି ଝିଅର ତତ୍ତ୍ୱ ନେଇପାରି ନାହାନ୍ତି । ଭାବନାର ଫୁଲ ରୁମାଲ ଉପରେ ପକାଇ ଗୁନ୍ଥୁଛି, ଝରକା ବାହାରେ କାହାର ପାଦଶବ୍ଦ ଶୁଣାଗଲା । ଚାହିଁ ଦେଖେ ତ ସୁନେଇ ମା’ ଗୁପ୍ତ ଚିଠିଟି ଗୋପନରେ ପକାଇ ଦେଇ ନିଜ ବାଟରେ ଚାଲିଗଲା । ନଳିନୀ ପତ୍ରଟି ଉଠାଇ ଦେଖେ ତ ନୀରଦର ସ୍ୱହସ୍ତ ଲିଖିତ । ଚାରିଆଡ଼କୁ ଥରେ ଆଖି ପକାଇ ଦେଇ ଚିଠିଟି ଖୋଲି ପଢ଼ିଲା :–

 

ବନମାଳୀପୁର

ତା...........

 

ପ୍ରିୟତମା,

 

ସ୍ନେହାଶୀର୍ବାଦ ନେବ । ଆଜି ତୁମକୁ ମୁଁ ଯେଉଁ ସମ୍ବୋଧନ କରିଛି, ତାହା ମୋର ନିହାତି ଅକ୍ଷମଣୀୟ ଦୋଷ ବୋଲି ମନେକରୁଛି । ତଥାପି ତୁମ କଥାକୁ ମୁଁ କଦାପି ଏଡ଼ିପାରିବି ନାହିଁ । ତୁମେ ଯେପରି ତୁଠପଥରକୁ ସାକ୍ଷୀ ରଖିଛ, ମୁଁ ମଧ୍ୟ ସେହିପରି ମୋର ମନକୁ ସାକ୍ଷୀ ରଖିଛି । ତୁମର ମନର ବାସନା ନିଶ୍ଚୟ ପୂରଣ କରିବାକୁ ଚେଷ୍ଟା କରିବି । ପ୍ରାଣଗଲେ ସୁଦ୍ଧା ତୁମକୁ ଭୁଲିପାରିବି ନାହିଁ । ଏହି ମୋର ସତ୍ୟ । ଆଉ ଗୋଟିଏ କଥା ମୁଁ ତୁମକୁ ଆଜି ପଚାରୁଛି, ତୁମେ ପିତାଙ୍କ ଇଚ୍ଛା ବିରୁଦ୍ଧରେ କ’ଣ କରିପାରିବ ? ଆଉ ଆଠ ଦଶ ଦିନ ପରେ ମୁଁ ସର୍ଭେ ଟ୍ରେନିଂ ପଢ଼ିବାପାଇଁ ତିନିମାସ ଲାଗି ଅନୁଗୁଳ ଯିବି । ସୁବିଧାହେଲେ ମନେକରି ଡାକରେ ପତ୍ର ପଠାଇବ-। ଏତିକିରେ ବିଦାୟ ନେଲି ।

 

। ଇତି ।

ତୁମର

ପ୍ରିୟତମ ନୀରଦ

 

ନଳିନୀ ଚିଠିଟି ଥରକୁଥର ତିନିଥର ପଢ଼ି ନିଜର ତକିଆତଳେ ରଖିଦେଇ ରୁମାଲ ଗୁନ୍ଥିବସିଲା । ଏଣିକି ମନରେ ଗୋଟାଏ ସାହାସ ଆସିଲା । ଏ ବର୍ଷ ଯଦି ମୁଁ ବିଭାଘରଟା ବନ୍ଦକରି ଦିଏ, ତେବେ ଆସନ୍ତା ବର୍ଷକୁ ବାପା ନିଶ୍ଚୟ ସେଠାରେ ରାଜି ହୋଇ ଯିବେ । ସେତେବେଳକୁ ତାଙ୍କର ଚାକିରି ହୋଇ ସାରିଥିବ । ନୀରଦ କିପରି ଟ୍ରେନିଂରେ ପାସ୍‌କରି ଚାକିରି କରିବ ସେଥିପାଇଁ ନଳିନୀ ଗ୍ରାମେଶ୍ୱରୀ ଠାକୁରାଣୀଙ୍କୁ କେତେ ବୋଦା, ଗଞ୍ଜା, ସିନ୍ଦୂର ପୁଡ଼ା ମନାସିଲାଣି ।

 

ଯେତେବେଳେ ଘରଟାରେ ଏକାଟିଆ ବସିବସି ଚିଡ଼ାଲାଗେ ସେତେବେଳେ ନଳିନୀ ବାହାରକୁ ଟିକିଏ ବୁଲିଯାଏ । ଅଳ୍ପ ସମୟ ପରେ ପୁଣି ଫେରିଆସି ଚିଠିଟାକୁ ପଢ଼ିବସେ । ନିଜର ମାମୁଁ ଝିଅ କ୍ଷମା ସେଦିନ ନଳିନୀର ଏପରି ହାବଭାବ ଦେଖୁଥାଏ । ସେ ଭାରି ଶିଆଣୀ ବାଳିକା । କେତେବେଳେ ନାନୀଘରୁ ପଦାକୁ ଗୋଡ଼ କାଢ଼ିଲେ ତକିଆତଳ ଖୋଲି ଦେଖିବ ବୋଲି କ୍ଷମାର ଆଗ୍ରହ ବଳିଥାଏ ।

 

ସନ୍ଧ୍ୟା ହେଲା । ନଳିନୀ ଝାଡ଼ା ଯିବାପାଇଁ ପଦାକୁ ବାହାରିଗଲା । ଏହି ସୁଯୋଗରେ କ୍ଷମା ଘର ଭିତରକୁ ଯାଇଁ ତକିଆତଳୁ ଚିଠିଟି ନେଇ ଆସି ମନେମନେ ପଢ଼ିଲା । ପିଉସାଙ୍କ ଠାରୁ ନିଜର ପ୍ରଶଂସା ଶୁଣିବ ଭାବି ଚିଠିଟି ନେଇ ସାନ୍ତରାଙ୍କୁ ଦେଇଦେଲା । ସାନ୍ତରା ପତ୍ରଟି ପଢ଼ୁ ପଢ଼ୁ ଈର୍ଷାରେ ପ୍ରଜ୍ୱଳିତ ହୋଇ ଉଠିଲ । ସମୁଦାୟ ପତ୍ରଟିକୁ ପଢ଼ିବାପର୍ଯ୍ୟନ୍ତ ତାଙ୍କର ଚକ୍ଷୁଦ୍ୱୟ ଲାଗି ରହିଲା । ପତ୍ରଟିର ଆବୃତ୍ତି ପଢ଼ିବା ସଙ୍ଗେ ସଙ୍ଗେ ମନରେ ଈର୍ଷା ଗରିଷ୍ଠ ହୋଇ ଉଠୁଥାଏ । ନଳିନୀ ଉପରେ ଯେତିକି ବିରକ୍ତ ହେଉଥାନ୍ତି, ନୀରଦର ପ୍ରତିଶୋଧ ନେବାପାଇଁ ସେତିକି ଚିଡ଼ି ଉଠୁଥାନ୍ତି । ଛାର ଗୋଟିଏ ଅଧକପାଳିଆ ଛେଉଣ୍ଡ ଟୋକା ନୀରଦ । ତା’ର ପୁଣି ସାହାସ କେତେ ? ଏହି ଭାବନାରେ ସାନ୍ତରା ଚିଠିଟିର ପ୍ରାନ୍ତଭାଗରେ ଆଖିପକାଇ ଦେଖିଲେ ନୀରଦ ଟ୍ରେନିଂ ପଢ଼ିବା ନିମନ୍ତେ ଅନୁଗୁଳ ଯିବ ବୋଲି ଲେଖିଛି । ତେବେ ନୀରଦର ପ୍ରତିଶୋଧର ସୁଯୋଗରୁ ସାନ୍ତରା ବାଧ୍ୟ ହୋଇ ବଞ୍ଚିତ ହେଲେ ।

 

ଏଣେ ନଳିନୀ ଗୋଟିଏ ଘରଯୋଗ୍ୟା ଝିଅ । ପିତା ହିସାବରେ ସାନ୍ତରାଙ୍କର ଗାଳିଦେବାର ଅଧିକାର ନଳିନୀ ଉପରେ ନାହିଁ । ସେ ଅନ୍ୟ ଉପାୟ ଚିନ୍ତା ନ କରି ଭାବିଲେ ଝିଅଟାଏ, ସେ ବା ଯାଉଛି କେଉଁଦିଗକୁ ? ଆମେ ଆମର ଆୟୋଜନ କରିବା ଦରକାର । ବିଭାଘର ଦିନ ସେ ତ କିଛି ବେଦୀରୁ ଖସି ପଳାଇବ ନାହିଁ ? ନଳିନୀର ପ୍ରତିଜ୍ଞାକୁ ଶୋଚନା କରି ସାନ୍ତରା ନିଜ କାମରେ ମନପ୍ରାଣଦେଇ ଲାଗିପଡ଼ିଥାନ୍ତି । ନଳିନୀ ପିତା ମାତାଙ୍କ ଉପରେ ଈର୍ଷା ରଖି ଭଗବାନଙ୍କୁ ସର୍ବଦା ଡାକୁଥାଏ । ‘ହେ ଭଗବାନ, ନୀରଦ ଛଡ଼ା ଯେପରି ମୁଁ ଅନ୍ୟ କାହାରି ପାଣିଗ୍ରହଣ ନ କରେ ।’ ଏଇ ଧ୍ୟାନରେ ଦିନ ବିତି ସଞ୍ଜହୁଏ, ପୁଣି ରାତିପାହେ, କିନ୍ତୁ ନଳିନୀ ମନର ଭାବନା ଦିନକୁ ଦିନ ବିକଶିତ ହୁଏ । ଅସରନ୍ତି ଚିନ୍ତାର ପଶରାକୁ ମୁଣ୍ଡାଇଛି ନଳିନୀ । ଯାହାର ଦୁନିଆଁରେ ମୁଠାଏ ଖାଇ ଶୋଇବା ଛଡ଼ା ଅନ୍ୟ ଉପାୟ ନ ଥିଲା, ସେ ବିରାଟ ଚିନ୍ତା-ପସରାକୁ ମୁଣ୍ଡାଇବା ନିମନ୍ତେ ଆପେ ଆପେ ବରଣ କରିଛି । ଦୁନିଆଁରେ ଏପରି କେତେ ଜଣ ମହିଳା କରିପାରନ୍ତି ? ମନେପଡ଼ିଗଲା, ସେ ଅନୁଗୋଳ ଯାଇ ସାରିବେଣି । ତାଙ୍କ ଠିକଣାରେ ଡାକରେ ଖଣ୍ଡିଏ ପତ୍ର ଦେବ ଭାବି ଲେଖିବସିଲା । ପତ୍ରଟି ଶେଷକରି ସୁନେଇ ମା’କୁ ଡକାଇ ନିଜ ଗାଁ ଡାକଘରେ ପତ୍ରଟି ପକାଇଦେଲା । ତକିଆତଳ ଖୋଲି ଦେଖେ ତ, ନୀରଦର ପ୍ରେରିତ ପତ୍ରଟି ଆଉ ନାହିଁ । ପତ୍ରଟି ନ ଦେଖି ନଳିନୀ ଲଜ୍ଜାରେ ଝାଉଁଳିପଡ଼ିଲା । ଯଦି ବାପା ପତ୍ରଟି ପଢ଼ିଥିବେ ତେବେ ସେ କ’ଣ ନ ଭାବିବେ ? ଯାହାହେଉ ମୋ ଜଣାଇବା ପୂର୍ବରୁ ଭଗବାନ ଆଗତୁରା ଏ ବିଷୟରେ ପିତାଙ୍କୁ ଜଣାଇ ଦେଇଛନ୍ତି । ଏହାଦ୍ୱାରା ଗୋଟିଏ ପଥର ସୁଗମ ହେଲା । ‘ହେ ଭଗବାନ, ଏ ହତଭାଗୀ କପାଳରେ ଆଉ କେତେଦିନ ପର୍ଯ୍ୟନ୍ତ ଦୁଃଖର ଚିତା ବୋଳି ହେଉଥିବ । ନିଶ୍ଚୟ, ଅନ୍ଧାର ପଛେ ପଛେ ଆଲୋକ ଆସେ, ଦୁଃଖ ପଛେ ପଛ ସୁଖ ଆସେ । ଆଜି ମୋ ଭାଗ୍ୟରେ ଘୋଟିଆସିଛି ନିବିଡ଼ ଅନ୍ଧକାର । କାଲି ପୁଣି ଆସିପାରେ ତେଜୋମୟ ଆଲୋକ । ସେଦିନ ଅନ୍ଧାକାରର ସତ୍ତା ରହିବ ନାହିଁ । ହେ ଦୟାମୟ, କି ବିଚିତ୍ର ରହସ୍ୟ ତୁମର !’

 

-ନଅ-

 

ଜେନାପଦାର ବିରାଟ ଧନଶାଳୀ ସଦାଶିବ ରାୟ । ତାଙ୍କର ଗୋଟିଏ ବୋଲି ପୁଅ ଗୋବିନ୍ଦ । ସଦାଶିବ ରାୟ ଗୋବିନ୍ଦକୁ ପିଲାଦିନେ ଅବଧାନଙ୍କ ଚାହାଳିରେ ପାଠ ପଢ଼ାଉଥିଲେ । ଗୋବିନ୍ଦର ଠକପଣ ଜାଣି ଅବଧାନେ ଦିନେ ଦୁଇବେତ ପିଟିଥିଲେ । ସେଥିରେ ସଦାଶିବ ରାୟ ରାଗିଯାଇ ଅବଧାନଙ୍କୁ ଅନେକ ଗାଳିଗୁଲଜ କଲେ । ‘ମୋର ଗୋଟିଏ ବୋଲି ପୁଅ, ସେ କ’ଣ ପାଠପଢ଼ିଲେ ଚାକିରି କରିବ କି ? ମୋ ଘରେ ତ ଗଣ୍ଡାଗଣ୍ଡା ଚାକର ରୋଜ ଖଟିଛନ୍ତି । ତୁମେ ପୁଣି ପାଠ ଲାଗି ମାଡ଼ ଦେବ । ଏତିକି ପାଠ ଥାଉ । ହଳିଆଙ୍କ ତତ୍ତ୍ୱ ନେଉଥିଲେ ବସି ଖାଇଲେ ଭାତ ନ ସରେ ।’ ସେଇଦିନୁ ରାୟ ମହାଶୟ ଗୋବିନ୍ଦର ପାଠପଢ଼ା ବନ୍ଦ କରାଇ ଦେଇଥିଲେ । ଗୋବିନ୍ଦ ଯେଉଁଦିନୁ ପାଠପଢ଼ା ଛାଡ଼ିଛି ସେଦିନୁ ଗାଁର ନଦୀୟା ଘରେ ନାଚପାର୍ଟି ଘରେ ବସି ଦିନ କଟାଇଛି । ବାପା ତ ଅଛନ୍ତି, କେଉଁଥିପାଇଁ ସେ ଏତେ ଚିନ୍ତା କରିବ ? ଗାଁ ନାଚପାର୍ଟିରେ ମିଶି ମଉଜ ମଜଲିସ କରିବା ଛଡ଼ା ଆଉ ଉପାୟ କ’ଣ ? ଗାଁକୁ କେଉଁଦିନ କୌଣସି ହାକିମ ହୁକୁମା ଆସିଲେ, ଗୋବିନ୍ଦ ତାଙ୍କ ସଙ୍ଗେ ମିଶିଯିବା ପାଇଁ ଚେଷ୍ଟାକରେ । ନିଜର ହାକିମି ଆଡ଼ାଟା ସିନା ଥାଏ, ହେଲେ ପାଠ ତ ପଢ଼ିନି । କଥା ପ୍ରକାଶ କଲାବେଳେ ଧରା ପଡ଼ିଯାଏ । ଅନ୍ୟ ସମୟତକ ମୁଣ୍ଡରେ ଟେରି ଭାଙ୍ଗି, ବାସନା ତେଲ ମାଖି , ମୁହଁରେ ସ୍ନୋ ମାରି ଦାଣ୍ଡେ ଦାଣ୍ଡେ ଲମ୍ବକୁଞ୍ଚ ଘୋଷାଡ଼ି ଚାଲିଯାଏ । କାହାର ବୋହୂଝିଅଙ୍କୁ ଦେଖିଲେ ଗେଲେଇ ହୋଇ କଥା ପ୍ରସଙ୍ଗରେ କ’ଣ ନା କ’ଣ କହିଯାଏ । ଗାଁର ଲଫଙ୍ଗା, ନଛୋଡ଼ବନ୍ଧା ଟୋକା ହିସାବରେ ଗୋବିନ୍ଦ ପ୍ରଥମସ୍ଥାନ ଅଧିକାର କରିଛି । ଭାରି ରସିକଟିଏ ସେ । ଦୁନିଆଁର ନୂଆନୀତିକୁ ସେ ଉପଲବ୍‌ଧି କରିପାରିଛି । ଆଉ ଏକମାସ ପରେ ନିଜର ବିଭାଘର ହେବ । ଏଥିପାଇଁ ଗୋବିନ୍ଦର ମନ କେଉଁ ଆନନ୍ଦ ରାଇଜରେ ଉଡ଼ିବୁଲୁଛି । ଆଜିକାଲି ଟୋକାଏ ପ୍ରଥମେ ଶ୍ୱଶୁରଘର ଠାବକରି କନ୍ୟା ଦେଖିଲେ ପରେ ବିଭାଘର । ଗୋବିନ୍ଦ ବି ଏଇଆ ସ୍ଥିରକରି ଗାଁ ଏକାଦଶୀ ମହାଜନ ସାଇକଲଟି ଦୁଇଦିନପାଇଁ ଆଠଟଙ୍କା ଭଡ଼ାରେ ଆଣିଛି । ଜେନାପଦାରୁ ଝାରପଡ଼ା ନ ମାଇଲ ଦୂର । ସେ ବା ଏତେ ବାଟ ଚାଲିଚାଲି ଯିବ କିପରି ? ସାଇକେଲରେ ଗଲେ ନୂଆଜୋଇଁ ହିସାବରେ ଆହୁରି ମନେଇବ । ଏକୁଟିଆତ ଯାଇହେବନି । ନିଜର ସାଙ୍ଗ ସୁରଥକୁ ସଙ୍ଗରେ ନେଇ ଯିବାପାଇଁ ବୁଝିଲା-। ସୁରଥ ଏଥିରେ ରାଜି ହୋଇଗଲା । ଆସନ୍ତାକାଲି ସକାଳେ ଦୁହେଁଯାକ ନିଶ୍ଚୟ ଯିବା-। ଗୋବିନ୍ଦକୁ ରାତିରେ ନିଦ ନାହିଁ । କିପରି ରାତିଟି ପାହି ସକାଳ ହେବ, ଏଇ ଭାବନାରେ ସାରାରାତି ଉଜାଗର-

 

ରାତି ପାହିଲା । କୁଆ କା କା ରାବି ଏଚାଳରୁ ସେଚାଳକୁ ଡେଇଁ ଉଡ଼ିବୁଲିଲା । ଗୋବିନ୍ଦ ଅନ୍ଧାର ଥାଉଁ ଥାଉଁ ଉଠି ସୁରଥକୁ ଡାକି ଗାଧୁଆ ଶେଷ କରିଦେଲା । ପ୍ରାରମ୍ଭିକ କାର୍ଯ୍ୟ ଶେଷ କରିବାକୁ ନିତାନ୍ତ ବ୍ୟଗ୍ର ହୋଇପଡ଼ିଛି । ତା’ପରେ ବସିଲା ଆଇନାଟିକୁ ସମ୍ମୁଖରେ ରଖି । ଆଇନା ସମ୍ମୁଖରେ ଥୁଆହୋଇଛି କେତେ ରକମର ବାସନାତେଲ, ସ୍ନୋ ଇତ୍ୟାଦି । ଅତି ଯତ୍ନରେ ମୁଣ୍ଡଟି କୁଞ୍ଚଭାଙ୍ଗି କୁଣ୍ଡାଇଲା । ଥରକୁ ଥର ଆଇନାରେ ଚାହିଁ ନିଜର ସୌନ୍ଦର୍ଯ୍ୟକୁ ନିଜେ ଦେଖୁଥାଏ-। ସେ ଭାରି ଅନୁକରଣପ୍ରିୟ । ଦୁନିଆଁରେ ଗୋବିନ୍ଦର ସଉକିନି ଛଡ଼ା ଆଉ କିଛି ଚିନ୍ତା ନ ଥାଏ-। ବାରଲୋକଙ୍କ ଠାରୁ ବାରପ୍ରକାର ସଉକିନି ସେ ଅନୁକରଣ କରେ । ଖରା ନ ହେଉଣୁ ସୁରଥକୁ ଡାକି ଝାରପଡ଼ା ଅଭିମୁଖେ ଉଭୟେ ସାଇକେଲରେ ବସି ବାହାରିଲେ ।

 

ଗୋବିନ୍ଦ ଆଜି କେଉଁ ଖୁସି ରାଇଜ, ଆନନ୍ଦ ବଜାରରେ ଉଡ଼ିଚାଲିଛି । ସାଇକେଲରେ ବସି ଅଶେଷ ଭାବନା ତୋଳି ଚାଲିଛି । ମନଫୁଲାଣିଆ ଗୀତ ଗାଇ ଦୁନିଆଁର ରୀତିଗତି ବିଷୟରେ ଅନଭିଜ୍ଞ ହୋଇ ନାହିଁ ଗୋବିନ୍ଦ । ନୂଆକରି ଶ୍ୱଶୁରଘରକୁ ପାଦ ପକାଉଛି । ଏପର୍ଯ୍ୟନ୍ତ ଜେନାପଦାର ଟୋକାଏ କେହି ପ୍ରଥମେ ଶ୍ୱଶୁରଘର ଠାବ କରିନଥିଲେ । ଏଥିପାଇଁ ଗୋବିନ୍ଦ ମନରେ ଅଧିକ ଉତ୍ସାହ ଭରିଉଠିଛି । କେତେ ସୁଖ ସ୍ୱପ୍ନରେ ଭାସି ଭାସି ଉଭୟେ ଝାରପଡ଼ାର ନିର୍ଦ୍ଦିଷ୍ଟ ସ୍ଥାନରେ ପହଞ୍ଚିଲେ । ବିଦ୍ୟାଧର ସାନ୍ତାରାଙ୍କ ଆନନ୍ଦ କହିଲେ ନ ସରେ । ଯାହାହେଉ ପ୍ରଥମ କରି ଜୋଇଁ ତାଙ୍କ ଘରେ ପାଦ ପକାଇଛନ୍ତି । ସେ ବା କାହିଁକି ଦୁଃଖ କରିବେ ? ଆଜିକାଲି ଦୁନିଆରେ ଯୁଗ ଆସିଗଲାଣି । କିଛି ସମୟ ପରେ ସାରା ଗାଁଟିଯାକରେ ଏ କଥା ପ୍ରଚାରିତ ହେଲା-। ଗାଁର ମାଇପିମାନେ ନଳିନୀର ବରକୁ ଦେଖିବା ନିମନ୍ତେ ସାନ୍ତାରାଙ୍କ ଘରେ ଆସି ଜମା ହୋଇଗଲେ । ସେତେବେଳେ ଗୋବିନ୍ଦର ବାହାପିଆ ଆଡ଼ମ୍ବର କିଏ କଳନା କରିବ ? ଜୋଇଁର ଉପଯୁକ୍ତ ସତ୍କାର ନିମନ୍ତେ ସାନ୍ତାରାଙ୍କ ଘରେ କେତେ ପିଠାପଣାର ଆୟୋଜନ ଚାଲିଛି । ଗାଁର ମାଇପେ କେତେ ପ୍ରକାର ସମାଲୋଚନା କରି ଜୋଇଁ ଦେଖି ନିଜ ନିଜ ଘରକୁ ଫେରୁଛନ୍ତି; କିନ୍ତୁ ନଳିନୀ ସେ ଆନନ୍ଦର ବାହାରେ । କାହାରିକୁ କିଛି ନ କହି ହୀନିମାନିଟି ପରି କୋଠା ଛାତ ଉପରେ ବସି ଲୁହ ଗଡ଼ାଉଛି । ନିଜର ସତ୍ୟ, ଆଶା, ପଣକୁ ଆଗରେ ରଖି ନୀରଦ ପାଇଁ ଦିନକୁ ଦିନ ସେ ଅଟଳ ହୋଇ ଉଠୁଛି । ଜୀବନର ଦୁଇଟା ଶେଷ ସମାପ୍ତି ସତ୍ୟ ନତୁବା ମରଣ ।

 

ଗୋବିନ୍ଦ ଏବଂ ସୁରଥ ଘର ଭିତରେ ଗୋଟିଏ ପଲଙ୍କରେ ବସି ନଳିନୀକୁ ଦେଖିବା ନିମନ୍ତେ ଚତୁର୍ଦ୍ଦିଗକୁ ଚାହୁଁଛନ୍ତି । କାହିଁ ସେ ସୁଯୋଗ ଜୁଟି ପାରୁନି । ଶ୍ୱଶୁରଙ୍କୁ କ’ଣ କହି ନଳିନୀର ସାକ୍ଷାତ ପାଇବେ, ଅନେକ ସମୟ ଭାବି ସ୍ଥିର କଲେ । ସୁରଥ ସାନ୍ତାରଙ୍କୁ ଏ କଥା କହିବ । ସମୟ ଗଡ଼ି ଚାଲିଥାଏ । ଖିଆପିଆ ଶେଷକରି ଉଭୟେ ଘର ବାହାର ଚତୁର୍ଦ୍ଦିଗ ଦେଖିବା ବାହାନାରେ ବୁଲୁଥାନ୍ତି, ତଥାପି ସେ ଲକ୍ଷ୍ୟହୀନ । ଯେଉଁ ଲକ୍ଷ୍ୟରେ ସେ ଏତେ ସଉକିନି ସାଜି ଝାରପଡ଼ା ଆସିଥିଲା, ସେଥିରେ ସଫଳତା ଲାଭ ନ କରି ଗୋବିନ୍ଦ ମନେମନେ ଭାରି ଦୁଃଖିତ । ଶେଷରେ ସାନ୍ତରାଙ୍କ କାନକୁ ଏ କଥା ଗଲା । ଜୋଇଁ ଆସି ଅଯଥାରେ କ’ଣ ଫେରିଯିବେ ? ସାଇପଡ଼ିଶାରେ ନଳିନୀର ଖୋଜା ପଡ଼ିଲା । ଥର ଥର କରି ଦଶଥର ଖୋଜାଗଲା; କିନ୍ତୁ କାହିଁ ? କାହିଁ ନଳିନୀ ? ସେ ନୀରବରେ ନିଜର ଆତ୍ମଗୋପନ କରିଛି । ସାନ୍ତରା ନିରାଶ ହୋଇ ଜୋଇଁକୁ ଏ କଥା ଜଣାଇଲେ, ‘ଆପଣ ଯାଆନ୍ତୁ, ଆପଣଙ୍କ ବାପା ବୋଉ ଅଛନ୍ତି, ସେମାନେ ଆସି ଦେଖିଯିବେ ।’ ଗୋବିନ୍ଦ ମନର ଓଜନ ଦବିଗଲା । କେତେ ସୁଖ ସ୍ୱପ୍ନ କ୍ଷଣକରେ ଉଭାଇଗଲା । ଅନ୍ୟ ଉପାୟ ନ ପାଇ ଉଭୟେ ମନଦୁଃଖରେ ଘରକୁ ଫେରିଲେ । ଫେରିଲାବେଳେ ଗୋବିନ୍ଦ ମନେମନେ ନଳିନୀ ପ୍ରତି ବିରକ୍ତ ହୋଇ ଉଠୁଥାଏ । ବିଭାଘର ପରେ ମୁଁ ଏହାର ପ୍ରତିଶୋଧ ନେବି । ଏଣେ ସାନ୍ତରାଙ୍କ ଚହଳ । ଶେଷରେ କୋଠା ଉପରେ ଦେଖନ୍ତି ତ ଝିଅ କୋହ ଉଠାଇ ଶୋଇପଡ଼ିଛି । ଆଖିର ଲୋତକ ଧାର ଗାଲରେ ଶୁଖି ଶିଉଳି ପଡ଼ିଯାଇଛି । ସୁନ୍ଦର ଚେହେରା କେତେ କ୍ଷୀଣ ହୋଇଯାଇଛି-। ନଳିନୀକୁ ଅନେକ ବୁଝାଇ ସୁଝାଇ ବୋଉ ଘର ଭିତରକୁ ଆଣିଲେ । ‘କେଉଁଥିକି ଅଭିମାନ କରି ତୁ ଖିଆପିଆ ଛାଡ଼ି ଦେଉଛୁ ?’ ମୋ ମା’ଟ ପରା, ତୁ ଯଦି ଜାଣିଲା ଶୁଣିଲା ଝିଅ ଅବୁଝା ହୋଇ ଏପରି ଉପବାସ ରହି ଦୁଃଖରେ ଦିନ କଟାଇବୁ, ତେବେ ଏ ଧନ ସମ୍ପତ୍ତି ଥାଇ କ’ଣ ହେବ-? ତୋର ମନ କଥା କ’ଣ ବାପାଙ୍କ ଆଗରେ ଖୋଲି କହି ଦେଉନୁ ?’ ବୋଉଙ୍କ ଆଶ୍ୱାସନା ପାଇ ନଳିନୀ ଟିକିଏ ଶାନ୍ତ ପାଇଲା । ମନରେ ଭଗବାନଙ୍କୁ ପ୍ରାର୍ଥନା କରି ନିଜର ଦୁଃଖ ଜଣାଉଥାଏ-। ‘ହେ ଭଗବାନ, ମୋର ସତ୍ୟ, ଆଶା, ପଣର ଅକ୍ଷୁଣ୍ଣତା ନିମନ୍ତେ ତୁମେହିଁ ସମ୍ପୂର୍ଣ୍ଣ ଦାୟୀ ।

 

-ଦଶ-

 

ମଣିଷ ଜୀବନ ଦୁଃଖ, ସୁଖ, ଅନ୍ଧାର, ଆଲୋକର ସମାହାର । ଦୁନିଆଁରେ ବାସ କରିବାକୁ ହେଲେ, ଏହା ଅପରିହାର୍ଯ୍ୟ । ଏପରି କେହି ନାହାନ୍ତି ଯେ କି ଦୁଃଖ, ସୁଖର ବାହାରେ । ମଣିଷ ଯେଉଁଦିନ ମାତୃଗର୍ଭରୁ ବିଚ୍ୟୁତ ହୋଇ ଭୂମିରେ ପଡ଼ି କୁଆଁ କୁଆଁ ରଡ଼ି ଦିଏ, ସେହିଦିନଠାରୁ ସେ ଭାଗ୍ୟ ଇତିହାସର ନିୟମରେ ପରିଚାଳିତ ହୁଏ । ସେହି ନିୟମର ପରିଚାଳକ ସ୍ୱୟଂ ସୃଷ୍ଟିକର୍ତ୍ତା-

 

ନୀରଦ ସେହିପରି ସୃଷ୍ଟିକର୍ତ୍ତାଙ୍କର ଗୋଟିଏ ନିୟମାଧୀନ ଉପମା । ଉଲ୍ଲିଖିତ ଭାଗ୍ୟ-ଇତିହାସରେ ପରିଚାଳିତ ହୋଇ ଜୀବନ-ପଥରେ ସେ ଚାଲିଛି ।

 

ଅପରାହ୍ନ ଚାରିଟା ସମୟ । ସୂର୍ଯ୍ୟଙ୍କର ଉତ୍ତପ୍ତ କିରଣ ଆସ୍ତେ ଆସ୍ତେ ମଉଳି ଛାଇ ଲେଉଟିଲାଣି । ଦିନସାରା ଟ୍ରେନିଂ ନିୟମରେ ବାସ୍ତବ କ୍ଷେତ୍ରରେ ଖଟିଖଟି ନୀରଦ ବାରଣ୍ଡା ଉପରେ ବସି ବହିଖଣ୍ଡିଏ ଧରି ପଢ଼ୁଛି । ଡାକପିଅନ ଗୋଟିଏ ମୁଦା ଲଫାପା ବଢ଼ାଇ ଦେଇ ଚାଲିଗଲା । ଏ କାହାର ଚିଠି, ବୋଧହୁଏ ନଳିନୀର ହୋଇଥିବ । ନଳିନୀ ଛଡ଼ା ଦୁନିଆରେ ଏ ହତଭାଗ୍ୟର ଅନ୍ୟ କେହି ନାହାନ୍ତି । କିଏ ବା ପତ୍ର ପଠାଇବ ? ଚିଠିଟି ଫିଟାଇ ଦେଖେ ତ ଲେଖା ଅଛି :–

 

ପୂଜ୍ୟପାଦ ଦେବତା,

 

ଅନେକ ଦୂରରୁ ତୁମର ସ୍ନେହାଧୀନା ଗୋଟିଏ ହତଭାଗିନୀର ଅନ୍ତରର ପ୍ରଣାମ ସାଦରେ ଗ୍ରହଣ କରିବେ । ମୁଁ ଭାବୁଛି, ତୁମେ ମୋତେ ଭୁଲିଗଲଣି । ତୁମରି ପାଇଁ ଏପର୍ଯ୍ୟନ୍ତ ଏ ପୋଡ଼ା ପ୍ରାଣଟା ବଞ୍ଚିରହିଛି । ନଚେତ୍‌ କେଉଁ ଦିନୁ ଜଳିପୋଡ଼ି ଧୂଳି ପାଉଁଶ ହୋଇ ସାରନ୍ତାଣି । ମୁଁ ଶୁଣିବାକୁ ପାଉଛି ବାପା ମୋ ବିଭାଘର ବିଷୟ ଜେନାପଦାରେ ଠିକ୍‌ କରିଛନ୍ତି । ବିଭାଘର ଆଉ ଦେଢ଼ମାସ ସରିକି ଅଛି । ଯାହାହେଉ, ସେହି ସତ୍ୟ, ଆଶା, ପଣ ମୋର ଶେଷ ସମାପ୍ତି । ଆରାଧ୍ୟ ଦେବତାର ଚରଣ ତଳେ ପୂଜା ସ୍ୱରୂପ, ମୋର ଏଇ କେତେ ପଦ ଅନ୍ତରର ପୂଜା ସମ୍ଭାର ନିବେଦନ ।

 

ଆଶାର ଜାଗର ଜାଳି ବରିଛି ମୁଁ, ତୁମ ପାଇଁ ହେ ଦେବତା ।

ଦିନସ ରଜନୀ ହୋଇ ଉଜାଗର, ଜାଳିବସିଲି ମୁଁ ଆଶାର ଜାଗର

ଆଉ କେତେଦିନ ଥିବ ଏ ପରାଣ, ଲିଭିଯିବ ସଞ୍ଜ ସଳିତା । ୧ ।

ତୁମରି ପାଇଁ ଗୋ ଏ ହତଭାଗିନୀ, ତୁମରିପାଇଁ ଗୋ ବିଶ୍ୱ ହୀନିମାନୀ

ଆଶା ଦେଇ ଧନ ନିରାଶା କଲେ ଗୋ, ତୁଟିବ ମୋ ପ୍ରାଣ ମମତା ।

ହେଳା କଲେ ନାଥ ବୁଡ଼ିବ ମୋ ଭେଳା,

ତେଜି ଶେଷେ ସାଙ୍ଗ ହେବ ଇହଲୀଳା ।

ଏଥକୁ ବିଚାର ନ କଲେ ନିକର, ଶୁଣିବ ଦିନେ ମୋ ବାରତା । ୩ ।

 

ଇତି

ତୁମର ପୂଜାରିଣୀ

-ନଳିନୀ-

 

କି ମର୍ମନ୍ତୁଦ କରୁଣ ଭାଷାରେ ଚିଠିର ପୃଷ୍ଠା ପୂରିଯାଇଛି । ନଳିନୀ, ଧନ୍ୟ ତୁମର ସତ୍ୟ, ପଣ, ଆଶା । ସାମାନ୍ୟ ନାରୀ ହୋଇ ତୁମେ ତରଳ ହୃଦୟକୁ ପାଷାଣ କରି ଶିଖିଛ । ତୁମରି ଆଖିର କରୁଣ ଲୁହରେ ଆଜି ମୋତେ ଭସାଇ ଦେଇଛ । ମୋ’ପରି ସାମାନ୍ୟ ଗୋଟିଏ ହତଭାଗା ବାଳକ ପାଇଁ ତୁମେ ନିଜକୁ ହତଭାଗିନୀ ବୋଲି ସମ୍ବୋନ୍ଧନ କରୁଛ । ହେ ଦୟାମୟ, ତୁମର କି ବିଚିତ୍ର ରହସ୍ୟରେ ଆମର ଭାଗ୍ୟ-ଇତିହାସ ଗଢ଼ା ହୋଇଛି । ‘ନଳିନୀ ତମେ ଧନ ଦଉଲତରେ ଊଣା ନୁହଁ କି ପିତାମାତାଙ୍କର ଅଲିଅଳରେ ଊଣା ନୁହଁ । ଦିନେ ହେଲେ ତୁମେ ଅଣହେଳା ପାଇ ନ ଥିବ ବୋଲି ମୁଁ ଭାବୁଛି । ତଥାପି ତୁମେ ମୋରି ପାଇଁ ଶେଷ ଜୀବନ ପର୍ଯ୍ୟନ୍ତ ନିଜକୁ ହତଭାଗିନୀ ବୋଲି ଭାବି ନେଇଛ । ଅପାର ସାହସ, ଧୈର୍ଯ୍ୟ, ପଣ, ସତ୍ୟ, ଆଶାର ବିରାଟ ସମାବେଶ ନୀରଦ ହୃଦୟ-ରାଜ୍ୟରେ ଆଲୋଡ଼ନ ସୃଷ୍ଟି କଲା । କେତେ ଆଗତ ଭାବନା ତୋଳି ନୀରଦ ଚିଠି ଖଣ୍ଡିଏ ଲେଖି ବସିଲା । କଲମର ମୁନ ଯେତିକି ଛୁଟି ଚାଲିଥାଏ, ମନର ଭାବ ସେତିକି ବଢ଼ି ଉଠୁଥାଏ । ଅବଳା ଦୁର୍ବଳା ବାଳିକା ନଳିନୀ, ସେ ପିତାଙ୍କ ଇଚ୍ଛା ବିରୁଦ୍ଧରେ କ’ଣ କରିପାରିବ ? ଶେଷ ମୁହୂର୍ତ୍ତ ପାଇଁ ଯଦି ପିତା ତା’ର ରାଜି ନ ହୁଅନ୍ତି, ତେବେ ସେ କଅଣ ଆମ ଘରକୁ ବଳେ ବଳେ ଚାଲିଆସିବ-? ପୁଣି ମନର ଚେତନା ଓଲଟିଯାଏ ନା ନା ମୋର ଏହା ଭାବିବା ନିହାତି ଭୁଲ । ନଳିନୀ ମୋତେ ନ ପାଇବା ପର୍ଯ୍ୟନ୍ତ ପ୍ରାଣର ମମତା ତୁଟାଇ ଦେଇଛି । ଯାହାହେଉ ପଛେ ଜୀବନର ଶେଷ ମୁହୂର୍ତ୍ତକ ପାଇଁ ମୁଁ ନଳିନୀର ଅଭିଳାଷ ପୂରଣ କରିବି । ସେତେବେଳକୁ ମୋର ଟ୍ରେନିଂ ଶେଷ ହୋଇ ସାରିଥିବ । ବିଶେଷ କିଛି ଅସୁବିଧା ଭୋଗ କରିବାକୁ ପଡ଼ିବ ନାହିଁ । ବନ୍ଦୋବସ୍ତ ଯୋଗୁଁ ଚାକିରି ମିଳିବାରେ ବିଳମ୍ବ ହେବ ନାହିଁ । ଚାକିରିରେ ଯୋଗ ଦେଲା ପରେ ମୋର ଅସୁବିଧା ସବୁ ଆପେ ଆପେ ଘୁଞ୍ଚିଯିବ । ନଳିନୀର ପ୍ରତିକାର ପାଇଁ ମୁଁ ଅଭାବର ସମ୍ମୁଖୀନ ହେବି ନାହିଁ । ଏହା ଭାବି ପତ୍ରଟି ନେଇ ଡାକରେ ପକାଇ ଫେରିଲା । ମନରେ ଅସଂଖ୍ୟ କାମନା, କଳ୍ପନା, ଚିନ୍ତା-। ଧନ୍ୟରେ ଯୌବନ, ତୋରି ନୟନର ପିପାସା କି ଅଟଳ ।

 

-ଏଗାର-

 

ବର୍ଷାଋତୁର ଆଗମନରେ ନୀଳଆକାଶକୁ ବାଦଲ ଯେପରି ଢାଙ୍କି ରଖିଥାଏ, ସେହିପରି ନଳିନୀର ସତେଜ ସଜଫୁଟା ସରସ ବଦନକୁ ବିଷାଦର ଛାୟା ଢାଙ୍କିରଖିଛି । ଦିନକୁ ଦିନ ଶରୀରର ଅବନତି ହୋଇଯାଉଛି । ସର୍ବଦା ମୁଖମଣ୍ଡଳରେ ବିମର୍ଷର ଭାବ ଫୁଟିଉଠୁଛି । ଯେଉଁଠି ବସୁଛି ମଉନ ହୋଇ । ନଳିନୀର ଏପରି ରୀତିଗତିରେ ସାଇପଡ଼ୋଶୀ ମାଈପେ କେତେ କଥା ଫୁସୁରୁଫାସର ହେଉଛନ୍ତି । କିନ୍ତୁ ବାପାବୋଉଙ୍କର ଏ ବିଷୟରେ ଧାରଣା ନାହିଁ । ସେମାନେ ଭାବୁଛନ୍ତି, ବୋଧହୁଏ ନୂଆ ଶାଶୁଘରେ କିପରି ପାଦ ପକାଇ ଚଳିବ ସେ ବିଷୟରେ ଚିନ୍ତା କରୁଥିବ-। ଏହା ଅନେକ ଅଭିଆଡ଼ୀ ଝିଅଙ୍କ ପକ୍ଷରେ ବିଭାଘର ପୂର୍ବରୁ ହୋଇଥାଏ; କିନ୍ତୁ ଏ ବିଷୟରେ ଗାଁ ପୋଖରୀ ଗାଧୁଆ ତୁଠରେ ମାଈପିଙ୍କର ହାଟ ବସିଲା । ଯାହା ପାଟିକୁ ଯାହା ପଇଟେ ସେ ତାହା କହିଯାଏ । ସତେ ଯେପରି ବାଟୁଳି ନ ବାଜେ । ଶେଷରେ ନଳିନୀରବୋଉଙ୍କ କାନକୁ ଏକଥା ଗଲା-। ସେ କଥାଟାକୁ ବେଶ୍‍ ବୁଝିପାରିଲେ । ସଞ୍ଜ ପହର ଯାଇ ଖିଆ ପିଆ ପହର ଶେଷ ହେଲା । ନଳିନୀର ଖାଇବାବସିବା ଠାରୁ ଆରମ୍ଭ କରି ସମସ୍ତ ହାବଭାବ ବୋଉ ଲକ୍ଷ୍ୟ କରୁଥାନ୍ତି-। ଦିନକୁଦିନ ସେ ଲୁଣ ପାଣିରେ ମିଳାଇଲାପରି ମିଳାଇ ଯାଉଛି । ନଳିନୀର ହସ ଲୁଚିଯାଇଛି । ହସ ପରିବର୍ତ୍ତେ ମୁହଁର ବିଷାଦ ସମସ୍ତ କାରଣ ଜଣାଇ ଦେଲାପରି ବୋଧ ହେଉଛି । ବୋଉ ନଳିନୀର ଶୋଇବାଘରକୁ ଯାଇ ଏସବୁ ଘଟଣା ତନ୍ନ ତନ୍ନ କରି ପଚାରିଲେ । ମୋ ମା’ଟା ପରା, ଆମର କେଉଁଥିରେ ଅଭାବ ଅଛି ? ତୁ କେଉଁଥିରେ ଅଣହେଳା ପାଇଲୁ ଯେ ତୋ ମନରେ ଏତେ ଦୁଃଖ ? ବାପାତ ତୋ ଉପରେ କେବେ ରାଗିଯାଇ ‘ମ’ ବୋଲି କହି ନାହାନ୍ତି । ତୋ ମନରେ ଯାହା ଅଛି ଖୋଲି କହିଦେଉନୁ ? ହଜିଯାଇଥିଲେ ଖୋଜିଆଣିପାରେ, ଭାଙ୍ଗିଯାଇଥିଲେ ଗଢ଼ାଇ ଦେଇପାରେ-। ଏଇଥିପାଇଁକି ତୁ ଖିଆପିଆ ଛାଡ଼ିଦେଇ ଦେହକୁ କ୍ଷୀଣକରି ସାରିଲୁଣି ? ବିଭାଘର ଚିନ୍ତାରେ ବାପା ତୋର ଲାଗିପଡ଼ିଛନ୍ତି । ତୁ ଯଦି ଏପରି ଭାଙ୍ଗିପଡ଼ିବୁ ତେବେ ସେ କ’ଣ କରିବେ-? ଜେନାପଦାରେ ଯେଉଁଠି ସମ୍ବନ୍ଧ ହେଉଛି ତାଙ୍କ ଘରର ନା ଗାଁ ଆଖପାଖରେ ଡାକ ବାଜୁଛି-। ଧାନଅମାର ଫାଟି ପଡ଼ୁଛି । କେଉଁଥିରେ ସେ ଊଣା ନୁହନ୍ତି । ଚାରିଖୁରାରେ ଘର । କେତେ ଚାକର ଚାକରାଣୀ ଦିନରାତି ଖଟିଛନ୍ତି । ବୋଉଙ୍କର ଏ ଆଶ୍ୱାସନା ବାଣୀରେ ନଳିନୀ ଅଧିକ କାନ୍ଦିଉଠିଲା-। ନୟନଦ୍ୱୟରୁ ଅଶ୍ରୁ ଥପଥପ ଖସିପଡ଼ୁଥାଏ । ପତଳା ଛାତିରେ କୋହର ଧାପ ଉଦ୍‌ବେଗ ହୋଇଉଠିଲା । ମୁହଁର ଭାଷା ଅପେକ୍ଷା ନୟନର ଭାଷା ପ୍ରବଳ ହୋଇଉଠିଲା । ଝିଅର ଏପରି ଅବସ୍ଥା ଦେଖି ବୋଉ ବିକଳ ହୋଇ ଉଠିଲେ । କେତେ ସାଉଁଳେଇ ଗେଲକରି କାରଣଟା ଶୁଣିବାପାଇଁ ପଚାରିଲେ । ତଥାପି ନଳିନୀ ଅଶ୍ରୁ ଛଳଛଳ ନୟନରେ ନୀରବ ହୋଇ ଶୁଣୁଥାଏ-। ପଦେ ମାତ୍ର ଉତ୍ତର ଦେଉ ନ ଥାଏ । ସେଇଠି ବୋଉଙ୍କର ମନେପଡ଼ିଗଲା କ୍ଷମା ଯେଉଁ ଚିଠିଟି ପାଇ ନଳିନୀର ବାପାଙ୍କୁ ଦେଇଥିଲା, ସେ ଚିଠିଟି ନୀରଦର । ଏକଥା ବୋଉ କିପରି ଝିଅକୁ ପଚାରିବେ ? ନଳିନୀର ନୟନରୁ ପୂର୍ବପରି ଅଶ୍ରୁ ଝରିବାରେ ଲାଗିଛି । ରାତିଟି ଆସ୍ତେ ଆସ୍ତେ କଟି ସକାଳ ହେଲା ପଛେ ନଳିନୀର ପାଟିରୁ ପଦେମାତ୍ର ଉତ୍ତର ବାହାରିଲା ନାହିଁ । ଏଥିରେ ବୋଉ ଅଧୈର୍ଯ୍ୟ ହୋଇ ଉଠିଲେ । ଝିଅକୁ ଯେତେମନ୍ତେ ବୁଝାଇଲେ ପୂର୍ବପରି ସେହି ଅବୁଝା । ସାନ୍ତରା ବୁଢ଼ା ମା ଝିଅଙ୍କର ଏପରି ଘଟଣା ଜାଣିପାରି ଚିନ୍ତାମଗ୍ନ ହୋଇ ବସିଛନ୍ତି । ଏହି ସମୟରେ ଦାଣ୍ଡ ଦୁଆରେ ଡାକପିଅନ ଡାକପକାଇଲା । ସାନ୍ତରା ଯାଇଁ ଦେଖନ୍ତି ତ ପିଅନ ଗୋଟିଏ ମୁଦା ଲଫାପା ବଢ଼ାଇଦେଇ ଚାଲିଗଲା । ଚିଠିଟି ନୀରଦ ଅନୁଗୁଳ ସର୍ଭେଟ୍ରେନିଂ କ୍ୟାମ୍ପରୁ ଦେଇଛି । ପଢ଼ିବା ପରେ ଯାହା ଜଣାଗଲା, ଉଭୟଙ୍କର ମନ ଏକ ହୋଇଯାଇଛି । ଏଥିରେ ଆମେ ବାଧା ଦେବା ଠିକ୍‌ ନୁହେଁ । ଏଣିକି ତାଙ୍କର ଭାଗ୍ୟରେ ଯାହା ଥିବ ସେମାନେ ଭୋଗିବେ । ନଳିନୀର ବୋଉକୁ ଡାକି ଏ କଥା ପରିଷ୍କାର ରୂପେ ଜଣାଇଦେଲେ । ଏଣକି ନଳିନୀ ଦୁଃଖ ସମ୍ବନ୍ଧରେ ଅଧିକ କଥା ବୁଝିବାପାଇଁ ଆଉ କାହାରି ବାକି ରହିଲା ନାହିଁ । ଉଭୟେ ଏକଥା ସ୍ଥିରକରି ଶେଷ ସିଦ୍ଧାନ୍ତରେ ଉପନୀତ ହେଲେ । ଶେଷରେ ସାନ୍ତରା, ଝିଅ ହାତକୁ ପତ୍ରଟି ବଢ଼ାଇଦେଇ ଆପଣା ବିଚାରରେ ଲାଗିଲେ । ବିରାଟ ଅଡ଼ୁଆ ଭିତରେ ମଣିଷ ବାନ୍ଧି ହୋଇଗଲା । ଜୀବନମରଣର ସନ୍ଧିସ୍ଥଳେ ଉଭାହୋଇ ସାନ୍ତରା ପଥଭ୍ରାନ୍ତ । ସଦାଶିବ ରାୟଙ୍କ ସଙ୍ଗେ ଆଜକୁ ଦୁଇମାସ ହେବ ବନ୍ଦୋବସ୍ତ ହୋଇସାରିଛି । ତେଣେ ଜବାବ ଭଙ୍ଗକରିବା ନିହାତି କ୍ଷୋଭର ବିଷୟ, ଏଣେ ଝିଅର ଇଛାରେ ପ୍ରତିବନ୍ଧକ ସୃଷ୍ଟି କରିଲେ ତାହା ଭୀଷଣ ପ୍ରତିକ୍ରିୟାରେ ପରିଣତ ହେବ । ଯାହାହେଉ, ଏକଥା ରାୟମହାଶୟଙ୍କୁ ଶୀଘ୍ର ଜଣାଇଦେବା ଦରକାର । ନଳିନୀକୁ ସମ୍ମୁଖରେ ଠିଆକରି କହିଲେ ‘ମା ତୁ ମୋତେ ପ୍ରକୃତ ଘଟଣା ନ ଜଣାଇ ନିଜର ଶରୀରକୁ କ୍ଷୀଣ କରୁଛୁ । କେତେ ତପସ୍ୟାଫଳରେ ମୁଁ ଯଜ୍ଞକୁଣ୍ଡରୁ ପାଇଲାପରି ତୋତେ ପାଇଛି । ତୁ ଯଦି ଏପରି ହେବୁ, ତେବେ ଆମେ କାହାକୁ ଅନାଇଁ ଜୀବନ ରଖିବୁ ? ତୋରି ପାଇଁକି ଆମର ଏତେ ଚିନ୍ତା । ମୁହଁକୁ ଏଣିକି ତୋ ଇଚ୍ଛାରେ ଆମେ କାର୍ଯ୍ୟ ସମ୍ପନ୍ନ କରିବୁ । ଏ ବିଷୟରେ ଅନୁଗୋଳ ପତ୍ରଦେଇ ମୁଁ ନୀରଦକୁ ଜଣାଉଛି ।’

 

ପିତାଙ୍କର ଏହି ପ୍ରେରଣା ନଳିନୀକ ଅମୃତତୁଲ୍ୟ ବୋଧହେଲା । ତାପିତ ବକ୍ଷରେ ସୁଶୀତଳ ଚନ୍ଦନର ପରଶ ସଦୃଶ ଶିଥିଳ ହୋଇ ଆସିଲା । ଅପୂର୍ବ ତରଙ୍ଗ ସମୂହର ସମାବେଶରେ ଅନ୍ତର ଗହ୍ୱର ଝଙ୍କାରିତ ହୋଇ ଅଶେଷ କାମନା ସୃଷ୍ଟିକଲା । ‘ହେ ଦୟାମୟ, ତୁମେ ତୁମର ପଦସେବିକା କନ୍ୟାର ଡାକ ଠିକ୍‌ ରୂପେ ଶୁଣିପାରିଛ । ଯାହାହେଉ ଚିରଦିନର କଣ୍ଟକ ପଥ ଆଜି ଫିଟିଯାଇଛି । ସମାଧାନଟା ଏଣିକି ପିତାମାତାଙ୍କ ଉପରେ ।’ ଏହି କାମନାରେ ମା’ମଙ୍ଗଳାଙ୍କ ମାଜଣା ନିମନ୍ତେ ଗୋଟିଏ ଗଞ୍ଜା ମନାସି ନିଜର ଅଭିଳାଷ ଜଣାଇ କେତେ ବ୍ରତ ଉପାସନା କରିବା ପାଇଁ ଠିକ୍‍ କଲା । ସାନ୍ତରା ମହାଶୟ ବିଭାଘର ସୁବନ୍ଦୋବସ୍ତ ନିମନ୍ତେ ବନମାଳୀପୁରର ନୀରଦମା’ଙ୍କ ନିକଟକୁ ଲୋକ ପଠାଇ ସ୍ଥିରକଲେ ଏବଂ ଜେନାପଦାର ସଦାଶିବ ରାୟଙ୍କ ଗୃହକୁ ନିରାଶାବାଣୀ ଶୁଣାଇଦେଲେ ।

 

-ବାର-

 

ଜେନାପଦା ସଦାଶିବ ରାୟଙ୍କ ପୁଅ ଗୋବିନ୍ଦ । ଦିନ ସାରା ତାସ, ପଶାରେ ମାତି ଦିନ କଟାଇବା ଛଡ଼ା ଗୋବିନ୍ଦର ଅନ୍ୟ ପନ୍ଥା କିଛି ନ ଥାଏ । ଏଣେ ରାତି ଅଧଯାଏ ଆଖଡ଼ାଘରେ, ଦୋକାନ ବାରଣ୍ଡାରେ ଗାଁର ଅନ୍ୟାନ୍ୟ ଲଫଙ୍ଗା ବଜାରିଆ ଟୋକାଙ୍କ ସହିତ ମିଶି ବାରଲୋକଙ୍କର ବାରକଥା ପକାଇ ତାମସା ଲଗାନ୍ତି । ଯଦି କେଉଁଠି ଗାଁର କେହି ପୁରୁଖା ଲୋକ ବସି ପୁରାଣ ଖଣ୍ଡେ ଧରି ରାମବନବାସ, କି କୌରବ ପାଣ୍ଡବ ଯୁଦ୍ଧ ବିଷୟ ନେଇ ପଢ଼ୁଥିବ, ଗୋବିନ୍ଦ ତାକୁ କେତେ ବ୍ୟଙ୍ଗ ଛଳନା କରି ରହସ୍ୟରେ ଉଡ଼ାଇ ଦେଉଥାଏ । ଗାଁର ଅନ୍ୟ କେତେଟା ଟୋକାଙ୍କୁ ଛାଡ଼ିଦେଲେ ଗୋବିନ୍ଦକୁ ସମସ୍ତେ ଚିଡ଼ନ୍ତି; କିନ୍ତୁ ସଦାଶିବ ରାୟଙ୍କ ମୁହଁକୁ ଚାହିଁ କେହି କିଛି କହିପାରନ୍ତି ନାହିଁ । ରାୟବୁଢ଼ା ଭାରି ଶିଥିଳ ପ୍ରକୃତିର ଲୋକ । ମାଛିକୁ ‘ମ’ ବୋଲି ତୁଣ୍ଡରେ ସେ କେବେ କହି ନାହାନ୍ତି ।

 

ଏଥିପାଇଁ ଗୋବିନ୍ଦକୁ ଅନେକ ବାରନ୍ତି । ଗାଳି ଦିଅନ୍ତି । ବାପାଙ୍କ କଥାକୁ ଗୋବିନ୍ଦ କଡ଼ାକାଣିକେ ସୁଦ୍ଧା ଖାତିର କରେନାହିଁ । ସର୍ବଦା ଦାଣ୍ଡରେ ବାଟରେ ଯେଉଁଠି ବସିଲେ ହେଁ ହେଁ ଫେଁ ଫେଁ । ପାଠର ତ ‘ପ’ ଅକ୍ଷର ଜାଣି ନାହିଁ । ଧନ ଅଛି ବୋଲି ତ ବିଲବାଡ଼ି କାର୍ଯ୍ୟ କରିବାକୁ ଯାଏନି । ତା’ର ଆଉ ବା କ’ଣ ବ୍ୟବସାୟ ? ଖାଇବା ବେଳତକ ଘରେ ନଚେତ୍‌ ସକାଳୁ ରାତିଅଧ ଯାଏ ବାହାରେ ।

 

ସେଦିନ ରାତି ଅଧ ପ୍ରହର । ଗୋବିନ୍ଦ ଆଉ କେତେ ଜଣ ଅଭିଆଡ଼ିଆ ଟୋକାଙ୍କ ସହିତ ଗାଁର ଲିଙ୍ଗା ଦୋକାନୀ ବାରଣ୍ଡାରେ ବସି କେତେ ପ୍ରକାର ଆଲୋଚନା ଚଳାଇଥାଏ । ଏହାପୂର୍ବରୁ ଆଖଡ଼ା ଘରର କାମ ଶେଷକରି ଦେଇଥାନ୍ତି । ସେ ଆଲୋଚନାରେ ବାର ପ୍ରକାର କଥା ପଡ଼ିଥାଏ । ଗୋବିନ୍ଦ ନିଜ ଶ୍ୱଶୁର ଘରେ ପ୍ରଥମ କରି ପାଦ ପକାଇ ଫେରିଛି । ବିଭାଘର ନ ହେଉଣୁ ସେ ଗାଁରୁ ଏପରି କେହି କେବେ ଯାଇନାହାନ୍ତି । ନିଜର ଆତ୍ମବଡ଼ିମା ପଣ ଦେଖାଇ ଅନ୍ୟ ଟୋକାଙ୍କୁ କେତେ କ’ଣ କହିଯାଉଥାଏ । ସବୁବେଳେ ତାରି ନିଜ କଥା ।

 

ସେଇ ନିକଟରେ ମଧୁଆର ଘର । ସେ ଭାରି ନିରିମାଇଆ ଯୁଆନ ଟୋକାଟାଏ । ମା’ଟି ଛଡ଼ା ପିଲାଦିନୁ ସେ କାହାକୁ ବାପା ବୋଲି ଦିନେ ଡାକି ଶିଖିନି । ବୋଧହୁଏ ମଧୁଆର ଜନ୍ମ ପୂର୍ବରୁ, ବାପା ଇହଧାମ ଛାଡ଼ି ଚାଲିଯାଇଛନ୍ତି । ପରଲୋକର ହାଡ଼ଭଙ୍ଗା ପରିଶ୍ରମ କରି ପାଞ୍ଚମାଣ ମୂଲ ଆଣିଲେ ଘରେ ଚୂଲୀ ଜଳେ । ସାରା ଗାଁଟି ଯାକରେ ମଧୁଆ ଗୋଟିଏ ସଚ୍ଚୋଟ ଲୋକ । କେବେହେଲେ ଦାଣ୍ଡ ବାଟରେ କାହା ସହିତ କଳି ଲଗାଏ ନାହିଁ । ସେ ଗୋବିନ୍ଦର ଆତ୍ମବଡ଼ିମା କଥା ଶୁଣୁଥିଲା । ଏହା ପୂର୍ବରୁ ଝାରପଡ଼ାରେ ବିଭାଘର ବନ୍ଦ ହୋଇଯାଇଛି ବୋଲି ରାୟ ବୁଢ଼ାଙ୍କଠାରୁ ଶୁଣି ପାରିଥିଲା । ଖଣ୍ଡି କାଶଟାଏ ମାରି, ଆଖି ମଳିମଳି ଦୋକାନ ବାରଣ୍ଡାରେ ପହଞ୍ଚି ସବୁକଥା ପୁନର୍ବାର ଶୁଣୁଥାଏ । ହସଖୁସିର ଯମକ ବେଳକୁ ମନଲାଖି ଢଗଟିଏ ମାରି ଦେଲା, ‘ତୁଚ୍ଛାକୁ ଏତେ, ମୁଦି ନାହିଁ ଗୋଡ଼ କଚାଡ଼ୁ କେତେ ।’ ଏହା ଶୁଣି ଗୋବିନ୍ଦ ମଧୁଆ ଉପରେ ବିରକ୍ତି ହୋଇ କ’ଣ ନା କ’ଣ ଗୁଡ଼ାଏ ବକିଗଲା । ମଧୁଆ ଭାରି ସହଣିକ ଟୋକା । ସେ କଳି ନ କରି କହିଲା, ‘ଭାଇ ଗୋବିନ୍ଦ, ତୁ ରାଗିଲେ କ’ଣ ହେବ, ମୂଳରୁ ପାଠର ‘ପ’ ଅକ୍ଷର ପଢ଼ିନାହଁ ବୋଲି ସାନ୍ତରାଙ୍କ ଝିଅ ତୁମକୁ ରାଜି ହେଲା ନାହିଁ । ଝାରପଡ଼ାରୁ ଖବର ଆସିଥିବାର ମୁଁ ଶୁଣିପାରିଛି । ତୁମେ ତୁଚ୍ଛାଟାରେ କାହା ଆଗରେ ଏପରି ବଡ଼ିମା କଥା କହିଯାଉଛ ?’ ଗୋବିନ୍ଦ ଆହୁରି ଈର୍ଷାନ୍ୱିତ ହୋଇ କହିଲା, ‘ମୁଁ ପରା ନିଜେ ଯାଇ ସମସ୍ତ ବ୍ୟବସ୍ଥା କରିଆସିଛି । ଆଉ କୋଡ଼ିଏ ଦିନ ସରିକି ଆମ ବିଭାଘର ବାକି ଅଛି । ଅଳଙ୍କାର ପତ୍ର ଯାହା ନେବାର କଥା ଏବଂ ବିଭାଘରର ଅନ୍ୟାନ୍ୟ ସରଞ୍ଜାମ ବୁଝା ସରିଲାଣି । ତୁ ମିଛଟାରେ ଏଠାରେ କାହିଁକି କଥା ଉଡ଼ାଇ ଦେଉଛୁରେ ?’ ମଧୁଆ କହିଲା, ହଇରେ ଭାଇ, ମୁଁ ସବୁ ଜାଣେ, ତୁମ ଗାଁର ଟିକିନିଖି ଖବର ପରା ମୋ ଅଗ ଜିଭରେ । କାହା ଘରେ କେତେଟା ସୋରିଷ ଫୁଟୁଛି, ମୁଁ ପରେ କହିଦେବି । ସେପରି ତୁମର ବ୍ୟବସ୍ଥା ସରିଗଲେ କ’ଣ ହେବ ? ପାତ୍ରୀର ରାଜି ତୁମ ଉପରେ ତିଳେ ମାତ୍ର ନାହିଁ । କାହିଁ ବିଦ୍ୟାଧର ସାନ୍ତରା ଝିଅ ନଳିନୀ, କାହିଁ ଗୋବିନ୍ଦ ? ସେ ଝିଅଟା ପରା ପାଠଶାଠରେ ଧୁରନ୍ଧର । ତୋପରି ମୂର୍ଖଟାକୁ କିପରି ସେ ରାଜି ହେବ କହିଲୁ, ଯା, ଯା ଘରେ ଶୁଣିବୁ । ମୁଁ ସତ କହୁଛି ନା ମିଛ କହୁଛି-। ଗୋବିନ୍ଦର ମୁହଁ ଜଳିଗଲା ପରି ଜଣାଗଲା । ଜୋରକରି କଥା ପଦେ ପାଟିରେ ପଇଟିଲା ନାହିଁ-। କେତେ ହସ ଖୁସି କ୍ଷଣକରେ ଧୂଳି ପାଉଁଶ ହୋଇଗଲା । ମଧୁଆ ଉପରେ ଅଭିମାନ ରଖି ଗୋବିନ୍ଦ ମନଦୁଃଖରେ ଘରକୁ ଫେରିଲା । ସେତବେଳକୁ କିଏ ବା ଉଜାଗର ଅଛି ଯେ କାହାକୁ ପଚାରିବ ? ନିଜର ଶୋଇବା ଘରକୁ ଯାଇ ଶେଯଟି ବିଛାଇଦେଇ ବସିଲା । ନିଦ ଲାଗୁ ନାହିଁ, ବସି ବସି ବିରକ୍ତ ଲାଗିଲେ ଟିକିଏ ଲେଉଟ ପାଉଟ ହୋଇ ଗଡ଼ିପଡ଼େ । ଆଖିରେ ନିଦ ପଶୁ ନାହିଁ-। ରାତି ପାହିଲେ ଶୁଭ କି ଅଶୁଭ ଶୁଣିବ । ରାତିର ଗୋଟାଏ ଘଣ୍ଟା କଟିଲେ ଦିନଟିଏ କଟିଲା ପରି ଲାଗିଲା । ବିଭାଘର ବିଷୟ ଭିତରେ ଭିତରେ ଫସର ଫାଟିଲା ।

 

ଘର ବାରଣ୍ଡାରେ ବସି ଗୋବିନ୍ଦ କେତେ କ’ଣ ଭାବୁଛି, ହଠାତ୍‌ ଚାକରାଣୀ ଆସି କହିଲା, ‘ଓହୋଃ ଆମବାବୁଙ୍କ ବିଭାଘରଟା ବନ୍ଦ ହୋଇଗଲା । ଆମେ କେତେ କ୍ଷିରି ଖେଚଡ଼ି ଖାଇଥାନ୍ତୁ, ସେତକ ବୁଡ଼ିଲା । ମହାପ୍ରଭୁ ରଖିଥିଲେ, ଆମ ଜୀବନ ଥିଲେ ଯାଇଁ ଆଗତ ବର୍ଷକୁ ବିଭାଘର ହେବ ।’ ଏକଥା ଶୁଣିବା ମାତ୍ରେ ଗୋବିନ୍ଦ ମନରେ କରେଣ୍ଟ ବାଜିଲା ପରି ଦେହସାରା ଥରି ଉଠିଲା । ମନରେ ଭାବିଲା, ‘ମୋ ଭାଗ୍ୟ ଅପେକ୍ଷା ନଳିନୀର ଭାଗ୍ୟ ଆହୁରି ଛୋଟ । ତାରିପାଇଁ କେତେ ପଇସା ଖର୍ଚ୍ଚକରି ସ୍ନୋ, ପାଉଡର, ଅଳତା, ରିବନ୍‌, ସାୟା, ବ୍ଲାଉଜ ଆଦି ଖର୍ଦ୍ଦିକରି ସାଇତି ରଖିଛି । କେତେ ରକମର ଫଟୋ ଝୁଲାଇ ଶୟନ କକ୍ଷ ସଜ୍ଜାଇ ଥିଲି । ଏହା ଭୋଗ କରିବାକୁ ତା’ ଭାଗ୍ୟରେ ନାହିଁ । ସେ ଦିନ ସାରା ଏଇଚିନ୍ତା । ଖାଇବାକୁ ଇଚ୍ଛା ହେଉନି । ଯେଉଁଠି ବସିଲେ ସ୍ଥିରହୋଇ ରହିପାରୁନି । ଦିବସ ଯାଇ ସଞ୍ଜ ହେଲା । ବାଧ୍ୟ ହୋଇ ଆଖଡ଼ା ଘରକୁ ଯିବାକୁ ପଡ଼ିଲା । ମଧୁଆ ସଙ୍ଗେ ସେହି ଟୋକାଦଳ ବସି ଚାହିଁଥାନ୍ତି ଘଟଣାଟା ଶୁଣିବା ପାଇଁ । ସେମାନଙ୍କୁ ଦେଖିବା ମାତ୍ରେ ଗୋବିନ୍ଦ ମୁହଁ ତଳକୁ ପୋତି ଚାଲିଲା । ମଧୁଆ, କାଠିଆ, ଚକରା ପ୍ରଭୃତି କହିଲେ, ‘କିରେ ଭାଇ ଘଟଣା କ’ଣ, ଆଜି ଦିନସାରା କେଉଁଆଡ଼େ ଥିଲ ମ ? ତୋତେ ଚାହିଁ ଚାହିଁ ଆଖିରୁ ପାଣିମଲାଣି ।’ ଗୋବିନ୍ଦ ଦେହ ଖରାପ ଥିଲା ବୋଲି ଫାଙ୍କିଦେଇ କହିଲା, ‘ଭାଇ ମଧୁଆ କଥା ସତ ଯେ, ସେ ଯାହ କହୁଥିଲା ନଳିନୀ ରାଜି ହେଲା ନାହିଁ, ଏଇଟା ମିଥ୍ୟା । ଆମଘରେ ଏବର୍ଷ ବିଭାଘରକୁ ରାଜି ହେଉ ନାହାନ୍ତି ।’ ସମସ୍ତେ ଠୋ ଠୋ ହସି କହିଲେ, ଗୋବିନ୍ଦ ଏକା ଗୋଟାପଣେ ସତୁଆ । ଗୋବିନ୍ଦକୁ ଏହା ଭାରି ବାଧିଲା । ଲଜ୍ଜାରେ ମୁହଁ ଟେକି ନ ପାରି ନଳିନୀ ଉପରେ ରାଗି ଭାବିଲା ନିଶ୍ଚେଁ ଦିନେ ନା ଦିନେ ତା’ର ପ୍ରତିଶୋଧ ନେବି । ଏହି ମୋର ଅଟଳ ସତ୍ୟ । ତାରି ଯୋଗୁଁ ଆଜି ମୋତେ ଏତେ ଲାଞ୍ଛନା ସହିବାକୁ ପଡ଼ିଲା ।

 

-ତେର-

 

ଦୁଃଖ ସୁଖର ଚକ ଘୂରି ବୁଲୁଛି । କେହି ସ୍ଥିର ନୁହଁନ୍ତି । ଗୋଟିଏ ପରେ ଗୋଟିଏ ଆସିଯାନ୍ତି । ଏହିପରି ଓଲଟ ପାଲଟ ଚାଲିଛି । ସର୍ଭେଟ୍ରେନିଂ ପରୀକ୍ଷାରେ ଆଜି ଶେଷ ଦିବସ ଥିଲା-। ପରୀକ୍ଷା ଶେଷ ହୋଇଗଲାଣି । ସମସ୍ତ ଛାତ୍ରମାନେ ନିଜ ନିଜର ଗ୍ରାମକୁ ଫେରିଯିବା ନିମନ୍ତେ ସଜବାଜ ହେଉଛନ୍ତି । ତିନିମାସ ହେବ ଗୋଟାଏ ସ୍ଥାନରେ ରହି କ୍ଳାନ୍ତି ଆସିଯାଇଛି । ଅନ୍ୟ ପିଲାମାନଙ୍କପରି ନୀରଦ ନିଜ ଗ୍ରାମକୁ ଫେରି ଯିବାପାଇଁ ବ୍ୟଗ୍ର ହୋଇ ଉଠୁଛି । ଗୋଡ଼ ତଳେ ଲାଗୁନି । ଶିକ୍ଷକମାଙ୍କଠାରୁ ବିଦାୟ ନେଇ ଫେରିଲେ ସମସ୍ତ ଅଡ଼ୁଆ ତୁଟିଯିବ ।

 

ଏହି ସମୟରେ ଡାକପିଅନ ଗୋଟିଏ ଚିଠି ନୀରଦକୁ ବଢ଼ାଇଦେଇ ଚାଲିଗଲା । ଚିଠିଟି ଖୋଲି ଦେଖେତ ବିଦ୍ୟାଧର ସାନ୍ତରାଙ୍କ ନାମାଙ୍କିତ ହୋଇଛି । କାଳ ବିଳମ୍ବ ନ କରି ପଲକହୀନ ନେତ୍ରର ପତ୍ରଟିକୁ ଗୋଟିଏ ନିଃଶ୍ୱାସରେ ପଢ଼ି ପକାଇଲା । ବିଭାଘରଟା ସ୍ଥିର ହୋଇଯାଇଛି । ଯେଉଁ ଜଣଙ୍କ ଉପରେ ଦୁଇଟି ଜୀବନର ମୀମାଂସା ଅତୁଟ ହୋଇ ରହି ଯାଇଥିଲା, ସେ ଏବେ ସ୍ୱତଃ ପ୍ରଣୋଦିତ ହୋଇ ବିନା ଅଭିଯୋଗରେ ନିଷ୍ପତ୍ତି କରିଦେଇଛନ୍ତି, ଆମରି ସପକ୍ଷରେ । ହେ ଭଗବାନ, ତୁମେହିଁ ପ୍ରକୃତରେ ଦୀନବନ୍ଧୁ ନାମକୁ ସାର୍ଥକ କରି ଦୀନଜନ ସଖାପଦ ବୋଲାଉଛ-। ଚିରଦିନ ପାଇଁ ସୁଗମ ପଥରୁ ଅନ୍ଧକାର ତୁଟିଯାଇଛି । ଆଲୋକ ଫେରିଆସିଛି । ଆଜି ମୁଁ ଯେପରି ପଥଭ୍ରାନ୍ତ ହୋଇ ନିର୍ଦ୍ଦିଷ୍ଟପଥକୁ ଚାଲିଆସିଲି, ନଳିନୀ ବୋଧହୁଏ କେତେଦିନ ଆଗରୁ ଲକ୍ଷ୍ୟପଥକୁ ଫେରିଆସିଥିବ । ମୋ ଅପେକ୍ଷା ତା’ ମନ ଅଧିକ ଉଚ୍ଛ୍ୱସିତ ହୋଇ ଉଠୁଥିବ-। ଚିଠିରେ ଲେଖା ଅଛି ବିଭାଗର ଏଗାର ଦିନ ବାକି ଅଛି । ଏଇ ରାତିଟା କଟିଗଲେ ଦଶ ଦିନ ରହିବ । ମା’ଙ୍କ ଠାରୁ ସମସ୍ତ ପ୍ରସ୍ତାବ ଶେଷ ହୋଇ ଯାଇଥିବ । ସେ କେତେ ବ୍ୟସ୍ତ ହେଉ ନ ଥିବେ । ଯେକୌଣସି ପ୍ରକାରେ ଆଜି ସନ୍ଧ୍ୟାସୁଦ୍ଧା ଯାଇଁ ଗ୍ରାମରେ ପହଞ୍ଚିବା ଦରକାର ।

 

ସାଙ୍ଗ ସାଥି ଏବଂ ଶିକ୍ଷକମାନଙ୍କଠଉଁ ବିଦାୟ ନେଇ ନୀରଦ ବଜାରକୁ ଗଲା । ନଳିନୀକୁ ନେଇ ସେ କ’ଣ ଉପହାର ଦେବ ? ଅନୁଗୁଳ ବଜାରରୁ କ’ଣ ଆଣିଛି ବୋଲି ଯଦି ସ୍ନେହରେ ପଚାରେ, କ’ଣ କହି ଫାଙ୍କିବି । ଯାହାହେଉ ପଛେ, ସୁନ୍ଦର ରିବନ୍‌ ଦୁଇଗଜ ନେବାର କଥା । ଯେଉଁଦିନ ଦୁଇଟି ପ୍ରାଣ ଗୋଟିଏ ପ୍ରାଣରେ ସଂଯୋଗ ହେବ, ସେହିଦିନ ନଳିନୀର ଉତ୍ତଳା ମନକୁ ଏଇ ଉପହାରରେ ଶାନ୍ତ କରିବି । ମା’ ଗ୍ରାମେଶ୍ୱରୀ, ତୁମେ ମୋର ଡାକକୁ ଅତି ଆଦର ସହକାରେ ଶୁଣିପାରିଛ । ପ୍ରଥମ ମାସ ଦରମାରେ ଗୋଟିଏ ବୋଦାର ରକ୍ତରେ ତୁମରି ପୂଜା ସମ୍ଭାରକୁ ତର୍ପଣ କରିବି । ଏହି କାମନାକରି ଗୋଟିଏ ମନୋହାରୀ ଦୋକାନକୁ ଯାଇ ରିବନ୍‍ ଦୁଇଗଜ ଏବଂ ଗୋଟିଏ କାଶ୍ମୀର ସ୍ନୋ ଖର୍ଦ୍ଦିକରି ବସ୍‍ଷ୍ଟାଣ୍ଡକୁ ଫେରିଲା ।

 

ସମ୍ବଲପୁରବସ୍‌ ଫେରିବାକୁ ଆହୁରି ଦେଢ଼ଘଣ୍ଟା ବାକି ଅଛି । ଏହି ଦେଢ଼ଘଣ୍ଟା କିପରି କଟିବ, ଭାବି ଭାବି କ୍ଳାନ୍ତି ଲାଗିଲାଣି । ଟ୍ରକଟାଏ ଆସିଲେ ଧଡ଼ପଡ଼ ହୋଇ ଉଠିପଡ଼ି ହାତଟେକି ଅଟକାଏ । କୌଣସି ଡ୍ରାଇଭର ନେବାପାଇଁ ରାଜି ହେଉନାହାନ୍ତି, କାରଣ ଟ୍ରକରେ ଯାତ୍ରୀ ଯିବାର ନିୟମ ନାହିଁ । ଅପର କ୍ଲାସରେ ଯିବାପାଇଁ ଟିକେଟ ଆଣିସାରିଛି । ସମୟ ସମୟରେ ପକେଟରୁ ଟିକେଟ ବାହାର କରି ପଢ଼ୁଥାଏ ଏବଂ ବସ୍‌ ଆସିବା ଦିଗକୁ ଚାହିଁଦେଉଥାଏ । ଯାହାକୁ ଦେଖେ କେତେ ସମୟ ପରେ ବସ୍‌ ଆସିବ ବୋଲି ପଚାରି ପକାଏ । ଶେଷରେ ଅନ୍ୟାନ୍ୟ ଯାତ୍ରୀମାନେ ବିରକ୍ତହୋଇ କୁହନ୍ତି, ‘ତୁମେ ଏତେ ଉତ୍ତଳା କାହିଁକି ? ତୁମଲାଗି କି ବସ୍‌ ସମୟ ନ ହେଉଣୁ ପଳାଇ ଆସିବ ? ଟିକିଏ ଥୟ ଧର, ଯଥାସମୟରେ ବସ୍‌ ଆସିଯିବ ।’ କିଛି ସମୟ ପରେ ଦୂରରୁ ବସ୍‌ର ହର୍ଣ୍ଣ ଶୁଭିଲା । ନୀରଦ ଚାହିଁ ଦେଖେ ତ ପ୍ରକୃତ ବସ୍‌ । ତରତରରେ ଦୌଡ଼ିଯାଇଁ ଗୋଟିଏ ସିଟ୍‌ ଅଧିକାର କରିନେଲା । ବସ୍ କଣ୍ଡକ୍ଟର ପଚାରିଲେ, ‘କିହୋ, ତୁମେ କେଉଁଠାକୁ ଯିବ, ଟିକେଟ କରିସାରିଛ କି ? ନୀରଦ ଟିକେଟ ଖଣ୍ଡି ପକେଟରୁ କାଢ଼ି ଦେଖାଇ ଦେଲା । ବସ୍‌ର ଅନ୍ୟାନ୍ୟ ଯାତ୍ରୀମାନେ ପରିହାସ କରି ହସି କହିଲେ, ‘ତୁମେ ଟିକେଟ କାଟି ଏପରି ହେଉଥିଲ କାହିଁକି ? ଯଦି କାନ୍ଥ ଦେହରେ ମୁଣ୍ଡ ବାଜି ମୁଣ୍ଡ ଫାଟିଯାଇଥାନ୍ତା ?’ ନୀରଦ ସେମାନଙ୍କ କଥାକୁ ଶୋଚନ ନ କରି ନିଜର ସିଟରେ ପୂର୍ବବତ୍‌ ବସିଥାଏ । ବସ୍ ଆଗେଇ ଚାଲିଲା । ନୀରଦ ଫାଙ୍କ ଭିତରେ ଚାହିଁଥାଏ ନିର୍ଦ୍ଧିଷ୍ଟ ସ୍ଥାନର ଲକ୍ଷ୍ୟରେ । ରାସ୍ତା ମଧ୍ୟରେ ଅନ୍ୟ କେହି ଯାତ୍ରୀ ବସିବା ନିମନ୍ତେ ହାତଟେକି ଅଟକାଇ ବିଳମ୍ବରେ ବସିଲେ ସେ ଡ୍ରାଇଭର ଏବଂ ଯାତ୍ରୀଙ୍କ ଉପରେ ବିରକ୍ତ ହୋଇଯାଏ । ଏ ହାବଭାବରେ ବସ୍‍ର ଅନ୍ୟାନ୍ୟ ଯାତ୍ରୀ ଅସନ୍ତୁଷ୍ଟ ହୋଇ ନୀରଦକୁ ଗାଳିଦେଲେ । ଗାଡ଼ିଟା ତୁମରି ଅଧିକାରରେ ଥିଲାପରି ଜଣାପଡ଼ୁଛି ? ଏହା କ’ଣ ସର୍ବସାଧାରଣ ନୁହେଁ କି ? ନୀରଦର ମନ ଏତେ ଆବେଗପୂର୍ଣ୍ଣ ହୋଇଉଠିଛି, ଯାଦ୍ୱାରା ସେ ଅନ୍ୟ କାହାରି କଥା ଶୁଣୁ ନାହିଁ । ଯେ ଯାହା ପଜାରୁଛି ଅନ୍ୟମନସ୍କ ପରି ଉତ୍ତରଦେଇ ଚିଡ଼ିଉଠୁଛି ।

 

କେତେବେଳ ସରିକି ନିର୍ଦ୍ଦିଷ୍ଟ ସ୍ଥାନ ପରିଲକ୍ଷିତ ହେଲା । ବସ୍‌ ଷ୍ଟାଣ୍ଡରେ ଛିଡ଼ା ନହେବା ପୂର୍ବର ବିଚାରା ଓହ୍ଲାଇବା ପାଇଁ ସଜବାଜ । ବସରେ ବସିଛି ସିନା କିନ୍ତୁ ମନ ଅଛି ନିଜ ଗ୍ରାମରେ । ତେଣୁ ଯାତ୍ରୀମାନଙ୍କ ଥଟ୍ଟା, ପରିହାସକୁ ଭ୍ରୂକ୍ଷେପ କରୁନି । ଷ୍ଟାଣ୍ଡ ଉପରେ ଛିଡ଼ାହୋଇ ଛୋଟ ଦର୍ପଣଟିରେ ମୁହଁଟିକୁ ଚାହିଁ ମୁଣ୍ଡଟି ସୁନ୍ଦରଭାବେ କୁଣ୍ଡାଇ ସଜ୍ଜାଇଦେଲା । ଦେହଟା ଝାଡ଼ିଝୁଡ଼ି ପୋଷାକ ପତ୍ର ସଜାଡ଼ି ବ୍ୟାଗ ଖଣ୍ଡିକ ଧରି ଗ୍ରାମଅଭିମୁଖେ ବାହାରିଲା । ଝାରପଡ଼ା ଗ୍ରାମକୁ ପ୍ରଥମେ ଅତିକ୍ରମ କଲାପରେ ନିଜଗ୍ରାମ ବନମାଳୀପୁରକୁ ଯିବ । ସମୟ ପ୍ରାୟ ଅପରାହ୍ନ ପାଞ୍ଚଟା ହୋଇଗଲାଣି । ତିନିମାଇଲ ବାଟ ଯିବାକୁ ପଡ଼ିବ । ଚଞ୍ଚଳ ଚଞ୍ଚଳ ପାଦଉଠାଇ ନୀରଦ ଗନ୍ତବ୍ୟ ପଥରେ ଅନୁଧାବନ କଲା । ପ୍ରଥମେ ଶ୍ୱଶୁରଙ୍କ ଗ୍ରାମରେ ପାଦ ପକାଇ ଚାଲିବ, ସର୍ଭେଟ୍ରେନିଂରୁ ପରୀକ୍ଷାଦେଇ ଆସିଛି । ସହଜେ ଅମିନ ଚାକିରିଟିଏ ପାଇବ । ଯଦି ବାଟରେ ଶ୍ୱଶୁରଙ୍କ ଭେଟ ପାଇବ, ତେବେ ଅତି ବିନୟରେ ନମସ୍କାରଟିଏ ଜଣାଇ ନିଜର କୁଶଳବାରତା ବୁଝାଇ ଦେବ । ହସହସ ସଜଫୁଟା ବଦନରେ କେତେ ଗୋପନ କଥା ମନ ମନ୍ଦିରରୁ ବାହାରି ଆସୁଛି । କାହାରି ବିନା ସାକ୍ଷାତରେ ତାହା ସ୍ପଷ୍ଟ ହୋଇ ବାହାରକୁ ଶୁଣାଯାଉନି । ଆନନ୍ଦ ଏବଂ ସଙ୍କୋଚକୁ ଭାବନା କରି ନୀରଦ ଗ୍ରାମେଶ୍ୱରୀଙ୍କୁ ନିଜ ମନ କଥା ଜଣାଇ କେତେ ପ୍ରଶଂସା କରୁଛି । ‘‘ଦୁନିଆଟା ତୁମରି ଭିଆଣ । ମଣିଷ ଜୀବନରେ ଆଲୋକ ବଦଳାଇ ଅନ୍ଧକାର କରିବା, ଅନ୍ଧକାର ବଦଳାଇ ଆଲୋକ କରିବାଟା ତୁମରି ରଚନା । ମୋର ନିବେଦନକୁ ତୁମେ ଠିକ୍‌ ସମୟରେ ଶୁଣିପାରିଛ । ଯେଉଁ ମଣିଷ ଅନୁଗୁଳ ପଥରେ ଅନ୍ତରାୟ ସୃଷ୍ଟି କରିବା ନିମନ୍ତେ ଉଦ୍ୟତ ହୋଇଥିଲା, ସେ କିପରି ଆପେ ଆପେ ସେଥିରୁ ବିରତ ହୋଇ ମୋର ସପକ୍ଷରେ ଅଭିବାଦନ ଜଣାଇଲେ ? ଏହା ତୁମରି କରୁଣାର ବିଧାନ । ଅନ୍ୟ କାହାର ନୁହେଁ ।’ ଭାବନାର ସୁଅ ଏତେ ବଢ଼ିଉଠୁଛି ଯେ ଖାଲ, ଖମଣ, ବିଲ, ହିଡ଼, କେହି ଉଚ୍ଚ ନୀଚ୍ଚପରି ଜଣାପଡ଼ୁନାହାନ୍ତି । ସମତଳ ପଥରେ ପାଦପକାଇ ଚାଲିଲାପରି ବୋଧ ହେଉଛି ।

 

ଏ ଭିତରେ କେଉଁଠି ନିଜଅଙ୍ଗୁଳିର ନଖଟି ପଥରରେ ବାଡ଼େଇ ହୋଇ ଝରଝର ରକ୍ତ ବୋହି ଯାଉଛି ତା’ର ହୋସ ନାହିଁ । ସେ ଜାଣିପାରୁନି ମୁଁ କେଉଁଠି ଝୁଣ୍ଟିପଡ଼ିଛି । ଏହି ସ୍ୱପ୍ନ ଭିତରେ ଦୀନମଣି ସ୍ୱସ୍ଥାନରେ ପ୍ରତ୍ୟାଗମନ ଉଦ୍ଦେଶ୍ୟରେ ବାରୁଣୀ ଗର୍ଭରେ ଉପନୀତ ହେବା ଉପରେ । ବାରୁଣୀ ଆକାଶରେ ଲୋହିତ ବରଣର ଆଭା ଉକୁଟିଉଠିଛି । ‘ହେ ସୃଷ୍ଟି କର୍ତ୍ତା, ତୁମର କି ସୁନ୍ଦର ରଚନା । ସୁଆଙ୍ଗ ସଦୃଶ ସମୟ ପରିବର୍ତ୍ତନରେ ତୁମେ କେତେ ପ୍ରକାର ପୋଷାକ ପରିଚ୍ଛଦ ବଦଳାଇ ପାର ।’

 

ସେତେବେଳକୁ ଝାରପଡ଼ା ସୀମାନ୍ତରେ ନୀରଦ ଉପବିଷ୍ଟ । ନୟନ ଦୁଇଟି ଶ୍ୱଶୁରଙ୍କ ଧଳା ଚକ୍‌ଚକ୍‌ କାନ୍ଥଉପରେ ପଡ଼ିଛି । ହଠାତ୍‌ କେଉଁ ସୁନ୍ଦରୀ ଲଳନାର ସଙ୍ଗେ ଚାରିଆଖିର ମିଳନ ହୋଇଗଲା । ବୋଧହୁଏ ନଳିନୀ ଘରବାଡ଼ିପଟକୁ ଝାଡ଼ାଫେରିଆସିଛି । ନୟନର ଭାଷା ଠାରରେ ଗୋରା ତକ୍‌ତକ୍‌ ମୁହଁକୁ ତଳକୁ ନୁଆଁଇ ସାଦରେ ଜଣାଇଦେଲା ଅନ୍ତରଙ୍ଗ ପ୍ରଣାମ । ଓଷ୍ଠଫୁଟାଇ ଡାଳିମ୍ବ ବୀଜ ଦନ୍ତପନ୍ତିର ଆଭାସ, ଉଭୟଙ୍କ ପ୍ରାଣରେ ପୁଲକ ପୂରାଇଦେଲା । ନୀରଦ ଭାବିଥିଲା, ସ୍ନେହରେ ଦୁଇପଦ କଥା ପଚାରିବାପାଇଁ । ବାହାରେ କାଳେ କେହି ଥାଇ କଥା ଶୁଣୁଥିବ, ଏଥିପାଇଁ ବିବେକ ମନା କରିଦେଲା । ତଥାପି ଛାତିଭିତରେ ହାତ ଚମକାଇ ଭାଷା ଉଦ୍‌ବେଗ ହୋଇ ଉଠୁଥାଏ । ଉପୁଯୁକ୍ତ ସମୟରେ ହିଁ ଠିକ୍‌ ମିଳନର ସଂଯୋଗ ହୋଇଛି । ହଠାତ୍‌ ଦୁହିଁଙ୍କ ହୃଦୟ ରାଜ୍ୟରେ କାହାର ମୁଖ ଧ୍ୱନି ଧକ୍‌କା ହୋଇ ଆଘାତ କଲା । ନୀରଦ ପଛକୁ ଚାହିଁ ଦେଖେ ତ, ସେ ଗାଁର ଗାଈଆଳ ଟୋକା ‘ବନା’ । ହସ୍ତରେ କେନ୍ଦୁବାଡ଼ିକୁ ହଲାଇହଲାଇ କେଇପଦ ଗାଉଁଲି ଗୀତ ଉଚ୍ଚାରଣକରି ଗ୍ରାମ ସୀମାନ୍ତରୁ ଫେରିଆସୁଛି ଗ୍ରାମାଭିମୁଖରେ । ସେ ଏପର୍ଯ୍ୟନ୍ତ ଏଦୁହିଁଙ୍କୁ ଦେଖିପାରିନି । ଏମାନେ ବନାର ମୁଖ ନିସୃତ ସ୍ୱର ଶୁଣିପାରି ନିଜ ନିଜ ପଥ ଭାଙ୍ଗି ଚାଲିଗଲେ ।

 

ନୀରଦ ଗ୍ରାମ ଅଭିମୁଖରେ ଚାଲିଥାଏ । ପଥରେ ଗାଁର ଲୋକଙ୍କୁ ଦେଖିଲେ ମାନ୍ୟ ଜଣାଇ ଗାଁର କୁଶଳ ପଚାରେ । ଲୋକଙ୍କ ପ୍ରଶଂସାରେ ନୀରଦ ଆହୁରି ଫୁଲିଉଠେ । କାହାରିକୁ ଦେଖିଲାମାତ୍ରେ ଛାତି କୁଣ୍ଢେମୋଟ ହୋଇଯାଏ । ଦୀର୍ଘ ତିନିମାସ ପରେ ସେ ଗାଁରେ ପାଦପକାଉଛି । ସବୁ ନୂଆପରି ତାକୁ ଲାଗୁଛି । ଯାହାକୁ ଦେଖେ କେତେ ଭଲମନ୍ଦ ପଚାରି ପକାଏ-। ଗାଁ ଏମୁଣ୍ଡରୁ ସେ ମୁଣ୍ଡଯାଏ ସମସ୍ତେ ନୀରଦକୁ ଅଟକାଇ କେତେ କଥା ପଚାରନ୍ତି । ନୀରଦ ଆନନ୍ଦିବିହ୍ୱଳ ହୋଇ ଚଞ୍ଚଳ ସେମାନଙ୍କ ପ୍ରଶ୍ନର ଉତ୍ତର ଦେଇଦିଏ । ଗାଁର ଛୋଟ ବାଳକମାନେ ସେତେବେଳକୁ ନୀରଦ ଆସିବାକଥା ତା’ ମା’ଙ୍କ ଆଗରେ ଜଣାଇ ଦେଲେଣି ।

 

ନୀରଦ ମା’ଙ୍କର ଗୋଟିଏ ବୋଲି ପୁଅ । ନୟନର ସଙ୍ଖାଳି ନୀରଦ । ସେ ଘରେ ନ ରହି ଦାଣ୍ଡଅଗଣାକୁ ପୁଅର ଆସିବା ପଥକୁ ଚାହିଁ ବସିଥାନ୍ତି ଆବେଗପୂର୍ଣ୍ଣ ହୃଦୟରେ । ହଠାତ୍‌ ଦୁଇଟି ମୁହଁର ଗୋପନ ହସ, ଆନନ୍ଦର ମିଳନ ହେଲା । ନୀରଦ ମା’ଙ୍କ ଚରଣଧୂଳି ମସ୍ତକରେ ବୋଳିହୋଇ ପାଦତଳେ ପଡ଼ି ବାରବାର ନମସ୍କାର ଜଣାଇ ଦେଉଥାଏ । ତିନିମାସ ପରେ ନୀରଦ ମା’ଙ୍କ କୋଳକୁ ବାତ୍ସଲ୍ୟ ମମତା ପାଇବା ପାଇଁ ଫେରିଆସିଛି । ସେ ଉଦ୍‍ଗ୍ରୀବହୋଇ ପୁଅର ମୁହଁରେ ଚୁମ୍ବନ ଟାଣି ଅପତ୍ୟ ସ୍ନେହ ଢାଳିଦେଲେ । ‘ହେ ମା ମଙ୍ଗଳା, ତୋରି କୃପାରୁ ମୋ ପୁଅଟି ଚିରଦିନ ସୁଖର ରହୁ ।’ ନୀରଦର ‘ମା’ ଡାକଟି ଶୁଣିବାମାତ୍ରେ ମା’ଙ୍କ ମନରୁ ବ୍ୟଥିତବେଦନା ଲିଭିଯାଏ । ସ୍ୱାମୀ ହରାଇ ସେ ଯେତିକି ବିଷାଦିନୀ ହୋଇଥିଲେ ଆଜି ସେତିକି ଆହ୍ଲଦିନୀ ହୋଇଛନ୍ତି । ସାଇପଡ଼ିଶାଯାକ ସେ କହି ବୁଲିଲେ ଏଇ ମାସକ ଭିତର ପୁଅ ମୋର ଚାକିରିକୁ ଚାଲିଯିବ । ଅମିନ ହେବ । ସମସ୍ତେ ନୀରଦବାବୁ ବୋଲି ଡାକିବେ । ମୋର ଆଉ ଚିନ୍ତା କ’ଣ ? ବିଭାଘରଟି କିପରି ଶୁଭରେ ପାହିଯାନ୍ତା କି ? ତେବେ ସବୁଦିନପାଇଁ ମୋ’ଠାରୁ ଅଡ଼ୁଆ ତୁଟିଯାନ୍ତା-। ମା ମଙ୍ଗଳା, ତୁମେ ଯେପରି ମୋ ପୁଅର ମଙ୍ଗଳକାମନା କରୁଥିବ । ଆସନ୍ତା ମଙ୍ଗଳବାର ଦିନ ଗୋଟିଏ ସିନ୍ଦୂର ପୁଡ଼ା ତୁମ ମସ୍ତକରେ ବୋଳିଦେବି ।

 

ପୁଅ ନିକଟକୁ ଫେରିଆସି ମା’ ବିଭାଘର କଥା ଜଣାଇଲେ । ମୁଁ କହୁଥିଲିପରା, କେତେ ଲୋକ ଯାଚିଆଣି ବୋହୂ ଥୋଇଦେବେ । ଦେଖେ, ଯୋଗକୁ ସେଇ ସାନ୍ତରା ଖବର କରି ଦୁଇପିଠି ଖର୍ଚ୍ଚ ତୁଲାଇ ବିଭାଘର ବନ୍ଦୋବସ୍ତ କଲାଣି । ନୀରଦ କହିଲା, ମୁଁ ଚିଠି ପାଇସାରିଛି । ନିଜେ ଶ୍ୱଶୁର ଲେଖି ପଠାଇ ଥିଲେ । ଆମଘରେ ତ ଟଙ୍କପଇସା ଅଭାବ । ଦୁଇଶହ ଟଙ୍କା ଯେଉଁଠାରୁ ହେଲେ କରଜ ଆଣି କାମ ଚଳାଇବା । ଚାକିରି କଲେ ପରିଶୋଧ କରିଦେବା । ‘ମୋ ବାପଟାପରା, ଯାହା କହିଲୁ ଠିକ୍‌ କହିଛୁ, ମରିଯାଏଁ ଲୋ, ମୋ ଧନର କେତେ ଘରକରଣା ବୁଦ୍ଧି ବାହାରିଲାଣି ।’

 

Unknown

ରାତିପାହିଲେ ବିଭାଘର ଦିନକୁ ମିଶାଇ ଆଉ ମୋଟେ ବାକି ରହିବ ଆଠଦିନ । କାଲି ସକାଳୁ ଯାଇ ଜେନାପଦା ରାୟ ଘରୁ ଦୁଇଶହଟଙ୍କା ଆଣିବି । ସେ ତ ଆମ ବନ୍ଧୁବାନ୍ଧବ । ହାତ ପତାଇଲାମାତ୍ରେ ହୁଁ ଛଡ଼ା ନାହିଁ ବୋଲିବେ ନାହିଁ । ତୁ ଲୋକ ପଠାଇ ସମସ୍ତ ବନ୍ଧୁବାନ୍ଧବଙ୍କ ପାଖକୁ ନିମନ୍ତ୍ରଣ ଚଳାଇଦେ । ବିଭାଘର କାର୍ଯ୍ୟରେ ବ୍ୟସ୍ତହୋଇ ନୀରଦ ଲାଗିପଡ଼ିଥାଏ । ଦିନ ଗୋଟିକ ପରେ ଗୋଟିଏ ହୋଇ ସାତଟି ରାତି ପାହିଲା ।

 

-ଚଉଦ-

 

ଝାରପଡ଼ାର ଗାଁର ଦାଣ୍ଡଟି ସୁସଜ୍ଜିତ ହୋଇ ସୁନ୍ଦର ଦିଶୁଛି । ଛକଜାଗାମାନଙ୍କରେ ରଙ୍ଗିନକାଗଜ ତିଆରି ଫାଟକମାନ ବନ୍ଧାହୋଇଛି । ଫାଟକ ଦେହରେ ବିଭିନ୍ନ ରଙ୍ଗର ସୁନେଲି ରୂପେଲି କାଗଜରେ ତିଆରି ଫୁଲ, ପଣସିଆମାନ ଝୁଲାଇ ଦିଆଯାଇଛି । ବିଦ୍ୟାଧର ସାନ୍ତରାଙ୍କ ଘରଟି କ୍ଷିରି କାନିକାର ମହୁଆ ଗନ୍ଧରେ ଏବଂ ପାଟିତୁଣ୍ଡର କୋଳାହଳରେ ଉଛୁଳି ଉଠୁଛି । ଗାଁସାରା କେତେ ନେଣ ଦେଣ ଚାଲିଛି । ଭୋଜିଭାତ ଖାଇ ଲୋକମାନେ ଗାଁ ଦାଣ୍ଡ ବାରଣ୍ଡାମାନଙ୍କରେ ପଞ୍ଝା ପଞ୍ଝାହୋଇ ବସି କେତେ ଆଲୋଚନା ଚଳାଉଛନ୍ତି । ଯାହାହେଉ ଏତେ ଦିହକରେ ଭୋଜିଟାଏ ଖାଇଲେ । ସମସ୍ତଙ୍କ ମନ ସନ୍ତୁଷ୍ଟ । ଅସନ୍ତୁଷ୍ଟ ହେବାର ‘ୟ’ କାହାର ନାହିଁ । କଥାରେ କହନ୍ତି ‘ବାହାଘର, ନା ବୁହାଘର’ । କେତେ ଜିନିଷର ଦବାନବା ଚାଲିଛି । ମଣିଷମାନଙ୍କ ଅପେକ୍ଷା କାଉ କୁକୁରଙ୍କ ଆନନ୍ଦ କହିଲେ ନ ସରେ । ଯେଉଁଠି ଅଇଁଠା ପତର ଗଦାହୋଇଛି ସେଠି କାଉ କୁକୁରଙ୍କ ଗଣ୍ଡଗୋଳରେ ଭୂଇଁ ଫାଟିଯାଉଛି । ଦିନସାରା ଗାଁଟି କୋଳାହଳ ଯମକରେ ଉଛୁଳି ପଡ଼ୁଛି ।

 

ଦିବସ ଯାଇଁ ସଂଧ୍ୟା ହେଲା । ସଂଧ୍ୟା ପହର ଗଡ଼ିଯାଇ ନିଶବଦ ରାତି ଉପଗତ ହେଲା-। ତଥାପି ଗାଁଟିଯାକର ଆବାଳବୃଦ୍ଧବନିତା ସମସ୍ତେ ବିଭାଘର ବାଜଣା ଦେଖିବାପାଇଁ ଉଜାଗର । ଗାଁର ଟୋକାଦଳ ମିଶି ନାନା ରଙ୍ଗରେ ମାତି ଗାଁର ଏମୁଣ୍ଡୁ ସେମୁଣ୍ଡଯାଏ ଦାଣ୍ଡଟିରେ ବୋହୂଚୋରି, କିତିକିତି, ଡୁଡୁ ଆଦି ଖେଳ ଆଦିରେ ମାତିଛନ୍ତି । ସାନ୍ତରାଙ୍କ ଘରଟି ଲାଇଟ୍‌ ଆଲୁଅରେ ଝଲସି ଉଠୁଥାଏ ।

 

ଗ୍ରାମ ସୀମାନ୍ତରେ ଢୋଲ, ତାଳ, ମହୁରିର ମଙ୍ଗଳବାଜଣା ବମ୍‌, ତୋପ ପ୍ରଭୃତି ବାଣର କାନଫଟାରଡ଼ି, ଆକାଶ ପାତାଳ ଚମକାଇ ଦେଉଛି । ଲାଇଟ୍‌ଆଲୁଅରେ ସୁସଜ୍ଜିତ ଫୁଲ ପଣସିଆ ଗଛଗୁଡ଼ିକ ଝକମକ୍‌ହୋଇ ଦୀପ୍ତବରଣ ସୌରଭରେ ଉଲ୍ଲସିଉଠୁଛି । ଘୋଡ଼ା ଉପରେ ନୀରଦ ବରବେଶ ସାଜି ଚାହିଁବସିଛି, ନଳିନୀର ଅଭ୍ୟର୍ଥନା ପାଇଁ । ଗାଁଟିଯାକରେ ପଟୁଆର ହୋଇ ବିଭାଘର । ଶୋଭାଯାତ୍ରା ସାନ୍ତରାଙ୍କ ଦୁଆର ମୁହଁରେ ପହଁଞ୍ଚିଲା । ବ୍ରାହ୍ମଣ ପ୍ରାରମ୍ଭିକ କାର୍ଯ୍ୟ ଶେଷକରି ବେଦୀପୀଠକୁ ଯାତ୍ରୀସମେତ ଜ୍ୱାଇଁଙ୍କୁ ନେଇଗଲେ । ଖିଆପିଆ ମହାଆଡ଼ମ୍ବରରେ ସମାପନ ହେଲା । ବେଦୀପୀଠରେ ବରକନ୍ୟାଙ୍କର ବିବାହ କାର୍ଯ୍ୟ ଶେଷ ହେଲା । ବ୍ରାହ୍ମଣ ମନ୍ତ୍ର ଉଚ୍ଚାରଣକରି ବିବାହପଦ୍ଧତି ପାଠକରୁଛନ୍ତି । ଇତିମଧ୍ୟରେ ନୀରଦ ଏବଂ ନଳିନୀର ହସ୍ତଗ୍ରନ୍ଥି ପଡ଼ିଥାଏ । ସେତେବେଳେ ନୀରଦ ମା, ଗ୍ରାମେଶ୍ୱରୀଙ୍କୁ ଏବଂ ନଳିନୀ ମା ମଙ୍ଗଳାଙ୍କୁ ଉଭୟେ ବସି ଚିନ୍ତା କରୁଥାନ୍ତି । ‘ତୁମରି ଭାଗ୍ୟ ଇତିହାସ ନିୟମରୁ କେହି ବହିର୍ଭୁକ୍ତ ନୁହନ୍ତି । ଦୁନିଆଁର ସମସ୍ତ ପ୍ରାଣୀ ସେହି ଭାଗ୍ୟ ଇତିହାସର ଅନ୍ତର୍ଭୁକ୍ତ ।’ ନଳିନୀର କୋମଳ ପାପୁଲିର ପରଶରେ ନୀରଦର ସର୍ବାଙ୍ଗ ଶରୀର ଶିହରି ଉଠୁଥାଏ । ମନ୍ତ୍ରୋଚ୍ଚାରଣ ସଙ୍ଗେ ସଙ୍ଗେ ବାଦ୍ୟନାଦର ସମଞ୍ଜୟ ସୃଷ୍ଟିରେ ମନରେ ଅପୂର୍ବ ଜାଗରଣ ସୃଷ୍ଟିହୁଏ । ମଣିଷ ଜୀବନର ଗୋଟିଏ ସ୍ମରଣୀୟ ଦିବସ । ସାଇକେଲ, ଘଡ଼ି, ଚେନ୍‌, ମୁଦି ଏବଂ ଅନ୍ୟାନ୍ୟ କେତେ ଯୌତୁକ ଜିନିଷର ସମାବେଶ ବେଦୀପୀଠରେ ହେଲା-। ରାତି ପାହିଲା । ବ୍ରାହ୍ମଣମାନଙ୍କ କର୍ମକର୍ମାଣୀ ଶେଷକରି ଲେଉଟ ବିବାହ ଆୟୋଜନ କରିଦେଲେ । ନଳିନୀକୁ ସବାରିରେ ବସାଇ ଶୋଭାଯାତ୍ରା ବନମାଳୀପୁର ଅଭିମୁଖରେ ବାହାରିଲା-

 

ସାନ୍ତରା ଏବଂ ସାନ୍ତରାଣୀଙ୍କ ନୟନ ଅଶ୍ରୁ ବିଗଳିତ । ଝିଅଟି ଆଜିଠାରୁ ତାଙ୍କ ନିକଟରୁ ବିଦାୟନେଇ ଅନ୍ୟଘରକୁ ଚାଲି ଯାଉଛି । ଦୁନିଆଁର ଏହା ଗୋଟିଏ ଚିରନ୍ତନ ନୀତି । ତଥାପି ଯେ ରକ୍ତ ଦେଇ ଜନ୍ମ କରିଛି, ପିଲାବେଳର ଅଝଟିଆ ପ୍ରକୃତିକୁ ଶାନ୍ତକରି ଲାଳନପାଳନ କରିଛି, ତା’ର ଦେହ ସହୁଛି କେତେକେ ? ବିଦାୟ ଦେଲାବେଳେ ନୟନ ଛଳଛଳ ହୋଇଯାଏ । ସାନ୍ତରା ସାନ୍ତରାଣୀ ଝିଅ, ଜ୍ୱୋଇଁଙ୍କ ମଙ୍ଗଳ କାମନାକରି ନିଜ ଗୃହକୁ ଫେରିଲେ ।

 

ଶୋଭାଯାତ୍ରା ନାନାପ୍ରକାର ବାଜଣା ଏବଂ ପଟୁଆରରେ ବନମାଳୀପୁର ଗାଁ ସୀମାନ୍ତରେ ଲାଗିଲାଣି । ଏତିକିବେଳକୁ ଜେନାପଦାର ସଦାଶିବରାୟଙ୍କ ପୁଅ ଗୋବିନ୍ଦ ମାମୁଁଘରୁ ଫେରୁଛି । ଏ ଆଡ଼ମ୍ବରରେ ଦେହ ତା’ର ସମ୍ଭାଳେ କେତେକେ ? ମନେମନେ କେତେ ଅନୁତାପ କରି ବସିଲା । ଆମରି ଘରୁ କରଜ ଆଣି ନୀରଦ ବିବାହ କଲା; କିନ୍ତୁ ଆମର ଏତେ ଧନ ଦଉଲତରେ ନଳିନୀ ମୋତେ ହତାଦର କରିଛି । ଦିନେ ନା ଦିନେ ମୁଁ ଏହାର ପ୍ରତିଶୋଧ ନେବି । ସାମାନ୍ୟ ପାଠପଢ଼ି ପରଘରେ ଯେ ମୁଣ୍ଡ ବିକିବ, ତା’ପାଇଁ ଥୋଡ଼ା ଥୋଡ଼ା ଆବୋଡ଼ା । ଯେ ସ୍ୱାଧୀନ ହୋଇ ନିଜର ଚାଷବାସକରି ଚଳିବ, ତା’ ପ୍ରତି ଅନିଚ୍ଛୁକ । ନାନା ମୋର ଏହା ବୃଥା ଭାବନା । ଏତେ ସମ୍ପତ୍ତିର ଅଧିକାରିଣୀ ହେବା ନଳିନୀର ଭାଗ୍ୟରେ ନାହିଁ ।

 

ଗୋବିନ୍ଦର ବାହାର ମନସିନା ଏତିକି ଭାବେ; କିନ୍ତୁ ଅନ୍ତର ମନ କୁହୁଳିଯାଏ । ବିଭାଘର ବନ୍ଦ ହୋଇଯାଇଛି । ସେ ଦିନୁ ଗୋବିନ୍ଦ ଆଡ଼ାକମାଇ ବାହାପିଆ କଥା ସାଙ୍ଗସାଥିଙ୍କ ଆଗରେ କହିପାରୁନି । ମୁହଁ ତଳକୁ ନଇଁପଡ଼ିଛି । ନିଜର ଭାଗ୍ୟକୁ ନିନ୍ଦାକରି ଗୋବିନ୍ଦ ନିଜ ସଉକିନିରେ ଦୀର୍ଘ ପୂର୍ଣ୍ଣଚ୍ଛେଦ ପକାଇ ଦେଇଛି ।

 

-ପନ୍ଦର-

 

ମଣିଷ ନିଜ ସମାଜର ନିୟମରେ ବନ୍ଧା । ସମାଜର ନିୟମକୁ ମାନି ମଣିଷ ନିଜ ନିଜ ଗନ୍ତବ୍ୟପଥରେ ପରିଚାଳିତ ହୁଏ । ନୀରଦ ମଣିଷ ସମାଜର ଗୋଟିଏ ମେମ୍ବର କହିଲେ ଅତ୍ୟୁକ୍ତି ହେବ ନାହିଁ । ବିଭାଘରର ଦୁଇଟି ଦିନ ଗଡ଼ିଯିବା ପରେ ଆଜି ତୃତୀୟ ଦିବସ ଉପସ୍ଥିତ । ଏ ଦିବସ ରାତିଟି ପାହି ଯେଉଁ ଦିବସ ଆସିବ ସେଇଟି ଚତୁର୍ଥ ଦିବସ । ସେହି ଚତୁର୍ଥ ଦିବସର ରାତ୍ରଟିକୁ ମଧୁଶଯ୍ୟା ରାତି ବୋଲି ପ୍ରାୟ ସମସ୍ତେ କହନ୍ତି । ମଧୁଶଯ୍ୟା ରାତିରେ ନବଯୁବକ ଯୁବତୀଙ୍କର ନବମିଳନ ହୁଏ । ଏହା ମଣିଷ ସମାଜର ବିଧାନ । ନୀରଦ ମନ ସମ୍ମୁଖରେ ସେହି ମଧୁଶଯ୍ୟା ରାତ୍ରିର ଲକ୍ଷ୍ୟ କରି କେତେ କ’ଣ ଭାବିଯାଉଛି । ଏତେଦିନର ଅସମାପ୍ତ ଆଶାର ଉପସ୍ଥାପନ କାଲିଠାରୁ ଆରମ୍ଭ ହେବ । ନବମିଳନର ଝଙ୍କାରରେ ଶୟନକକ୍ଷଟି ଝଙ୍କାରିତ ହେବ । ଅବିବାହିତ ଜୀବନ ପରିବର୍ତ୍ତେ ବିବାହିତ ଜୀବନର ଶୁଭାଗମନ କାଲିଠାରୁ ଆରମ୍ଭ । ଏହି ଜୀବନ ଘାଟରେ ପ୍ରତ୍ୟେକ ମାନବର ବଦଳି ହୋଇଥାଏ । ମୋ ନିଜର ମଧ୍ୟ ହେବ । ଅନ୍ୟଦିନ ମନ ଯେପରି ଯୌବନ ଲିପ୍‌ସାରେ ଲାଳାୟିତ ହୋଇ କାମିନୀ ସଂସର୍ଗ ଲୋଡ଼େ, ଆଜି କାହିଁକି ତା’ର ସତ୍ତା ନାହିଁ-। ବୋଧହୁଏ ଯୌବନର ଅନୁଭବାବସ୍ଥା ଏହିଠାରେ ନିର୍ବାଣ ପ୍ରାପ୍ତି ଲାଭକରି ଜ୍ଞାନାବସ୍ଥାର ଉଦୟପ୍ରାପ୍ତ ହେବ । ମଣିଷ ଜୀବନରେ ଲଜ୍ଜା ଗୋଟିଏ ବଡ଼ ପ୍ରକୃତି । ଏହାଦ୍ୱାରା ମଣିଷ ସରସ ହୋଇପାରେ, ନୀରସ ମଧ୍ୟ ହୋଇପାରେ । ପ୍ରଥମତଃ ଯାଇ ଶୟନକକ୍ଷରେ ନଳିନୀକୁ କ’ଣ ବୋଲି ପ୍ରଶ୍ନ ପଚାରିବି ? ତା’ ପ୍ରଶ୍ନର କ’ଣ ବା ଉତ୍ତର ଦେବି ? ନିଜର ପ୍ରକୃତି ଛଳନାରେ ନୀରଦ ଘର ବାହାର ପିଣ୍ଡାରେ ବସି ଖଣ୍ଡିଏ ବହି ଧରି ଆଖି ପକାଉ ଥାଏ ସତ, ମନ କେଉଁ ଅପନ୍ତରା ରାଇଜରେ ଉଡ଼ି ବୁଲୁଥାଏ । ମନର ପରିସର ମାତ୍ରକ ବହି ଉପରେ । ବହି ଉପରୁ ଆଖି ଫେରାଇ ନେଇ ବାହାରକୁ ଚାହିଁଦିଏ ତ ଡାକପିଅନ ନିଜ ଆଡ଼କୁ ଚିଠିଟାଏ ବଢ଼ାଇ ଚାଲିଆସୁଛି । ଚିଠିଟି ନିଜ ହସ୍ତଗତ ହେବା ପୂର୍ବରୁ ଦେଖିନେଲା ଉପରେ ସେଟଲମେଣ୍ଟ ଅଫିସର ଲାଲ ମୋହର ପିଟା ହୋଇଛି । ପିଅନକୁ ପଦେ ପଚାରିଦେଲା, କେଉଁ ଆଡ଼ର ଚିଠି ଆଣିଛ କିହୋ ? ପିଅନ ବିଚାରା ଉତ୍ତର ଦେଲା, ‘ଆପଣ ପଢ଼ିଲେ ଅବଶ୍ୟ ଜାଣିପାରିବେ ।’ ଏହା କହି ନୀରଦ ହସ୍ତକୁ ଚିଠିଟି ବଢ଼ାଇଦେଇ ପିଅନଟି ନିଜ ପଥରେ ଚାଲିଗଲା । ତାହା ପଢ଼ିବା ଦ୍ୱାରା ଜଣାଗଲା ତିନି ତାରିଖରେ ତାଳଚେର ଟାଉନ ସେଟଲମେଣ୍ଟ କ୍ୟାମ୍ପରେ ଯୋଗ ଦେବାପାଇଁ ଆହ୍ୱାନ କରାଯାଇଛି । ଚାକିରିର ଏହା ପ୍ରଥମ ପରୱାନା । କ୍ୟାଲେଣ୍ଡର ଯାଇଁ ଦେଖେ ତ ଆଜି ମଙ୍ଗଳବାର ତିନି ତାରିଖ କ’ଣ କରିବ ?

 

ମହା ଅଡ଼ୁଆ ଜାଲରେ ନୀରଦ ବିଚାରା ପଡ଼ି ଛଟପଟ ହେବାକୁ ଲାଗିଲା । ଏଣେ ନିୟମର ବନ୍ଧନ, ତେଣେ ନ ଗଲେ ଚାକିରି ଖଣ୍ଡିକ ଚାଲିଯିବ । ଚାକିରି ଖଣ୍ଡିକ ଜୀବନର ପ୍ରଧାନ ଆଶ୍ରୟ । ମନେମନେ ଶେଷ ମୀମାଂସା କରି ଭାବିଲା, ଯାହା ହେଉ ପଛେ, ଆଜି ଭିତରେ ଯାଇଁ ତାଳଚେର କ୍ୟାମ୍ପରେ ଯୋଗ ଦେବ । ପରେ ଛୁଟି ନେଇ ଘରକୁ ଆସିପାରେ । ମା’ଙ୍କ ନିକଟରେ ଏ କଥା ଜଣାଇ ଅନୁମତି ମାଗିଲା । ମା’ କି ଉତ୍ତର ଦେଇ ନୀରକୁ ଶାନ୍ତ କରାଇବେ ଭାବିପାରିଲେ ନାହିଁ । ଜୀବନ ମରଣର ସନ୍ଧିସ୍ଥଳରେ ଉଭାହୋଇ ନୀରଦ ମା’ ଭାବୁଛନ୍ତି, ପୁଅକୁ କ’ଣ ବୋଲି କହି ଅନୁମତି ଦେବି । ମା’ଙ୍କ ମନକଥା ଜାଣିପାରି ନୀରଦ କହିଲା, ‘ମା’ ଚିନ୍ତା କରିବାର କୌଣସି କାରଣ ନାହିଁ । ଦଶ ପନ୍ଦର ଦିନ ପରେ ଅଫିସରଙ୍କୁ ଅସୁବିଧା ଜଣାଇ ଦେଇ ଛୁଟିନେଇ ଆସିପାରେ; କିନ୍ତୁ ଆଜି ନିଶ୍ଚୟ ଯିବି । ଆଜି ନ ଗଲେ ଚାକିରିଟି ବାଏଁ ବାଏଁ ଉଡ଼ିଯିବ । ଏତେ ତପସ୍ୟାର ପୁଣ୍ୟ ବ୍ୟର୍ଥ ହୋଇଯିବ । ବିଳମ୍ବ ନ କରି ଶୀଘ୍ର ଅନୁମତି ଦିଅ । ଗାଡ଼ି ସମୟ ହୋଇଯିବା ଉପରେ । ବାଧ୍ୟହୋଇ ବୁଢ଼ୀ ପୁଅକୁ ବିଦାୟ ଦେଲେ । ମା’ର ପଦରଜ ଶିରରେ ମାରି ନୀରଦ କର୍ତ୍ତବ୍ୟପଥରେ ବାହାରିଲା । ଗଲାବେଳେ ଖଣ୍ଡିଏ ପତ୍ର ଲେଖି ନଳିନୀର ଶୋଇବା ଘରକୁ ଝରକାବାଟେ ଗଳାଇ ଦେଇ ଚାଲିଗଲା ।

 

ନଳିନୀ ନୂଆବୋହୂଟି ଘରର ଗୋଟିଏ ଅନ୍ଧାରି କୋଣରେ ଆଜକୁ ଦୁଇରାତି ତିନିଦିନ ହେଲା ଏକୁଟିଆ ବସିରହିଛି । ଭାରି ବିରକ୍ତ ଲାଗୁଛି । ଏକାଟିଏ ଗୋଟିଏ ନିର୍ଜନ ଗୃହରେ, କେତେ ବନ୍ଦୀ ହୋଇଥିବ ? ଶାଶୁ ବୁଢ଼ୀଟିକୁ ଛାଡ଼ିଦେଲେ ଘରେ କେହି ନାହିଁ । ଯେତେବେଳେ ବା ଯିଏ ଆସୁଛି ଅନ୍ୟ କାହାର ବୋହୂ କି ଝିଅ । ନୂଆକରି ସେମାନଙ୍କ ସଙ୍ଗେ କଥାବାର୍ତ୍ତା ହେବାପାଇଁ ଲଜ୍ଜା ଲାଗୁଛି । ମାଇପି ଜନମରେ ଲଜ୍ଜାର ସ୍ଥାନଟା ସବୁଠାରୁ ଅଧିକ । ସ୍ୱାମୀଙ୍କ ବିଦେଶ ଯିବାକଥା ଶାଶୁବୁଢ଼ୀଙ୍କ ଠାରୁ ଶୁଣି ପାରି ମନଭିତର କୁହୁଳି ଯାଉଛି । ମୋ’ଠାରୁ ବଳି ଦୁନିଆଁରେ ହତଭାଗିନୀ ଅନ୍ୟ କେହି ଦ୍ୱିତୀୟ ନ ଥିବେ । ମନେପଡ଼ିଗଲା ପୁନଶ୍ଚ ସେହି ବିଜୟାର ଇତିହାସ । ‘ବିଜୟା, ତୋର ଭାଗ୍ୟ ଇତିହାସ ଏବଂ ମୋର ଭାଗ୍ୟ ଇତିହାସର ବ୍ୟବଧାନ ଅନେକ । ତୋର ଭାଗ୍ୟ ଇତିହାସର ପୃଷ୍ଠା ସୁଖରେ ପୂରି ଉଠିଛି, ମୋର ଭାଗ୍ୟ ଇତିହାସର ପୃଷ୍ଠା ଦୁଃଖରେ ଜଳିଯାଇଛି ।’ ଗୋଟିଏ ସୁଖର ଉଦୟ ନ ହେଉଣୁ କୋଟିଏ ଦୁଃଖ ମୋରି ଭାଗ୍ୟରେ ଆଚ୍ଛାଦିତ ହୋଇ ଅନ୍ଧକାର ସୃଷ୍ଟି କରୁଛି । ଯାହାର ଜୀବନରେ ସୁଖ ନାହିଁ, ତା’ର ଧନ କ’ଣ ହେବ ? ମନ ଯେତେବେଳେ ଯାହା ଲୋଡ଼େ, ମଣିଷ ଯଦି ସେଥିରୁ ବଞ୍ଚିତ ହେଲା, ତେବେ ସୁଖ କେଉଁଠି ? ଏହି ବିଷମୟ କାହାଣୀକୁ ନଳିନୀ ଆଲୋଚନା କରି ବିରହ ବ୍ୟଥାରେ ଝଡ଼ିପଡ଼େ ।

 

ସମୟ ଗଡ଼ିଚାଲିଛି । କାହାରିକୁ ଅପେକ୍ଷା କରି ସେ ଅଟକି ଯାଉନି । ଦିବସ ଯାଇ ତୃତୀୟ ରାତ୍ରି ଉପସ୍ଥିତ ହେଲା । ଖିଆପିଆ ଶେଷକରି ମନଦୁଃଖରେ ନଳିନୀ ଶେଯଟିକୁ ବିଛାଇବ ବୋଲି ଭାବୁଛି, ଲଣ୍ଠନଟି ଦୁକୁଦୁକୁ ହୋଇ ଅଗ୍ନିଶିଖା ଟେକି ଆଲୋକ ବିତରଣ କରୁଛି, ଦେଖିଲା ଝରକା କଡ଼ରେ ସ୍ୱାମୀଙ୍କର ସ୍ୱହସ୍ତ ଲିଖିତ ପତ୍ର ଖଣ୍ଡିଏ । ସମ୍ଭବତଃ ଗଲାବେଳେ ମୋର ମନକଥା ଜାଣିପାରି ଚିଠିଖଣ୍ଡିଏ ଦେଇଯାଇଛନ୍ତି । ଲଣ୍ଠନଟି ତେଜିଦେଇ ପଢ଼ି ବସିଲା ।

 

ସ୍ନେହର ପ୍ରିୟତମା ।

 

ହାର୍ଦ୍ଦିକ ସ୍ନେହ ଓ ମମତାର ଆଶୀର୍ବାଦ ସାଦରେ ଗ୍ରହଣ କରିବ । ଭଗବାନଙ୍କ ଦୁନିଆଁରେ ମଣିଷର ନିଜ ଉପରେ କିଛି ଆୟତ୍ତ ନ ଥାଏ । ତାଙ୍କରି ନିର୍ଦ୍ଦେଶରେ ଆମକୁ ଚଳିବାକୁ ପଡ଼ିବ । ତେବେ ଭବିଷ୍ୟତରେ କେତେବେଳେ କ’ଣ ହେବ ମଣିଷ ଜାଣିପାରେନା । ଆଜି ଆମ ଉଭୟଙ୍କର ଯେଉଁ କଠିନ ବିଚ୍ଛେଦ ହେଉଛି, ସଂସାରରେ ଏପରି କାହାରି ହୋଇ ନ ଥିବ । ମୁଁ ଭାବୁଛି, ଆମ ଅନ୍ଧାର ଜୀବନରେ ଆଲୋକ ଆସି ନାହିଁ । ସେହି ମଙ୍ଗଳମୟୀ ଥରେ ମାତ୍ର ଆଲୋକ ଦେଇ ରଥ ଦେଖାଇ ଦେଉଛନ୍ତି । ପଥର ପଥୁକି ସାଜିଲାବେଳେ ବିରାଟ ଅନ୍ଧକାର ଘୋଟି ଆସୁଛି । ଚତୁର୍ଥ ଦିବସର ମଧୁଶଯ୍ୟା ରାତ୍ରଟି ଏକାଠି ଗୋଟିଏ ପ୍ରାଣରେ କଟାଇବା ଆମ ଭାଗ୍ୟରେ ନାହିଁ, ମନରେ ଦୁଃଖ କରିବ ନାହିଁ । ସୁବିଧାହେଲେ କ୍ୟାମ୍ପ ଅଫିସରଙ୍କ ଠାରୁ ଛୁଟି ମଞ୍ଜୁର କରାଇ ଫେରିଆସିପାରେ । ତୁମର ମମତା ଏଥରକ ଏଡ଼ିପାରି ନ ଥିଲେ, ମୁଁ ଚାକିରି ଜୀବନରୁ ବଞ୍ଚିତ ହୋଇଥାନ୍ତି । ଇତି ।

 

ତୁମ୍ଭର

ଆଦରର ଦେବତା

-ନୀରଦ-

 

ସ୍ୱାମୀଙ୍କର ସ୍ନେହପୂର୍ଣ୍ଣ ଅନୁରୋଧ ଅତି ଜଟିଳ । ଯେତେ ଝଡ଼ଝଞ୍ଜା ଆସୁ ପଛେ ନିଜକୁ କଷ୍ଟସ୍ୱୀକାର କରିବାକୁ ପଡ଼ିବ । ମା’ ମଙ୍ଗଳା, ତୁ ମୋ ଅନ୍ତରଙ୍ଗ ସ୍ୱାମୀଙ୍କର ମଙ୍ଗଳକାଂକ୍ଷିନୀ । ଅଚିହ୍ନା ଅଜଣା ବିଦେଶରେ ତାଙ୍କରି ଦାୟିତ୍ୱ ତୁମ୍ଭରି ଉପରେ ନିର୍ଭର କରିବ । ମୋ ପ୍ରାର୍ଥନା, ତାଙ୍କୁ ଶୁଭରେ ଫେରାଇ ଆଣିବୁ । ତଥାପି ମନ ମାନେନା । ଦୁନିଆଁର ସମସ୍ତ ବିବେକ, ଲଜ୍ଜା, ପ୍ରେମ ନିକଟରେ ନିଜର ନିଜତ୍ୱକୁ ଜଳାଞ୍ଜଳି ଦେବାକୁ ପଡ଼ିବ । ସୁଖର ସ୍ଥାନ କେଉଁଠି ?

 

-ଷୋହଳ-

 

ମୃରବିତ୍ୱ ପଣ ଏବଂ ଅହମିକା ଲାଳସାରେ ମଣିଷ ପ୍ରକୃତି ସହିତ ସମର କରିଚାଲିଛି । ଏ ସମରରେ ଜୟଲାଭ କରୁ କିମ୍ୱା ପରାସ୍ତ ହେଉ, ତଥାପି ଜୀବନର ତୃଷ୍ଣା କେବେ ହେଲେ ନିର୍ବାପିତ ହୁଏ ନାହିଁ । ପ୍ରତ୍ୟକ୍ଷ ସୁଖପାଇଁ ସେ ଲାଳାୟିତ ନୁହେଁ । ଲାଳାୟିତ ପରୋକ୍ଷ ପାଇଁ । ଏହା ପ୍ରତ୍ୟେକ ମାନବର ବ୍ୟକ୍ତିତ୍ୱରୁ ପରିସ୍ଫୁଟ ହୁଏ । ସେହିପରି ନୀରଦ ପ୍ରତ୍ୟକ୍ଷ ସୁଖକୁ ଛାଡ଼ିଦେଇ ଧାଇଁଆସିଛି ଚାକିରିକୁ । ଅମିନିଆ କାମ । ସକାଳୁ ସଞ୍ଜଯାଏ ପଡ଼ିଆରେ ଖଟିବାକୁ ପଡ଼ୁଛି । ମଝିରେ ମଝିରେ ଇନ୍‍ସପେକ୍ଟର, କାନୁନଗୋ ଏବଂ ଅଫିସରଙ୍କ ଚେକ୍ ପଡ଼ୁଛି । ଅବସର ସୁଯୋଗ ନାହିଁ । ଚେନ୍‌ମ୍ୟାନଟି ସେତେ ସାହାଯ୍ୟ ଦେଇପାରୁନି । ବସାରେ ଆସି ଟିକିଏ ଆରାମ ନେବ କ’ଣ ଦିନଯାକର କାର୍ଯ୍ୟ ସଜାଡ଼ୁ ସଜାଡ଼ୁ ରାତିଅଧ । ଶୋଇଲାବେଳେ ଆଖିରେ ନିଦ ନାହିଁ-। ମନରେ ଭାବେ, ସାମାନ୍ୟ ଚାକିରି ମୋହରେ ମୁଁ କ’ଣ ନ କରୁଛି ? କେତେଦିନର ଆଶାର ଦେଉଳଟିକୁ ଭାଙ୍ଗି ଧୂଳିସାତ୍ କରିଦେଲି । ଏହା ଦୁନିଆର କେତେ ଜଣଙ୍କ ପକ୍ଷରେ ହୋଇପାରେ କି ? ପୂର୍ଣ୍ଣ ଯୌବନ ସମ୍ପନ୍ନା ଅପରୂପା ରୂପସୀ ନଳିନୀ ଘରଟି ଭିତରେ ଏକାକୀ ବସି କ’ଣ ଭାବୁ ନ ଥିବ ? ପାଞ୍ଚ ଦଶଜଣଙ୍କ ମେଳରେ ବସି ସମୟ ସମୟରେ ନାନା ଆଲୋଚନାରେ ମୁଁ ମୋର ଭାରାକ୍ରାନ୍ତ ମନଟାକୁ ଉଶ୍ୱାସ କରିଦିଏ । ସେ, ଯେ ଗୋଟିଏ ଅନ୍ଧାର ଘର କୋଣରେ ଏକାକୀ ବିରହିଣୀ ପରି ସର୍ବଦା ଚିନ୍ତାମଗ୍ନରେ ସଢ଼ିଯିବଣି । ସମୀରର ବିନା ପରଶରେ ସଜଫୁଟା କୁସୁମର ବାସ ସେଇ ବୃନ୍ତରେ ସମାଧି ନିଏ । ଘରେ ଏକା ମୋର ମା’ । ନୂଆବୋହୂ ହୋଇ ଲାଜ ଲାଜରେ ସେ ମା’ ଆଗେ ମୁଣ୍ଡ ଟେକି କଥାକହି ପାରୁନଥିବ । ଏଇ ଚିନ୍ତାରେ ନୀରଦର ରାତି ପାହିଯାଏ, ଦିନ ଆସେ । ପୁଣି ନିଜ କର୍ତ୍ତବ୍ୟରେ ମନପ୍ରାଣ ଦେଇ ଲାଗିପଡ଼େ । ଏ ଭିତରେ ଗ୍ରାମରୁ ଆସିବାର ପଚିଶଦିନ ସରିକି ବିତିଗଲାଣି । ଉକ୍ତ ଗାଁଟିର ବାଉଁଣ୍ଡରି କାର୍ଯ୍ୟ ଶେଷ ହୋଇଯାଇଛି । ଏହାପରେ କିସ୍ତିଓ୍ୟାରୀ କାର୍ଯ୍ୟ ପଡ଼ିବ । ବାଉଣ୍ଡାରୀ ଅପେକ୍ଷା କିସ୍ତଓ୍ୟାରୀ କାର୍ଯ୍ୟ ଆହୁରି କଠିନ-। ସେତେବେଳେ ଗ୍ରାମକୁ ଯାଇ ହେବନି । ଏହି ସୁଯୋଗରେ ଛୁଟିନେଇ ଗଲେ ଭଲ ହୁଅନ୍ତା । ଏହା ଭାବି ଦଶଦିନ ଛୁଟି ନିମନ୍ତେ ଗୋଟିଏ ଦରଖାସ୍ତ କ୍ୟାମ୍ପ ଅଫିସରଙ୍କ ନିକଟକୁ ଲେଖିଲା । ତହିଁ ପରଦିନ ସକାଳୁ ଉଠି ନିତ୍ୟକର୍ମ ଶେଷକରି ସେ ଗାଁର ନକ୍‌ସାଟି ଧରି କ୍ୟାମ୍ପ ଅଭିମୁଖେ ବାହାରିଲା-। କ୍ୟାମ୍ପ ଏଠାରୁ ଛ’ ମାଇଲ ଦୂର । ଗାଡ଼ିବେଳ ଗଡ଼ିଗଲେ ଯିବାଟା ଅସମ୍ଭବ ହେବ । ଅତି ତରତରରେ ଚାଲୁ ଚାଲୁ ସାଢ଼େ ନଘଣ୍ଟା ବେଳେ ତାଳଚେର ଟାଉନ କ୍ୟାମ୍ପରେ ପହଞ୍ଚିଲା । ଅଫିସରଙ୍କ ନିକଟରେ ନକ୍‌ସାଟି ଦେଇ ହୁକୁମକୁ ଚାହିଁଥାଏ । ଅଫିସର ମହୋଦୟ ନକ୍‌ସାଟି ଚେକ୍‌କରି ଦେଖିଲେ କାର୍ଯ୍ୟ ସନ୍ତୋଷଜନକ । ଡାଏରିରେ ଇନ୍‍ସପେକ୍ଟର ଏବଂ କାନୁନଗୋଙ୍କ ସନ୍ତୋଷ ଜନକ କାର୍ଯ୍ୟ ବିବରଣୀ ଦେଖି ନୀରଦ ଉପରେ ପ୍ରୀତ ହୋଇ ଧନ୍ୟ ଧନ୍ୟ କଲେ ।

 

ଏହି ସୁଯୋଗରେ ନୀରଦ ଛୁଟି ଦରଖାସ୍ତଟି ବଢ଼ାଇଦେଇ ନିଜର ଦୁଃଖ ଜଣାଇଲା । ଅଫିସର ମହୋଦୟ ପାଞ୍ଚଦିନ ଛୁଟି ମଞ୍ଜୁର କଲେ । ନୀରଦ ମନରେ ଦମ୍ଭ ଆସିଲା । ଭାବିଲା, ଚାକିରିରୁ ଫେରି ଗ୍ରାମକୁ ଯାଉଛି, ନଳିନୀକୁ ନେଇ କ’ଣ ଭେଟିବ । ମୋର ଅକ୍ଷମଣୀୟ ଦୋଷରେ ସେ ଅଭିମାନ କରିଥିବ । ସେ କାହିଁକି, ଯେ କେହି ହେଉ ନା କାହିଁକି ନିଶ୍ଚୟ ଅଭିମାନ କରିବ । ବଜାରରୁ ଯାହାକିଛି ନ ନେଲେ ଚଳିବ ନାହିଁ । ପୂର୍ବପରି ପଇସାର ଅଭାବ ନୀରଦ ପାଖରେ ନାହିଁ-। ଅମିନିଆ ଚାକିରି, ପାଖରେ ଶଏ ପଚାଶ ନ ଥିଲେ ସୁଦ୍ଧା ପକେଟରୁ ଦଶପନ୍ଦର କେତେବେଳେ ଛାଡ଼ ହେଉନି ।

 

ଏହାଭାବି ଗୋଟିଏ ଷ୍ଟୋରକୁ ଯାଇ ସେ ମ୍ୟାନେଜରଙ୍କୁ ନାଇଲନକନାର ଗୋଟିଏ ସାୟା, ଗୋଟିଏ ସେମିଜି ଏବଂ କୋଲଗେଟ୍ ହେୟାର ଅଏଲଟିଏ ମାଗି ସମୁଦାୟ ଦାମ୍ ପଚାରିଲା । ଦୋକାନୀ ମହାଶୟ ଉପରୋକ୍ତ ଜିନିଷମାନ ନୀରଦ ହାତକୁ ବଢ଼ାଇ ଦେଇ କହିଲେ, ସମୁଦାୟ ଜିନିଷର ଦାମ୍‌ ହେଲା ଚଉଦ ଟଙ୍କା ଚାରିଅଣା ମାତ୍ର । ନୀରଦ ଦୋକାନୀକୁ ଖଣ୍ଡିଏ ଦଶଟଙ୍କିଆ ନୋଟ ଏବଂ ଖଣ୍ଡିଏ ପାଞ୍ଚଟଙ୍କିଆ ନୋଟ ବଢ଼ାଇଦେଇ ଟ୍ରେନ୍ ଛାଡ଼ିବା ଟାଇମ୍ କେତେ ବାକି ଅଛି ବୋଲି ପଚାରିଲା । ସମୟ ହୋଇଗଲାଣି, ଖୁବ୍ କମ୍ ସମୟରେ ଗାଡ଼ି ଛାଡ଼ିବ ବୋଲି ମ୍ୟାନେଜର ମହାଶୟଙ୍କଠାରୁ ଉତ୍ତର ମିଳିଲା । ନୀରଦ ଆଉ କି ବଳକା ପଇସା ଆଣିବ-? ପଇସା ଗଲେ ଯାଉ ପଛେ ମୁଁ ଯେପରି ଆଜି ଟ୍ରେନରୁ ଫେଲ୍ ନ ହୁଏ । ଦିନଟିଏ କଟିଗଲେ ଦୁଇଦିନ ଏଠାରେ ଗଡ଼ିଯିବ । ମ୍ୟାନଜର ଡାକପକାଉଥାନ୍ତି ହଇହେ ବାବୁ, ତୁମେ ତୁମର ବଳକା ପଇସା ନେଇଯାଅ, ଏପରି ପଳାଉଛ କାହିଁକି ?

 

ଉଚ୍ଛୁଳା ସମୁଦ୍ରରେ ଆସିଛି ଜୁଆର । ସାମାନ୍ୟ ପଇସା ବାରଅଣାକୁ ପଚାରେ କିଏ ? ମ୍ୟାନେଜରଙ୍କ ଡାକ ନଶୁଣି ଗୋଟିଏ ରେକ୍‌ସା ନିକଟକୁ ଯାଇ ପଚାରିଲା, ହଇହେ ରେକ୍‌ସାବାଲା, ଗାଡ଼ି ସମୟ ବେଳକୁ ମୋତେ ଷ୍ଟେସନରେ ଛାଡ଼ି ପାରିବ କି ? ରେକ୍‌ସାବାଲା ଉତ୍ତର ଦେଲା ବାବୁ ଦଶଅଣା ପଇସା ଯଦି ଦେବ, ତେବେ ଚଞ୍ଚଳ ଆସି ବସ । ସମୟ ହୋଇ ଗଲାଣି ।

 

ରେକ୍‌ସା ଚାଲିଛି, ନୀରଦ ବସି ବସି ଗ୍ରାମେଶ୍ୱରୀଙ୍କୁ ନିଜର ଅଭିଳାଷ ଜଣାଉଛି, ମୁଁ ଯେପରି ଆଜି ଟ୍ରେନ ଫେଲ୍‍ ନ ହୁଏ, ଅବିଳମ୍ବେ ଘରକୁ ଯାଇଁ ମୁଁ ମୋର ପ୍ରିୟତମାର ମୁଖ ଦର୍ଶନ କରିବି । ସେଥିନିମନ୍ତେ ତୁମେହିଁ ଏକା ସହାୟ । ଏହା ପୂର୍ବରୁ ଗୋଟାଏ ବିଶ୍ୱାସ ଆସିଯାଇଛି । ଏହି ବିଶ୍ୱାସରେ ଗୋଟିଏ ସିନ୍ଦୂର ପୁଡ଼ା ଦେବି ବୋଲି, ତୁଣ୍ଡରୁ ବାହାରି ଆସିଲା । ରିକ୍‌ସାଟି ବଜାର ଅଧାରେ ହୋଇଛି, ହଠାତ୍ ଚେନ୍‌ଟି ପିଟିଗଲା । ପୂର୍ବରୁ ଚେନ୍‌ଟି ଢିଲା ଥିଲା । ରେକ୍‌ସାବାଲା ସହିତ ନୀରଦ ମିଶି ଚେନ୍ ଗୁଡ଼ାଇ ପକାଉଥାଏ । କିପରି ସୁବିଧାରେ ଚଞ୍ଚଳ ଘରକୁ ପଳାଇଯିବ ଏଇ ଭାବନାରେ ମନ ସଅଳ ହୋଇ ଉଠିଛି । ପୁଣି ଖଣ୍ଡେ ବାଟ ନ ଯାଉଣୁ ଚେନ୍‌ଟି କିଟ୍ କିଟ୍ କରି ଖସିପଡ଼ିଲା ।

 

ଏଥର ନୀରଦ ରେକ୍‌ସାବାଲା ଉପରେ ବିରକ୍ତ ହୋଇ କହିଲା, ଜଣାପଡ଼ିଲାଣି ତୁ ମୋତେ ଆଜି ଗାଡ଼ି ଫେଲ କରାଇବୁ । ପ୍ରଥମର ଏପରି ଅବସ୍ଥା ଜଣାଇଥିଲେ ମୁଁ ଅନ୍ୟ ରେକ୍‌ସା କରି ଆସିଥାନ୍ତି । ଏପରି ହଇରାଣ କରିବାଟା କେଡ଼େ ଦୁଃଖର ବିଷୟ । ଚେନ୍ ଫିଟିବା ସଙ୍ଗେ ସଙ୍ଗେ ମନୋଭାବର ଉତ୍ତାଳ ତରଙ୍ଗ ସମୂହ ଫାଟିଯାଉଛି । ଆପଣ ଏପରି ବିରକ୍ତି ହେଉଛନ୍ତି କାହିଁକି, ଗାଡ଼ି ସମୟଟା ମୋ ହାତରେ । ମୁଁ ଉପଯୁକ୍ତ ସମୟରେ ପହଞ୍ଚାଇ ଦେଲେ କାମ ଶେଷ । ବ୍ୟସ୍ତହେଲେ ଆପଣ ଗାଡ଼ିରେ ଯାଇ ପାରିବେ କି ? ଆପଣ ଥୟଧରି ବସନ୍ତୁ । ମୁଁ ଚେନ୍‌ଟିକୁ ଗୁଡ଼ାଇ ଦେଇସାରେ । ପୂର୍ବବତ ନୀରଦ ରେକ୍‌ସାବାଲାର ମନା ନ ମାନି ଚେନ୍‍ଟି ଗୁଡ଼ାଇବାରେ ସାହାଯ୍ୟ କଲା । ହାତ ସାରା କାଳିରେ ବୋଳି ହୋଇଗଲାଣି । ନୀରଦର ଏପରି ବିଚଳିତ ଭାବ ଦେଖି ବଜାରରେ ଥିବା ଅନ୍ୟାନ୍ୟ ଲୋକମାନେ ଠୋ ଠୋ ହସୁଥାନ୍ତି । ଏ ଲୋକଟା ଗୋଟାଏ ପାଗଳ ନା କ’ଣ । ଜଣେ ସମ୍ଭ୍ରାନ୍ତ ବାବୁ ଭୟାଙ୍କ ପରି ଦିଶୁଛନ୍ତି । ବୋଧହୁଏ କାମିନୀ ନିଶା ଏପରି ପାଗଳ କରି ଦେଇଛି ।

 

ବଜାର ଲୋକଙ୍କ ପରିହାସ ନୀରଦର ଚେତନା ଫେରାଇ ଆଣି ପାରିଲାନି । କାମିନୀ କାଞ୍ଚନ ମହକରେ ବିବେକ ଏବଂ ଲଜ୍ଜାର ମହକ ଅତି ତୁଚ୍ଛ । ଯେଉଁ ମଣିଷ ସେହି ମହକର ପ୍ରେରଣା ପାଇଛି ସେବା କାହିଁକି ଲଜ୍ଜା ଏବଂ ବିବେକ ଆଗରେ ପରାଜିତ ହେବ ? ହେଉ ପଛେ ଦୁନିଆଁର ପଥହରା ପାଗଳ । ଏଥର ଅସୁବିଧାର ସମ୍ମୁଖୀନ ନ ହୋଇ ରେକ୍‌ସାଟି ଚାଲିଥାଏ । ଷ୍ଟେସନ ନିକଟ ହୋଇ ଗଲାଣି । ଗାଡ଼ି ଛିଡ଼ା ହୋଇଥିବାର ଦେଖାଯାଉଛି । ଏତିକିବେଳେ ଚେନ୍‌ଟି ପୁଣି ଫିଟିପଡ଼ିଲା ଏବଂ ଗାଡ଼ି ଛାଡ଼ିବାର ପ୍ରଥମ ସିଟି ବାଜିଉଠିଲା । ନୀରଦର ହୋସ୍ ଉଡ଼ିଗଲା । ରେକ୍‌ସାବାଲା ଚେନ୍ ଠିକ୍ କରିବାରେ ଲାଗିଛି । ତାକୁ ଯେ ଇଚ୍ଛା ତା’ ଦୁଇପଦ ବକିଦେଇ ବ୍ୟାଗ ଖଣ୍ଡିକ ଧରି ଗାଡ଼ି ନିକଟକୁ ପଳାଇ ଆସି ବିନା ଟିକେଟରେ ଗୋଟିଏ ଫାଷ୍ଟକ୍ଲାସ ଡବା ଉପରକୁ ଉଠିଗଲା ।

 

ରେକ୍‌ସାବାଲା ଡାକ ପକାଉଥାଏ । କିଏବା ତା’ ଡାକ ଶୁଣୁଛି ? ଟ୍ରେନରେ ବସିଥିବା ଯାତ୍ରୀଙ୍କ ସମେତ ଷ୍ଟେସନର ଅନ୍ୟାନ୍ୟ ଲୋକମାନେ ନୀରଦର ପାଗଳାମି ଦେଖୁଥାନ୍ତି, ଫାଷ୍ଟକ୍ଲାସ୍‍ ଡବାରେ ଚଢ଼ିଥିବାର ଦେଖି ଯାତ୍ରୀମାନେ ପଚାରିଲେ ‘କେଉଁ କ୍ଲାସର ଟିକେଟ କରିଛ ?’ ଏହା ପ୍ରଥମ ଶ୍ରେଣୀ ଡବା ଏଥିରେ ଅଧିକ ପଇସା ପଡ଼େ । ନୀରଦ ଉକ୍ତ ଡବାରୁ ଓହ୍ଲାଇ ଦେଖେ ତ, ରିକ୍‌ସାବାଲାର କାନଫଟା ଚିତ୍କାର । ଗାର୍ଡ଼ସାହେବଙ୍କ ତାଡ଼ନା ଏବଂ ଷ୍ଟେସନର ସମସ୍ତ ବ୍ୟକ୍ତିଙ୍କ ମୁଖରେ ଛଳନାର ହସ । ଛଳନାକୁ ଭ୍ରୂକ୍ଷେପ ନ କରି ଗାର୍ଡ଼ସାହେବଙ୍କ ନିକଟରେ ନିଜର ଭୁଲ ସ୍ୱୀକାର କରି ଅନୁମତି ମାଗି ଗୋଟିଏ ଥାର୍ଡ଼କ୍ଲାସ ଡବାରେ ବସିଲା ଏବଂ ପକେଟରୁ କାଢ଼ି ଦଶଅଣା ପଇସା ରିକ୍‌ସାବାଲା ହାତକୁ ବଢ଼ାଇଦେଲା । ଉକ୍ତ ଡବାର ଯାତ୍ରୀମାନେ ଏପରି ଚାଞ୍ଚଲ୍ୟତା ଦେଖି ମୁହଁରେ ରୁମାଲ ଦେଇ ହସୁଥାନ୍ତି । ନୀରଦ ଏହା ଜାଣିପାରି ଅନ୍ୟମନସ୍କ ପରି ଏଣେତେଣେ ଚାହୁଁଥାଏ । ଯେ ପଚାରେ ସେମାନଙ୍କୁ ଅବାନ୍ତର ଉତ୍ତର ଦେଇ ବିରକ୍ତ ହୁଏ ।

 

ଗାଡ଼ି ଶେଷ ସିଟି ବଜାଇ ଚାଲିବାକୁ ଆରମ୍ଭ କଲା । ଲାଇନ ଉପରେ ଗାଡ଼ିର ଚକ ଯେତିକି ବେଗରେ ଘୂରିଚାଲିଛି, ମୁଣ୍ଡ ଉପରେ ଭାବନାର ସୁଅ ସେତିକି ଛୁଟି ପଳାଉଛି । କେତୋଟି ଷ୍ଟେସନ ଡେଇଁ ଦେଢ଼ଘଣ୍ଟା ପରେ ଗାଡ଼ି ନିର୍ଦ୍ଧିଷ୍ଟ ଷ୍ଟେସନରେ ପହଞ୍ଚିଲା । ଗାଡ଼ିରୁ ଓହ୍ଲାଇପଡ଼ି ନୀରଦ ଗ୍ରାମ ଅଭିମୁଖେ ବାହାରିଲା ।

 

ଷ୍ଟେସନଠାରୁ ଚାରିମାଇଲ ବାଟ ଚାଲିବାକୁ ପଡ଼ିବ । ଖରା ପ୍ରବଳ ହୋଇଗଲାଣି । ପ୍ରାୟ ମଧ୍ୟାହ୍ନ ସମୟ ଉପଗତ । ଝଞ୍ଜା ସମୀରଣ ନିଆଁ ବିଛାଡ଼ି ମୃଦୁମୃଦୁ ହୋଇ ଉଡ଼ିବୁଲୁଛି । ସୂର୍ଯ୍ୟଙ୍କର ଚାଇଁଚାଇଁ ମୁଣ୍ଡଫଟା ଖରା ତଳ ଉପର ଗରମକରି ଦେଲାଣି । ଯାହାହେଉ ପଛେ ଏ ଦ୍ୱିପ୍ରହରରେ ମୋତେ ଘରକୁ ଯିବାକୁ ପଡ଼ିବ । ଖରାଟାରେ ଭୋକଉପାସ ସହି ଏଠି ବସିବା ଅପେକ୍ଷା ଘରକୁ ଟିକିଏ ମାତ୍ର କଷ୍ଟ ସ୍ୱୀକାରକରି ଚାଲିଯିବା ଭଲ । ଏହି ଆଶାରେ ମୁଣ୍ଡରେ ରୁମାଲଖଣ୍ଡିକ ଭିଡ଼ିଦେଇ ପଦଚାଳନା ଆରମ୍ଭକଲା । କେତେବେଳେ ଚାଲୁଥାଏ, କେତେବେଳେ ବା ଖଣ୍ଡେବାଟ ଦଉଡ଼ି ପଳାଇ ଯାଏ । ଆଜିର ଖରା, ଘଟି ଯାଇଥିବା ଅସୁବିଧା ଏବଂ ଷ୍ଟେସନସ୍ଥିତ ସମାଗମ ଜନତାର ପରିହାସ ମଣିଷକୁ ବାଧାଦେଇ ପାରିନି । ଅନ୍ତରଙ୍ଗ ସାଥୀର ମିଳନ ଏବଂ କୋମଳଭାଷାର ଆଶା, ମନ ସମୁଦ୍ରରେ ଜିଆର ସୃଷ୍ଟି କରିଛି । ଯେତେ ଖାଲଢିପ ପଡ଼ିଲେ ସୁଦ୍ଧା, ଜୁଆର ତାହା ବିନା ବାଧାରେ ଡେଇଁଯାଏ । ସେହିପରି ସମୁଦ୍ରର ଜୁଆର କେତେ ବାଧାବିଘ୍ନକୁ ଅତିକ୍ରମକରି ଉଦ୍ଦିଷ୍ଟ ସ୍ଥାନରେ ଉପସ୍ଥିତ ହେଲାଣି । ନୀରଦ ଦେଖେ ତ ମା’ ଘରବାରଣ୍ଡାରେ ଶୋଇ ପଡ଼ିଛନ୍ତି । ନୟନଦୁଇଟି ସମୁଦାୟ ଗୃହଟିରେ ଥରେ ବୁଲି ଆସିଲାଣି, ନଳିନୀର ସାକ୍ଷାତ ନାହିଁ ।

 

ବୋଧହୁଏ ନଳିନୀ ଦ୍ୱିପ୍ରହର ସମୟରେ ଘରଭିତରେ ଶୋଇପଡ଼ିଛି ? ମା’ଙ୍କର ନିଦ କାହାର ପଦଶବ୍ଦରେ ଭାଜିଗଲା । ଦେଖନ୍ତି ତ ସ୍ନେହର ପୁଅ ନୀରଦ ପାଦତଳେ ପଡ଼ି ପ୍ରଣାମ ଜଣାଉଛି । ପୁଅକୁ ତଳୁ ଉଠାଇ ଅତି ଆଦରରେ ଚୁମ୍ୱନଟିଏ ଆଙ୍କିଦେଇ ବୁଢ଼ୀ କେତେ କଲ୍ୟାଣ କଲେ । ‘‘ମୋ ବାପଟା ପରା, ଏଡ଼େ ଖରାରେ କେଉଁଠୁ ଚାଲିଚାଲି ଆସିଲୁ ? ବାରଣ୍ଡାରେ ଟିକିଏ ବସିପଡ଼ିଲୁ, ମୁଁ ଟିକିଏ ଆଉଁଷିଦିଏ । ମୋ ଗଳାମାଳିଟାରେ, ତୋତେ ଚାହିଁ ଚାହିଁ ଆଖିରୁ ପାଣିମଲାଣି । ଗଲା ପଅରିଦିନ ସମୁଦି ଆସି ବୋହୂକୁ ନେଇଯାଇଛନ୍ତି । ତୋତେ ଦେଖିବା ପାଇଁ ସେ ଖୁବ୍ ଆକୁଳି ହୋଇ କହିଲେ ଯେଉଁଦିନ ପୁଅ ଆସିବେ, ଦୟାକରି ମୋ ନିକଟକୁ ଖବର ଦେଇ ଜଣାଇଦେବେ ।’’ ନୀରଦର ଅସରନ୍ତି ଆଶା, କଳ୍ପନା, କାମନାର ଅଟ୍ଟାଳିକା ଟଳିପଡ଼ିଲା । ମା’ଙ୍କର ଅମୃତତୁଲ୍ୟ ବାଣୀ ବିଷମୟ ହୋଇଉଠିଲା । ‘ହେ ଦୟାମୟ, କେତେଦିନ ପର୍ଯ୍ୟନ୍ତ ଏପରି ହଟହଟା ନଈରେ ମଣିଷକୁ ଘାଣ୍ଟୁଥିବ । ତୁମରି କରୁଣା, ତୁମରି ଦୟା ମୋତେ ପଥଭ୍ରାନ୍ତ କରିଛି । ଧନ୍ୟ ତୁମର ମହିଁମା । ବିନା ଔଷଧରେ ମୋର ପାଗଳାମିକୁ ଭଲକରି ପାରିଛ । ମୁଁ ମୋ ନିଜର ଭୁଲ ଏଇଠାରେ ସଂଶୋଧନ କରିଦେଇଛି, ଯେପରି ଆଉ ଦିନେ ଏତେ ବଡ଼ ଭୁଲ କରିବି ନାହିଁ । ନଳିନୀର ଏହି ଅକ୍ଷମଣୀୟ ଦୋଷ ମୋ ନିକଟେ କ୍ଷମଣୀୟ ନୁହେଁ । ଏହା ପୂର୍ବରୁ ମୁଁ ପତ୍ର ପଠାଇଥିଲି । ସେ କ’ଣ ତାହା ପାଇ ନ ଥିବ ? ନିଶ୍ଚୟ ପାଇଛି । ବୋଧେ ପୂର୍ବର ମମତା ମୋ ନିକଟରୁ ଦୂରେଇ ଯାଇଛି । ନଚେତ୍ ପିତାଘରକୁ ଯିବାର କି ପ୍ରୟୋଜନ ଥିଲା ? ସାମାନ୍ୟ ଗୋଟାଏ ସ୍ତ୍ରୀପାଇଁ ମୁଁ କେତେ କଷ୍ଟ ସ୍ୱୀକାର କରିଛି, ତାହା ଅନ୍ୟ ପକ୍ଷରେ ସମ୍ଭବ ହୋଇ ନ ପାରେ ।

 

ଏହି ଈର୍ଷାରେ ଦିନଟାଏ ବିତିଗଲା । ମନର ଆଗ୍ରହ କମିଆସିଲା । ପୁଣି ଜୀବନର ମୂଳବୃତ୍ତାନ୍ତ ମନେପକାଇ ନୀରଦ ଅନୁତାପ କଲା । ଅନୁଭବ ହିଁ ସରସ, ଜ୍ଞାନ ହେଉଛି ନୀରସ । ନା ନା ମୋର ଏହା ବୃଥା ଭାବନା । ନଳିନୀର ଦୋଷ କିଛି ନାହିଁ । ସେ ସର୍ବଦା ମୋରି କାମନା ଚିନ୍ତାରେ ନିଜର ଜୀବନ୍ତପ୍ରାଣକୁ ପାଷାଣ କରିଦେଇଛି । ନିଷ୍କଳଙ୍କ ପ୍ରାଣରେ ନିର୍ଯାତନ ସହିଛି । ମୋ ଅପେକ୍ଷା ସେ ଆହୁରି ବିରହ କଷ୍ଟ ସ୍ୱୀକାର କରୁଥିବ । ମୁଁ ବାହାରେ ରହି ସମୟ ସମୟରେ ଭୁଲିଯାଏ । ସେ ମଫସଲରେ ଥାଇ ଅନବରତ ନିଜ ସାଙ୍ଗ ସାଥୀ ବୋହୂଝିଅଙ୍କ କଥା ମନେପକାଇ ନିଜ ଭାଗ୍ୟକୁ ଦୋଷ ଢାଳି ଦେଉଥିବେ । ଯୌବନ, ତୁମେ କେତେଦିନ ପର୍ଯ୍ୟନ୍ତ ଆମକୁ ଏପରି କଠିନ ଶାସନରେ ଚମକାଉଥିବ ? ତୁମେ କି ଦୟାମାୟାଶୂନ୍ୟ । ପରୋକ୍ଷରେ ଭରି ଦେଉଅଛ ଦୃଢ଼ ମିଳନର ଆଶା, ପ୍ରତ୍ୟକ୍ଷରେ କରାଉଛ ସମ୍ପୂର୍ଣ୍ଣ ବିଚ୍ଛେଦ । ଯେ ପର୍ଯ୍ୟନ୍ତ ମଣିଷ ତୁମରି ଶାସନାଧୀନ, ସେତେ ଦିନ ପର୍ଯ୍ୟନ୍ତ ନିଜକୁ ଅଧୀନସ୍ଥ ବୋଲି ମାନିବାକୁ ପଡ଼ିବ । ନଳିନୀ, ତୁମେ ପରାଧୀନା, ଶକ୍ତିହୀନା, ନିରାଶ୍ରୟା । ସମାଜର ନୀତିରେ ବାନ୍ଧିହୋଇ ଆଜି ମୋର ସମସ୍ତ ଅଭିଳାଷରେ ଧୂଳିଦେଇଛ । ନା, ନା, ତୁମର ଦୋଷ କିଛି ନାହିଁ । ବରଂ ମୁଁ ଅହମିକା ଲାଳସାରେ ତୁମ ଜୀବନକୁ ମାଟିକରି ଦେଇଛି । ନାରୀ ହୋଇ ସତ୍ୟ, ଆଶା, ପଣ ସହିତ ସଂଗ୍ରାମକରି ବିଜୟ ଲାଭକରିଛି, ଏକା ମୋରି ନିମନ୍ତେ । ସେଥିପାଇଁ ମୁଁ ତୁମକୁ ଅଭିବାଦନ ନ ଜଣାଇ ରହିପାରୁନି । ଏହି ପ୍ରଳାପରେ ନୀରଦର ସୁମଦାୟ ଛୁଟି ଅବସାନ ହେଲା । ଘରେ ଅଧିକ ଦିନ ରହିବାପାଇଁ ଶାନ୍ତି ଲାଗୁ ନାହିଁ । ମା’ଙ୍କ ଠାରୁ ବିଦାୟ ନେଇ କର୍ତ୍ତବ୍ୟ ଅଭିମୁଖେ ବାହାରିଲା । ଗଲାବେଳେ ନଳିନୀର ଜାଣିବା ନିମନ୍ତେ ନିଜର ଶୋଇବା ଘରେ ଖଣ୍ଡିଏ ପାମ୍ପଲେଟ୍ ମାରିଦେଇଛି । ସେଥିରେ ଲେଖାଥିଲା, ହତଭାଗ୍ୟର ସୁଖର ସ୍ଥାନ କେଉଁଠି ?

 

-ସତର-

 

ଜେନାପଦାର ସଦାଶିବ ରାୟ ଶକ୍ତ ବେମାରରେ ପଡ଼ିଛନ୍ତି । ପାଖ ଆଖର କେତେ ବୈଦ୍ୟ, କେତେ ଡାକ୍ତରଙ୍କ ଚିକିତ୍ସା ପାଣି ଫାଟିଗଲାଣି । କୌଣସିଥିରେ ବେମାରର ଉପଶମ ଆଶା ଜଣାପଡ଼ୁ ନାହିଁ । ବରଂ ଦିନକୁଦିନ ବେମାର ଅଧିକ ହୋଇ ରାୟ ବୁଢ଼ାଙ୍କ ସର୍ବାଙ୍ଗ ଶରୀର ଗ୍ରାସ କଲାଣି । କେତେ ପଇସା ପତ୍ର ପାଣି ଫାଟିଗଲାଣି । ସମସ୍ତ ଆଶା ବ୍ୟର୍ଥ । ସଦାଶିବ ସେହି ରୋଗଶଯ୍ୟାରେ ଶାୟିତ ହୋଇ ନିଜର ମରଣ ଜାଣିପାରିଲେଣି । ଗୋବିନ୍ଦକୁ ପାଖକୁ ଡାକି କହିଲେ, ‘ବାପ, ମୁଁ ଆଉ ଅଧିକ ସମୟ ବଞ୍ଚିପାରିବି ନାହିଁ । ଏହି ଘଣ୍ଟାକ ମଧ୍ୟରେ ମୋର ପ୍ରାଣ ଚାଲିଯିବ । ମୋର ଆଶାରେ ଭାଗବାନ କଣ୍ଟକ ବେଷ୍ଟିତ ବାଡ଼ ବାନ୍ଧିଦେଲେ । ତୋତେ ହାତକୁ ଦି’ହାତ କରିପାରିଲି ନାହିଁ । ଏଣିକି ତୁ ତୋର ବ୍ୟବସ୍ଥା କରି ଚଳିବୁ ।’ ଗୋବିନ୍ଦ ବାପାଙ୍କ ମୁହଁକୁ ଚାହିଁ ଛଳ ଛଳ ନୟନରେ ଚାହିଁଥାଏ । ଲୁହ ଧାର ଧାର ହୋଇ ନିକଟସ୍ଥ ଭୂଇଁ ଖଣ୍ଡକୁ ଓଦାକରି ଦେଲାଣି । ରାୟ ବୁଢ଼ାଙ୍କ ନୟନର କରୁଣ ଭାଷା ଉଛୁଳି ଉଠିଲା । ରୁଦ୍ଧ କଣ୍ଠରେ ଥମ୍‌ଥମ୍‌ ହୋଇ କହିଲେ ବାପରେ, ତଳ ସୁଟକେଶଟିରେ କରଜ ଖାତାଟି ଅଛି । ତାହାକୁ ଦେଖି କରଜ ଅସୁଲ କରିବୁ ।’ ସାଇପଡ଼ିଶା ଏବଂ ଗ୍ରାମବାସୀର ଲୋକେ ସମସ୍ତେ ଜଗି ବସିଥାନ୍ତି । ସମସ୍ତଙ୍କ ନୟନରେ ଅଶ୍ରୁଧାର ଆନ୍ଦୋଳିତ ହୋଇ ଉଠୁଛି । ରାୟବୁଢ଼ା ଗ୍ରାମବାସୀଙ୍କୁ ଚାହିଁ କହିଲେ ତୁମ୍ଭେମାନେ ଆଜିଠାରୁ ମୋ ଗୋବିନ୍ଦର ପିତାମାତା । ମୋ ଅନ୍ତେ ତୁମ୍ଭମାନଙ୍କ ପୁଅ ହିସାବରେ ଗୋବିନ୍ଦକୁ ସମର୍ପି ଦେଲି । ଯେଉଁଆଡ଼ୁ ହେଲେ ଗୋଟିଏ ବାହାକରି ହାତକୁ ଦି’ହାତ କରିଦେବ । ପୁଅ ବୋହୂଙ୍କ ସୁଖ ସମ୍ଭୋଗ ଦେଖିବା ମୋ ଭାଗ୍ୟରେ ନାହିଁ । ଗୋବିନ୍ଦର ଚଗଲା ପ୍ରକୃତିକୁ ଚାହିଁ କେହି ମନରେ ଛଳ ଘେନିବନି । ତୁମ୍ଭମାନଙ୍କ ନିକଟରେ ମୋର ଏତିକି ନିବେଦନ । ଏତିକିରେ ବୁଢ଼ାଙ୍କର ଶ୍ୱାସରୁଦ୍ଧ ହୋଇଗଲା । ଜୀବନ ଦୀପଟି କ୍ରମେ କ୍ରମେ ଅବସାନ ହୋଇ ଶେଷ ନିଃଶ୍ୱାସ ସଙ୍ଗେ ପ୍ରାଣବାୟୁ କେଉଁ ଅଜଣା ରାଇଜକୁ ଉଡ଼ିଗଲା । ପଡ଼ି ରହିଲା କେବଳ ମାଟିଘଟ ପିଞ୍ଜରା । ପାଖରେ ଥାଇ ଗୋବିନ୍ଦ ପିତାଙ୍କ ମୁଖରେ ପାଣି ଟୋପେ ଦେଇପାରିଲା ନାହିଁ । କ୍ରନ୍ଦନରୋଳରେ ରାୟଙ୍କ ଘରଟି ପ୍ରତିଧ୍ୱନିତ ହୋଇ ଉଠିଲା । ମାଈକିନିଆଁଗୁଡ଼ାକ ଗୋବିନ୍ଦକୁ ଧୈର୍ଯ୍ୟ ଦେବେ କ’ଣ ଅଧିକ ଅଧୈର୍ଯ୍ୟ କରାଇଲେ । କାହା ମୁଖରୁ କେତେ ପ୍ରକାର କଥା ଫିଟି ଯାଉଥାଏ । ‘ବୁଢ଼ାଟି ଏତେ ଧନ ରୋଜଗାର କରି କାହିଁରେ ହେଲା ନାହିଁ । ଗୋଟିଏ ବୋଲି ପୁଅ ଯେ ବାହାଘରଟି ବାକି ରହିଲା ।’ ଆଉ ଜଣେ ଥାଇ କହେ, କିହୋ ବୁଢ଼ାର କି ଦୋଷ ଅଛି ମ; ସେ ଯେତେ ମତେ କହିଲା ଗୋବିନ୍ଦ ରାଜି ହେଲା ନାହିଁ । କେଉଁଠି ଭଲ କନ୍ୟା, ବେଶୀ ଧନ ସମ୍ପତ୍ତି ଦେବ, ସେଇଠି ନିଜେ ଯାଇଁ ଦେଖିଲେ ବିଭାଘର ହେବ । ନ ହେଲେ ଏତେ ଦିନ ସାରିକି ବିଭାଘର କାହିଁକି ବାକି ରହିଥାନ୍ତା ?’ ଆଉ ଜଣେ ଥାଇ କହେ, ‘ଆଗ ଯାର ପାଗ ତା’ର, ଯଦି ଏତେବେଳକୁ ବିଭାଘରଟା ଶେଷ ହୋଇଥାନ୍ତା, ତେବେ ଗୋବିନ୍ଦକୁ ଚଳିବାକୁ ଅସୁବିଧା ପଡ଼ନ୍ତାନି । ମା’ ଥାନ୍ତେ କି ? ସେ ବି ଏ ଦୁଃଖ ନ ଦେଖିବା ପାଇଁ ଆଗରୁ ସିନ୍ଦୂରଚିତା ମୁଣ୍ଡାଇ ଚାଲିଯାଇଛନ୍ତି । ଭାରି ଭାଗ୍ୟବାନ ସତଲକ୍ଷ୍ମୀ ବୁଢ଼ୀଟିଏ ଗାଁରେ ଗୋଟିକ ଥିଲା । ଏଥିକିବେଳେ ସାତ ପୁତଖାଈ ଉପାସି ମା ଆସି କହିଲା, ‘ଗଲା ଲୋ ଗଲା, ବୁଢ଼ାର ଖେଳଲୀଳା ଏତିକି । ଗୋବିନ୍ଦ ଏକଜିଦିଆ ଟୋକାଟାଏ ବୋଲି ନା, ନୋହିଲେ ବୁଢ଼ା ବୋହୂ ନ ଦେଖି ମରିଥାନ୍ତା କାହିଁକି ? ଦିନେ ନା ଦିନେ ବୋହୂ ପରସା ଖାଇ ବୁଢ଼ା ସଉଭାଗ୍ୟରେ ମରିଥାନ୍ତା । କେତେ ଦିଅଁ ଦେଉଳ ପୂଜି ଗୋଟିଏ ବୋଲି ପୁଅ ପାଇଥିଲା ଯେ କାହିଁରେ ହେଲା ନାହିଁ । ଏତେ ଧନ ସମ୍ପତ୍ତି ଥିଲେ କ’ଣ ହେବ ? ସବୁ ଅକାରଣ ।’ ମାଈପିଙ୍କର ଏଇ ସନ୍ତାପଗୁଡ଼ାକ ଅଧିକ ବାଧିଲା । ହାଡ଼ଫଟା କୋହ ଛାତି ଧମକାଇ ଦେଉଥାଏ । ପୂର୍ବର କଥାଯାକ ସବୁ ମନେପଡ଼ିଗଲା । ଆଜି ଠିକ୍ ତା’ର ବିପରୀତ ହୋଇଯାଇଛି । ନିଜର ଅଜ୍ଞତା ଫଳରେ ବିଭାଘରଟି ଅସମାପ୍ତ ରହିଗଲା । ଶେଷ ବିଚାରରେ ନିଜର ଭାଗ୍ୟକୁ ନିନ୍ଦାକରି ଭାବିଲା ମୋ ପରି ହତଭାଗା ଦୁନିଆଁରେ କେହି ନ ଥିବେ ।

 

-ଅଠର-

 

କଥାରେ କହନ୍ତି ନୂଆଯୋଗୀ ଭିକେ ବାଇ । ସେହିପରି ନୂଆକରି ଚାକିରି କଲେ କର୍ତ୍ତବ୍ୟପରାୟଣ ହେବାପାଇଁ ଉତ୍ସାହ ଆସେ । ନୀରଦର ନୂଆ ଚାକିରି । ପ୍ରଥମକରି ବାଉଁଣ୍ଡରି କାର୍ଯ୍ୟଟି ସୁରୁଖୁରୁରେ ଶେଷକରି ପ୍ରଶଂସାର ପାତ୍ର ହୋଇପାରିଛି । ଏଥରକ କିସ୍ତିୱାରି କାର୍ଯ୍ୟଟିରେ କିପରି ପ୍ରଶଂସନୀୟ ହେବ, ସେଥିପାଇଁ ନୀରଦ ଯତ୍ନସହକାରେ କାର୍ଯ୍ୟରେ ଲାଗିପଡ଼ିଛି । ବାଉଁଣ୍ଡରି ଅପେକ୍ଷା କିସ୍ତିଓ୍ୟାରି କାର୍ଯ୍ୟରେ ଅଧିକ ପରିଶ୍ରମ । ଯେତେ ଯତ୍ନରେ କାର୍ଯ୍ୟ କଲେ ମଧ୍ୟ ମଝିରେ ଭୁଲଭଟକା ରହିଯାଏ । ଉପରିସ୍ଥ କର୍ମଚାରୀଙ୍କ ସାହାଯ୍ୟରେ ତାହା ସଂଶୋଧନ ହୋଇଯାଏ । ସକାଳୁ ସଞ୍ଜଯାଏ ଅବସର ନାହିଁ । ରାତିକି ଗଲେ ନିୟମାବଳୀଟି ପଢ଼ି ନିଜକୁ ଠିକ୍ କରିବାକୁ ହୁଏ । ସେଥିରେ ପ୍ରଜାମାନଙ୍କର ଆପତ୍ତି ଅଭିଯୋଗ ଲାଗିରହିଛି । ସେମାନଙ୍କର ପରସ୍ପର ମଧ୍ୟରେ ସାମୟିକ ଗଣ୍ଡଗୋଳ ଲାଗେ । ସେ ସବୁ ଗଣ୍ଡଗୋଳର ସମାଧାନ କରିବାର ଦାୟିତ୍ୱ ନିଜ ଉପରେ ପଡ଼ୁଛି । ଚିନ୍ତା ଏବଂ ଶ୍ରମକ୍ଳାନ୍ତ ମନକୁ ହଇଚଇ କରିଦିଏ । ଯୌବନର ବାସନା ନିକଟରେ ପ୍ରତିଜ୍ଞା ବାସନା କ୍ଷଣସ୍ଥାୟୀ ମାତ୍ର । ନୀରଦ ଭାବେ ‘ଯେଉଁ କାମିନୀ ଲାଳସାରେ ଯୁଗ ଯୁଗ ଧରି ତପସ୍ୟାରତ ମୁନି ଋଷିମାନଙ୍କର ସାଧନା ନିର୍ବାପିତ ହୋଇଯାଏ, ତା’ ନିକଟରେ ସାମାନ୍ୟ କାମାନ୍ଧ ମଣିଷ ମୁଁ । ବିଭାଘର ପ୍ରାୟ ଦେଢ଼ମାସ ହେବ ବିତି ଯାଇଥିଲେ ସୁଦ୍ଧା ମୁଁ ଅନୁଭବୀ ମାତ୍ର । ଉଦ୍ଭାବକ ହେବାଟା ମୋ ପକ୍ଷରେ ସମ୍ଭବ ହୋଇପାରିନି । ହେ ଭଗବାନ, ‘ତୁମରି ରଚନାରେ ମୁଁ ଗୋଟିଏ ବାକ୍ୟର ଅଙ୍ଗ । ଉକ୍ତ ବାକ୍ୟଟିର ଶୈଳୀ ଏବଂ ଭାବ କେଡ଼େ ବଳିଷ୍ଠ, କଦାକାର ଚିତ୍ରରେ ଆଙ୍କି ଦେଇଛି । ଦୁନିଆର କେତେ ଜଣଙ୍କ ଭାଗ୍ୟରେ ତୁମର ଏହିପରି ସୃଷ୍ଟି ? ଦିନକୁ ଦିନ କାମ କରିବାର ଜିଗୀଷା କମିଯାଉଛି । ସମୟ ସମୟରେ ନକ୍‌ସା ଉପରେ ପେନସିଲ୍‌ର ମୁନ ଅଟକି ଯାଏ । ନୀରସ ଭାବନାର ବାତାବରଣ ମନସାରା ଖେଳିବୁଲେ । ବର୍ତ୍ତମାନ ମୁଁ ଯେଉଁ ସୁଯୋଗରୁ ବଞ୍ଚିତ ହୋଇଛି, ଚାକିରି ତା’ ନିକଟରେ କେଡ଼େ ନ୍ୟୂନ । ଏହି ସମୟରେ ଜଣେ ଗ୍ରାମବାସୀ ଗୋଟିଏ ଚିଠିଦେଇ କହିଲା, ‘ଅମିନ ବାବୁ, ଡାକପିଅନ ଆପଣଙ୍କୁ ନ ପାଇ ମୋ ନିକଟରେ ଏ ଚିଠିଟି ଦେଇଯାଇଛି । ଆପଣଙ୍କର କେହି ଜଣେ ଲୋକ ବୋଧହୁଏ ଏ ପତ୍ରଟି ପଠାଇଥିବ । ଲଣ୍ଠନଟି ଲଗାଇ ବାହାର ବାରଣ୍ଡାରେ ବସି ପତ୍ର ଫିଟାଇ ଦେଖେ ତ ନଳିନୀର ହାତ ଲେଖା ।

 

ବନମାଳୀପୁର

ତା................

 

ପ୍ରିୟତମ !

 

ହତଭାଗିନୀର ଶତକୋଟି ଭୂମିଷ୍ଠ ପ୍ରଣାମ ଗ୍ରହଣ କରିବ । ବିଭୁଙ୍କ କୃପାରୁ ତୁମେ କୁଶଳରେ ଥାଇପାର । ତୁମେ ଆଜି ଆଲୋକ ପଥର ଯାତ୍ରୀ ହୋଇଛ । ଅଯଥାରେ କାହିଁକି ଏ କଣ୍ଟକ ସଙ୍କୁଳ ଘନାନ୍ଧକାର ପଥକୁ ଫେରିଆସିବ ? ଦୁନିଆରେ ମଣିଷର ସତ୍ୟ, ପଣ, ଆଶାର ପରିଣାମ କ’ଣ ଏହି ? ଚରଣ ସେବିକାର କେତେପଦ ସେବାଞ୍ଜଳି ଗୀତିକା ନିମ୍ନରେ ଅର୍ପଣ କଲି–

 

ମଉଳିଲା ଫୁଲ ମୋ ପୂଜାର ସମ୍ଭାର, ଅକାରଣ ହେଲା ଅକାରଣ

ବାସନା ଉଡ଼ିଲା ମୋ ତ୍ରୁଟି ମହକିଲା ପରିତ୍ରାଣ କରି ପରିତ୍ରାଣ । ୧।

ଯଉବନ ଶିରୀ ମୋ ହେଲା ହତଶିରୀ ତୁମପାଇଁ ନାଥ ତୁମପାଇଁ

ସୁଖର ସଳିତା ମୋ ଲିଭିଯାଏ ସତ୍ତା ପଥଚାହିଁ ତୁମ ପଥଚାହିଁ । ୨ ।

ମଉଳା ମୋ ମନ ଗୋ ହେଲା ହୀନିମାନ ଜାଗିଉଠେ ଭୀତି ଜାଗିଉଠେ

କେବେ ପ୍ରାଣଧନ ଗୋକରିବ ସ୍ନାହାନ ମନତୁଠେ ମୋର ମନତୁଠେ ।

 

। ଇତି ।

ତୁମ୍ଭର ହତଭାଗିନୀ ପୂଜାରିଣୀ

ନଳିନୀ

 

ଚିଠିଟି ପଢ଼ୁ ପଢ଼ୁ ଆପାଦମସ୍ତକ କମ୍ପିଉଠିଲା । ଆଖିର ତତଲା ଅଶ୍ରୁରେ ପତ୍ରଟି କେତେବେଳୁ ଓଦା ସରସର ହୋଇଗଲାଣି । ‘ନଳିନୀ, ତୁମର ଧୈର୍ଯ୍ୟ ଏବଂ ସାହସ ନିକଟରେ ମୁଁ ପରାସ୍ତ । ନାରୀଜାତିହିଁ କାମାନ୍ଧିନୀ; କିନ୍ତୁ ତୁମେ ଯେ ସେହି ନାରୀ ଜାତିର ବାହାରେ । ଯୌବନର ପ୍ରଥମ ଜୁଆରରେ ମିଳନର ସୁଯୋଗ ପାଇ ମଧ୍ୟ ସେଥିରୁ ବଞ୍ଚିତ ହୋଇଛ । ନିର୍ଦ୍ଧନୀ ଧନ ପାଇ ହଜାଇଲେ ଯେଉଁପରି ଅନୁତାପ କରେ ତୁମେ ସେହି ଅନୁତାପରେ ଗୋଳିହୋଇ ହତାଶ ହେବଣି । ‘ମିଳନ’ ତିନୋଟି ବର୍ଣ୍ଣରେ ଗଠିତ ଗୋଟିଏ ମନୋହର ଶବ୍ଦ । ମିଳନ ଶବ୍ଦଟି ଲକ୍ଷ୍ୟ ସମ୍ମୁଖରେ ଚାକିରିର ବ୍ୟାକୁଳତା ଉଭାଇ ଯାଉଛି । କ’ଣ କରିବି ? ବର୍ତ୍ତମାନ ଛୁଟି ବି ମିଳିବ ନାହିଁ । ଯାହାହେଉ ଦୁଇଦିନ ପାଇଁ ଘରକୁ ଯାଇ ବୁଲି ଆସିବି । ନଚେତ୍ ପ୍ରାଣର ବାନ୍ଧବୀ ମୋ ଲାଗି ଝୁରି ଝୁରି ପ୍ରାଣତ୍ୟାଗ କରିବ । ଏତେ ନୀରସ ପ୍ରାଣରେ ଦୁନିଆଁରେ ମୁଣ୍ଡଟେକି ରହିବା ଅପେକ୍ଷା ମରିଯିବା ଶତଗୁଣେ ଶ୍ରେୟସ୍କର । ନଳିନୀ, ତୁମର ରୂପ ଯେପରି ଗୁଣ ମଧ୍ୟ ସେହିପରି । କି ସୁନ୍ଦର ସଙ୍ଗୀତର ରଚନା ତୁମେ କରିପାର । ଯାହାର ଭାବ ବୁଝିବା ମୋ ପକ୍ଷରେ କଠିନ । ତଥାପି ତୁମେ କେତେ ନିର୍ଯାତନା ସହି ମୋତେ ଇଚ୍ଛାବରଣ କରି ଜୀବନର ଆଶାନ୍ତି ଝଡ଼ରେ ଛୁଟିଚାଲିଛ । ଗୀତଟିର ଆକର୍ଷଣ ଶକ୍ତି ମୋତେ ତୁମ ନିକଟକୁ ବଳେ ବଳେ ଟାଣି ନେଉଛି । ଏବାରକ ମୁଁ ତୁମ ବାସନାକୁ ଏଡ଼ାଇ ପାରିବି ନାହିଁ ।

 

ରାତିପାହିଲା, ନୀରଦ ସାରା ରାତି ଉଜାଗରରେ ଛଟପଟ ହେଉଛି । ବଡ଼ିପାହାନ୍ତାରୁ ଉଠି ଚେନ୍‌ମ୍ୟାନକୁ ସମସ୍ତ ଜିନିଷପତ୍ରର ଦାୟିତ୍ୱ ବୁଝାଇ ଦେଇ, ଗ୍ରାମଲୋକଙ୍କୁ କହିପୋଛି ଗୃହାଭିମୁଖରେ ଯାତ୍ରା ଆରମ୍ଭ କଲା । ମୁଣ୍ଡରେ ଜୀବନ ମରଣର ଲହଡ଼ି ପିଟି ହୋଇ ଯାଉଛି । ଟ୍ରେନରେ ବସି କେତେ ସ୍ୱପ୍ନ ସୁଅରେ ମନ ଭାସିଯାଉଛି, ସେ ସ୍ୱପ୍ନର ଥଳକୂଳ ନାହିଁ । ନୀରଦ ନିର୍ଦ୍ଧିଷ୍ଟ ସ୍ଥାନରେ ଟ୍ରେନରୁ ଉତୁରି ପଡ଼ିଲା । ଦେଖିଲା ନିଜ ଗାଁର ନଟସାହୁ ପୁଅ ଧନିଆଁ ।

 

‘‘କିରେ ଧନିଆଁ ତୁ କେଉଁ ଆଡ଼େ ଯାଇଥିଲୁ ?’’

 

ହଇହେ ଭାଇନା ମୁଁ ପରା ଆଜକୁ ତିନିମାସ ହେବ ସମ୍ବଲପୁରରେ ଚାକିରି କଲିଣି, ତୁମେ କ’ଣ ଏ କଥା ଜାଣିନା ? ଆସ ସାଥି ହୋଇ ଘରକୁ ଯିବା ।

 

ବିଳମ୍ୱ କଲେ ଖରା ଭୋଗିବାକୁ ପଡ଼ିବ । ଉଭୟେ ନିଜ ନିଜର ଦୁଃଖ ସୁଖ କଥା ପକାଇ ବାଟକାଟି ଚାଲୁଥାନ୍ତି; କିନ୍ତୁ ନୀରଦର ମନ କଥାରେ ନ ଥାଏ, ଥାଏ ଅନ୍ୟ କେଉଁ ଦିଗରେ । ‘ମୁଁ ଯେ ଆଜି ନଳିନୀ ପାଇଁ ବଜାରରୁ ରିବନ ଗଜଟାଏ ସୁଦ୍ଧା ଆଣି ପାରିଲି ନାହିଁ । ଯଦିଚ ପଚାରେ ତେବେ ଯାହାହେଲେ କହି ଫାଙ୍କି ମାରି ଦେବି । ନାନା ଦୁଃଖ ସୁଖ ବିଷୟ ପକାଇ ଉଭୟେ ଗ୍ରାମରେ ପହଞ୍ଚିଲେ । ଘରେ ପାଦ ପକାଇବା ମାତ୍ରେ ନୀରଦର ଆଖି ଦୁଇଟି ନିଜର ପ୍ରାଣ ପ୍ରିୟା ଉପରେ ପଡ଼ିଲା । ନଳିନୀ ବେଦନାଭରା ମନକୁ ଫଟାଇ ଆନ୍ତରିକ ପ୍ରଣାମ କରି ସ୍ୱାମୀଙ୍କ ପଦରଜ ନେଇ ନିଜ ଶିରରେ ଲଗାଇଲା । ସଜ ଗୋଲାପ କଢ଼ିଟିର ସତେଜ ନାହିଁ ଭ୍ରମର ବିନା ମଉଳି ପଡ଼ିଛି । ଜଣାପଡ଼ୁଛି ନଳିନୀ ମୋତେ ଅଭିମାନ କରିଛି । ନିଶ୍ଚୟ କରିବାର କଥା । ଆଉ କେହି ଏପରି ଗୋଟିଏ ହତଭାଗା ନିରର୍ଥକ ପୁରୁଷର ହାତଧରି ଆପେ ଆପେ ବିପଦ ସମୁଦ୍ରକୁ ଡେଇଁ ନ ଥାନ୍ତା । ଯେଉଁଦିନ ଟ୍ରେନିଂରୁ ଫେରୁଥିଲି ସେଦିନ ଗୋରାଗାଲ ଫୁଟାଇ ଯେଉଁ ଚିକ୍‌କଣ ହସ ହସି ଦେଇଥିଲ, ଆଜି କାହିଁ ସେ ହସର ଚିହ୍ନ ବର୍ଣ୍ଣ ନାହିଁ ? ନଳିନୀର ମନକୁ ପରିବର୍ତ୍ତନ କରିବା ପାଇଁ ନୀରଦ କେତୋଟି ପ୍ରଶ୍ନ ପଚାରିଲା, ‘ମା’ କେଉଁଆଡ଼େ ଯାଇଛନ୍ତି ? ଘରର ହାଲଚାଲ କିପରି ? ତୁମ ଘରେ ବାପା ବୋଉ ସମସ୍ତର କୁଶଳ କି ? ବିରହିଣୀର ମୁହଁରୁ ବାହାରିପଡ଼ିଲା କେତେ ପଦ ଅଭିମାନଭରା ଉତ୍ତର । ସେହି କେଇପଦ ଉତ୍ତରରେ ସେ ନିଜର ସମୁଦାୟ କରୁଣ କାହାଣୀ ଫୁଟାଇ ସ୍ୱାମୀଙ୍କ ନିକଟେ ଅଜାଡ଼ି ଦେଲା ।

 

ସୁକୋମଳ ଡୋଳା ଭିତରୁ କେତେ ଠୋପା ସ୍ନେହହୀନ ଅଶ୍ରୁ ଓଷ୍ଠ ତିନ୍ତାଇ ତଳକୁ ଖସିପଡ଼ିଲା ନୀରଦର । କ’ଣ ବୁଝାଇ ସେ ନଳିନୀକୁ ଶାନ୍ତ କରିବ ଏହି ସ୍ୱପ୍ନ ଦେଖୁଛି । ଦାଣ୍ଡଦୁଆରେ ମା’ଙ୍କର ପାଟି ଶୁଭିଲା । ଅଭିମାନିନୀ ନଳିନୀର ଅଭିମାନିଆ କୋହ କେଉଁଆଡ଼େ ଛପିଗଲା । ବୁଢ଼ୀ ପୁଅକୁ ଦେଖିବା ମାତ୍ରେ ଛାତି କୁଣ୍ଢେ ମୋଟ କରି କେତେ ଭଲ ମନ୍ଦ କଥା ପଚାରିଲା । ବୋହୂକୁ ତାଡ଼ନା କରି ବୁଢ଼ୀ କହିଲା, ‘ମୋ ପୁଅ ଖାଇ ନ ଥିବ କେତେବେଳୁ ଆସିଲାଣି ଯେ ପାଣି ଢାଳଟାରେ ଗୋଡ଼ ଦି’ଟା ଧୋଇ ଦେଇନାହୁଁ ?’ ପାଦ ଦୁଇଟି ଧୂଳିରେ ବୋଳିହୋଇଯାଇଛି । ଚଞ୍ଚଳ ପାଣିଢାଳେ ଆଣିଲୁ । ଧୋଇଧାଇ ଦେଇ ପୋଛି ଦିଏ । ମୁଁ ପୋଡ଼ାକପାଳୀଟା ଏତେବେଳ ଯାଏ କାହିଁକି କାହା ସଙ୍ଗରେ କଥା ହେଉଥିଲି ମ ?

 

ବୁଢ଼ୀର ଆନନ୍ଦ କହିଲେ ନ ସରେ । ବିଦେଶରୁ ପୁଅ ଆସିଛି ବୋଲି ପଡ଼ିଶାଯାକ ବୁଲି ବୁଲି ଜଣାଇଥିଲା ।

 

ଗ୍ରାମର ଦେବତାପୀଠ ଭାଗବତଟୁଙ୍ଗିରେ ଖୋଳ, ତାଳର ବାଜଣା ଗମତ ଉଠୁଛି । ନଦୀୟା ଟୋକାଦଳ ମନ ମଉଜରେ ବସି କେତେ କେତେ ଝଙ୍କାର ଉଠାଉଛନ୍ତି । ନୀରଦ ବିଦେଶରୁ ଫେରିଲି ବୋଲି ସେହି ସଙ୍ଗ ଗହଳରେ ବସି ଅନେକ କଥା ପ୍ରସଙ୍ଗରେ ଆଲୋଚନା ଚଳାଇଛି । ବାଜିଆ ଦୋକାନ କତିରେ ଦଶ ଆଠ ଜଣ ବୁଢ଼ାଙ୍କ ସଙ୍ଗେ ମିଶି ଦଳେଇ ବୁଢ଼ା ରାମ ବନବାସ ଗପ ଲଗାଇ କହି ଚାଲିଛି । ମହରଗା, ଚନ୍ଦରା, ମଙ୍ଗୁଳିଆ ପ୍ରଭୃତି ବୁଢ଼ାମାନଙ୍କର ହଁ, ହିଁ ଶବ୍ଦ ଖଞ୍ଜଣୀଟିର ତାଳେ ତାଳେ ବାଜି ଉଠୁଛି । ଧନି ତିହାଡ଼ି ବାରଣ୍ଡାରେ ଘୁମାଇ ଘୁମାଇ ମଝିରେ ମଝିରେ ‘କ’ଣ ହେଲା ହେ ଦଳେଇ, ଆଉ ଥରେ କହିଗଲ ବୋଲି ପଚାରିଦିଏ । ଚୌକିଆ ରାଜୁଆ ନାଏକ ଦୁଇହାତ ଲମ୍ବର ମୋଟ ଠେଙ୍ଗାଟି ହଲାଇ ହଲାଇ ପହରା ନିମନ୍ତେ ହୁସିଆର ଡାକମାରି ଆସିଲାଣି ।

 

ନିଶବ୍ଦ ରାତି, ଗାଁର ଅନ୍ୟ ଲୋକମାନେ ଖାଇପିଇ ଘରେ ଘରେ କବାଟ କିଳି ନିଦ୍ରାଦେବୀ କୋଳରେ ଶ୍ରମାନ୍ତେ ବିଶ୍ରାମ ଲୋଡ଼ିଲେଣି । ସମୟ ଜାଣି, ନୀରଦ ଘରକୁ ଯାଇ, ନିଜର ଶୟନ କକ୍ଷରେ ପ୍ରବେଶି ଦେଖିଲା ନଳିନୀ ଘର ଭିତରେ ଶୋଇ ସଇଁ ସଇଁ ହୋଇ କାନ୍ଦୁଛି-। ଲ୍ୟାମ୍ପ ବତିଟି ଭିତରେ ମିଞ୍ଜି ମିଞ୍ଜି ହୋଇ ଜଳୁଥିବାର ଦେଖାଯାଉଛି । କବାଟଟି ଜୋରରେ ପେଲିଦେଇ କୋଠରୀ ଭିତରକୁ ପ୍ରବେଶ କଲା ନୀରଦ । ନଳିନୀ ପୂର୍ବପରି ଲୁହ ଗଡ଼ାଇ କେତେ କ’ଣ ଚିନ୍ତା କରୁଛି । ଅଭିମାନ ଛଡ଼ା କିଛି ନୁହେଁ । ନୀରଦର ରକ୍ତ କଣିକାରେ ଖେଳିଗଲା ବିଜୁଳି ପରି ଶିହରଣ । ଲୋମ ସମୂହ ଟାଙ୍କୁରି ଉଠିଲା । ସମସ୍ତ ଲଜ୍ଜା, ବିବେକକୁ ମିଳନ ନିକଟରେ ହାର ମାନିବାକୁ ପଡ଼ିଲା । ନଳିନୀ କାନ୍ଦ କାନ୍ଦ ହୋଇ ବିନୟରେ କହିଲା, ‘ଫେରିଯାଅ ତୁମେ, ସେହି ଆଲୋକ ପଥରେ । ଯାତନା ଭୋଗିବାକୁ କାହିଁକି ଅନ୍ଧାର ପଥକୁ ବଣାହୋଇ ଚାଲି ଆସିଛ-? ମୋର ଅନୁରୋଧ, ତୁମେ ସେହି ଆଲୋକ ପଥକୁ ଲକ୍ଷ୍ୟ କରି ଫେରିଯାଅ କର୍ତ୍ତବ୍ୟ ଅଭିମୁଖେ-।’

 

ପ୍ରିୟତମା ! ତୁମେ ଅଭିମାନ କରି କ’ଣ ନ କହୁଛ ? ଦୁନିଆଁରେ ଦୋଷ ନିକଟରେ କ୍ଷମା ସଦାସର୍ବଦା ଲାଗିରହିଛି । ମୁଁ ଯଦି ତୁମ ନିକଟରେ ଭୁଲ କରି ଦୋଷ କରିଛି, ତେବେ ତୁମର କି କ୍ଷମା ଦେବାର ଶକ୍ତି ନାହିଁ ? ତଥାପି ମୁଁ ମୋର ଭୁଲ ସ୍ୱୀକାର କରିପାରିବି ନାହିଁ । ଏ ପେଟ ଚାଖଣ୍ଡକ ଲାଗି ଦୁନିଆରେ ସବୁ ନାଟ । ପେଟ ଚାଖଣ୍ଡକ ଲାଗି ମୁଁ ମୋର ଜନ୍ମଭୂମିକୁ ତ୍ୟାଗକରି ଦୂର ବିଦେଶକୁ ଚାଲିଯାଇଛି । ବର୍ତ୍ତମାନ ତୁମେ ମୋ ପ୍ରଶ୍ନର ଉତ୍ତର ଦିଅ । କ୍ଷମା ଦେବାର ଶକ୍ତି ତୁମଠାରେ ଅଛି ନା ନାହିଁ ? ଏହି ନିଶବଦ ରାତିରେ ମୁଁ ମୋର ବାଟ ଦେଖିନେବି । ବିଳମ୍ବ କାହିଁକି-? ହତଭାଗ୍ୟ ଜୀବନରେ ସଉଭାଗ୍ୟର ସୁଖ କାହିଁ ?

 

ପ୍ରିୟତମ, ତୁମେ ମୋର ସାମାନ୍ୟ କଥାରେ ରାଗିଯାଉଛ ? ତୁମର ଦୋଷ ନାହିଁ । ଦୋଷ ମୋର, ଫେରି ଆସ ମୋର କୋଳକୁ । ଏତେ ଦିନର ଆଶା ଆକାଂକ୍ଷାର ତୃପ୍ତି ଆଜି ପୂର୍ଣ୍ଣ ପ୍ରାଣରେ ଭୋଗକରେ । ହଠାତ୍ ଲ୍ୟାମ୍ପବତିଟି ଲିଭିଗଲା । ଘରଟି ନୀରବ ନିଷ୍ପନ୍ଦ । ଦୁଇଟି ପ୍ରାଣରେ ଉତ୍ତଳା ବକ୍ଷରେ ପୀରତି ଶିହରଣ ଘଷି ହୋଇ ସୃଷ୍ଟି କଲା ଅମର ପୁଲକ । ତା’ପରେ ସବୁ ଶେଷ ।

 

ଘରେ ପୁଅବୋହୂ ଅଛନ୍ତି । ବୁଢ଼ୀର ଚିନ୍ତା କେଉଁଥିକି ? ବିଧବା ହେବା ଦିନଠାରୁ ବାପଘରକୁ ଦିନେ ହେଲେ ଫେରି ଯାଇନାହିଁ । ପୁଅ ବୋହୂଙ୍କୁ କହି ପୋଛି ବୁଢ଼ୀ କେତେଦିନପାଇଁ ବାପଘରକୁ ବାହାରିଲା । ଚାକିରିରୁ ଆସିବାରେ ଦିନ ପରେ ଦିନ ହୋଇ ନୀରଦର ଛୁଟିଦିନ ବିତିଗଲାଣି । ନଳିନୀର ଝିଲିମିଲି ଲୋଭନୀୟ କଳାଡୋଳା ଦୁଇଟିକୁ ନୀରଦ ପାସୋରି ପାରୁନି । ରାତିସାରା ଭାବେ କାଲି ସକାଳୁ ଉଠି ନିଶ୍ଚୟ ଚାକିରିକୁ ଚାଲିଯିବି, ଯଦ୍ୟପି ଇନ୍‌ସପେକ୍ଟର ଅଫିସର ପ୍ରଭୃତି ଚେକ୍‌ କରି ଆସିଥିବେ ତେବେ ମୋ ଅବସ୍ଥା କେଉଁ କଡ଼ା କାଣିଚାରେ ରହିବ ନାହିଁ । ସକାଳ ହେଲେ ସେ ମନୋବୃତ୍ତ କାହିଁ ଉଭାଇ ଯାଏ । ବୁଢ଼ୀ ବାପଘରକୁ ଚାଲିଯାଇଛି । ଏଣିକି ଅସୁବିଧା କ’ଣ ?

 

ନଳିନୀ ଦିନକର କାମପାଇଟି ସାରି ଖଟରେ ସ୍ୱାମୀଙ୍କ ସଙ୍ଗେ ବସି କେତେ ହସ ଖୁସିରେ ଉଭୟେ ମାତିଥାନ୍ତି । ଉଛୁଳା ଯୌବନ ଉଛୁଳି ପଡ଼େ, ଦୁଇଟି ଅଙ୍ଗ ଗୋଟିଏ ଅଙ୍ଗରେ ମିଶିଯାଏ । ସେତେବେଳେ କରଜ ଚିନ୍ତା, ଚାକିରି ଚିନ୍ତା ନୀରଦ ମନରେ ନ ଥାଏ । ବୁଢ଼ୀ ଘରେ ଥିଲେ ଦିନର ମଉଜ ମଜଲିସ୍‌ଟା ସହଜରେ ହୋଇପାରେ ନାହିଁ । ବର୍ତ୍ତମାନ ଘରଟିରେ ସ୍ୱାମୀ ସ୍ତ୍ରୀ ଦୁଇଜଣ । ନଳିନୀର କଟାକ୍ଷ ଚାହାଣି, ମୁହଁଛଟା ସବୁଜ ହସ, ଧଳା ଚକ୍ ଚକ୍ ଦାନ୍ତ ତଳର ଚିକ୍‌କଣ ମାଢ଼ି, ଅଙ୍ଗ ପ୍ରତ୍ୟଙ୍ଗର ଗଠନ ସୌରଭ ଅତି ଲୋଭନୀୟ । ନଳିନୀର ଉପମାରେ ପାସଙ୍ଗ ପକାଇବାକୁ ନୀରଦ ଆଖି ଆଗରେ ଦୁନିଆଁରେ କେହି ନାହାନ୍ତି । ଦୁଇଟି ପ୍ରାଣର ସଂଯୋଗ ହେଲାବେଳେ ପ୍ରିୟତମାର କୁଞ୍ଚିତ କୋମଳ କେଶ ଉପରକୁ ପ୍ରିୟତମର ହାତ ବିନା ବାଧାରେ ଉଠିଯାଇ ମୁଣ୍ଡସାରା ଘେରାଏ ବୁଲିଆସେ । ପ୍ରାଣମିତଣୀର ଚହଟ ସୁବାସରେ ମନ ବାନ୍ଧି ହୋଇଯାଇଛି । ନଳିନୀ ଯେତେ ଅଭିମାନଭରା କଥା କହି ଛଳନା କରେ, ନୀରଦକୁ ଅକାଟରେ ସହିବାକୁ ପଡ଼େ । ଦୁନିଆଁରେ ପ୍ରେମର ଦାସ ନ ହେବ କିଏ ? କେତେଦିନ ହେବ ଦୁଇଟି ପ୍ରାଣ ଗୋଟିଏ ହୋଇ କେଉଁ ଖୁସିରାଇଜ ଆନନ୍ଦ ବଜାରରେ ଉଡ଼ି ବୁଲୁଛି । ଭବିଷ୍ୟତ ଚିନ୍ତା କରିବାପାଇଁ ହୃଦୟରେ ସ୍ଥାନ ନାହିଁ । କର୍ପୂର ସଦୃଶ ପ୍ରେମ ବାସନାରେ ମନର ଦୁର୍ବାସନା ଚିନ୍ତା ଲିଭିଯାଇଛି ।

 

ମଉଜ ମଜଲିସରେ କେତୋଟି ଦିନ ଏବଂ କେତୋଟି ରାତି କଟିଯାଇଛି । ଆଜିର ବିତି ଯାଇଥିବା ରାତିଟି ମଧ୍ୟ ଅତି ସୁଖରେ କଟିଗଲା । ରାତି ପାହି ସକାଳ ହେଲା । ନଳିନୀ, ନୀରଦ ଅନ୍ୟ ଦିନମାନଙ୍କପରି ସଅଳ ଉଠି ନାହାନ୍ତି । ବେଳ ବାଉଁଶେ ଉଚ୍ଚ ଉପରକୁ ଉଠି ଆସିଲାଣି । କୁଆଗୁଡ଼ିକ ଦଳ ଦଳ ହୋଇ ରାଉରାଉ ଶବ୍ଦରେ ରାବି ସମସ୍ତଙ୍କ ନିଦକୁ ଅପସାରଣ କରିବାରେ ଲାଗିଛନ୍ତି । ନୀରଦର ଘର ସମ୍ମୁଖରେ ନନ୍ଦିଆର ମା ଏବଂ ନନ୍ଦିଆର ସ୍ତ୍ରୀ କଜିଆ ଆରମ୍ଭ କରି କାନଫଟା ଚିତ୍କାରରେ ସପକାଟ ହେଉଛନ୍ତି । ଘରପାଖ ଚାଟଶାଳିରେ ଛୋଟ ପିଲାଙ୍କର ପଣକିଆ ମଗା ପାଟିରେ ଗାଁସାରା ଉଛୁଳି ଉଠୁଛି । ତଥାପି ଉଭୟଙ୍କର ନିଦ୍ରା ଭାଙ୍ଗି ନାହିଁ । ଅଚିନ୍ତାରେ କେଉଁ ସୁଖସାଗରରେ ବୁଡ଼ି ଦୁଇଟି ପ୍ରାଣକୁ ଗୋଟିଏ ପ୍ରାଣରେ ମିଶାଇ ଦେଇ ଶୋଇଛନ୍ତି । ଦାଣ୍ଡ ଦୁଆରେ ଡାକପିଅନ ଚିଠିଟିଏ ଧରି ଛିଡ଼ା ହୋଇଛି । ପିଅନଠାରୁ ଚିଠିଟି ପାଇବା ମାତ୍ରେ ଶରୀରର ସମସ୍ତ ଅବୟବ ଶିଥିଳ ହୋଇଗଲା । ରକ୍ତକଣିକା ସମୂହର ଉଷ୍ମତା ଲିଭି ଥଣ୍ଡା ହେଲାପରି ଜଣାଗଲା । ଚତୁର୍ଦ୍ଦିଗ ଅନ୍ଧକାର । ତାଳଚେର ସେଟଲମେଣ୍ଟ କ୍ୟାମ୍ପ ଅଫିସରଙ୍କ ଚିଠି । ପଢ଼ିବା ଦ୍ୱାରା ଜଣାପଡ଼ିଲା ଚିରଦିନ ପାଇଁ ଅମିନ କାମରୁ ନିଜେ ଅବ୍ୟାହତି ପାଇଛି । ହୃଦ ମନ୍ଦିରରେ ଆତଙ୍କର ଝଡ଼ ସୃଷ୍ଟି ହୋଇ ମନ ସଦୃଶ ବୃକ୍ଷକୁ ଭାଙ୍ଗି ତଳେ ଭୂମିସାତ୍‍ କରିଦେଲା । ବିନା ଅନୁମତିରେ ପଳାଇ ଆସିଥିବାରୁ ଏହି ଶେଷ ପରିଣାମ ଭୋଗିବାକୁ ପଡ଼ୁଛି । ଚିରଦିନ ପାଇଁ ଗୋଟିଏ ପଥରୁ ହୋଇଛି ନିର୍ବାସିତ । ସୁଖର ସଂସାର ଭାଙ୍ଗିଯାଇଛି । ନୀରଦ ପଛକଥା ମନେପକାଇ ଭାବିଲା, ‘ଏମନ ଭାବୁଥାଇ ଯାହା । କାଳେ ପ୍ରାପତ ହୁଏ ତାହା ।’

 

ବାରଣ୍ଡାରୁ ଓହ୍ଲାଇ ଘର ଭିତରକୁ ଆସିବାକୁ ପାଦ ତିଳେ ମାତ୍ର ଅଗ୍ରସର ହେଲା ନାହିଁ । ଭବିଷ୍ୟତ ଜୀବନ ଅନ୍ଧକାରମୟ ହୋଇଯାଇଛି । ପୁଣି ଭାବେ, ଏହା ନିଜ କୃତରୁ ଭୋଗିବାକୁ ପଡ଼ିଛି । କେତେ ଦିନକରେ ଅନ୍ଧାର ଜୀବନରେ ଆଲୋକର ବତିଟି ଜଳିଉଠିଥିଲା । ମୁଁ ନିଜେ ଫୁକାର ମାରି ସେହି ଜଳନ୍ତା ବତିକୁ ଲିଭାଇ ଦେଇଛି । କେତେବେଳୁ ଆଖିର ଲୁହ ଟୋପାରେ ଚିଠିଟି ଓଦା ସରସର ହୋଇଗଲାଣି । ଚିନ୍ତା ଗୋଟିକ ପରେ ଗୋଟିଏ ମାଡ଼ି ଆସୁଛି । ବାପାଙ୍କର ଶୁଦ୍ଧିକ୍ରିୟାଠାରୁ ଆରମ୍ଭ କରି ନିଜର ବିଭାଘର ପର୍ଯ୍ୟନ୍ତ ଯେତେ ଟଙ୍କା ଖର୍ଚ୍ଚ ହୋଇଛି, ତାହା ସବୁ ପରଘରରୁ କରଜ ଅଣାଯାଇଛି । ଘରେ ପରିଶୋଧ କରିବାପାଇଁ କାଣିକଉଡ଼ି ନାହିଁ । କେଉଁଠୁ ରୋଜଗାର କରି ଋଣ ପରିଶୋଧ କରିବି ? ଚାକିରିଟି ଚାଲିଯାଇଛି । ଗ୍ରାମର ସମସ୍ତ ଲୋକେ କେତେ ଛି, ଛି, ନ କରିବେ ? ସେମାନଙ୍କୁ ମୁଁ କି ଉତ୍ତର ଦେଇ ଏ ଲଜ୍ଜାରୁ ପାରହେବି ? ଦୁନିଆଁରେ ନିନ୍ଦାର ଡିଣ୍ଡିମ ବାଜି ଉଠିବ, ସ୍ତ୍ରୀ ଲାଳସାରେ ପଡ଼ି ନୀରଦ ଚାକିରି ହାରାଇଛି ।

 

ଏଣେ ନଳିନୀ ଘରର ସମସ୍ତ ବାସିପାଇଟି ଠାରୁ ଆରମ୍ଭକରି ରୋଷେଇ ବାସ ପର୍ଯ୍ୟନ୍ତ ଶେଷକରି ସ୍ୱାମୀଙ୍କ ଆସିବା ପଥକୁ ଅନାଇ ରହିଛି । ତାଙ୍କର ଖିଆପିଆ ଶେଷ ହେଲେ ନିଜେ ମୁଠାଏ ଖାଇବ । କେତେ ସମୟ ଚାହିଁ ବସିଲା । ସ୍ୱାମୀଙ୍କର ଦେଖା ନ ପାଇ ଭାବିଲା, ସକାଳେ କେହି ଜଣେ ଡାକୁଥିଲା ବୋଲି ଶୋଇଲା ଶେଯରୁ ଉଠି ଯାଇଛନ୍ତି । ଏପର୍ଯ୍ୟନ୍ତ କେଉଁ ଆଡ଼କୁ ଗଲେ । ଖାଇବା ବେଳ ଆସି ଗଡ଼ିଗଲାଣି । ଦାଣ୍ଡଦୁଆର କବାଟ ଖୋଲିଦେଇ ଦେଖିଲା ସ୍ୱାମୀଙ୍କ ହସ ହସ ମୁହଁଟି ମଉଳି ଯାଇଛି । ଆଖିର ଲୁହଧାରରେ ମୁହଁସାରା ଶିଉଲି ପଡ଼ିଯାଇଛି । ହାତରେ ଧରିଥିବା କାଗଜଖଣ୍ଡିକ ଓଦା ସରସର ।

 

ସ୍ୱୀମୀଙ୍କର ଏ ଅବସ୍ଥା ଦେଖି ନଳିନୀର ଗୋଡ଼ ହାତ ଅଚଳ ହୋଇଗଲା । ଆଖିର ଲୁହ ପୋଛିଦେଇ ଘଟଣାଟା ଶୁଣିବା ନିମନ୍ତେ ବ୍ୟାକୁଳ ହୋଇ ପଚାରିଲା, କେଉଁଥିଯୋଗୁଁ ତୁମେ ପିଲାଙ୍କ ପରି ଅଝଟିଆ କାନ୍ଦ କାନ୍ଦି, ମନମାରି ମଉନରେ ବସିଛ ? ଯେତେମତେ ନଳିନୀ କଅଁଳେଇ ପଚାରିଲା, ପଦେ ମାତ୍ର ଉତ୍ତର ଶୁଣିବାକୁ ପାଇଲା ନାହିଁ । ବେଳକୁବେଳ ଅଧିକ କୋହ ଉଠାଇ ନୀରଦ କାନ୍ଦିଲା । ନଳିନୀ ଓଦା ସରସର ଚିଠିଟି ଆଣି ପଢ଼ି ଜାଣିଲା ଚାକିରିଟି ଉଚ୍ଛେଦ ହୋଇଯାଇଛି । ସ୍ୱାମୀଙ୍କ ଗୋଡ଼ ହାତ ଧରି ସ୍ନେହମୟ ବାଣୀରେ କେତେ କ’ଣ ବୁଝାଇଲା, ‘ତୁମେ ଯେବେ ଏପରି ଅଧୈର୍ଯ୍ୟ ହୋଇ ପିଲାଙ୍କ ପରି କାନ୍ଦିବ, ତେବେ ମୁଁ କାହକୁ ଚାହିଁ ଏ ଜୀବନ ରଖିବି-? ଚାକିରି ଯାଇଛି ଯାଉ, ଏଇଥି ଲାଗି ଏତେ ଚିନ୍ତା ? ଯେ ଚାକିରି ନ କରିଛି, ଦୁନିଆଁରେ ତା’ର ପେଟ ଚାଖଣ୍ଡକ ତ ଅପୋଷା ରହୁ ନାହିଁ ? ଆମର ତ ଜମିବାଡ଼ି ଦୁଇଖଣ୍ଡ ଅଛି । ଭଗବାନ ହାତଗୋଡ଼ ଦେଇଛନ୍ତି । ମୂଲ ଲାଗି ପାଞ୍ଚମାଣ ରୋଜଗାର କରି ଚଳିଯିବା । ଜୀବନ ଥିଲେ ଦୁନିଆଁରେ ସବୁ ନାଟ ସବୁ ଚିନ୍ତା । ଏଇ ଗାଁର ହରିଆ ଜେନାର ପରା ଖାଉଳିଏ ପୁଅ ଝିଅ, ଦଶ କି ବାରରୁ ଊଣା ନୁହେଁ । ଜମିବୋଲି ତ ଗହୀରିରେ ଡେସିମିଲିଏ ସୁଦ୍ଧା ନାହିଁ । ଘର ଡିହଟିକୁ ଆଶ୍ରୟ କରି ଏ ଗାଁରେ ବାସ କରିଛି । ସେ ତ ଦୁଇପରାଣି ରୋଜଗାର କରି ଏଡ଼େ ବଡ଼ କୁଟୁମ୍ବ ଚଳାଉଛନ୍ତି-। ଆମ୍ଭେ କାହିଁକି ନ ଚଳିବା ? ମୋ ରାଣ ଦେଇ କହୁଛି । ଆସ ମୁଠିଏ ଖାଇସାରି ପରେ ଅନ୍ୟ ବିଚାର କରିବା ।

 

ଠିକ୍ ଏହି ସମୟରେ ବୁଢ଼ୀ ଉଖୁଡ଼ା ଗଣ୍ଠିଲିଟିଏ ହାତରେ ଧରି ବାପଘରୁ ଫେରିଆସୁଛି-। ପୁଅ ବୋହୂଙ୍କର ଏପରି ଘଟଣା ଦେଖି ବୁଢ଼ୀର ନାଡ଼ି ବନ୍ଦ ହୋଇଗଲା । ଗଣ୍ଠିଲିଟି ତଳେ ପକାଇଦେଇ ପୁଅକୁ କୁଣ୍ଢାଇ ପକାଇ କେତେ କଥା କହି ପକାଇଲା । କହିଲୁ ବହୂ, ତୁ କ’ଣ ମୋ ଧନମାଳୀକି ଗାଳିଫଜିତ କରି କହିଲୁ କି ? ନ ହେଲେ କାହିଁକି ସେ ଏପରି କାନ୍ଦି କାନ୍ଦି ଲୁହ ଶୁଖାଇଛି । କେଡ଼େ ସୁନ୍ଦର ଆଖି ଦୁଇଟି ଡିମା ଡିମା ହୋଇ ଫୁଲିଗଲାଣି । ଶାଶୁବୁଢ଼ୀ ଆଗରେ ନଳିନୀ ଆମୂଳଚୂଳ ବର୍ଣ୍ଣନା କରି ସମସ୍ତ ଘଟଣା କହିଗଲା । ବୁଢ଼ୀ ମୁଣ୍ଡଲୁଗା ଅଣ୍ଟାରେ ଭିଡ଼ି କହିଲା ‘ମୋ ଧନଟା ପରା, ଜୀବନ ଥିଲେ କାଲି ଭିତରେ କେତେ ଚାକିରି । ଘର ଭିତରକୁ ଆସିଲୁ, ମୁଠିଏ ଖାଇଦେଇ ଥିରମାରି ବସିପଡ଼ିବୁ । ନଅଣ୍ଟ ପଡ଼ିଲେ ଜମିଖଣ୍ଡେ ବିକି କରଜ ସୁଝିବା-। ମୋ ବାପାଟା ପରା, ଘର ଭିତରକୁ ଟିକିଏ ଆସିଲୁ ।’ ପୁଅକୁ ବୁଝାଇସୁଝାଇ ବୁଢ଼ୀ ଟିକିଏ ଆଶ୍ୱସ୍ତ କରାଇଲା । ହେଲେ ନୀରଦର ମନ ମାନେ କେତେକେ ? ଯେଉଁ ପଥକୁ ଚାହିଁ ସେ ଜୀବନ ଭୂମିକାରେ ସୁଖର ସଂସାର ଗଢ଼ିବ ବୋଲି କଳ୍ପନା କରିଥିଲା, ସେହି ପଥରେ ବିରାଟ ପ୍ରତିବନ୍ଧକ ସୃଷ୍ଟି ହୋଇଛି । ହତଭାଗ୍ୟ ଜୀବନରେ ଆଉ ଥରେ ଆଲୋକ ଫେରିଆସିବ ନାହିଁ । ଗୋଟିଏ ଦୁଃଖର ଅପସାରଣ ନ ହେଉଣୁ, କୋଟିଏ ଦୁଃଖର ସମାବେଶ ହେଉଛି । ‘ହେ, ଭଗବାନ, ବିଚିତ୍ର ଦୁନିଆଁର କରତା ହୋଇ ତୁମେ କ’ଣ କରି ନ ପାରୁଛ ? କିଏ ଚିରଦିନ ଆନନ୍ଦରେ ହସି ହସି ଗଡ଼ିଯାଏ, କିଏ ଚିରଦିନ କଷଣ ଭୋଗି ସଢ଼ିମରେ । ଏଇ ତ ତୁମରି ଦୁନିଆଁ-

 

-ଊଣେଇଶ-

 

ପ୍ରଗତିଶୀଳ ଦୁନିଆରେ ମଣିଷ ଚଳିବା ବଡ଼ ଦୁଷ୍କର । ମଣିଷ ଭବିଷ୍ୟତ ଚିନ୍ତା କରି ନ ପାରି ବର୍ତ୍ତମାନର ସ୍ୱାର୍ଥଲାଳସାରେ ଲାଳାୟିତ ହୋଇ ପ୍ରତ୍ୟେକ କର୍ତ୍ତବ୍ୟରେ ହାତ ଦେଇଥାଏ । ନିଜର ସ୍ୱାର୍ଥ ପାଇଁ କୋଟି କୋଟି ଜନତାର ମଙ୍ଗଳମୟ ପଥରେ ଅନେକ ଅନ୍ତରାୟ ସୃଷ୍ଟି କରାଇଥାନ୍ତି । ଏ ଜୀବାତ୍ମା ଯେତେବେଳେ ମାଟିଘଟ ଛାଡ଼ି ଇହଧାମରୁ ବିଦାୟ ନିଏ, ସେତେବେଳେ ନିୟତି ପାପ ପୁଣ୍ୟର ବିଚାର କରି ଜନ୍ମାନ୍ତର କରାଇଥାଏ । ଯାହାର ପୁଣ୍ୟ ଯେତିକି ଅଧିକ, ତାହାର ଜୀବାବତାର ସେତିକି ଉଚ୍ଚକୁ ଉଠେ ଏବଂ ଯାହାର ଜୀବନ ଯେତେ ପଙ୍କିଳ, ସେ ପରଜନ୍ମରେ ସେତିକି ନଗଣ୍ୟକୁ ଗତିକରେ । ପାପ ଅର୍ଜନ କରିବାକୁ ହେଲେ ମାନବ ପ୍ରତ୍ୟେକ କାର୍ଯ୍ୟର ପ୍ରତ୍ୟେକ ସ୍ଥଳରେ କରିପାରେ ।

 

ସେହିପରି ଗୋବିନ୍ଦ ଥିଲା ଦୁନିଆଁରେ ଗୋଟିଏ ସୁଖର ପାତ୍ର । ସେତେବେଳେ ସେ ଭବିଷ୍ୟତ ଚିନ୍ତାକୁ ମୁଣ୍ଡରେ ସ୍ଥାନ ଦେଇ ନାହିଁ । ଧନମଦରେ ଭୋଳ ହୋଇ ସମୟ ସମୟରେ ଦୁଃଖିରଙ୍କିଙ୍କ ଠାରୁ କରଜ ଆଦାୟ କଲାବେଳେ କେତେ ପାଶବିକ ଅତ୍ୟାଚାରର ଆଶ୍ରୟ ନେଇଛି-। ଧରି ଆଣ ବୋଇଲେ ମାରି ଆଣୁଥିଲା । ମହାଦେବଙ୍କ ଶିରରୁ ବେଲପତ୍ରଟିଏ ଊଣା ହେବ ପଛେ ଗୋବିନ୍ଦର କଳିକଜିଆ ଦିନେ ହେଲେ ଊଣା ନୁହେଁ । ଆଜି କାହାକୁ ଦୁଇ ଚଟକଣି ବସାଇ ଦେଇଛି ତ, କାଲି ପୁଣି କାହାକୁ ବେଜିତ୍ କରି ପାଞ୍ଚଲୋକରେ ତା’ର ଇଜତ୍ ସାରିଛି । ଏ ବ୍ୟବହାରରେ ଗାଁର ପିଲାଠାରୁ ବୁଢ଼ା ପର୍ଯ୍ୟନ୍ତ ସମସ୍ତେ ଗୋବିନ୍ଦ ଉପରେ ଅସନ୍ତୁଷ୍ଟ । ସଦାଶିବ ରାୟ ଥିଲାବେଳେ ତାଙ୍କ ମୁହଁକୁ ଚାହିଁ କେହି କିଛି କହିପାରନ୍ତି ନାହିଁ । ଏଣିକି ପଦକେ ଦୁଇପଦ ଉତ୍ତର ଦେଇ ଦରକାର ପଡ଼ିଲେ ଦୁଇଟା ଥୋଇବା ପାଇଁ ପଛାଉ ନାହାନ୍ତି । ଯେ ଯାହାଠାରୁ ଯେପରି ବ୍ୟବହାର ପାଏ, ସେ ନିଶ୍ଚୟ ତାକୁ ସେଇପରି ବ୍ୟବହାରରେ ସନ୍ତୁଷ୍ଟ କରିବ ।

 

ଲୋକଙ୍କର ଏତେ ଗାଳିଗୁଲଜରେ ଗୋବିନ୍ଦର ଔଦ୍ଧତ୍ୟ କମିଲା ନାହିଁ । ବରଂ ଦିନକୁଦିନ ବଢ଼ିବାରେ ଲାଗିଲା । ଭଲରେ ମନ୍ଦରେ କହିବାକୁ ବା ବୋଲିବାକୁ ଏଡ଼େ ବଡ଼ ଘରଟାରେ କେହି ହେଲେ ଜଣେ ନାହିଁ । ନଛୋଡ଼୍‌ବନ୍ଧା ପରି ଯାହା ମନପାଏ ସେ ତାହା କରିଯାଏ-। ରାୟ ବୁଢ଼ା କେତେ କଷ୍ଟରେ ଯେଉଁ ଧାନ ସଞ୍ଚି ରଖି ଯାଇଥିଲା, ଗୋବିନ୍ଦ ମଉଜରେ ବସି ମନଇଚ୍ଛା ଉଡ଼ାଇ ଖତମ କରିଦେଲାଣି । ଆଜି ଗଞ୍ଜେଇ ଖାଇବା, କାଲି ଜୁଆ ଖେଳିବା ବା କୁକୁଡ଼ା ଭୋଜିରେ ଗମାତ ଉଠାଇବାଟା ଗୋବିନ୍ଦର ହେଲା ପ୍ରଧାନ ବ୍ୟବସାୟ । ଗାଁର କେହି ଆତ୍ମୀୟ ଲୋକ ଏପରି ପ୍ରକୃତିକୁ ବାରଣ କଲେ, ଗୋବିନ୍ଦ କଡ଼ାକଡ଼ାକେ ମୁହଁ ବନ୍ଦ କରିଦିଏ । ‘ମୋ ବାପଧନ ମୁଁ ଖାଇଲି, ତୁମର କ’ଣ ଗଲା ହେ ।’ ମଲାଗଲା ସଂସାର, ସୁଖରେ ଖାଇ ଖଣ୍ଡେ ପିନ୍ଧିଲେ କାମ ଫତେ, ଧନ କଥା ପଚାରେ କିଏ ? ଉଡ଼ାବୁଡ଼ିଆ ଘରବୁଡ଼ା ପ୍ରକୃତି ଯୋଗୁଁ ଝିଅଟିଏ କେହି ଦେଉନାହାନ୍ତି । ସେହି ଦିନଠାରୁ ବିଭାଘର ଅସମାପ୍ତ ରହିଯାଇଛି । ମନେପଡ଼ିଲେ ଗାଁର ସାଙ୍ଗସାଥୀ ଟୋକାଙ୍କ କଥା ଭାବି ବସେ । ପରମୁହୂର୍ତ୍ତରେ ଯଥାତଥା । ଏଣିକି ସକାଳୁ ସଞ୍ଜଯାଏ ତଅଁଳେଇ ଗୁଡ଼ିଆଣୀଘର ଏବଂ ପରିଆ ଗଞ୍ଜେଇ ଦୋକାନରେ ଦିନ କଟେ । ରୋଷେଇ ଗଣ୍ଡେ କରିବାକୁ ପଡ଼େ ନାହିଁ । ସେଇଠି ସବୁ ଖିଆପିଆ ଚଳିଯାଏ ।

 

ଦିନ ଆସିଲା, ଘରର ଧନସମ୍ପତ୍ତି କେତେଟା ମାସ ଭିତରେ ଛାରଖାର ହୋଇଗଲା । କେତେ ଦୁଃଖିରଙ୍କିଙ୍କର ତଣ୍ଟିଚିପା ଧନରେ ଯେଉଁ ସଦାଶିବ ରାୟଙ୍କର ଟ୍ରେଜେରୀ ପୂରି ଉଠିଥିଲା, ମହଲା ମହଲା ଧାନ ଅମାର ପୂରି ଉଠିଥିଲା ପୁରୁଷେ ନ ଯାଉଣୁ ତାହା କେଉଁଆଡ଼େ ଉଭେଇଗଲା-। ସେଥିପାଇଁ ଗୋଟିଏ ପ୍ରବଚନ ଅଛି ‘‘ଅଧର୍ମ ବିତ୍ତ ବଢ଼େ ବହୁତ, ଗଲାବେଳେ ଯାଏ ମୂଳ ସହିତ-।’’ ଗୋବିନ୍ଦ ନିଜର ଗୁଜୁରାଣ ମେଣ୍ଟାଇବାରେ ଅସୁବିଧା ଭୋଗିଲା । ଅନ୍ୟ ଉପାୟ ନ ପାଇ କରଜ ଖାତାଟି ନେଇ ଗାଁର ପଢ଼ୁଆ ପିଲା ସଦାନନ୍ଦ ନିକଟକୁ ଗଲା । ସଦାନନ୍ଦ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ପ୍ରତ୍ୟେକ ଖାତକମାନଙ୍କ ନାମ ପଢ଼ିନେଲା । ଗୋବିନ୍ଦ ମନଦେଇ ଶୁଣୁଥାଏ-। ଶେଷରେ ଶୁଣିଲା ନୀରଦ ଦୁଇଶତ ଟଙ୍କା କରଜ ନେଇଛି ।

 

ଏଥର ବେଶ୍‍ ସୁଯୋଗ ପଡ଼ିଗଲା । ନଳିନୀ ମୋର ସୁଖପଥରେ ପକାଇ ଦେଇଛି କଣ୍ଟକ । ସେହି କଣ୍ଟକରେ ମୁଁ ସର୍ବହରା ହୋଇଯାଇଛି । ନିଶ୍ଚୟ ପ୍ରତିଶୋଧ ନେଇ ମୋ ମନର ଜିଗୀଷା ପୂରଣ କରିବି । କେତେ ଭାବନାରେ ସେଦିନ ରାତିଟି ଅବସାନ ହେଲା । ସକାଳୁ ଉଠି ଗୋବିନ୍ଦ ବନମାଳୀପୁର ଅଭିମୁଖେ ବାହାରିଲା । ମନରେ ଅଟଳ ପ୍ରତିଜ୍ଞା ନେଇ ଘରୁ ସିନା ବାହାରି ଆସିଛି, ନଳିନୀକୁ ଦେଖିଲାମାତ୍ରେ କ’ଣ ବୋଲି କହିବ, ସେ ଭାବନା ମନରେ ପଡ଼ୁ ନାହିଁ । ନୀରଦର ଘରେ ପହଞ୍ଚି ଦେଖିଲା ନୀରଦ ନାହିଁ । ନଳିନୀ ଏକାକୀ ଘରେ କାମ ପାଇଟି କରୁଛି । ନଳିନୀକୁ ଦେଖିବା ମାତ୍ରେ ଗୋବିନ୍ଦର ସମସ୍ତ ଈର୍ଷାଭାବ ଦୂରୀଭୂତ ହେଲା । ମନେମନେ ଭାବିଲା, ନଳିନୀ, ତୁମେ ହତଭାଗିନୀ । ନ ହେଲେ ନୀରଦର ହାତ ଧରିବା ତୁମ ଭାଗ୍ୟରେ ନ ଥାନ୍ତା । ଦୁଇଶତ ଟଙ୍କାର ଅସଲ ସୁଧ ହିସାବ କରି ନୀରଦ କେଉଁଆଡ଼କୁ ଯାଇଚି ବୋଲି ପଚାରିଲା । ନଳିନୀ ସରମବୋଳା ତୁଣ୍ଡରେ ଗୋବିନ୍ଦକୁ କହିଲା, ସେ ଘରେ ନାହାନ୍ତି । ବୋଧହୁଏ କାଲିକି ଫେରିଆସିବେ । ତୁମେ ଘରକୁ ଯାଇଥାଅ । ସେ ଆସିଲେ ମୁଁ ତାଙ୍କୁ ଏ କଥା କହିବି । ଯେଉଁଠୁ ହେଲେ କରଜ ଆଣି ତୁମର ଟଙ୍କା ପରିଶୋଧ କରିଦେବେ । ନିରାଶହୋଇ ଗୋବିନ୍ଦ ନିଜ ପଥରେ ଫେରିଲା । ଗଲାବେଳେ ଭାବୁଥାଏ, ନୀରଦ ପଛକେ ଟଙ୍କା ନ ଦେଉ, ମୁଁ ଏହିପରି ନିଇତି ଟଙ୍କା ବାହାନାରେ ଆସି ନଳିନୀର ଲୋଭୀନୟ ଠାଣିକି ଦର୍ଶନ କରୁଥାଏ । ସୁବିଧା ସୁଯୋଗ ହେଲେ ମନ ଭୁଲାଇ ଦିନେ ନା ଦିନେ ଅଧୀନସ୍ଥ କରିବି । ‘ହେ ଦୟାମୟ, ଏହି ବ୍ୟବସ୍ଥାର ବିଚାର କର୍ତ୍ତା ତୁମେ ।’

 

-କୋଡ଼ିଏ-

 

ଦୁନିଆଁରେ ଜନ୍ମହେଲେ ମରଣ ନିଶ୍ଚୟ । ମାତ୍ର ଅମର ସ୍ମୃତିହିଁ ଚିରନ୍ତନ । ନୀରଦର ସୁଖର ସଂସାର ସରିଯାଇଛି । ଜୀବନରେ ଘୋଟି ଆସିଛି ନୀବିଡ଼ ଅନ୍ଧକାର । ପିତାଙ୍କ ପଥକୁ ଅନୁସରଣ କରି କେତେଟା ବରଷ ବିତି ଯାଇଥିବା ଭିତରେ ମା ବୁଢ଼ୀ ଇହଧାମ ତ୍ୟାଗକରି ଚାଲିଗଲେ । ନୀରଦର ମା ବାପ ଡାକ ଭିତରେ ଦୀର୍ଘ ପୂର୍ଣ୍ଣଚ୍ଛେଦ ସବୁଦିନ ପାଇଁ ପଡ଼ିଯାଇଛି ।

 

ଆଲୋକ ଲିଭିଯାଏ, ଅନ୍ଧାର ବଢ଼ିଚାଲେ । କଥାରେ କହନ୍ତି ଲୁଣ ଖାଏ ହାଣ୍ଡି, ଚିନ୍ତାଖାଏ ଗଣ୍ଡି । କେତେ କେତେ ଦୁଃସହ ଚିନ୍ତା ନୀରଦର କୋମଳ ହୃଦୟକୁ ଘାଣ୍ଟି ଚକଟି ପକାନ୍ତି-। ବେଳ ଯାଏ ପୁଣି ଆସେ । ସକାଳୁ ସଞ୍ଜପ୍ରହର ଯାଏ ଘରର କାମ ନାହିଁ ଧନ୍ଦାନାହିଁ, କି ମନରେ ସୁଖ ନାହିଁ । ଦୁଇଟିଯାଗ ଚକୁଆ ଚକୋଈ ଗୋଟିଏ ବିଜନ ଗୃହରେ ବସି ଅଲୋଡ଼ାରେ ଲୁହଢାଳି ମନେମନେ ଡାକୁଥାନ୍ତି । ‘ଆମକୁ ନେଇଯାଅ ତୁମରି କୋଳକୁ । ଚିରଦିନ ତୁମରି ପଦସେବାରେ ଆମର ଦିନ ବିତିଯାଉ ।’ ନୀରଦ କାନ୍ଦି ବସେ । ନଳିନୀ ଧୈର୍ଯ୍ୟଧରି ନିଜର ପ୍ରାଣପତିଙ୍କୁ ବୁଝାଏ, ସାହସ ଦିଏ । ବାପା, ମା ବୋଲି ଆଜିଠାରୁ ମରଣ ପର୍ଯ୍ୟନ୍ତ ବସି ଡାକିଲେ ସେମାନେ ଆଉ ଫେରିଆସିବେ ନାହିଁ କି ଆମର ବ୍ୟାକୁଳତା ବୁଝିପାରିବେ ନାହିଁ । ଦୁନିଆଁ ରଙ୍ଗମଞ୍ଚରେ ଯେତିକି ସମୟ ତାଙ୍କର ସୁଆଙ୍ଗ ଥିଲା ସେତିକି ସମୟ ଶେଷକରି ସେମାନେ ବିଦାୟ ନେଇଛନ୍ତି । ତୁମେ କ’ଣ ବୁଝିପାରୁନା ? ସ୍ୱଚକ୍ଷୁରେ ଦେଖୁଛ ନାଚ ତାମସା । ଏ ଜୀବନ ଖେଳଟା ଠିକ୍ ସେହିପରି-। ଦିନ ଆସିବ, ଆମେ ମଧ୍ୟ ତାଙ୍କପରି ଚାଲିଯିବା । ବିଷୟ ମାଧ୍ୟମରେ କେତେ ରାଜା, ରାଣୀ, କୁମାର, ଦାସ, ଦାସୀ ହୋଇ ନାଚ ତାମସାରେ ଅଭିନୟ କରନ୍ତି । ସେ ଅଭିନୟ ଯେତେବେଳେ ଶେଷହୁଏ, କେହି ରାଜା ନୁହେଁ କି କେହି ରାଣୀ ନୁହେଁ । ସମସ୍ତେ ପର । କେହି କାହାର ସମ୍ପର୍କୀୟ ମଧ୍ୟ ନୁହନ୍ତି । ମୋ ରାଣ ଦେଇ କହୁଛି, ତୁମେ ଏପରି ପିଲାଙ୍କପରି ଅଝଟିଆ ହୁଅନା । ଥୟ ଧରିଲେ ମନରେ ଦମ୍ଭ ହେବ । ସେଇଥିପାଇଁକି ବୁଢ଼ା ବୁଢ଼ା ଲୋକ କହିବାର ମୁଁ ଶୁଣିଛି, ‘ବିପଦ ବେଳେ ନ ହେବ କାତର, ସମ୍ପଦ ବେଳେ ନ କହିବ ଚାତର ।’ ନିଜ ପ୍ରିୟତମାର ବୀଣାଜିଣା ମଧୁର ବାଣୀରେ ନୀରଦ ବୁଝେ, ମାତ୍ରକ କରଜ ଚିନ୍ତା ମନରୁ ଯାଏ ନାହିଁ । ଦିନକୁ ଦିନ ସାହୁ ମହାଜନଙ୍କ ଜୁଲମ ବଢ଼ିଚାଲିଛି । ରକତ ଥିଲା ଦେହ ସହେ ନାହିଁ । ଏକା ନଳିନୀ ଲାଗି, ନୋହିଲେ ମନରେ କେତେ ପାଞ୍ଚକରି ନୀରଦ ଘରୁ ପାଦକାଢ଼ି ସାରନ୍ତାଣି ।

 

ସନ ଊଣେଇଶ ଏକଷଠି ଓ ବାଷଠି ମସିହା । ରାଜ୍ୟ ସାରା ଚାରିଆଡ଼େ ହାହାକର । ଶସ୍ୟଶ୍ୟାମଳା କେଦାରଗୁଡ଼ିକ ଭାଦ୍ରବ ଆଶ୍ୱିନ ମାସରେ ରୁକ୍ଷ ଶିରୀହୀନା ହୋଇ ପଡ଼ିଛି । ଶ୍ରାବଣ ମାସର ବେଉଷଣ ପୂର୍ବରୁ, ବର୍ଷା କେଉଁ ଦୂର ଗଗନ ଅନ୍ତରାଳରେ ଲୁଚିଯାଇଛି । ଦିନମଣିଙ୍କର ଚାଇଁ ଚାଇଁ ମୁଣ୍ଡଫଟା ଖରା ଶ୍ୟାମଳ କୋମଳ ଧାନଗଛର ଶୋଭାକୁ ଅପହରଣ କରି ମଉଳାଇ ଦେଲା । ତା’ପରେ କେତେଦିନ ବିତିଯିବା ଉତ୍ତାରେ ଶ୍ୟାମଳ ବରଣ ପରିବର୍ତ୍ତେ ହଳଦିଆ ବରଣ ହୋଇ କେଦାରେ କେଦାରେ ଧାନଗଛ ସମୂହ ଜୀବନ୍ତ ସମାଧି ଆହରଣ କଲେ । ଠାବେ ଠାବେ ପଶି ଗୋହିରିରେ ଦେଖାଗଲା ଗୋରୁ ଗାଈମାନଙ୍କର ଗହଳ ଚହଳ । ଭାରତରେ ପ୍ରାୟ ଅଧିକାଂଶ ରାଜ୍ୟରେ ଏହି ଶସ୍ୟହାନି ହୋଇଥିଲା । ଲୋକମାନେ ଘୋର ପ୍ରମାଦ ଆଶାକରି ଆତଙ୍କିତ ହେଲେ । ‘କ’ଣ ଖାଇ ବଞ୍ଚିବା ।’ ଏହା ପୂର୍ବରୁ ନୀରଦର କେତେ ଖଣ୍ଡି ଜମି ମହାଜନଙ୍କ ହାତରେ ବନ୍ଧକ ସୂତ୍ରେ ପଡ଼ିଯାଇଥିଲା । ଆଉ ବଳକା କେତେ ଖଣ୍ଡ ଜମି ଚାଷ କରିଥିଲା ଯେ ସେଥିରେ ହେଲେ ବିହନ ବାବଦ ମାଣେ ଆଦାୟ ହେଲା ନାହିଁ । କ’ଣ ଖାଇ ସେ ସଂସାରରେ ଜୀବନ ଧରି ରହିବ ? ଏଣେ ସାହୁକାରମାନଙ୍କର ଜୁଲମ ବେଳକୁବେଳ ଅଧିକ ବଢ଼ିଚାଲିଛି । ଏହି ଭାବନାରେ ନୀରଦ ଯେତେବେଳେ ନଳିନୀର ଏବଂ ନିଜର ପିଲାଦିନିଆ କଥା ଭାବେ ସେତେବେଳେ ମନରେ ଛୁଟିଆସେ ହାଡ଼ଫଟା ଯାତନା । ‘ନଳିନୀ, ସତ୍ୟ, ପଣ ଆଶାର କି ଶେଷ ପରିଣାମ ଏୟା । ପିତା ମାତାଙ୍କର ଗୋଟିଏ ବୋଲି ଝିଅ । ଅପତ୍ୟ ସ୍ନେହ ସୁହାଗରେ କିଶୋରୀ ଜୀବନ ନିଖୁଣ ଛାଞ୍ଚରେ ଗଢ଼ିଥିଲ ସହିବାକୁ ସୌରଭ ଜୀବନରେ ନିର୍ଯାତନା । ଧନ୍ୟରେ ବିଧାତା, ତୁମ୍ଭର ବିଚାର ଯଥୋଚିତ-? ତୁମଙ୍କୁ ପଛରେ ପକାଇ ସୁଖୀ ସୁଖରେ ଦିନ କଟାଏ, ଦୁଃଖୀ ତୁମ୍ଭ ନାମ ଭଜି ଦୁଃଖରେ ପଡ଼ି ଗଡ଼ିମରେ । ନଳିନୀକୁ ପାଖରେ ବସାଇ ନୀରଦ ଘରର ବାହାର ବାରାଣ୍ଡାରେ ବସି ଭବିଷ୍ୟତ ଚିନ୍ତା କରୁଛନ୍ତି । କ’ଣ ଖାଇ ସଂସାରରେ ଆମେ ବଞ୍ଚି ରହିବା ? ଏତିକିବେଳେ ଦାଣ୍ଡ ଦୁଆରେ ଶୁଭିଲା ଦାମସାହୁଙ୍କ ବିକଟାଳିଆ ପାଟି । ଦାମସାହୁଙ୍କ ପାଟି ଶୁଣି ନୀରଦ ଘରୁ ବାହାରକୁ ଆସି ଦେଖିଲା, ଦାମ ସାହୁଙ୍କ ଆଖି ଲାଲ ଲାଲ ହୋଇ ରଙ୍ଗା ପଡ଼ିଯାଇଛି-। ମୁହଁରେ କଡ଼ା ଈର୍ଷା ଦୀପ୍ତି ଜଳି ଉଠୁଛି-। ଏହାପୂର୍ବରୁ ସେ ନୀରଦକୁ ନିଜର ଋଣ ପରିଶୋଧ କରିବା ନିମନ୍ତେ କହି ସାରିଛନ୍ତି । ‘ଅଭାବେ ସ୍ୱଭାବ ନଷ୍ଟ’ । ନିଜର ପାରିବାରିକ ଅଭାବ ଯୋଗୁଁ ନୀରଦ ପରିଶୋଧ କରିପାରିଲା ନାହିଁ-। ଘରେ ବୋଲି ଧାନ ମୁଣ୍ଡିଟାଏ ନାହିଁ । ଶ୍ୱଶୁରଘର ଧନରେ କେତେ ମାସ ହେବ ଚଳିଗଲେଣି-। ଶାଶୁ ଶ୍ୱଶୁର ଥିଲେ ବରଷକ ଯାଏ ପରବାୟ ନ ଥାନ୍ତା । ସେ ମଧ୍ୟ ଝିଅଜୋଇଁଙ୍କ ଦୁଃଖ ଆଖିରେ ନ ଦେଖିବା ପାଇଁ ସଂସାରରୁ ବିଦାୟ ନେଇଛନ୍ତି । ନିଜର ଆତ୍ମୀୟ ଭିତରେ ନଳିନୀର ଭାଇ ଗୋପାଳିଆ । ଗୋପାଳିଆ ପରଝିଅ କଥାକୁ ରେଡ଼ିଦେଇ କେତେଦିନ ପର୍ଯ୍ୟନ୍ତ ନିଜ ଭଉଣୀ ଭିଣୋଇଙ୍କୁ ମହରଗ କାଳରେ ଚଳେଇବ ? ପରଝିଅ ହୋଇ ସହୁଛି କେତେକେ ? ନୀରଦର ଆଉ କୌଣସି ସମ୍ବଳ ନ ଥିଲା । ଥିଲା ଗାଈ ବାଛୁରୀ ଦୁଇପଟ ଏବଂ ଚାଷ ନିମିତ୍ତ ବଳଦ ଦୁଇପଟ-। ଦାମସାହୁ ଜୋର ଜବରଦସ୍ତିରେ ଗୁହାଳ ଘରୁ ବଳଦ ଦୁଇପଟ ନେଇ ଚାଲିଗଲା-। ସ୍ୱାମୀ ସ୍ତ୍ରୀ ଦୁଇଟି ଛଳ ଛଳ ନୟନରେ ଜଳ ଜଳ ହୋଇ ଚାହୁଁଥାନ୍ତି-। ପାଟିରୁ ପଦେମାତ୍ର ବାକ୍ୟ ସ୍ଫୁରିଲା ନାହିଁ, ଖସି ପଡ଼ିଲା ଚାରୋଟି ନୟନରୁ କେତେ ଠୋପା ଅଶ୍ରୁ-। ଦାମସାହୁ ଏ କରୁଣ ଦୃଶ୍ୟକୁ ଥରେ ମାତ୍ର ଅବଲୋକନ ନ କରି, ବଳଦ ଦୁଇପଟ ଅଡ଼ାଇ ଚାଲିଗଲା ।

 

ସର୍ବହରା ନୀରଦର ଘରେ ଦୁଇଦିନ ହେଲା ଚୁଲି ଜଳି ନାହିଁ । ଦୁଇଟି ପ୍ରାଣୀ ଉପାସରେ ପଡ଼ି ଘାଣ୍ଟି ସନ୍ତୁଳି ହେଉଛନ୍ତି । ନଳିନୀର ଭାଇ ଗୋପାଳିଆ ନିଜ ସ୍ତ୍ରୀକୁ ଲୁଚାଇ ଚୋରାଇ ଭଉଣୀକୁ ଯେତେ ସାହାଯ୍ୟ କରିଥିଲା, ତାହା ହତଭାଗା ହତଭାଗିନୀ କପାଳକୁ ଅଣ୍ଟିଲା ନାହିଁ । ଅନ୍ୟ ଉପାୟ ନ ପାଇ ନୀରଦ ଗୁହାଳର ଗାଈ ଦୁଇପଟ ବାଧ୍ୟହୋଇ ବିକ୍ରିକରି ମା ଶୁଦ୍ଧଘର ଋଣ ପରିଶୋଧ କଲା । ବାକି ବଳକା ଟଙ୍କା କେତାଟା ଯେ, ସେଥିରେ କେତେଟା ଦିନ ଚଳିବ ? ସେଥିମଧ୍ୟରେ କେତେ ଅନ୍ନହୀନା କଙ୍କାଳସାର ବୁଭୁକ୍ଷଙ୍କ ମରମ ଫଟା ଚିତ୍କାର । ଦିନସାରା ଗୋଟିଏ ନ ଯାଉଣୁ ଆଉ ଗୋଟିଏ ଦାଣ୍ଡେ ଦାଣ୍ଡେ ବୁଲିଯାନ୍ତି ମୁଠିଏ ଖାଦ୍ୟ କିମ୍ବା ଭିକ୍ଷା ଅନ୍ୱେଷଣରେ । ନୀରଦର ଦେହ ସହେ ନାହିଁ । ବେଳେବେଳେ ନିଜର ଖାଇବା ମୁଠିକ ନେଇ ଭିଖାରିଙ୍କ ପତରରେ ଅଜାଡ଼ିଦିଏ । ଆଜି ସେ ସର୍ବସ୍ୱାନ୍ତ ହୋଇ ଘରେ ବସିଛି । ଶୁଖିଲା ରୋଜଗାରର ପଥ ବନ୍ଦ ହୋଇଯାଇଛି । ମଝିରେ ମଝିରେ ଜେନାପଦା ଗୋବିନ୍ଦର ଜୋରଜୁଲମ୍ କହିଲେ ନ ସରେ । ତା’ର ଅସଲ ସୁଧହୋଇ ଅଢ଼େଇଶହ କି ତିନିଶହ ଟଙ୍କା ହେବ । ଗୋବିନ୍ଦ ଢେର ଦିନ ସହିଲାଣି, ଏଣିକି ତା’ ନିଜ ଖାଇବାପାଇଁ ନିଅଣ୍ଟ ପଡ଼ୁଛି । ଯେକୌଣସିମତେ, ମୋତେ ଗୋବିନ୍ଦର ସମସ୍ତ ଟଙ୍କା ପରିଶୋଧ କରିବାକୁ ପଡ଼ିବ । ଏହି ଭାବନାରେ ନୀରଦ ବାଟ କାଟିଲା । ଆଜିପର୍ଯ୍ୟନ୍ତ ନଳିନୀକୁ ଦିନେ ହେଲେ କୌଣସି ମରମ କଥା ଲୁଚାଇ ନାହିଁ । ରୂପସୀ ନଳିନୀକୁ ମନରୁ ପାସୋରି କେତେଦିନ ପର୍ଯ୍ୟନ୍ତ ଦୂର କରିବାକୁ ପଡ଼ିବ । ଏଇ ରାତିଟି ଯେ ବୋଧହୁଏ ମୋର ଶେଷମିଳନ, ଶେଷଦେଖା । ନଳିନୀ ପାଇଁ ଆଖିରୁ ଝରିପଡ଼ିଲା କେତେ ଟୋପା ମରମଫଟା ଅଶ୍ରୁ । ପ୍ରିୟତମା, ଆଜିଠାରୁ କେତେଦିନ ପାଇଁ ତୁମ୍ଭ ଆମ୍ଭ ମିଳନରେ ଯବନିକାର ପତନ ହେବ । ଜାଣିପାରିବ ନାହିଁ ମୋର ଅନ୍ତର । ତୁମପାଇଁ ଗୋପନ କରିଛି, ଲୁଚାଇ ରଖିଛି । ହେ ଦୟାମୟ, ଏହି ମୋର ଅନ୍ତିମ ପ୍ରାର୍ଥନା, ତୁମରି ହସ୍ତରେ ନଳିନୀର ସମସ୍ତ ଦାୟିତ୍ୱ ଦେଇ ମୁଁ ଆଜି ଚାଲିଯାଉଛି । ଦୀନବନ୍ଧୁ ନାମଟିକୁ ପ୍ରକୃତରେ ଯଦି ଆଦର କରୁଥିବ, ତେବେ ଅସହାୟ ଦୁର୍ବଳା ଅବଳାର କୌଣସି ଅନିଷ୍ଟ ହେବ ନାହିଁ ।

 

-ଏକୋଇଶ-

 

ସେହିବର୍ଷ, ଊଣେଇଶ ବାଷଠି ମସିହା ଅକ୍ଟୋବର କୋଡ଼ିଏ ତାରିଖ ଠାରୁ ଭାରତର ଭାଗ୍ୟ ଇତିହାସରେ ପଡ଼ୋଶୀ ଦେଶ ଚାଇନା ଆଙ୍କିଦେଲା କଳାଦାଗର କଳଙ୍କ । ଦୁର୍ଦ୍ଧର୍ଷ ଚାଇନା ଭାରତର ବନ୍ଧୁ ସ୍ନେହ ଓ ମମତା ତ୍ୟାଗକରି ନିଜର ରାଜ୍ୟବିସ୍ତାର ଲାଳସାରେ ଅତର୍କିତ ଆକ୍ରମଣ ଆରମ୍ଭ କରିଦେଲା । ଉଭୟ ଦେଶମଧ୍ୟରେ ସୀମା ସଂକ୍ରାନ୍ତୀୟ ଆରମ୍ଭହେଲା ତୁମୂଳ ସଂଗ୍ରାମ । ସାରା ପୃଥିବୀପାଇଁ ଏହା ଗୋଟିଏ ଭୟାନକ ସଙ୍କଟ । ପୃଥିବୀର ସମସ୍ତ ସ୍ୱାଧୀନରାଷ୍ଟ୍ର ଚାଇନାର ଏ ପ୍ରକାର ନୀତିରେ ପ୍ରମାଦ ଗଣିଲେ । ଏହାପୂର୍ବରୁ ଦ୍ୱିତୀୟ ମହାସମର ସମୟରେ ଆମେରିକା କର୍ତ୍ତୃକ ଅପ୍ରତ୍ୟାଶିତ ପରମାଣୁ ବୋମାର ନିକ୍ଷେପ ଫଳରେ ଜାପାନର ହିରୋସୀମା ଓ ନାଗାସାକି ସହର ଦୁଇଟି ଏକାବେଳକେ ନିଶ୍ଚିହ୍ନ ହୋଇଗଲା । ଲକ୍ଷ ଲକ୍ଷ ଲୋକ ଏକ ମୁହୂର୍ତ୍ତରେ ଅକାଳରେ ମୃତ୍ୟୁମୁଖରେ ପଡ଼ିଲେ । ସେ କଥା ମନେପଡ଼ିଗଲେ ବିଶ୍ୱର ଜନତା ଭୟରେ ଥରିଉଠନ୍ତି । ସେହିଦିନୁ ପ୍ରତ୍ୟେକ ସ୍ୱାଧୀନରାଷ୍ଟ୍ରରେ କିପରି ଶାନ୍ତିସ୍ଥାପନ ହେବ, ପ୍ରତ୍ୟେକ ରାଷ୍ଟ୍ରନାୟକମାନେ ଏହାର ଚିନ୍ତା କରୁଥିଲେ । ନିର୍ଲ୍ଲଜ୍ଜ ଚାଇନା ବିଶ୍ୱପଞ୍ଚାୟତରୁ ବହିର୍ଭୂତ ହୋଇ ସ୍ୱଇଚ୍ଛାରେ ଭାରତ ଜନନୀର ଶାନ୍ତିସୀମାନ୍ତ ବକ୍ଷରେ ଆରମ୍ଭକଲା ସଂଗ୍ରାମର ତାଣ୍ଡବ ଲୀଳା । ଭାରତର ସର୍ବତ୍ର ପୁରପଲ୍ଲୀ ଜନତା ମଧ୍ୟରେ ଐକ୍ୟ ଭାବର ନୂତନ ଜାଗରଣ ଦେଖାଗଲା । ମାତୃଭୂମିର ମୁକ୍ତିଲାଗି ସମସ୍ତ ଦେଶବାସୀ ପ୍ରାଣ ସମର୍ପଣକରି ପ୍ରବଳ ଆକ୍ରମଣକାରୀ ଶତ୍ରୁ ସମ୍ମୁଖକୁ ଲମ୍ଫପ୍ରଦାନ କଲେ । ନିରପେକ୍ଷ ଦେଶ ଉପରେ ଚାଇନାର ଏପରି ଅତର୍କିତ ଆକ୍ରମଣଯୋଗୁଁ ପୃଥିବୀର ଅନ୍ୟାନ୍ୟ ଦେଶ, ଯଥା:–ଆମେରିକା, ଇଂଲଣ୍ଡ, ଜର୍ମାନ, ସିଂହଳ, ଯୁଗୋସ୍ଳୋଭିଆ ପ୍ରଭୃତି ନିଜ ନିଜର ଯଥାଯୋଗ୍ୟ ସାହାଯ୍ୟ ସ୍ୱତଃ ପ୍ରଣୋଦିତ ହୋଇ ଦେଇଥିଲେ-। ଏଥିପାଇଁ ଭାରତ ସେମାନଙ୍କ ନିକଟରେ ଚିରଋଣୀ । ନିଜ ମାତୃଭୂମିର ମୁକ୍ତିଲାଗି ଦେଶର ଜବାନମାନଙ୍କୁ ଯୁଦ୍ଧଭୂମିକୁ ଯିବା ନିମନ୍ତେ ଆହ୍ୱାନ କରାଗଲା । ସେତିକିବେଳେ ନୀରଦ ଭାବିଲା, ସର୍ବସ୍ୱାନ୍ତ ହୋଇ ଘରେ କେତେ ବସିଥିବ । ଦେଶର ସମୂହ କଲ୍ୟାଣରେ ଜୀବନଟା ଯାଉ ପଛେ, ନିଶ୍ଚୟଁ ସେହି ମରଣଭୂମଇଁକୁ ଯାତ୍ରାକରିବି । ସାହୁମହାଜନଙ୍କ ଜୁଲମ୍‍ ଆଉ ସହି ହେଉ ନାହିଁ । ଦେଶର ଅନାଟନ ଦୁର୍ଭିକ୍ଷ ପରିସ୍ଥିତିରେ ଘରେ ଖାଇବାକୁ ଧାନମୁଣ୍ଡିଟାଏ ନାହିଁ । ମୁଁ ଯେ ଉପାୟହୀନ । ଅତୀତ ଓ ବର୍ତ୍ତମାନର ଘଟଣା ସମୂହକୁ ମନେପକାଇ ନୀରଦ କେତେ କାନ୍ଦିଲା । ନଳିନୀର ସ୍ନେହ ସୁଆଗକୁ ଆଜିଠାରୁ ପାସୋରି ପକାଇବି-? ଗାଁର ହାଡ଼ିଆ ମହାଜନଙ୍କୁ ଆଉ ଖଣ୍ଡିଏ ଜମି ବନ୍ଧାଦେଇ ଧାନଭରଣେ ଆଣି ନଳିନୀର ସୁବ୍ୟବସ୍ଥା କରାଇଲା । ହେଲେ ଯଦି ଜୀବନରେ ଥାଏ, ତେବେ ମରଣରୁ ରକ୍ଷାପାଇ ଫେରିଆସିଲେ ପ୍ରିୟତମାର ସାକ୍ଷାତ ପାଇବ । ଏହାଭାବି ନୀରଦ ନିଜର ପ୍ରାଣାଧିକପତ୍ନୀକୁ ଗୋପନ କରି ଗୋଟିଏ ଚିଠିଲେଖି ବସିଲା । ମନରେ ଅସୁମାର ଭାବନାର ଲହଡ଼ି ତାଳେତାଳେ ଉଠିଚାଲିଛି ।

 

ଚାରିଆଡ଼େ ଶୂନଶାନ୍ । ନିଶିବଦ ଅଧରାତି । ସମସ୍ତ ପୁରବାସୀ ନିଦ୍ରାଦେବୀଙ୍କ କୋଳରେ ଆଶ୍ରୟ ନେଇଛନ୍ତି । ବାଡ଼ି ନିକଟ ତେନ୍ତୁଳି ତୋଟା ଚିଆଁଚିରୁଗୁଣୀ, ଝିଙ୍କାରୀ ପେଚା, ଭଲ୍ଲୁକମାନଙ୍କର କିଚିରିମିଚିରି ଶବ୍ଦରେ ଉଛୁଳିଉଠୁଛି । ବାଦୁଡ଼ିପଲ ଏ ପଟରୁ ସେ ପଟକୁ ଫରଫର ହୋଇ ଉଡ଼ି ବୁଲୁଛନ୍ତି । ମଝିରେ ମଝିରେ ଚୌକିଆ ରଘୁଆ ନାୟକର ‘ହୁସିଆର ହୋ’ ଡାକଟିମାନ ଗାଁର ସେପଟ ମୁଣ୍ଡରେ ଶୁଭୁଛି । ଚନ୍ଦ୍ରାଲୋକ ପୃଥିବୀସାରା ବିଛେଇ ହୋଇ ପଡ଼ିଛି । ନକ୍ଷତ୍ରସମୂହ ଝିଲିମିଲି ହୋଇ ସରଗ ରାଇଜରେ ଜହ୍ନମାମୁଁଙ୍କ ସହ ବସି ସଭା କଲାପରି ଜଣାପଡ଼ୁଛି । ସତେ ଯେପରି ଗୋଟିକ ପରେ ଗୋଟିଏ ଉଙ୍କିପାଇଁ ନିଜର ବକ୍ତବ୍ୟ ଉପସ୍ଥାପନ କରୁଛନ୍ତି । ଗାଁ ଗୋହିରି ବିଲମାଳରେ ବୁଢ଼ାବିଲୁଆ ଭେରଣ୍ଡାର କାନଫଟା ଚିତ୍କାର ଏବଂ ବିଲୁଆମାନଙ୍କର ପହର ପହରକେ ନୈସର୍ଗିକ ଧ୍ୱନି ହୁକେ ହୋ ରେ ଶ୍ମଶାନପଟ ଫାଟିଯାଉଛି ।

 

ଏତିକିବେଳେ ଚେଇଁ ଉଠିଲା ନୀରଦ । ମନରେ ସାହସ ବାନ୍ଧିଲା । ନଳିନୀ ନିଘୋଡ଼ ନିଦ୍ରାରେ ନିଃଶ୍ୱାସ ଫେଇ ଶୋଇପଡ଼ିଛି । ସ୍ୱାମୀଙ୍କର ଗୋପନ ବିଚାର ସେ ଜାଣିପାରି ନାହିଁ । ନହେଲେ ମାସ ମାସ ଧରି ଅନିଦ୍ରା ଉଜାଗରେ ଜଗି ବସିଥାନ୍ତା । ତା’ ଭାଗ୍ୟରେ କଷଣ ଆହୁରି ଯଥେଷ୍ଟ ଭାବେ ପୂରିରହିଛି । ନୀରଦ ଚିଠିଟି ଶେଯ ଉପରେ ପକାଇଦେଇ ସାର୍ଟଖଣ୍ଡିକ ଧରି ଦୁଆର ମୁହଁକୁ ବାହାରିପଡ଼ିଲା । ସେତିକିବେଳେ କୋମଳ ଆଖି ଫୁଟାଇ କେତେ ଠୋପା ଲୁହ ଝରିପଡ଼ିଲା ଘରୁ ବାହାର ଅଗଣାଯାଏ । ନିଜର ହତଭାଗ୍ୟ କପାଳକୁ ନିନ୍ଦି ନଳିନୀପାଇଁ ବିଶେଷଃ ଚିନ୍ତାକରି ପାରିଲା ନାହିଁ । ବିଳମ୍ବ କଲେ ଇଚ୍ଛାପଥରେ ଅନ୍ତରାୟ ସୃଷ୍ଟିହେବ । ଏହା ପୂର୍ବରୁ ଯୁଦ୍ଧଭୂମିକୁ ଯିବାର ଠିକଣା ଜାଣି ରଖିଛି । ଅବାନ୍ତର ପଥରେ ଗତି କରିବାଟା ସମ୍ଭବପର ହେଲା ନାହିଁ । ଘରୁ ଧୂଳିଟିକିଏ ଏବଂ ବୃନ୍ଦାବତୀ ପୀଠରୁ ଧୂଳିଟିକିଏ ଆଣି ମୁଣ୍ଡରେ ମାରି ଠେଙ୍ଗା ଖଣ୍ଡିଏ ଧରି ନିଜର ଗନ୍ତବ୍ୟ ପଥରେ ବାହାରିଲା ନୀରଦ । ବିଳମ୍ବ କଲେ ରାତି ପାହିଯିବ, କାହାଠାରୁ ନଳିନୀ ଟିକିଏ ସୁର ପାଇବା ମାତ୍ରେ ପଛେ ପଛେ ଦୌଡ଼ି ଆସିବ ? ଏହି ଭାବନାରେ ପାଟଗୋହିରି ମଧ୍ୟରେ କେତେବେଳେ ଦୌଡ଼ି ଯାଏ ତ କେତେବେଳେ ଦୁମ୍‌ଦୁମ୍ ହୋଇ ଚାଲିଯାଏ-। ନିଜେ କିପରି ଶୁଭରେ ଫେରିଆସିବ ଏବଂ ନିଜ ପ୍ରିୟତମାର କୁଶଳ କାମନା କରି ଗାଁର ବରଗଛମୂଳେ ଥିବା ସିଦ୍ଧ ଠାକୁରାଣୀ ବାଉତିଦେବୀଙ୍କୁ ଡାକି କେତେ ସିନ୍ଦୂରପୁଡ଼ା, ବୋଦା, ଗଞ୍ଜା, ମନାସି ଦେଉଥାଏ । ନିଜ ଗାଁର ସହୃଦୟ ସାଥୀ ଗୋପାଳ, ରାମ, ମାଧବ ପ୍ରଭୃତିଙ୍କ ଭାଗ୍ୟ ସଙ୍ଗେ ନିଜ ଭାଗ୍ୟକୁ ତୁଳନାକରି ଲୁହଗୁଡ଼ାଇ ଚାଲିଛି । ସେହି ଦୟାମୟ ଭଗବାନ ଓ ଗ୍ରାମେଶ୍ୱରୀ ବାଉତିଙ୍କ ଉପରେ ସବୁ କଳ୍ପନା, ବିଶ୍ୱାସକୁ ଅଜାଡ଼ିଦେଇ । ନିଜ ଗାଁର ବେହେରା ବୁଢ଼ା ପାକୁଆପାଟିର ମୁଚୁକା ହସ, ଦଳେଇଙ୍କ ରାମାୟଣ, ମହାଭାରତ କାହାଣୀ, ବାଳୁତ ବିଧବା, ସରଦୀଆଈର କାଳ୍ପନିକ କଳାଭୂତ କଥାଣୀ ଆଜିଠାରୁ ସପନ ହେବ । ପାଦ ପରେ ପାଦ ପକାଇ ଚାଲିଛି । ଗାଁ ପାଖରେ କେଉଁକାଳର ସାକ୍ଷୀ ଲଣ୍ଡା ବରଗଛ, ଶିମୂଳିଆ ପାହାଡ଼ ଓ ଖଣ୍ଡିମରା ନାଳକୁ ମନେପକାଇ ନଳିନୀକୁ ସମର୍ପି ଦେଉଥାଏ । ପ୍ରାଣପ୍ରିୟା ନଳିନୀର ଆପଦ, ବିପଦପାଇଁ ତୁମେମାନେହିଁ ମୂକସାକ୍ଷୀ । ସେହି ଶିମୂଳିଆ ବଣଭିତରେ ଅନ୍ଧାରୀଠାକୁରାଣୀଙ୍କ ପୀଠ । ଭାରି ସତକାରିଣୀ ଠାକୁରାଣୀଟିଏ । ଯିଏ ଯାହା ମନାସେ, ସେ ସେହି ଫଳପାଏ । ତୁମେ ମୋର ସ୍ନେହାଧୀନା ପ୍ରିୟତମାପାଇଁ ଦାୟୀ । ନୀରଦ ଅଶେଷ ଭାବନା ଢୋକି ଚାଲିଛି ନିଜର ଗନ୍ତବ୍ୟପଥରେ ।

 

-ବାଇଶ-

 

ରଜନୀରାଣୀର ସ୍ୱକର୍ମ ସମ୍ପାଦନ ହେବା ଉପରେ । ଗାଢ଼ କଳାଶାଢ଼ିଟିର ରଙ୍ଗ ଆପେ ଆପେ ବଦଳିଗଲାଣି । ନୀଳ ଗଗନର ନକ୍ଷତ୍ରପନ୍ତି ଛପି ଗଲେଣି କେଉଁ ଅଜଣା ରାଇଜରେ । ବୋଧହୁଏ ଫୁକିଆ ତାରାଟି ପୃଥିବୀକୁ ସମସ୍ତଙ୍କ ବିଦାୟ ଜଣାଇବା ପାଇଁ ପଛକୁ ରହିଯାଇଛି । ସେ ଆଉ ଅଳ୍ପକେ କେଉଁଆଡ଼େ ଲୁଚିଯିବ । ବିଭାବସୁଙ୍କ ଜ୍ୟୋତ୍ସ୍ନାର ପରଶ ପୃଥିବୀ ପୃଷ୍ଠରେ ଖେଳିଗଲାଣି । ଚତୁର୍ଦ୍ଦିଗ ଆସ୍ତେ ଆସ୍ତେ ସଫା ହୋଇ ଯାଉଛି । କୁମ୍ଭାଟୁଆର ପାହାନ୍ତି କଳରବ ତାନମାନରେ ଉଛୁଳି ପଡ଼ୁଛି । କୁଆଗୁଡ଼ିକ ଦଳଦଳ ହୋଇ ତାଙ୍କର ଦୈନନ୍ଦିନ ନୈସର୍ଗିକ କର୍ମରେ ରତ ହେଲେଣି । ଗାଁର ନିକଟ ହରିଜନ ସାହିରେ ଘାଇଆ ଗଞ୍ଜାର ‘‘କକ୍‌ର କଅ’’ କାନଫଟା ଶବ୍ଦ । ସମୟ ହେଉଛି ଭୋର ଝଟପଟିଆ ସକାଳ ।

ନଳିନୀର ବାସି ପାଇଟି ସାରିବାପାଇଁ ସଅଳ ଚଞ୍ଚଳ ଶେଯ ଛାଡ଼ିଲା । ଦେଖିଲା ନିଜର ପ୍ରାଣପ୍ରିୟ ସବୁଦିନ ପରି ଏପର୍ଯ୍ୟନ୍ତ ଶୋଇ ନାହାନ୍ତି । କିଏ ଡାକିଥିବେ ଯେବେ କେଉଁଆଡ଼େ ଯାଇଥିବେ । ବିଛଣାଟା ସଜାଡ଼ୁ ସଜାଡ଼ୁ ଦେଖିଲା ଖଣ୍ଡିଏ ଧଳାକାଗଜ ଶଯ୍ୟା ଉପରେ ପଡ଼ିଛି । କି କାଗଜଟା ବୋଲି ଫିଟାଇ ଦିଏ ତ ଆଜି ତାରିଖର ଗୋଟିଏ ଚିଠି । ନିଜ ସ୍ୱାମୀଙ୍କର ସ୍ୱହସ୍ତ ଲିଖିତ-। ଏହାର କାରଣ କ’ଣ ବୁଝିବା ପାଇଁ ବିଶେଷ ସମୟ ବାକି ରହିଲା ନାହିଁ । ଅପାଦମସ୍ତକ ଥରିଉଠିଲା । ମନ ଜଣାଇ ଦେଲା, ‘‘ତୁମେ ଚିର ହତଭାଗିନୀ’’ ଜୀବନର ଅନ୍ଧକାରରେ ପଥଭ୍ରାନ୍ତ ହୋଇ ବୁଡ଼ିଯିବ । ପିତାମାତାଙ୍କର ଇଚ୍ଛା ବିରୁଦ୍ଧରେ ଯେ କାର୍ଯ୍ୟକରେ ତା’ର ଶେଷ ପରିଣତି ଏଇଆ ହୁଏ । ତୁମେ ସ୍ୱଇଚ୍ଛାରେ ଦୁଃଖ, କଷଣ, ନିର୍ଯ୍ୟାତନାକୁ ବରଣ କରିଛ । ସହିବ କିଏ ? ପୁଣି ମନ ସେ ଦିଗରୁ ଫେରିଆସେ । ମୋର ଭାବନା ବୃଥା । କରମ ଫଳ ଯାହା ସେଇଆ ଭୋଗିବି-। ସେହି ସତ୍ୟ, ପଣ, ଆଶାରେ ମୋର ଜୀନବ-ସଳିତାଟା ଜଳିପୋଡ଼ି ପାଉଁଶ ହୋଇଯାଉ ପଛେ ମୋର ପ୍ରିୟତମ ଚିରଦିନ ସୁଖର ସଂସାର ଗଢ଼ି ଦୁନିଆଁରେ ମୁଣ୍ଡ ଟେକି ରୁହନ୍ତୁ । ହୃଦୟର ବେଦନାଭରା କୋହକୁ ଚାପିରଖି ନଳିନୀ ପତ୍ରଟି ପଢ଼ିବାରେ ଲାଗିଲା-

ଶୟନ କକ୍ଷ

ସମୟ–ଅର୍ଦ୍ଧରାତ୍ରି

ସ୍ନେହମୟୀ,

ଚିରପରିଚିତ ଦୀନହୀନ ଅଭାଗା ସ୍ୱାମୀର ଶୁଭାଶିଷ ଗ୍ରହଣ କରିବ । ଆଜିଠାରୁ ମୋର ଗୋଟିଏ ଉପଦେଶ ମାନିରଖ । ମଣିଷ ନିଜର ଆୟତ୍ତାଧୀନ ହୋଇ ରହିପାରେନା । ସେହି ବିଶ୍ୱମୟଙ୍କ ଆଦେଶରେ ମଣିଷ ଭାଗ୍ୟର ଆବର୍ତ୍ତନ ଘଟେ । ଅସୁବିଧାର ପ୍ରତିକାର କରିବା ନିମନ୍ତେ ଆଜିଠାରୁ କେତେଦିନ ପାଇଁ ମୁଁ ତୁମକୁ ଛାଡ଼ି ଦୂର ବିଦେଶକୁ ଚାଲିଯାଉଛି । ‘ମୋ ରାଣ’ ଦେଇ କହୁଛି, ମନରେ ଦୁଃଖ କରିବ ନାହିଁ । ମୋ’ଲାଗି ବୃନ୍ଦାବତୀଙ୍କ ନିକଟରେ ଅଳି କରୁଥିବ, ଯେପରି ଶୁଭରେ ଫେରିଆସିବି । ଲୁହଗଡ଼ାଇ କାନ୍ଦିବ ବୋଲି ଆଗରୁ କଥାଟି ଗୋପନ ରଖି ପତ୍ରରେ ଜଣାଇଲି । ମଣିଷ ସର୍ବଦା ଚେଷ୍ଟା କରେ ପ୍ରକୃତି ସହିତ ଲଢ଼େଇ କରି ନିଜକୁ ସୁଖରେ ରଖିବାପାଇଁ; କିନ୍ତୁ ନିୟତିର ନୀତି ସମ୍ପୂର୍ଣ୍ଣ ଓଲଟା । ତୁମେ ହତାଶ ହେବ ନାହିଁ । ତିନିମାସ ଭିତରେ ଫେରିଆସିବି । ଏତିକିରେ ବିଦାୟ ନେଲି ।

। ଇତି ।

ତୁମର ଆଦରର ଦେବତା

-ନୀରଦ-

 

ପତ୍ରଟି ପଢ଼ି ସାରିବା ପରେ ନଳିନୀର ହୋସ୍ ରହିଲା ନାହିଁ । ଆଖି ଲୁହରେ ପଣତକାନି ଓଦା ସର ସର । ‘ପ୍ରିୟତମ, ତୁମେ କେଡ଼େ ନିଷ୍ଠୁର, ତୁମର ହୃଦୟ କି ପାଷାଣ । ଏହା ପୂର୍ବରୁ ଦିନେ କହିଥିଲି ହରିଆ ଜେନା ପରି ମୂଲ ଲାଗି ପେଟ ପୋଷିବା । ସେ କଥା ଏଡ଼େ ବେଗି ମନରୁ କିପରି ପାସୋରି ପକାଇଲ ? ଚିଠିରେ ଲେଖୁଥାଅ ଜୀବନ ଗଲେ ସୁଦ୍ଧା ମୁଁ ତୁମକୁ ଛାଡ଼ି ରହି ପାରିବି ନାହିଁ । ସେହି ସତ୍ୟର ପରିଣତି, ଉଚିତ ହୋଇଛି କି ?

 

ବନ ପୋଡ଼ିଗଲେ ଦୁନିଆ ଜାଣିବ, ମନ ପୋଡ଼ିଗଲେ କେହି ଜାଣିବେ ନାହିଁ । ସ୍ୱାମୀଙ୍କ ଚିନ୍ତାରେ ନଳିନୀର କୋମଳ ମନ ପୋଡ଼ି ପୋଡ଼ି କୁହୁଳିଯାଇଛି, କେହି ଜାଣନ୍ତି ନାହିଁ । ଯାହାକୁ ଆଶ୍ରାକରି ସେ ଜୀବନଯାତ୍ରା କରିବ ବୋଲି ଭାବିଥିଲା, ସେ ଆଜି ଏକାକିନୀ କରି ଛାଡ଼ି ଯାଇଛନ୍ତି-। ହୃଦୟ ଫାଟି ଯାଉଛି । ଘର କୋଣଟିରେ ବସି ନଳିନୀ ସଇଁ ସଇଁ ହୋଇ କାନ୍ଦୁଛି । ଦୀନମଣିଙ୍କର କଅଁଳିଆ ଖରା ବେଳକୁ ବେଳ ତେଜିୟାନ ହୋଇ ପୃଥିବୀ ପୃଷ୍ଠରେ ବିଛେଇ ହୋଇଗଲାଣି । ଘାସ ପତରରେ କାକର ବିନ୍ଦୁଗୁଡ଼ିକର ଚିହ୍ନ ନାହିଁ । ସୂର୍ଯ୍ୟଙ୍କର ପ୍ରଖର କିରଣରେ ତାହା ଖସିପଡ଼ିଲାଣି-। ଗ୍ରାମସାରା କୋଳାହଳପୂର୍ଣ୍ଣ, କିନ୍ତୁ ନୀରଦ ଗୃହଟି ଆଜି ସମ୍ପୂର୍ଣ୍ଣ ନୀରବ । ମାତ୍ରକ ସମୟ ସମୟରେ କେଉଁ ଦୀନହୀନା ଅଭାଗିନୀ ଦୁଃଖିନୀର କୋହ ଶବ୍ଦ ନିଛାଟିଆ ନିର୍ଜନ ଗୃହକୋଣରେ କେହି ଜଣେ ଥିଲା ପରି ସଙ୍କେତ ଜଣାଇ ଦେଉଛି ।

 

ଏତିକିବେଳେ ପଡ଼ିଶାଘର ହାଡ଼ିଆଣୀ ମା ନିଆଁ ଟିକକ ପାଇଁ ନୂଆବୋହୂ, ନୂଆବୋହୂ ଡାକ ପକାଇ ଆସିଲା । ଦେଖିଲା ଗୃହଟି ଶୂନଶାନ୍ । କେହି ନାହାନ୍ତି । ବାହୁଡ଼ି ଗଲାବେଳେ କାହାର ସଇଁସଇଁ ଶବ୍ଦ ଶୁଣିପାରି ଘର ଭିତରକୁ ଚାହିଁ ଦେଖେ ତ କବାଟ ଖୋଲା ଅଛି । ନୂଆବୋଉଟି ଘର ଭିତରେ ବସି କାନ୍ଦି କାନ୍ଦି ତଳେ ଶୋଇଛି । ଦେହରେ ଚେତା ନାହିଁ । ଛାତି ଭିତର କରୁଣ କୋହ ପତଳା ଚମଡ଼ା ଫଟାଇ ବାହାରକୁ ଉଙ୍କି ମାରୁଛି । ନଳିନୀକୁ ଉଠାଇ ହାଡ଼ିଆଣୀ ମା ସମସ୍ତ କଥା ବୁଝି କେତେ ସାନ୍ତ୍ୱନା ଦେଲା । ଏଇଥିପାଇଁକି ଅଖିଆ ଅପିଆ ଏତେ ଚିନ୍ତା କରି ବସିଛୁ ? ଦୁନିଆଁରେ ପେଟ ବିକଳରେ ଏପରି କ’ଣ କେହି ଯାଉନାହାନ୍ତି ? ମୋ ମା’ଟା ପରା, ଆଉ କାନ୍ଦେନା । ଅଳପଦିନେ ନୀରଦ ଫେରିଆସିବ ଯେ । ମୁଁ ପଣ କରି କହୁଛି, ସେ ତେ ତେ ଜମାରୁ ଭୁଲି ପାରିବ ନାହିଁ । ଅଭାବରେ ପଡ଼ି ବିଦେଶକୁ ବାଧ୍ୟହୋଇ ଚାଲିଯାଇଛି । ମୁଁ ତୋ ପାଖେ ପାଖେ ଅଛି । ଗଲା ଆସିଲା ସବୁବେଳେ ତୋର ଖବର ନେଉଥିବି ।

 

ନଳିନୀ ମନରେ ଦମ୍ଭ ଆସିଲା । ହାଡ଼ିଆଣୀ ମା’ର କଅଁଳିଆ କଥାଗୁଡ଼ିକରେ ପେଟ ପୂରିଗଲା ପରି ଜଣାଗଲା । କାନ୍ଦି କାନ୍ଦି କହିଲା, ମାଉସୀ ତୋରି ଯୋଗୁଁ ଏ ଜୀବନ ରଖିବି । ନ ହେଲେ ଆଜି ପ୍ରାଣତ୍ୟାଗ କରିବାପାଇଁ ଶେଷ ବିଚାର କରିଥିଲି । ମାଉସୀ, ତୁ ଯା ଘରଆଡ଼ ଚୁଲି ଲଗାଇ ମୋ ପାଖକୁ ଆସିବୁ । ତୋ ମୁହଁକୁ ହେଲେ ଚାହିଁ ଏ ପୋଡ଼ା କପାଳିଟା ଜୀବନରେ ବଞ୍ଚି ରହିଥାଉ । ମା ମଙ୍ଗଳା, ଏ ହତଭାଗ୍ୟରେ ଆଉ ସୁଖର ସ୍ଥାନ ନାହିଁ ? ଯେତେ ଦୁଃଖ ମୋତେ ଦିଅ ପଛେ, ବିଦେଶରୁ ମୋର ସ୍ୱାମୀଙ୍କୁ ମୋ ନିକଟକୁ ଶୁଭରେ ଫେରାଇ ଆଣିବୁ ।

 

ଭଙ୍ଗା ଗଢ଼ା ଦୁନିଆଁ । ଏଇଥିରେ କା’ର ଅସ୍ତିତ୍ୱର ବିକାଶ ଚାଲିଛି ଓ କାହା ଅସ୍ତିତ୍ୱର ଲୋପ ପାଉଛି । ଦୁଃଖ, ସୁଖ ଚକରେ ମଣିଷ ଭାଗ୍ୟ ଘୂରି ବୁଲୁଛି । କାଲି ଗୋବିନ୍ଦର ବାପା ସଦାଶିବ ରାୟ ଥିଲେ ଜଣେ ବିରାଟ ଧନଶାଳୀ ଲୋକ । ଆଜି ଗୋବିନ୍ଦ ହୋଇଛି, ସର୍ବଶୂନ୍ୟ ସର୍ବହରା ଦରିଦ୍ର । ସେହି ପୂର୍ବର କଥା ମନେପକାଇ ଗୋବିନ୍ଦ କେତେବେଳେ କ’ଣ କରିଯାଏ, ଖିଆଲ ରଖେ ନାହିଁ । ବିଭାଘରଟି ଅସମ୍ପୂର୍ଣ୍ଣ ରହିଯାଇଛି । ଯୌବନର ଅନୁରୋଧକୁ ରକ୍ଷାକରି ପାରିନି । ହତାଶ ହୋଇ ଏଣେତେଣେ ସଞ୍ଜରୁ ସକାଳ ଯାଏ ବୁଲେ । କାମ ଦାମରେ ମନ ବଳେ ନାହିଁ । ଗୋବିନ୍ଦର ଏପରି ପାଗଳାମି ଦେଖି ଗାଁଲୋକେ କେତେ କଥା ବୁଝାନ୍ତି, ‘ତୁ ଏପରି ପାଗଳ ହୋଇ ବୁଲିଲେ ଏ ଅମୂଲ୍ୟ ଜୀବନକୁ ମାଟି କରିଦେବୁ ସିନା । ଘରେ ରହି ନିଜେ ଯାହା ପାରୁଛୁ କର । ନ ପାରିଲେ ମୂଲିଆ, ଚାକର ଖଟାଇ କାମ ଉଠାଇ ନେ । ଦିନକୁ ଦିନ ଜମିବାଡ଼ିଗୁଡ଼ା ବାବରା ହୋଇଗଲାଣି । ସେହି ଜମିରୁ ରାୟ ବୁଢ଼ା କେତେ ଧନ କମେଇ ନଥିଲା ? ତୁ ଗୋଟାଏ ବୋଲି ମଣିଷ ତତେ ଏତେ ଧନ ଅଣ୍ଟିଲା ନାହିଁ ? କଥାରେ ପରା କହନ୍ତି, ବସି ଖାଇଲେ ନଈବାଲି ସରେ । ରୋଜଗାର କରି ଥୟ ଧରି ଘରେ ରହିଲେ ଯିଏ ହେଲେ ଆଣି ଝିଅଟିଏ ଦେବ । ଏପରି ବାଳୁଙ୍ଗା ହୋଇ ବୁଲିଲେ ବିଭାଘରଟା କଷ୍ଟକର ହେବ ।’

 

ଗ୍ରାମବାସୀଙ୍କ କଥାକୁ ଗୋବିନ୍ଦ ତିଳେମାତ୍ର ଖାତିର କରେ ନାହିଁ । ସେଦିନ କ’ଣ ମନହେଲା କେଜାଣି, କରଜ ଖାତାଟି ଆଡ଼େଇ ବସିଲା । କାହାକୁ ବା ମାଗିବ ? ନିଅଣ୍ଟ ପଡ଼ିଛି । ଅଧିକାଂଶ ଲୋକଙ୍କ ଘରେ ଚୁଲି ଜଳୁ ନାହିଁ । ମନେପଡ଼ିଲା ନୀରଦ, ସେ ରଣଭୂଇଁକୁ ଚାଲିଯାଇଛି-। ଏହି ସୁଯୋଗରେ ନଳିନୀକୁ ଆୟତ୍ତ ନ କଲେ ଆଉ ସୁବିଧା ଜୁଟିବ ନାହିଁ । ଏହା ଭାବି ଟ୍ରଙ୍କରୁ କୋଷା ମଠାଖଣ୍ଡି ବାହାର କରି, ଦେହରେ ଧଳା ଫତେଇ ଗଞ୍ଜିଟି ଗଳାଇ ଦେଇ ବନମାଳୀପୁର ଅଭିମୁଖେ ଚାଲିଲା । ମନରେ ଖୁସିର ଓଜନ ବଢ଼ି ଯାଇଛି । ନଳିନୀର ଗୋରା ତକତକ ଦେହ ଉପରେ ସଜ ଗୋଲାପ ପରି ତୋରା ମୁହଁଟି ଗୋବିନ୍ଦକୁ ବାଟ କଢ଼ାଇ ନେଉଛି । ମନେମନେ ଭଗବାନଙ୍କୁ ସୁମରଣା କରି ଭାବୁଛି, ହେ ଭଗବାନ, କେତେଦିନର ମନ କାମନାକୁ ଆଜି ପୂରଣ କରିବାର ସୁଯୋଗ ମିଳିଛି ।

 

-ତେଇଶ-

 

ଜୀବନର ସୁଖ ସଳିତାକୁ ତେଜି ଦେଇ ନୀରଦ ଚାଲିଯାଇଛି ଅଜଣା ଅଶୁଣା ରାଇଜକୁ, ଯେଉଁଠି ତୋପ କମାଣର ଢୋ ଢୋ ଶବ୍ଦ ଗର୍ଜି ଉଠୁଛି । ସବୁଦିନେ ଶହ ଶହ ଲୋକ ପୋକ ମାଛି ପରି ଜୀବନ୍ତ ସମାଧି ଆହରଣ କରୁଛନ୍ତି । ତଥାପି ଚାଇନାର ବୀରୋଚିତ ଆକ୍ରମଣକୁ ନିରୋଧିବା ପାଇଁ ଭାରତୀୟ ଯବାନମାନଙ୍କର, ପ୍ରାଣ ସମର୍ପଣର ଚରମ ଦାନ ଅତୁଳନୀୟ । ତାଙ୍କରି ସଙ୍ଗରେ ଜଣେ ହୋଇ ନୀରଦ ଚାଲିଯାଇଛି ବନମାଳୀପୁରରୁ । ଆଖ ପାଖର ଚାଳିଶ କି ପଚାଶ ଖଣ୍ଡ ମୌଜାରୁ ଆଉ କୌଣସି ଲୋକ ସ୍ୱତଃପ୍ରଣୋଦିତ ହୋଇ ନିଜର ଜୀବନଟା ସଂଗ୍ରାମ ଭୂଇଁରେ ଢାଳି ଦେବାକୁ ଆଗେଇ ନାହାନ୍ତି । ଚାଲିଯାଇଛି ଏକା ସେହି ନିଃସହାୟ, ଦରିଦ୍ର ହତଭାଗା ନୀରଦ । ଦେଶପ୍ରୀତି ନୀରଦ ମନରେ ଜାଗିଉଠିଛି । ସମରକ୍ଷେତ୍ରରେ ସେ ଅତି ଉତ୍ସାହରେ ଜୀବନକୁ ପାଣି ଛଡ଼ାଇ ଦେଇ ଲାଗିପଡ଼ିଛି କାମ ଧନ୍ଦାରେ । ରଣଭୂଇଁଟି ଠିକ୍ ହିମାଳୟର ପାଦ ଦେଶରେ । ଶୀତଦିନ ଯୋଗୁଁ ସ୍ଥାନଟି ଯେତେବେଳେ ବରଫାଚ୍ଛନ୍ନ ହୋଇଯାଏ, ସେତେବେଳେ ସଂଗ୍ରାମରେ ଅବକାଶ ମିଳିଥାଏ । ଯବାନମାନେ ଟିକିଏ ବିଶ୍ରାମ ପାଆନ୍ତି । ଏହି ଅବସରରେ ନୀରଦ ଏକାଟିଆ ବସି ନଳିନୀ ପାଇଁ ଚିନ୍ତାକରେ । ସତ କଥାଟି କହି ଆସିଥିଲେ ହେଲେ ଚିଠି ଖଣ୍ଡିଏ ପାଇ ମନଖୁସି କରନ୍ତା । ସେତକ ହୋଇ ପାରିନି । ଜାଗ୍ରତ ସଜଫୁଟା ମନଟି ଝାଉଁଳିଯାଏ, ‘ପ୍ରିୟତମା, ମୋ’ଲାଗି ତୁମେ କ’ଣ କରି ନ ଥିଲ ? ଜୀବନରେ ମରିବା ପର୍ଯ୍ୟନ୍ତ ସେ ଋଣ ପରିଶୋଧ କରିପାରିବି ନାହିଁ । ମୋର ନିଷ୍ଠୁର ବ୍ୟବହାରରେ ତୁମେ କ’ଣ ଭାବୁ ନ ଥିବ ? ସତ୍ୟ, ଆଶା, ପଣର ପରିମାଣ ପାଇଁ ମୁଁ ଏହି ପରିଣାମରେ ତୁମକୁ ଜଳାଇ ଦେଉଛି । ଅତଏବ ଦୁଃଖ ଦରିଆରେ ପେଲିଦେଇ ଚାଲି ଆସିଲି । ମିଳନ ପାଇଁ, କେତେ ସୁନ୍ଦର କବିତା ଗଢ଼ିପାର । ସେ ମନୋଭାବ କାହିଁ ଉଭାଇ ଯିବଣି-। ମନେମନେ ଗଢ଼ୁଥିବ ମରଣ କବିତା । ଏହି ଭାବନାରେ ଆଖିରୁ ଧାର ଧାର ହୋଇ ଲୁହ ଗଡ଼ିପଡ଼େ । ତିନିମାସ ହେବ ଘରୁ ବାହାରି ଆସିଛି । ଅସୁବିଧାବଶତଃ ଖଣ୍ଡେ ମାତ୍ର ପତ୍ର ଦେଇ ପାରିଲି ନାହିଁ । କିପରି ଯାଇ ଘରେ ମୁହଁମାରି ଆସିବି, ସେ ସୁଯୋଗ ମିଳୁନାହିଁ । କାଲି ଦରମା ସ୍ୱରୂପ ତିନିଶତ ଟଙ୍କା ପାଇଛି । ପ୍ରିୟତମା ମୋର କେତେ ଅସୁବିଧା ଭୋଗକରୁ ନ ଥିବ ? ଯାଉଛି ଡାକରେ ଖଣ୍ଡିଏ ପତ୍ର ଲେଖି ଉକ୍ତ ଟଙ୍କାକୁ ପଠାଇ ଦେବି । ପରେ ସୁବିଧା ହେଲେ ଯାଇପାରେ-। ଯୁଦ୍ଧର ଅବସାନ ନ ହେବା ପର୍ଯ୍ୟନ୍ତ ନଳିନୀର ମୁଖ ଦେଖିବା ମୋ ପକ୍ଷରେ ଦୁଃରାଶା ମାତ୍ର-। ଟଙ୍କାତକ ପଠାଇ ଦେଇଥିଲେ ସେ ହେଲେ କେତେଦିନ ସୁଖରେ ଚଳିବ । ଜୀବନ ମରଣର ସଂକଟ ଏଠାରେ ପ୍ରତ୍ୟେକ ମୁହୂର୍ତ୍ତରେ । ପୁଣି ମନରେ ଛୁଟିଆସେ ଅନେକ ଭାବନା । ଯଦି ମୋର ଠିକଣା ଦେଇଦିଏ ତେବେ ସେ ଆହୁରି କାନ୍ଦିବ । ପ୍ରାଣ ବିସର୍ଜ୍ଜନ କରିବାଟା ତା’ ପକ୍ଷରେ ଅସମ୍ଭବ ନୁହେଁ । ହେ ଦୟାମୟ ନିଖିଳ, ନିରଞ୍ଜନ ପ୍ରଭୁ ଅନ୍ଧାର ଜୀବନରେ ଆଲୋକର ସମାବେଶ କେଉଁଦିନ ବା ହବ ? ମୋର ଏହି ବିରାଟ ଆଶା, ତୁମ ନିକଟରେ ମିଛ ମାୟା ମରୀଚିକା ସଦୃଶ କ୍ଷଣଭଙ୍ଗୁର ହେବ କି ? ମା ଗ୍ରାମେଶ୍ୱରୀ, କେତେ ଦୂର ଅପନ୍ତରା ରାଇଜ ମରଣ ଭୂଇଁରେ ଥାଇ ତୁମକୁ ପ୍ରାର୍ଥନା କରୁଛି, ଯେପରି ମୋ ପ୍ରିୟତମାର କୁଶଳ ପାଇଁ ତୁମେ ସର୍ବଦା ଦାୟୀ । ତାରି ସୁଖ ଦୁଃଖର ବିଚାରକୁ ତୁମେହିଁ ବିଚାରକ । ନିଃସହାୟ ନିରେଖ ପତିତ ଜନର ସହାୟ ବୋଲି ପତିତପାବନବାନା ଉଡ଼ାଇ ଉକ୍ତ ନାମକୁ ସାର୍ଥକ କରୁଛ । ଦୀନବନ୍ଧୁ ଏବଂ କୃପାସିନ୍ଧୁ ନାମ ବହି ମାୟା ସଂସାରରେ ଖେଳ ଲଗାଇଛ । ଭଗବାନଙ୍କ ପଦ କଞ୍ଜରେ ଏହି ନିବେଦନ ଜଣାଇ ନୀରଦ ଚିଠିଟି ଲେଖି ବସିଲା । ମସ୍ତକରେ ଅସୁମାର ଲହଡ଼ିର ଆବିର୍ଭାବ । କ’ଣ ଲେଖି ନଳିନୀର ଉତ୍ତପ୍ତ ମନକୁ ଶାନ୍ତ କରିବ ? ଆଖିର ଲୁହଧାରଗୁଡ଼ିକ ହୃଦୟ ତନ୍ତ୍ରୀରେ କରୁଣଭାବ ଫୁଟାଇ କଲମ ମୁନଦ୍ୱାରା କାଗଜ ଖଣ୍ଡିକରେ ଲେଖି ହୋଇଯାଏ, ପ୍ରିୟତମାର ନିକଟରେ ଶୁଭ ସନ୍ଦେଶ ଜଣାଇବା ପାଇଁ ।

 

-ଚବିଶ-

 

ସୁଦୂର ସ୍ପରଶି ନୀଳିମା ଗଗନକୁ ଧଳା ବାଦଲଖଣ୍ଡମାନ ଢାଙ୍କି ରଖିଥିଲା ପରି, ନଳିନୀର ସୁଗୋଲ ସରସ ଚନ୍ଦ୍ରମା ବଦନଟିକୁ କଳଙ୍କର ଆସ୍ତରଣ ଢାଙ୍କି ରଖିଥାଏ । ସଜଫୁଟା ଫୁଲଟି ସତେ ଯେପରି ସୌରଭହୀନା ହୋଇ ମଉଳି ପଡ଼ିଛି । ବୁକୁରେ ବେଦନା ଲଦି ବିରହିଣୀ ନାରୀଟି ନିଜପାଇଁ ଗଣ୍ଡିଏ ରୋଷେଇ କରିଛି । ଚକୁଆ ବିନା ଚକୋରୀଟି ସବୁଦିନ ପରି ଲୁହ ଗଡ଼ାଇ କାନ୍ଦି ମରୁଛି । ଏହି ସମୟରେ ଗୋବିନ୍ଦ ନୀରଦ ଭାଇ, ନୀରଦ ଭାଇ ଡାକି ଆସି ଗୃହର ଏରୁଣ୍ଡି ବନ୍ଧରେ ପାଦ ପକାଇଲାଣି ଅତି ଉଚ୍ଚାଟ ମନରେ । ସୁବର୍ଣ୍ଣ ସୁଯୋଗ ନେଇ ସେ ଘରୁ ବାହାରି ଆସିଛି । ଏତେ ଦିନକେ ଯୌବନର ଅନୁରୋଧକୁ ନିର୍ବିଘ୍ନରେ ପୂରଣ କରିବ ବୋଲି । ନଳିନୀ ରୋଷେଇ ଘରଟି ଭିତରେ ବସି କାନ୍ଦୁଛି । ମାଇପିଟାଏ, ସାହୁ ମହାଜନଙ୍କ ଜୁଲମ କେତେ ସହିବ ? ଏଡ଼େ ବଡ଼ ଘରଟାରେ ମରଦଟାଏ ବୋଲି ନାହିଁ । ଗୋବିନ୍ଦ ଟଙ୍କା ଲାଳସାରେ ଆସି ବାରଣ୍ଡାରେ ବସିଲାଣି । ଭଗବାନ, ଭଗବାନ, ମୋର ଆର୍ତ୍ତନାଦ କ୍ରନ୍ଦନରେ ତୁମ କାନର ପରଦା ଫାଟି ପଡ଼ୁନାହିଁ କାହିଁକି ? ନୀଳକନ୍ଦର ଭିତରେ ଘୁମାଇ ପଡ଼ିଛ କି । ମା ମଙ୍ଗଳା, ତୁମର ଆଶ୍ରାରେ ମୋର ପୋଡ଼ା ପରାଣଟାକୁ ବଞ୍ଚାଇ ରଖିଛି । ନ ହେଲେ କେଉଁଦିନୁ ଜଳି ପୋଡ଼ି ପାଉଁଶ ହୋଇ ସାରନ୍ତାଣି । ଦିନକୁ ଦିନ ଦୁଃଖର ପନ୍ତାର ବଢ଼ିଚାଲିଛି । ସାହସ ଦିଅ, ମନରେ ବଳ ଦିଅ, କେଉଁପରି ଏଥିରୁ ଉଦ୍ଧାର ପାଇବି ? ନଚେତ୍ ତୁମରି ପାଦତଳେ ତୁମରି ନାମରେ ମୋର ଜୀବନଟାକୁ ଅକାତରେ ପାଣି ଛଡ଼ାଇ ଗଡ଼ାଇ ମାରିବି । ଆଖି ଲୁହରେ ନଳିନୀର ଓଷ୍ଠ ତିନ୍ତାଇ ଭୂମିରେ ଥପ୍‌ଥପ୍ ହୋଇ ଖସି ପଡ଼ୁଛି । ଏହି ସମୟରେ ଗୋବିନ୍ଦ ତୁଚ୍ଛ ସାନ୍ତ୍ୱନା ପୂର୍ଣ୍ଣ ବାଣୀରେ ନଳିନୀକୁ କହିଲା ‘ତୁମେ କାହାପାଇଁ କାନ୍ଦୁଛ ?’ ଯା ପାଇଁ କାନ୍ଦି ମରୁଛ ସେ ତୁମକୁ ମନେପକାଉ ନାହିଁ । ସମ୍ପୂର୍ଣ୍ଣରୂପେ ପାସୋରି ଦେଇ ନିଜ ପଥ ଧରିନେଇଛି । ଆଜିଠାରୁ କାନ୍ଦି କାନ୍ଦି ତୁମର କୋମଳ ହୃଦୟଟା ଫଟାଇ ଦେଲେ ସେ ଆଉ ଫେରିଆସିବ ନାହିଁ । ଟଙ୍କା ଲୋଭରେ ଚାଲିଯାଇଛି, କେଉଁ ଅଜଣା ଅଶୁଣା ରାଇଜକୁ । ନଳିନୀ, ତୁମେ ନିଜେ ଦୁଃଖକୁ ବରଣ କରି ପଛରେ କାନ୍ଦି ମରୁଛ କାହିଁକି ? ପିତାମାତାଙ୍କ କଥାରେ ଅମାନ୍ୟ ହେଲେ ଏହିପରି କଷଣ ଭୋଗିବାକୁ ପଡ଼େ । ଝାରପଡ଼ାର ବିଦ୍ୟାଧର ସାନ୍ତରାଙ୍କୁ କିଏ ନ ଜାଣେ ? ଏଡେ ନାମଜାଦା ଲୋକ ହୋଇ ସେ ନୀରଦ ହସ୍ତରେ ତୁମକୁ ସମର୍ପି ଦେଇ ନ ଥାନ୍ତେ । ତୁମେ ପିତା ମାତାଙ୍କ ଇଚ୍ଛା ବିରୁଦ୍ଧରେ ଯାଇ ନୀରଦକୁ ସ୍ୱାମୀରୂପେ ମନବରଣ କରିଛ । ଯାହାତ ହେବାର ହୋଇଗଲାଣି । ଏଣିକି ମନବଳକୁ ଦୃଢ଼କର । ଏତିକି ଦିନ କଷଣ ଭୋଗିବା ପାଇଁ ଭାଗ୍ୟରେ ଥିଲା । ତୁମକଥା ମନେପଡ଼ିଲେ ମୋର ଛାତି ଫାଟିଯାଉଛି । କେଉଁପରି ଟଙ୍କା ମାଗିବି ମନ ଯାଉ ନାହିଁ । ଯଦିବା ଜୋରକରି ମାଗିବି ତେବେ କେଉଁଠୁ ଆଣିଦେବ ? ମୁଁ ଆସିଛି ତୁମର ଦୁଃଖପୂର୍ଣ୍ଣ ଜୀବନରେ ସୁଖର ପରଶ ଦେବାକୁ । ଆଜି ଅଗାଧ ସମ୍ପତ୍ତିର ରାଣୀ ହୋଇ, କେତେ ପୋଇଲୀ, ପରିବାରୀ ଖଟାଇ, ଯୋଡ଼ା ଯୋଡ଼ା ସୁନାହାର ଗଳାଇ ଆରାମରେ ବସିଥାନ୍ତ ? କିନ୍ତୁ ନୀରଦର କେଉଁ କାଉଁରୀ ମନ୍ତ୍ରବଳରେ ମୋତେ ଛଳନା କରି ଆଜି ଏତେ କଷ୍ଟପାଉଛ । ଅମୂଲ୍ୟ ଜୀବନଟାକୁ ଛାରଖାର କରୁଛ । ଏହା ତୁମର ଇଚ୍ଛାରେ ନା ଅଣଇଚ୍ଛାରେ କହିଲ ? ନାହିଁ ନୀରଦ, ତୁମ ଦୁଃଖରେ ଆଖି ଭସା ଲୁହରେ ବିଦେଶରୁ ଫେରି ଆସୁନାହିଁ ? କୁଳାଙ୍ଗାର ବାରବୁଲା ମଣିଷମାନଙ୍କର ଘରେ, ଗାଁରେ ସ୍ଥାନ କେଉଁଠି ନାହିଁ । ଯେ ବିଦେଶରେ ଅଚିନ୍ତାରେ ରହି ଖାଇ ପିଇ ଜାଣିଛି ସେ ଘର କଥା କାହିଁକି ପଚାରିବ ? ତୁମେ ମଲେ କେତେ ଥିଲେ କେତେ, ତାର କ’ଣ ଗଲା ?

 

ନଳିନୀ, ଗୋବିନ୍ଦ ମୁହଁରୁ ସ୍ୱାମୀଙ୍କର ନିନ୍ଦା ଶୁଣି ଅଧିକ ଲୁହ ଗଡ଼ାଇ ଥମଥମ ହୋଇ କହିଲା ତୁମେ ମୋ ସ୍ୱାମୀଙ୍କ ନାମରେ କାହିଁକି ନିନ୍ଦା ରଟନା କରୁଛ ? ମୋର ଆଖି ଲୁହ ତାଙ୍କୁ ଦୂର ବିଦେଶରୁ ଭସାଇ ଆଣିବ । ପେଟ ବିକଳରେ ଏପରି କେତେ ଯାଉଛନ୍ତି । ତୁମର ଟଙ୍କା କିପରି ପରିଶୋଧ କରିବେ, ସେଇଥିଲାଗି ବିଦେଶରେ ଦୁଇ ତିନିମାସ ରହି ଫେରିଆସିବାକୁ ଯାଇଛନ୍ତି । ମୋର ଅନୁରୋଧ, ଏବାରକ କଥା ରକ୍ଷାକରି ଫେରିଯାଅ । ସେ ଚାରିମାସ ହେବ ଗଲେଣି, ଏଥର ନିଶ୍ଚୟ ଟଙ୍କା ପଠାଇଲେ ମୁଁ ଲୋକ ପଠାଇ ଦେଇ ଆସିବି । ହଇରାଣ ହୋଇ ତୁମେ କାହିଁକି ଏଠାକୁ ତୁଚ୍ଛାଟାରେ ଦଉଡ଼ୁଥିବ ।

 

ଗୋବିନ୍ଦ ଦେଖିଲା, ନଳିନୀ ବଡ଼ ଚତୁରୀ । ଏଥର ନ ଫାଙ୍କିଲେ ଆଉ ଜିତି ହେବନି । ମନରେ ଭାବି ଭାବି କହିଲା, ନଳିନୀ ତୁମେ ପାଗଳ ହେଲଣି କି ? କାହାଠାରୁ ଟଙ୍କା ପାଇବ ବୋଲି ଆଶା କରିଛ ? ବୋଧହୁଏ ମୋ କଥାକୁ ଏପର୍ଯ୍ୟନ୍ତ ବୁଝିପାରୁନାହଁ । ଏବେ ଖୋଲି ଦେଉଛି । ବଡ଼ପଦା ଗାଁର ଚନ୍ଦରା ଭୋଇ ସଙ୍ଗେ ନୀରଦ ଯୁଦ୍ଧଭୂଇଁକୁ ଯାଇଥିଲା । ଶୁଣିଥିବ ସେଠାରେ ଶହ ଶହ ଲୋକ ପୋକ ମାଛିପରି ମରିଗଲେ । ଚନ୍ଦରାର ଭାଗ୍ୟ ଭଲ ଥିଲା ବୋଲି ଫେରିଆସି ସମସ୍ତଙ୍କ ମୁହଁ ଦେଖିଲା । ନୀରଦର ପତ୍ତା ମିଳିଲା ନାହିଁ । ସେ ମରଣକୁ ବରଣ କରି ଯାଇଥିଲା, ମରି ନ ଥାନ୍ତା କିପରି ? ଯାହାହେଉ ଅଡ଼ୁଆ ତୁଟିଯାଇଛି । ଚିରଦିନ ପାଇଁ ତୁମର ଦୁଃଖ ନାହିଁ । ଫେରିଆସିଛି ସୁଖର ଦିନ । ଆସ ମୋର କୋଳକୁ ଆସ । ଏତେ ଦିନ ପର୍ଯ୍ୟନ୍ତ ତୁମରି ଅପେକ୍ଷାରେ ଚାହିଁ ରହିଥିଲି । ଚାଲି ଆସ ପ୍ରିୟସହି, ଦୁଃଖ କଷଣ ଅନାଟନକୁ ପାଦରେ ଦଳି ପଛରେ ପକାଇ ଦେଇ । ସାମାନ୍ୟ କୁଳାଙ୍ଗାରଟା ପଛରେ ଦୌଡ଼ି ଦୌଡ଼ି ପରିଶେଷରେ ଅମୂଲ୍ୟ ଜୀବନଟି ଚାଲିଯିବ । ଆଜି ଭଙ୍ଗା କୁଡ଼ିଆରେ ବସି ଦୁଃଖିନୀଟି ପରି କାନ୍ଦୁଛ, କାଲି ନିଶ୍ଚୟ ଧଳା ଚକ୍‌ଚକ୍‌ କୋଠାଘରେ ବସି ହସିବ । ଏବେ ସତକହ, ମୋ କଥାରେ ତୁମର ରାଜି ଅଛି ନା ନାହିଁ ।

 

ନଳିନୀର ଶେଷ ବିଚାର, ‘ସ୍ୱାମୀ, ତୁମେ ମୋତେ ଛାଡ଼ି ଚାଲିଯାଇଛ ପଛରେ ପକାଇଦେଇ । ମୁଁ କାହାପାଇଁ ପ୍ରାଣ ରଖିବି ? ମୋର ଚିର ସତ୍ୟ, ଆଶା, ପଣରେ ବାଧା ଦେବାପାଇଁ ଦୁନିଆଁରେ କେହି ନାହିଁ ।’ ଯାଉଛି, ଏଇ ମୁହୂର୍ତ୍ତରେ ମୁଁ ମୋର ପଥ ଧରିନେବି । ଗୋବିନ୍ଦକୁ ଚାଲ ମାରି କହିଲା, ‘ଏଇ ଖଟଟିରେ ଟିକେ ବିଶ୍ରାମନିଅ, ମୁଁ ଯାଇଁ ପାଣି ଗଡ଼ାଟାଏ ଆଣିଲେ ରୋଷେଇ ଶେଷକରି ଆମର ବିଚାର କରିବା । ଏହିପରି ଫାଙ୍କମାରି ନଳିନୀ ଦଉଡ଼ି ଏବଂ ପିତଳ ଗରାଟି ଧରି ନିଛାଟିଆ ନିର୍ଜୀବ ଦ୍ୱିପ୍ରହରରେ ଗନ୍ତବ୍ୟ ପଥରେ ଚାଲିଲା ।

 

ଗୋବିନ୍ଦର ଆନନ୍ଦ କହିଲେ ନସରେ । ମା ମଙ୍ଗଳାଙ୍କ ଦୟା ହୋଇଛି, ନହେଲେ ନଳିନୀ ରାଜିହୋଇ ନଥାନ୍ତା । ଏହି ଭାବନାରେ କେତେ ସୁଖ ସ୍ୱପ୍ନ ଦେଖି ଖଟଟିରେ ଆରାମରେ ନିଦରେ ଶୋଇପଡ଼ିଲା ।

 

ନିଛାଟିଆ ଆମ୍ବତୋଟା ଗହଳ । କେତେ ଦିନୁ ଆମ୍ବଫଳ ହରାଇ ଡେଙ୍ଗା ଡେଙ୍ଗା ଗଛଗୁଡ଼ିକ ଶିରୀହୀନା ପରି ଛିଡ଼ା ହୋଇଛନ୍ତି । ମଣିଷର ସମାଗମ ନାହିଁ । କୋଇଲିଟି କେଉଁ ଗହଳି ଅନ୍ଧାରିଆ ଡାଳରେ ବସି କୁହୁ କୁହୁ, ମଧୁର ତାନରେ ଗୀତ ଗାଉଛି । ଦୁନିଆଁର ମୋହ, ମାୟା ଲୋଭ ତୁଟାଇ ଚିଠି ଲେଖି ବସିଲା ନଳିନୀ । ଏହି ଶେଷ ବିଚାର । ଭଗବାନ ‘ତୁମ୍ଭ ପଦକଞ୍ଜରେ ମୋର ଏତିକି ପ୍ରାର୍ଥନା । ସ୍ୱାମୀଙ୍କ ପାଦଚିହ୍ନ ହୁଡ଼ି ମୁଁ ଯେପରି ପଥବଣା ନ ହୁଏ ?’ ଚିଠିଟିଏ ଲେଖି ଉତ୍ତଳା ଛାତି ଉପରେ ବାନ୍ଧି ମରଣ ଦଉଡ଼ିରେ ଦୋଳିଖେଳିବା ପାଇଁ ଝୁଲି ପଡ଼ିଲା-। କ୍ଷଣକରେ ଜୀବନ ସଳିତାଟି ଲିଭିଯାଇ ଧୂଆଁ ଉଡ଼ାଇଦେଲା । ନିର୍ଜ୍ଜନ ନିଶବଦ ଗହଳିଆ ଆମ୍ବତୋଟାରେ, ଖଣ୍ଡିଏ ଚିରିକୁଟି କାଗଜକୁ ସାକ୍ଷୀରଖି ନଳିନୀ ପ୍ରାଣର ପବନ କେଉଁ ଅଜଣା ସୁଅରେ ଖେଳିଗଲା ।

 

ମରୀଚିମାଳିଙ୍କର ଗୋଟିଏ ଦିନ କାର୍ଯ୍ୟର ଅଧାପର୍ଯ୍ୟନ୍ତ ହୋଇଯାଇଛି । ବର୍ତ୍ତମାନ ସେ ଆକାଶର ମଧ୍ୟବର୍ତ୍ତି ସ୍ଥାନରେ ରହି, ନିଜ କିରଣକୁ ଅଧିକ ତେଜିୟାନ କରି ବିଶ୍ୱବକ୍ଷରେ ଅଜାଡ଼ି ଦେଇଛନ୍ତି । ତାଙ୍କର ମୁଣ୍ଡଫଟା ରଶ୍ମିର ତେଜ ସହିନପାରି କୃଷକମାନେ ଦୁଇତିନି ଘଣ୍ଟା ବିଶ୍ରାମ ନିମନ୍ତେ କାର୍ଯ୍ୟରୁ ଅବ୍ୟାହତି ନେଇ ସ୍ୱସ୍ଥାନକୁ ଫେରୁଛନ୍ତି । ଶିରରେ ଗୋଟିଏ ଗୋଟିଏ ଝାମ୍ପି ମୁଣ୍ଡାଇ ବାଟୋଇ ଏବଂ ପଥିକଗଣ ନିର୍ଦ୍ଦିଷ୍ଟ ଲକ୍ଷ୍ୟସ୍ଥଳରେ ପହଞ୍ଚି ଆଶ୍ରୟ ଲୋଡ଼ିବା ଉପରେ । ଗାଁ ଚାହାଳିରୁ ଓଳିକର ପାଠ ଶେଷ ହେଲାଣି । ଶିଶୁମାନେ ବସ୍ତାନି ଖଣ୍ଡିମାନ ହାତରେ ଧରି ବ୍ୟାକୁଳ ମନରେ ନିଜ ଗୃହାଭିମୁଖେ ଫେରୁଛନ୍ତି । ବେଳକୁ ବେଳ ଦିନମଣିଙ୍କର ପ୍ରଖର ମୟୁଖରେ ଭୂଇଁ ଡହଡହ ହୋଇ ତାତି ଗଲାଣି । ଝଞ୍ଜାସମୀର ନିଆଁ ବିଞ୍ଛାଡ଼ି ଚାଲିଛି ।

 

ଏହି ନିଛାଟିଆ ଡହକ ଦ୍ୱିପହରଟାରେ ଡାକପିଅନ ଖଣ୍ଡିଆ ଚପଲ ହଳେ ପାଦରେ ଦେଇ ଛତା ଟେକି ଗାଁର ଏ ମୁଣ୍ଡରୁ ସେମୁଣ୍ଡ ବୁଲୁଛି, ନଳିନୀର ଘର ଉଦ୍ଦେଶ୍ୟରେ । ସମସ୍ତ ପୁରବାସୀ ଘରୁ ପଦାକୁ ବାହାରି ପାରୁ ନାହାନ୍ତି । ପିଅନଟାଏ ବୁଲୁଛି ଯେ, ତା’ କଥା କିଏ ଶୁଣିବ ? ପିଅନ ବିଚାରା ବୁଲି ବୁଲି ବାଜିଆ ଦୋକାନ ସାମନାରେ ପହଞ୍ଚିଲା । ସେଠାରେ ଚାରି ଛଅଟୋକା ତାସ୍‌ ଖେଳରେ ଗମତ ଉଠାଉଛନ୍ତି । ‘ନଳିନୀର ଘର କେଉଁଠି ବୋଲି ସେମାନଙ୍କୁ ପଚାରିବାରୁ ସେମାନେ ଉତ୍ତର ନ ଦେଇ ହସିବାରେ ଲାଗିଲେ । ନଳିନୀ ପରି ଗୋଟାଏ ବୋହୂ ଯାହାର ହିସାବ ଗାଁରେ କେହି ରଖନ୍ତିନାହିଁ । କିଏ ବା ଟୋକାଳିଆ ମଣିଷ ନାମ ଜାଣିଥିବେ ଯେ ଉତ୍ତର ଦେବେ ? ଶେଷରେ ଟୋକାଦଳ ଏହାର କାରଣ ପଚାରିବାରୁ ପିଅନଟି କହିଲା, ତା’ର ସ୍ୱାମୀ ନୀରଦ ତିନିଶତ ଟଙ୍କା ଡାକରେ ପଠାଇଛନ୍ତି । ଏଥରକ ସମସ୍ତେ ଜାଣିପାରି ନୀରଦର ଘରସାମନାକୁ ବାଟ ବଢ଼ାଇ ନେଲେ । ଘରେ ଦେଖିଲେ କେହି ନାହିଁ । ନଳିନୀ ଦେଈ, ନଳିନୀ ଦେଈ ବୋଲି ପିଅନଟି ଦଶ କି ବାର ଡାକ ପକାଇଲା । ତଥାପି କେହି ଶୁଣିଲେ ନାହିଁ ।

 

ନିଛାଟିଆ ଖରାବେଳେ ତଳଭୂଇଁ ଡହଡହ ହୋଇ ତାତି ଯାଇଛି । ଉପରୁ ଚାଇଁଚାଇଁ ଖରା ମୁଣ୍ଡ ଫଟାଇ ଦେଉଛି । କୋଶେ କି ପାଞ୍ଚପା ବାଟ ଏଠାରୁ ଫେରିଲେ ଯାଇଁ ଘରକୁ ଯିବ । ବିଚରା ବ୍ୟତିବ୍ୟସ୍ତ ହୋଇ ଖୁବ୍ ଜୋରରେ ଡାକ ମାରିଲା । ଏହି ପାଟିରେ ପାଖ ପଡ଼ିଶାର ମାଈପେ ଜମାହୋଇ ନଳିନୀକୁ କେତେ ଖୋଜିଲେ । ଯାହାହେଉ, ତିନିଶହ ଟଙ୍କାରେ ଏଥର ନୂଆବୋହୂଟି କରଜ ବାରଜ ଶୁଝିଦେଇ ଅଚିନ୍ତା ହେବ । କିନ୍ତୁ ସାରା ଗାଁଟିଯାକ ଖୋଜା ପଡ଼ିଲା ପଛେ ନଳିନୀର ଭେଟ ମିଳିଲା ନାହିଁ । କେଉଁଆଡ଼େ ଗଲା ବୋଲି ହୁଲୁଜୁଲି ପଡ଼ିଲା । ଏତିକିବେଳେ ସେ ଗାଁର ଛେଳିଜଗା ଟୋକା ‘ଶିକରା’ ବଣରୁ ଛେଳି ଚରାଇ ଘରକୁ ଫେରୁଥିଲା । ଆମ୍ବତୋଟାରେ କିଏ ଜଣେ ଗଛରେ ଓହଳି ଥିବାର ଦେଖି ଭୟରେ ଗାଁକୁ ଦଉଡ଼ି ପଳାଇଛି । ଦେହ ଗୋଟାଯାକ ଭୟରେ ଥରୁଛି । ଲୋକମାନଙ୍କୁ ଦେଖି ଥମଥମ ହୋଇ କହିଲା, ହଇହେ, ସେ ଆମ୍ବତୋଟାରେ କିଏ ଗୋଟାଏ ମାଈକିନିଆଁ ଗଛରେ ଓହଳି ରହିଛି । ଗାଁଟାଯାକ ତାଟକା ହୋଇ ସେଠାକୁ ଯାଇଁ ଦେଖିଲେ ନଳିନୀ ବେକରେ ଦଉଡ଼ି ଦେଇଛି । ଛାତି ଉପରେ ଗୋଟିଏ ଧଳା କାଗଜ ବନ୍ଧା ହୋଇଛି । ସରସ ସୁନ୍ଦର ମୁହଁଟି ସମ୍ପୂର୍ଣ୍ଣ କଳା ପଡ଼ିଯାଇଛି । ଗାଁଟାଯାକ କେତେ ଛି ଛାକର କଲେ । କେଡ଼େ ସୁନ୍ଦର ବୋହୂଟି, ମାଛିକି ମ, ବୋଲି ଦିନେ କହିନାହିଁ । ଆସିଲା ଦିନରୁ କାହା ସାଙ୍ଗରେ ଦିନେ ହେଲେ ମନ ଅମେଳ ହୋଇ ନାହିଁ । ପଚାରିଲେ ଜୋରରେ କଥା ପଦେ କହିନି । ଏଡ଼େ ଗୁଣର ବୋହୂଟିକୁ କିଏ କ’ଣ କହିଲା ଯେ ବେକରେ ଦଉଡ଼ି ଦେଇଛି ? ଶାଶୁ ନଣଦେଇ ଥିଲେ ସିନା କାହା କଥାରେ ଛଳ କରନ୍ତା ? କାରଣଟା କ’ଣ ବୁଝିବାପାଇଁ ବିଶେଷ ସମୟ ବାକି ରହିଲା ନାହିଁ । ପତ୍ରଟି ପଢ଼ି ଜାଣିଲେ, ଜେନାପଦାର ଗୋବିନ୍ଦ ଯୋଗୁଁ ନଳିନୀ ବେକରେ ଦଉଡ଼ି ଦେଇଛି । ହାଡ଼ିଆଣୀ ମା କ୍ରନ୍ଦନ ରୋଳରେ ପାଟିକରି କହିଲା, ମରିଯାଏ ଲୋ ମା ମାଟା, ସବୁଦିନ ତୋ ଘରକୁ ଘେରାଏ ବୁଲି ନ ଆସିଲେ ଡକେଇ ପଠାଇଥାଉ । ଆଜି ମରିବୁ ବୋଲି ମୋତେ ପାସୋରି ପକାଇଲୁ । ମୁଁ ଏତେ କଥା ଜାଣିଥିଲେ ଟୋକାପୁଅ ଗୋବିନ୍ଦ ମୁଣ୍ଡରେ ନିଆଁ ରଡ଼ ପକାଇ ଦେଇଥାନ୍ତି । ଗାଁ ଲୋକମାନେ ଥାନାରେ ଏତଲା ଦେଇ ଜମାଦାର ବାବୁଙ୍କୁ ସଙ୍ଗରେ ନେଇ ଘଟଣାସ୍ଥଳକୁ ଫେରିଲେ । ଜମାଦାର ବାବୁ ନଳିନୀର ମଲାଦେହକୁ ଚେକ୍ କରି ଘର ନିକଟକୁ ଫେରିଲେ । ଗାଁ ଯାକର ପିଲାଛୁଆ, ମାଇପି ମରଦଙ୍କ ପାଟି ତୁଣ୍ଡରେ ନୀରଦ ଘରର ଚାଳ କମ୍ପମାନ ହେଉଛି । ଗୋବିନ୍ଦ ଏ ପାଟିତୁଣ୍ଡ ଶୁଣି ଅଳସ ଭାଙ୍ଗି ଭାଙ୍ଗି ଘରଭିତରୁ ବାହାରିଲା । ଭାବିଲା, ଆଶକତ ଲାଗୁଥିଲା ବୋଲି କେତେ ସମୟ ଯାଏଁ ଶୋଇ ପଡ଼ିଲି ମ । ଦେଖିଲା ନଳିନୀ ପରିବର୍ତ୍ତେ ଦୁଆରମୁହଁରେ ଜମାଦାର ପୁଲିସ ଏବଂ ଗାଁଯାକର ପିଲାଠାରୁ ବୁଢ଼ା ପର୍ଯ୍ୟନ୍ତ ସମସ୍ତେ ଜମା ହୋଇଛନ୍ତି । ଗୋବିନ୍ଦ ମୁଣ୍ଡଠାରୁ ପାଦଯାଏ ଗୋଟାଏ ଝାଳ ବୋହିଗଲା । ଘଟଣାଟା କ’ଣ-? ଶୁଣିଲା ନଳିନୀ ବେକରେ ତା’ ଲାଗି ଦଉଡ଼ି ଦେଇଛି । କ’ଣ କରିବି ? କେଉଁ ବାଟଦେଇ ପଳାଇବି-? ହେ ଭଗବାନ ମୋତେ ରକ୍ଷାକର ।’ ଜମାଦାର ଦେଖିଲେ ଘରେ ଜଣେ ଲୋକ ବସି ଗୋଟାସୁଦ୍ଧା ଥରିବାରେ ଲାଗିଛି । ‘କିହୋ ତୁମେ ଏପରି କାହିଁକି ହେଉଛ ? ଗୋବିନ୍ଦ ଥରି ଥରି ଉତ୍ତର ଦେଲା । ମୋ ଘର ଜେନାପଦା, ନଳିନୀ ମୋଠାରୁ ଦୁଇଶତ ଟଙ୍କା କରଜ ଆଣିଥିଲା ବୋଲି ମାଗି ଆସିଥିଲି । ସେ ତ ଆମର ବନ୍ଧୁବାନ୍ଧବ । ମୋତେ କହିଲା, ଭାଇନା, ତୁମେ ଟିକେ ଶୋଇପଡ଼; ମୋର ରୋଷେଇବାସ ସରିଲେ ତୁମକୁ ଉଠାଇ ଦେବି । ଦେଖନ୍ତୁ ଆଜ୍ଞା, ହାଣ୍ଡିଟି ଚୁଲି ଉପରେ ବସିଛି । ମୁଁ ଶୁଣିଲିଣି, ସେ କେଉଁ ଆମ୍ବତୋଟାରେ ଦଉଡ଼ି ଦେଇ ମରିଛି । ଜମାଦାର ବାବୁ ଆଖି ଲାଲ ଲାଲ କରି କହିଲେ, ‘ବଦମାସ୍, ଏଥିରେ ତୁ ପରା ଦୋଷୀ । ମୋତେ ଫାଙ୍କିଦେଇ କେଉଁଆଡ଼େ ଚାଲିଯିବୁ ବୋଲି ଭାବିଛୁ ? ଚିଠିଟି ଦେଖିଲୁ କ’ଣ ଲେଖା ଅଛି । ଗୋବିନ୍ଦର ସୁଖ-ସଂସାର ଆଜିଠାରୁ ଭାଙ୍ଗି ଧୂଳିସାତ୍ ହୋଇଗଲା । ହାତରେ ବାନ୍ଧି ଦିଆଗଲା କଠିନ ଲୌହ ଶୃଙ୍ଖଳର ବେଡ଼ି ।

 

ସେତିକିବେଳେ ଗୋବିନ୍ଦର ମନରେ ଚେତନା ଆସିଲା ? ମୁଁ କ’ଣ ନ କଲି ? ଜାଣୁ ଜାଣୁ ଏ ଜୀବନଦଣ୍ଡ ବରଣ କରିଛି । ମନେପଡ଼ିଲା, ପିଲାଦିନର ସାଙ୍ଗସାଥୀ, ଗାଁ ଆମ୍ବତୋଟା, କିଶୋରୀ ବୀଥିକମାନଙ୍କ ଜହ୍ନିଓଷା । ନିଜର ସେହି ଚାଳଘର ଯେତିକି ଶାନ୍ତି ଲାଗୁଥିଲା, ଥାନାର ଧଳା ଚକ୍ ଚକ୍ କୋଠାଘର ତାହାର ଦୁଇଗୁଣ ଦୁଃଖ ଲାଗିଲା । ଯେତେବେଳେ ଉପର ଆଲକାତରା କଡ଼ିକୁ ଚାହିଁଦିଏ, ସେତେବେଳେ ପଛକଥା ମନେପକାଇ କେତେ କାନ୍ଦେ, ଅନୁତାପ କରେ । ଶେଷରେ ବୁଝିଲା କାନ୍ଦିଲେ ଆଉ କ’ଣ ହେବ ? ଏହି କଏଦୀ ଘର ଏଣିକି ଜୀବନର ରଙ୍ଗମଞ୍ଜ ହେବ । ମନେପଡ଼ିଲା ଗୋଟିଏ ପ୍ରବଚନ ।

 

‘‘ଆପଣା ହାତେ ଜିହ୍ୱା ଛେଦି,

କେ ତାର ଅଛି ପ୍ରତିବାଦୀ ?’’

 

-ପଚିଶ-

 

ମଣିଷ ହେଉ ବା ଦେବତା ହେଉ, ଏପରି କେହି ନାହାନ୍ତି ଯେ କି ଗର୍ବ ଏବଂ ଅହଙ୍କାର ବହି ଦୁନିଆରେ ଚଳିବ । ସୃଷ୍ଟିକର୍ତ୍ତା କେବେହେଲେ କାହାର ଏପରି ଚାତୁର୍ଯ୍ୟକୁ ବରଦାସ୍ତ କରିପାରି ନାହାନ୍ତି । ପରିଶେଷରେ ସେମାନଙ୍କର ପତନ ନିଶ୍ଚୟ । ଏହିଠାରେ ନିର୍ଲଜ୍ଜ ଚାଇନା ପ୍ରତ୍ୟକ୍ଷରେ ଭାରତକୁ ଗୋଟିଏ ଜ୍ୱଳନ୍ତ ଦୃଷ୍ଟାନ୍ତ ଦେଖାଇ ଦେଇଛି । ପଞ୍ଚଶୀଳ ନୀତିରେ ବନ୍ଧୁତା-ସ୍ଥାପନ କରି ପରେ ବିଶ୍ୱାସଘାତକତା କରି କୂଟ କୌଶଳରେ ଭାରତର ଖାଦ୍ୟ ସମ୍ଭାରରେ ହଳାହଳ ବିଷ ସଂଯୋଗ କରିଛି । ନୀରପେକ୍ଷ ଜନତା ସ୍ୱପ୍ନରେ ସୁଦ୍ଧା ଏହା ଭାବି ନ ଥିଲେ । ଦୀର୍ଘ ତିନିବର୍ଷ ପୂର୍ବରୁ ଚାଇନା ଯଥାସାଧ୍ୟ ଗୋପନ ଉଦ୍ୟମ ଚଳାଇ, ଭାରତ ସୀମାନ୍ତରେ ସଂଗ୍ରାମର ଆୟୋଜନ ସମ୍ଭାର ଯୋଗାଡ଼ କରିଦେଇ, ହଠାତ୍ ଊଣେଇଶ ବାଷଠି ମସିହା ଅକ୍ଟୋବର ମାସ କୋଡ଼ିଏ ତାରିଖରେ ଆକ୍ରମଣ ଆରମ୍ଭ କଲା । ଏପରି ସଙ୍କଟଜନକ ପରିସ୍ଥିତିରେ ନୀରପେକ୍ଷ ଜନତା ନିସ୍ତେଜ ନ ହୋଇ ଜାଗି ଉଠିଲେ । ହିମାଳୟର ଶାନ୍ତ ସୁଶୀତଳ ଉତ୍ତଳା ବକ୍ଷରେ ସଂଗ୍ରାମର ଭେରୀ ବାଜିଉଠିଲା । ଲକ୍ଷ ଲକ୍ଷ ତୋପ, କମାଣର କାନଫଟା ଶବ୍ଦରେ ହିମାଳୟ ଶିଖର, କନ୍ଦର, ଗହ୍ୱର କମ୍ପିଉଠିଲା । ଜନନୀର ମୁକ୍ତି ନିମନ୍ତେ ଯବାନମାନେ ପ୍ରାଣ ସମର୍ପଣ କରି ରଣଭୂଇଁରେ କର୍ତ୍ତବ୍ୟନିଷ୍ଠ ହେଲେ । ନୀରପେକ୍ଷ ଦେଶ ଉପରେ ଚାଇନାର ବର୍ବରୋଚିତ ଏବଂ ଅତର୍କିତ ଆକ୍ରମଣର ନିରାକରଣ ପାଇଁ ପୃଥିବୀର ଅନ୍ୟାନ୍ୟ ସ୍ୱାଧୀନ ରାଷ୍ଟ୍ରମାନେ, ଯଥାଯୋଗ୍ୟ ସାହାଯ୍ୟ ପ୍ରଦାନ କରି, ଭାରତର ସାମରିକ ବାହିନୀ ଶକ୍ତିକୁ ସୁଦୃଢ଼ ଏବଂ ତେଜିୟାନ୍ କଲେ । ଭାରତର ଏପରି ନବଜାଗରଣ ଐକ୍ୟବଦ୍ଧ ତେଜରେ ଚାଇନା ଦବିଯାଇ ଏକତରଫା ଯୁଦ୍ଧ ବନ୍ଦ କରିଦେଲା । କେତୋଟି ମାସ ଯୁଦ୍ଧ ପରେ ପରେ ତାହା ଶାନ୍ତ ହେଲା । ତଥାପି ବିଶ୍ୱାସଘାତକ ଚାଇନା ପ୍ରତି ଭାରତର ସାମରିକବାହିନୀ ସୀମାନ୍ତରେ ସର୍ବଦା ସଜାଗ ।

 

ନୀରଦ ପେଟ ଚାଖଣ୍ଡକ ଲାଗି ଚାଲିଆସିଛି ମରଣଭୂଇଁକୁ, ସ୍ନେହୀ ପ୍ରିୟତମା ନଳିନୀକୁ ଏକାକରି । ଘରୁ କେତେ ମାସ ହେବ ଆସିବା ପରେ ଜରୁରୀ ପରିସ୍ଥିତି ଯୋଗୁଁ ଫେରିଯାଇ ପାରି ନାହିଁ । ବର୍ତ୍ତମାନ ଯୁଦ୍ଧର ଅବସାନ ଘଟିଛି । ଏହି ସୁଯୋଗରେ ଘରକୁ ଯାଇଁ ବୁଲି ଆସିଲେ ମନ ଥୟ ହେବ । ଯେଉଁ ତିନିଶତ ଟଙ୍କା ପଠା ହୋଇଥିଲା ସେଥିରେ କରଜ ତୁଟି ଯାଇଥିବ । ଏହି ଦରମା ଟଙ୍କାରେ ଅନ୍ୟାନ୍ୟ ଅସୁବିଧା ଦୂରେଇ ଯାଇପାରେ । ଏହାଭାବି କର୍ମକର୍ତ୍ତାଙ୍କଠାରୁ ଏକମାସ ଛୁଟି ନିମନ୍ତେ ଦରଖାସ୍ତଟି ମଞ୍ଜୁର କରାଇ ନିଜ ଘର ଅଭିମୁଖରେ ବାହାରିଲା । ମନ ବ୍ୟଗ୍ର ହୋଇ ଉଠିଛି, ଫେରିଯିବା ପାଇଁ ନିଜର ଜନ୍ମଭୂମିକୁ । ବାଟରେ ତିନିରାତି, ତିନି ଦିନ କଟିଗଲାଣି । କେଉଁଠି ବସରେ, କେଉଁଠି ରେଳଗାଡ଼ିରେ ବସି ବସି କ୍ଳାନ୍ତ ଲାଗୁଛି । ଯେଉଁ ପଥରେ ସଂଗ୍ରାମ ଭୂଇଁକୁ ଯାତ୍ରା କରିଥିଲା ଠିକ୍ ସେହି ପଥଦେଇ ନୀରଦ ଫେରୁଛି, ନିର୍ଦ୍ଦିଷ୍ଟ ସହର, ବଜାର, ଷ୍ଟେସନ ପ୍ରଭୃତି ଦେଇ । କେଉଁପରି ଶୀଘ୍ର ଶୀଘ୍ର ଗୋଟିକ ପରେ ଗୋଟିଏ ହୋଇ ଏଗୁଡ଼ିକ ପାରହୋଇ ଯାନ୍ତା ? ମନରେ ଫେରିଆସିଛି ଉଦ୍‌ବେଗ ଏବଂ ନୂଆ ନୂଆ ଭାବନା; କଳ୍ପନା । ଦୀର୍ଘ ପାଞ୍ଚ ମାସ ପରେ ଆଜି ମରଣଭୂଇଁରୁ ଜନ୍ମଭୂଇଁକୁ ଫେରି ଯାଉଛି । ଯମ ଦରବାରରେ ଭେଟ ହୋଇ ଆସିଲା ପରି ଜଣାପଡ଼ୁଛି । ଏବେ ପହଞ୍ଚିଯାଇଛି, ଚିର ପରିଚିତ କଟକ ସହରଟିରେ । ଟଙ୍କାର ଅଭାବ ତୁଟିଯାଇଛି । ବର୍ତ୍ତମାନ ପକେଟରେ ଶହ ଶହ ଟଙ୍କା । ଅଭାବ କ’ଣ ? ଏତେଦିନକେ ବିଦେଶରୁ ଫେରି, ମୋର ଅନ୍ତରଙ୍ଗ ପ୍ରିୟତମା ଯାଇଁ କି ଉପହାର ଦେବି ? ଏହି ଭାବନାରେ ଚୌଧୁରୀ ବଜାରସ୍ଥ ଗୋଟିଏ ଆଧୁନିକ ଦୋକନକୁ ଯାଇ ନଳିନୀର ମନଲାଖି ଅନେକ ଜିନିଷ ଖର୍ଦ୍ଦିକରି ଷ୍ଟେସନକୁ ଫେରିଆସି ଗାଡ଼ିରେ ବସିଲା ।

 

ଷ୍ଟେସନଗୁଡ଼ିକ ଅତିକ୍ରମ କରି ଗାଡ଼ି ଚାଲିଥାଏ । ନୀରଦର ଭାବନାର ଗତି ଗାଡ଼ିଠାରୁ ଆହୁରି ଅଧିକ ଚଞ୍ଚଳ ହୋଇ ଚାଲିଥାଏ । ଜନ୍ମଭୂମି ପରିଚିତ ସ୍ଥାନଗୁଡ଼ିକ ନୂଆ ନୂଆପରି ଲାଗୁଛି । ଏଇ ଭିତରେ କେତେ ଭଙ୍ଗାଗଢ଼ା ଦୁନିଆର ପରିବର୍ତ୍ତନ ହୋଇ ଯିବାପରି ଜଣାପଡ଼ୁଛି । ଘଣ୍ଟାଏ ସମୟ ଅଧଘଣ୍ଟାଏ ପରି ଲାଗୁଛି । ପ୍ରାୟ ଦୁଇଘଣ୍ଟା ଭିତରେ ରେଲଗାଡ଼ିଟି ନିର୍ଦ୍ଦିଷ୍ଟ ଷ୍ଟେସନରେ ପହଞ୍ଚିଲା । ଗାଡ଼ିରୁ ଓହ୍ଲାଇବା ମାତ୍ରେ କେତେ ଚିହ୍ନା ପରିଚିତ ଲୋକମାନଙ୍କର ସାକ୍ଷାତ ମିଳିଲା । ସେମାନେ ଜାଣନ୍ତି, ଏ ତିରିଶ କି ଚାଳିଶ ଖଣ୍ଡ ମୌଜାରୁ ଏହି ନୀରଦ ବାବୁ ସ୍ୱପ୍ରଣୋଦିତ ହୋଇ, ସଂଗ୍ରାମଭୂମିକୁ ଚାଲିଯାଇଥିଲେ । ତାଙ୍କ ସମ୍ମୁଖରୁ ଘଟଣା ଶୁଣିବାପାଇଁ ଉକ୍ତ ପରିଚିତ ଲୋକେ କେତେ କ’ଣ ପଚାରୁଥାନ୍ତି । ନୀରଦ ଆନନ୍ଦ ମନରେ ସେ ସବୁର ଉତ୍ତର କହିଯାଉଥାଏ । ମନ ଆନନ୍ଦ ସୁଅରେ ଉଡ଼ି ଉଡ଼ି ଯାଇଁ ଗାଁ ମାଟିରେ ପାଦ ପକାଇଲା ।

 

‘ନୀରଦ ଫେରିଆସିଛି, ନୀରଦ ଫେରିଆସିଛି’ ବୋଲି ଗାଁଟାଯାକ ହୁରି ପଡ଼ିଲା । ସମସ୍ତେ ତାଟକା ହୋଇ ନୀରଦକୁ ଦେଖିବା ପାଇଁ ଗାଁମୁଣ୍ଡରେ ଜମା ହୋଇଗଲେ । ସମସ୍ତଙ୍କ ମୁହଁରେ ବିମର୍ଷଭାବ ଫୁଟିଉଠୁଛି । ପ୍ରକୃତ ଘଟଣାଟା ଏପର୍ଯ୍ୟନ୍ତ କେହି ଜଣାଇ ନ ଥାନ୍ତି । ନୀରଦ ଗାଁ ଲୋକମାନଙ୍କୁ ଖୁସିହୋଇ ଯୁଦ୍ଧ ଭୂଇଁର ଅତୀତ ଘଟଣା ସବୁ କହୁଥାଏ; କିନ୍ତୁ ଏ ଗୂଢ଼ ରହସ୍ୟର ତଥ୍ୟ ବୁଝିପାରୁ ନ ଥାଏ । ସେହି ଜନଗହଳି ଭିତରୁ ସଦେଇ ମିଶ୍ରେ ବାହାରିପଡ଼ି ନୀରଦକୁ ଶୁଭ କଲ୍ୟାଣ ଜଣାଇ କହିଲେ, ‘ବାପରେ, ତୋ ଭାଗ୍ୟଟା ସଳଖ ଥିଲା ବୋଲି ଫେରିଆସିଲୁ । ମୋରି ଦେଖିବାରେ କେତେ ଦେହ ବି ବିତିଗଲାଣି, କେତେ କେତେ ଯୁଦ୍ଧର ଇତିହାସ ଏହି କାନ ଶୁଣି ଶୁଣି ଥୋବରା ହୋଇଛି । ଆମେ ଜାଣୁ ଯୁଦ୍ଧକୁ ଯେ ଯାଏ ସେ ମରେ । ଯାହାହଉ ଫେରିଆସିଛୁ ଅତି ସୁଖର କଥା ।

 

ଗାଁ ଲୋକମାନେ ନାହୁଲେଇ ଛାଉଲେଇ ହୋଇ ଗାଲରେ ହାତଦେଇ ମଉନ ମଳିନ ବଦନରେ କଥାବାର୍ତ୍ତା କରୁଥାନ୍ତି । ସଦେଇ ମିଶ୍ରେ ପୁଣି ପାଟି ଫିଟେଇ କହିଲେ ‘ବାପରେ, ଗୋଟିଏ କଥା କହିବି, ଯଦି ମନଦୁଃଖ ନ କରିବୁ ? ଦୁନିଆଁରେ ସମସ୍ତଙ୍କ ଭାଗ୍ୟ ସମାନ ନୁହେଁ । କିଏ ଖାଇ ଖାଇ ସୁଖରେ ବୁଲୁଛି । କିଏ ମୁଠାଏ ନ ପାଇ ପେଟ ବିକଳରେ ଗଡ଼ିମରୁଛି । ଦୁନିଆର ଖେଳଟା ଏହିପରି । ତୁ ପ୍ରାଣଧରି ଫେରିବୁ ବୋଲି ଆମର ଆଶା ନ ଥିଲା । ଆମେ ପ୍ରତ୍ୟକ୍ଷରେ ଶୁଣି ପାରିଥିଲୁ, ଯୁଦ୍ଧରେ ତୋର ଚିହ୍ନବର୍ଣ୍ଣ ମିଳିଲା ନାହିଁ ବୋଲି । ତୋ ସଙ୍ଗରେ ଯାଇଥିବା ସାଙ୍ଗ ଲୋକଠାରୁ ଖବର ପାଇ, ଜେନାପଦା ଗୋବିନ୍ଦା, ଆମ୍ଭ ଗାଁ ସାରା କହି, ନଳିନୀକୁ କହିଲା । କେଡ଼େ ରୂପଗୁଣ ସମ୍ପନ୍ନା ନିରିମାଖି ବୋହୂଟି ଆମ ଆଶ୍ରାରେ ଦିନ ବିତାଉଥିଲା । ମିଶ୍ରଙ୍କ ପାଟି ଅଧିକ ଅଧିକ କହିଲାବେଳକୁ ଥମ୍‌ଥମ୍ ହୋଇ ଯାଉଥାଏ । ଗାଁର ସମସ୍ତ ଲୋକଙ୍କର ଆଖି ଦୁଇଟିମାନ ତଳକୁ । ନୀରଦ ମିଶ୍ରଙ୍କର ଏ କଥାଗୁଡ଼ିକ କେତେକାଂଶରେ ବୁଝିପାରିଲାଣି । ‘ସତରେ ମୋର ପ୍ରିୟତମା ମୋରି ଲାଗି ପ୍ରାଣ ହରାଇଛି କି ?’ ବାମ ନୟନ ସ୍ଫୁରିଉଠି ଦପ୍‌ଦପ୍ ହୋଇ ଡେଇଁଲା । ପ୍ରାଣରେ ସୃଷ୍ଟିହେଲା ଘୋର ଆତଙ୍କ । ମନର ଓଜନ କମିଗଲା, ରକ୍ତକଣିକାଗୁଡ଼ିକୁ ଶିଥିଳ ହୋଇ ସମସ୍ତ ଅବୟବଗୁଡ଼ିକୁ ଅଚଳ କରି ପକାଇଲା ।

 

ମିଶ୍ରେ ପୂର୍ବପରି ଥର ଥର ହୋଇ ଛଳ ଛଳ ନୟନରେ କହି ଚାଲିଲେ, ତୋରି ମରଣ ଖବର ପାଇ ବୋହୂଟି ପ୍ରାଣ ହରାଇଛି । ଡାକପିଅନ, ତୋର ପଠାଇଥିବା ଟଙ୍କା ସକାଶେ ଡାକି ବୁଲିବାରୁ ଆମ୍ଭେମାନେ ଗ୍ରାମବାସୀ ସମସ୍ତେ ଜାଣିଲୁ । ନ ହେଲେ କେତେଦିନ ପର୍ଯ୍ୟନ୍ତ ସେହି ଆମ୍ବତୋଟାରେ ଓହଳି ରହିଥାନ୍ତା । ସେଇଦିନ ଗୋବିନ୍ଦ କରଜଟଙ୍କା ମାଗି ଆସି ବୋହୂର ଇଜତ୍ ଅପହରଣ କରିବା ସକାଶେ କେତେ ଜୋର ଜୁଲମ୍ କରିଥିଲା । ଏହି ଲାଞ୍ଛନା, ଗଞ୍ଜଣାରୁ ମୁକ୍ତି ପାଇବାପାଇଁ ବୋହୂଟି ନିଜେ ନିଜେ ଶେଷ ବିଚାର କରି ପ୍ରାଣ ହରାଇଲା । ଗୋବିନ୍ଦ ଜେଲଖାନା ଘରେ ସଂସାର ଗଢ଼ୁଛି ।’

 

ଏ କଥା ଶୁଣି ନୀରଦ ମୁଣ୍ଡ କଚାଡ଼ି ତଳେ ପଡ଼ିଗଲା । ଗାଁ ଲୋକେ କେତେ ଆହା ଆହା କହି ଆଶ୍ୱାସନା ଦେଇ ନୀରଦକୁ ତୋଳି ଧରିଥାନ୍ତି । ‘ଥୟଧର ବାପା, ତୋର କପାଳରେ ଯାହା ଥିଲା ସେଇଆ ଭୋଗିବୁ । କାନ୍ଦିଲେ କ’ଣ ହେବ ? ବିଧାତାର ଅବିଚାର କରି, ତୁମ୍ଭ ଦୁହିଁଙ୍କ ଜନ୍ମ ଜନ୍ମାନ୍ତରେ ସୁଦୂର ବ୍ୟବଧାନ ରଖି ଯାଇଛନ୍ତି । ଏଣିକି ନିଜ କପାଳକୁ ଆଦରି ଚଳିବା ଦରକାର ।’

 

ନୀରଦ ହାଡ଼ଫଟା ଚିତ୍କାର କରି ଘର ମୁହଁରେ ପହଞ୍ଚି ଦେଖିଲା, ଖଣ୍ଡିଆ ଚାଳ ଖଣ୍ଡିରେ ଛଣ ନାହିଁ । ମାଟିକାନ୍ଥଟି ଭୁଷୁଡ଼ି ପଡ଼ିଲାଣି । ହେ ଦୟାମୟ । ତୁମରି ରହସ୍ୟ କେତେ ଅଗମ୍ୟ ? ମନରେ କେତେ ଆଶାର ସଉଧ ତୋଳି ଆସିଥିଲି, ଶୁଣିବି ବୋଲି ସାଣମିତଣୀର ବୀଣାଜିଣା ମଧୁମୟ ବାଣୀ । ତା’ ପରିବର୍ତ୍ତେ ଶୁଣିଲି ଛାତିଫଟା କରୁଣ କାହାଣୀ । ଲୁଚିଗଲ ପ୍ରିୟତମା ଏକାକରି ମୋତେ । ଠିକ୍ କରିଛ ସହି । ଚିର ସତ୍ୟ ପଣ, ଆଶାର ଏହି ଯେ ଜ୍ୱଳନ୍ତ ପ୍ରମାଣ ଦେଇଗଲ । ମୁଁ ହତଭାଗ୍ୟ ହୀନ କୁଳାଙ୍ଗାର ମାନସୀର ସତ୍ୟରକ୍ଷାରେ ଧୂଳି ପକାଇଦେଲି ।

 

ଦାଣ୍ଡଦୁଆରେ ବସିପଡ଼ିଲା ନୀରଦ, ଢାଳିଦେଇ କେତେ ଠୋପା ନୟନର ଅଶ୍ରୁ ।

Image